ତଳମାଳ ଡାକେ

 

 

 

 

 

 

 

 

 

ତଳମାଳ ଡାକେ

ନରସିଂହ ସାହୁ

 

ଉତ୍ସର୍ଗ

 

ସ୍ନେହର ଭାଇ ଦିବାକର !

 

ଏମ୍‌.ବି.ବି.ଏସ୍‌. ପାସ୍‍ କରି ତମେ ଯେ ଦିନେ ଧୋବଧାଉଳିଆ କଟକ ଛାଡ଼ି ଏ ନିପଟ ମଫସଲର ମାଟି କାଦୁଅ ଭିତରେ ଆସି ଘାଣ୍ଟି ହେବ, ୟା’ କିଏ ଭାବିଥିଲା ? ଡାକ୍ତରଙ୍କ କଥା ତ ଛାଡ଼, ଆଜିକାଲି ସାମାନ୍ୟ ଖଣ୍ଡିଏ ମ୍ୟାଟ୍ରିକ୍‌ ପାସ୍‍ କରିଥିବା ଲୋକ ବି ମଫସଲକୁ ଆଡ଼ ଆଖିରେ ଅନଉ ନାହିଁ–ଗାଁ ଗହଳର ଗରିବଗୁରୁବା ମଳିମୁଣ୍ଡିଆଙ୍କୁ ମଣୁଛି ବିଲେଇ କୁକୁରଙ୍କଠଉଁ ହୀନ । ଆଉ ଡାକ୍ତର ? ଡାକ୍ତରୀ ଖଣ୍ଡିକ ପାସ୍‍ କଲା ବାସିଦିନ ସେ ଚଙ୍ଗଚଙ୍ଗ ଯୁବକଦଳ ଲମ୍ବା ପେଣ୍ଟ୍‌ ଉପରେ ହାଓ୍ୟାଇନ୍‌ ଖଣ୍ଡେ ଲେଖାଏ ଗଳେଇ ଦେଇ ଭାବୁଛନ୍ତି, ସତେ ଯେମିତି ସିଏ କୋଉ ସ୍ୱର୍ଗଭୁବନକୁ ଉଠିଗଲେ–ମଫସଲର ପଲ୍ଲୀ ଗାଁଗୁଡ଼ାକ ଗୋଟାଏ ଗୋଟାଏ ପୂତିଗନ୍ଧମୟ ନର୍କ, ଯଦିବା ସେଇ ଯୁବକଙ୍କ ଭିତରୁ ଶତକରା ଅଶୀ ଜନମ ହେଇଥିବେ ସେହି ନର୍କରେ–ବଢ଼ିଥିବେ ସେହି ନର୍କରେ–ପାଣି ପବନ ଖାଇ ପାଠଶାଠ ପଢ଼ି ଆଜି ବଡ଼ ହେଇଛନ୍ତି ସେହି ନର୍କରେ ।

 

ତମେ ଯାହା ଭାବ ଦିବାକର–ସେମାନେ ବରଂ ମୋତେ ଫାସୀ ଦେଇ ଦିଅନ୍ତୁ, ତଥାପି ମୁଁ କହିବି ସେମାନେ ଦେଶଦ୍ରୋହୀ–ସେମାନେ ହୀନ କୃତଘ୍ନ–ସେମାନେ ବେ-ଇ-ମା-ନ୍‌ ।

 

ଦେଶ ବୋଇଲେ ସହରର ଆବର୍ଜନା ନୁହେଁ, ଗାଁ ଗହଳର ସମଷ୍ଟି । ଜାତି କେବଳ କେତେଜଣ ହାତଗଣନ୍ତା ଦୋପଟି, କିଲଟର ବା ମନ୍ତ୍ରୀ, ଏଲ୍‌.ଏଲ୍‌.ଏ.ଙ୍କୁ ନେଇ ଗଢ଼ା ହୁଏନା, ମଫସଲରେ ଥିବା ଲକ୍ଷଲକ୍ଷ, କୋଟିକୋଟି ମଲା ଦରମଲା ଚାଷୀ ମୁଲିଆହିଁ ପ୍ରକୃତରେ ଏ ଜାତିର ମୂଳପିଣ୍ଡ । ଅଥଚ ଆଜି ସେମାନଙ୍କ ଅବସ୍ଥା ଯାହା–ସହରଠାରୁ ଶହଶହ ମାଇଲ ଦୂର ଗାଁ ଗହଳରେ ରହି ଆଜି ସେମାନେ ଯେପରି ଓଷଧ ଟିକିଏ ନପାଇ, ଚିକିତ୍ସା ଟିକିଏ ନପାଇ ହଇଜାରେ, ବସନ୍ତରେ, ମେଲେରିଆରେ ପୋକମାଛିଭଳି କଲବଲ ହେଇ ମରୁଛନ୍ତି, ତା’ ଏଇ ସହରର ଫମ୍ପା ସଭ୍ୟତା ଭିତରେ ଆସି ଦି’ଦିନ ମାତ୍ର ରହିଥିବା ସେହି ମଫସଲର ଯୁବକ ଯଦି ବୁଝି ନ ପାରିଲା, ତା’ହେଲେ ତା’କୁ ବେଇମାନ ନକହି ଆଉ କ’ଣ କହିବି କୁହ ।

 

ତରୁଣ ଡାକ୍ତର ପାସ୍‍ କରି ସାରି ଖାଲି ସହରରେ ମୁହଁ ମାଡ଼ି ପଡ଼ି ରହେ କାହିଁକି ? ବେଶୀ ଟଙ୍କା ପାଇଁ, ବେଶୀ ମାନସମ୍ମାନ ଆଶାରେ ତ । ଅଥଚ ସେ ବୁଝେନା ହୃଦୟ–ଅନୁଭବ କରେନା ଲକ୍ଷ ଲୋକଙ୍କର ଆକୁଳ ଡାକ–ବିକଳ କ୍ରନ୍ଦନ । ଗାଁରେ ତା’ରି ବାପା, ତା’ରି ଭାଇ ମରନ୍ତି ହଇଜାରେ; ତା’ର ପଡ଼ିଶାଲୋକ ମେଲେରିଆ ଭୋଗିଭୋଗି ଶେଷରେ ହାଡ଼ମାଳ ହେଇ ଯାଆନ୍ତି ମଶାଣିକି; ତା’ରି ଭଉଣୀ, ଭାଉଜ, ଝିଆରୀ କେତେ ଯୌବନର ପ୍ରଥମ ସୋପାନରେ ପ୍ରଥମ ପିଲାଟି ପ୍ରସବ କରି ନପାରି ଝଲକା ଝଲକା ରକ୍ତ ବାନ୍ତି କରି ଶେଷରେ ମାଟି କାମୁଡ଼ନ୍ତି । ଗାଁରେ ଖପରାଗଦା, ପାଉଁଶଗଦା ହୁଏ । ତରୁଣ ଡାକ୍ତର କଟକରେ ବସି ସୁଟ୍‌ ପିନ୍ଧେ, ସିନେମା ଦେଖେ, ଷ୍ଟେଥିସକୋପ୍‌ ବେକରେ ପକେଇ ବଡ଼ଘରେ ଯାଇଁ ତାଙ୍କ ଝିଅ ଝିଆରୀଙ୍କୁ ପ୍ରେମ କରେ । ଏଇତ ତମ ଡାକ୍ତର ! ଏଇତ ତାଙ୍କ କୀର୍ତ୍ତି !!

 

ଅଥଚ ତାଙ୍କ ଭିତରେ ତମେ ? ଲଙ୍କାରେ ହରିଶବ୍ଦ ? ଅଳିଆ ଅସନା ଖତଗଦା ଭିତରେ ଶୁଭ୍ର, ସ୍ୱଚ୍ଛ ପଦ୍ମଟିଏ ଫୁଟିଲା କି ଆଉ !!!

 

ଦିବାକର ! ତଳଘଟି ଆଳିରେ ତମ ଘର–ଯୋଉଠିକି ଫି’ବର୍ଷ ଆସେ ବଢ଼ି; ଫି’ ବର୍ଷ ଆସେ ଧୋଇ, ମରୁଡ଼ି, ମଡ଼କ, ମହାମାରୀ; ମେଲେରିଆରେ ଶହଶହ ଲୋକ ମରନ୍ତି; ହଜାର ହଜାର ଲୋକ କଙ୍କାଳ ସାଜି, କାଙ୍ଗାଳ ହେଇ କୁଲିଗିରି କରିବାକୁ ଗାଁ ଛାଡ଼ି ପଳାନ୍ତି କଲିକତା ।

 

ଦିବାକର ! ତମେ ସେମାନଙ୍କ ଦୁଃଖ ବୁଝିଛ–ସେମାନଙ୍କ ଅନ୍ତରତଳୁ ଉଠୁଥିବା କଲିଜାଥରା କରୁଣ କ୍ରନ୍ଦନର ସନ୍ଧାନ ପାଇଛ । ସେଇଥିପାଇଁ ଆଜି ସହର ଛାଡ଼ି ପଳେଇଛ ଗାଁକୁ–ବିଜୁଳି ଆଲୁଅ, ମଟରଗାଡ଼ି, ତିନିମହଲା କୋଠା ଛାଡ଼ି ହସିହସି ବାଛି ନେଇଛ ପାଣିକାଦୁଅ, ଭୋକ ଉପାସ, ଭଙ୍ଗା ଦଦରା ଗୁଡ଼ିଆ । ପଇସା ପାଇଁ ତମେ ଲୋଭ କରିନା–ମାନସମ୍ମାନ ପାଇଁ ତମେ ଲାଳାୟିତ ହେଇନା–ଆପଣାର ଉତ୍ତୋରତ୍ତର ଉନ୍ନତି ପାଇଁ ତମେ ମନ ଦେଇନା–ସଂକୀର୍ଣ୍ଣ ସ୍ୱାର୍ଥ ଛାଡ଼ି ବରି ନେଇଛ ଦେଶର ସମୂହ ହିତ, ପରସେବା–ଦୁଃଖୀ ସେବା,–ଦୀନ, ଦୁଃସ୍ଥ, ଦଳିତ, ମଥିତଙ୍କ ସେବା ।

 

ଆଜି ମୋର ଗର୍ବ ଯେ ତମଭଳି ନିଷ୍ଠାପର, ନିଃସ୍ୱାର୍ଥପର ସମାଜ ସେ କି ହାତରେ ଏଇ ମୋର କ୍ଷୁଦ୍ର ପୁସ୍ତିକାଟି ଟେକି ଦେବାର ସୁଯୋଗ ପାଇଛି । ଅନ୍ୟ କିଛି ନୁହେଁ–କେବଳ ତମ ତଳମାଳ କଥା–ତଳଘଟି ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା, ସମସ୍ୟା ଓ ତା’ର ସମାଧାନ । ଆଶାକରେ, ତମେ ଟିକିଏ ଅନ୍ତରର ସହିତ କଥାଗୁଡ଼ିକ ଭାବିବ ।

 

ଶେଷରେ ତମର ଉଚ୍ଚ ଆଦର୍ଶ ପାଇଁ ଲକ୍ଷେବାର ଅନ୍ତରର ଅଭିନନ୍ଦନ ଜଣାଉଛି । ଏ ଅକିଞ୍ଚନ–ଆଶୀର୍ବାଦ କର ଏ ଦେଶର ଅନ୍ଧ ତରୁଣତରୁଣୀ ସେହି ସେବା ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ସହର ଛାଡ଼ି ଗାଁଗହଳକୁ ଫେରିଯାଉ–ତା’ହେଲେ ଯାଇ ଦେଶରେ ଶାନ୍ତି ଆସିବ, ସୁଖ ଆସିବ, ବାପୁଜୀଙ୍କ ପରିକଳ୍ପିତ ରାମରାଜ୍ୟ ଫେରିଆସିବ ।

 

ସେହ୍ନର

ନରସିଂହ

Image

 

ଏକ

 

ବଡ଼ ହୀନିକପାଳିଆ ସେମାନେ । ଇତିହାସ ତାଙ୍କ ଖବର ରଖେ ନାହିଁ । ଖବରକାଗଜରେ ତାଙ୍କ ରୋଗ ବଇରାଗ, ଭୋକ ଉପାସ କଥା ବାହାରେ ନାହିଁ । ବଢ଼ି, ବୁଢ଼ୀରେ ମରିହଜି ପୋକମାଛି ଭଳି ମିଳେଇଗଲେ ବି ଦେଶବାସୀ ତାଙ୍କ କଥା ଭାବନ୍ତି ନାହିଁ । ସେମାନେ ଗରିବ–ନୁଖୁରା–ମଳିମୁଣ୍ଡିଆ ।

 

କଟକ ଜିଲ୍ଲାର ସେଇ ଆଳି, ପଟାମୁଣ୍ଡେଇର ଧୋଇଆ ଅଞ୍ଚଳ । ବଢ଼ା ପତରକୁ ଭାତ ଦି’ଟା ଖାଇବା ବି ସେଠି ଲୋକଙ୍କ ଭାଗ୍ୟରେ ଜୁଟେନା । ଥରେ ବଢ଼ି ଆସିଲେ ଗହିରକା ଗହିର ପାଚିଲା ଧାନ ପଦା ହୋଇଯାଏ । ସାତପୁରୁଷି ଖାନ୍‍ଦାନ୍‍ଘର ଦିନ ଦି’ଟାରେ ତଳିତଳାନ୍ତ ହୁଅନ୍ତି–ଚୁଲିଚାଳରେ ବାସ ରହେ ନାହିଁ ।’’

 

ସେଇଠି ସେ ଗାଁଟି–ସହିରା ବାଟିପଡ଼ା । ସେଇ କାଦୁଅ ପଚପଚ ବାଉଁଶବଣୁଆ ଗାଁ ଭିତରେ କେଉଁ ଏକ ଫଟା କାନ୍ଥ, ଦଦରା ଚାଳତଳେ ଜନମ ହେଇଥିଲେ ଭାଇ ଦୋ’ଟି । ବାଜା ବାଜି ନାହିଁ, ପଞ୍ଚୁଆତି ଚାଉଳ ବଣ୍ଟାହେଇ ନାହିଁ କି ଏକୋଇଶିଆକୁ ସତ୍ୟନାରାୟଣ ପୂଜା ହେଇ ବଙ୍ଗଳା ପାଲା ବୋଲାହେଇ ନାହିଁ । କାରଣ ବାପା ଘନ ରାଉତେ ଥିଲେ ଅତି ଗରିବ । ମୂଲଲାଗି କୋଉଠୁ ପାଞ୍ଚସେର ଆଣିଲେ ସଞ୍ଜବେଳକୁ ଯାଇଁ ଚୁଲିରେ ଠେକେରା ବସେ । ଦିନ ଗୋଟାଏ ଜରବାଧକାରେ ପଡ଼ି କାମକୁ ଯାଇ ନପାରିଲେ ଘରେ ଏଣେ ଖାଡ଼ା ଖାଡ଼ା ଉପାସ । ଏପରି ଅବସ୍ଥାରେ ପୁଅ ଜନମରେ ମଉଛୁକ କରିବାକୁ ସେ କାହୁଁ ପାଇବେ ? ଖୁଦ ମଳୁଖ ଦି’ଟା ନପାଇ ଯା’ର ପେଟ ପୋଡ଼ିଯାଉଛି, ସେ ଖିରିପୁରି କରି ବନ୍ଧୁ ବାନ୍ଧବଙ୍କୁ ପରଶିବ କେମିତି ? ସୁତରାଂ କେବଳ ଶିଝୁ ଡାଳ କେଇଖଣ୍ଡ ଆଣି ଦାଣ୍ଡପଟ ଓଳିତଳେ ଟାଙ୍ଗିବା ଛଡ଼ା ନୂଆ ଅତିଥିମାନଙ୍କୁ ସଙ୍ଖୋଳିବା ପାଇଁ ସେ ଆଉ କିଛି କରିପାରିନଥିଲେ ।

 

ବାପଅଜା ଅମଳର ଯେ ଜଳଜମି କିଛି ନଥିଲା, ଏପରି ନୁହେଁ । କିନ୍ତୁ ସେ ଜମିର ନାମ ସାର୍ଥକ କରି ନଦୀଜଳ ତା’ଉପରେ ଏତେ ଜମି ଯାଉଥିଲା ଯେ ମାସମାସ ଧରି ସ୍ଥଳଭାଗ ଦେଖାଯିବା ସେଠି ମୁସ୍କିଲ । ହାଡ଼ଭାଙ୍ଗି ଚାଷୀ ଚାଷକରେ । ବୈଶାଖ ଜ୍ୟେଷ୍ଠ ମାସର ଉଦୁଉଦିଆ ଖରାରେ ରକତ ପାଣି ଫଟେଇ ଘଇତା ମାରି ପାଟରେ ହଳବୁଲାଏ ତଳଘଟି ଚଷା । ଓରେ, ଦି’ଓର, ତିନିଓର–ତା’ପରେ ଖତ ବୁହେ, ଖତ ବୁଣେ, ଶୁଳା ଭାଙ୍ଗେ । ଶେଷରେ ଅକ୍ଷୟତୃତୀୟାଦିନ ଅଖି ମୁଠିଧରି ସରାଗରେ ଛାଟିଦିଏ ସେ ଧାନ–ଧଳା, ନାଲି, କଳା–କେତେ ଜାତିକା ….ଦିନ କେଇଟାରେ ମାଟି ପେଟ ଚିରି ଉଠିଆସେ ଟିକିଟିକି ସବୁଜ ଗଛ । ଚାଷୀ ପେଟ ପୂରିଉଠେ ଆନନ୍ଦରେ । ମନେ ମନେ କେତେ ସୁଖର ସପନ ଦେଖେ–ଆଶାର ଚନ୍ଦ୍ର ଉଦିଆ ଜାଳି ବସେ ।

 

ଆଷାଢ଼ ଆସେ । ଆକାଶରେ ଘୋଟିଆସେ କଳାବଉଦ । ଷୋଳବରଷିଆ ନୂଆ ଭୂଆଷୁଣୀର ରୂପଯୌବନ ଉପୁଚି ଉଠିଲା ଭଳି ସରଗ ରାଇଜର ରାଜକୁମାରୀ ‘‘ମେଘମାଳା’’ର ଫୁଟିଉଠେ ପୂରିଲା ପୂରିଲା ଦେହ–ଫାଟିପଡ଼େ ଫୁଲିଲା ଫୁଲିଲା ଛାତି । ସାରା ଅଙ୍ଗରେ ଭରିଯାଏ ଚଙ୍ଗ ଚଙ୍ଗ ତରଙ୍ଗଭାବ । ମନହୁଏ–ଦେଶକାଳ ନମାନି, ଲାଜସଙ୍କୋଚ ନରଖି ଗୋଟିପଣେ ଅଜାଡ଼ି ହେଇ ପଡ଼ିବ ଏହି ପୃଥିବୀ–ପ୍ରିୟର ଛାତିଉପରେ ଆଉ ଏକାବେଳକେ ହଜେଇଦେବ ଆପଣାର ଶେଷ ଅସ୍ତିତ୍ୱ ଟିକିକ । ସତକୁ ସତ ଅମାନିଆ ମନ ତା’ର ଆଉ ସମ୍ଭାଳି ହେଇ ପାରେନା । ହସିହସି ଧାଇଁଆସେ ପ୍ରିୟ କୋଳକୁ–ସରଗ ଛାଡ଼ି ଝରିପଡ଼େ ମରତ ଉପରେ ।

 

ମାଟିର ଧରାରେ ଜୀବନ ସଞ୍ଚରିଯାଏ । ଅମୃତର ପରଶପାଇ କଅଁଳିଆ ଗଛଗୁଡ଼ିକ ହସନ୍ତି, ଖେଳନ୍ତି, ନାଚନ୍ତି–ଦିନକୁଦିନ ବଢ଼ି ଉଠନ୍ତି ଛନଛନିଆ ହେଇ । ମାଟି ଲୁଚିଯାଏ । ଗଛ ଉଠିଯାଏ ଉପରକୁ । ଆଖି ପାଉ ନଥିବ । ଏତେବଡ଼ ପାଟରେ କୋଉଠି ଟିକିଏ ଫାଙ୍କ ଦିଶେନା । ସତେକି ଏକ ବିରାଟ ସବୁଜ ଗାଲିଚା ବିଛେଇ ହେଇଯାଏ ଆପଣାଛାଏଁ । ତା’ଉପରେ ପୁଣି ପବନ ବହିଯାଏ ଥିରିଥିରି ହେଇ । ଦୋହଲି ଦୋହଲି ନାଚିଉଠନ୍ତି ଗଛଗୁଡ଼ିକ । ଅଙ୍କାବଙ୍କା ଲହରୀମାଳା ସତେକି ପହଁରିଯାଆନ୍ତି ସାଗର କୋଳରେ ।

 

ହିଡ଼ ମୁଣ୍ଡରେ ଠିଆ ହେଇ ତଳମାଳର ଝାଳବୁହା ଚଷା ସବୁ ଦେଖେ । ଆଖି ଆଗରେ ଭାସିଉଠେ ସପନ ରାଇଜର ସୁଖଶିରୀ । ମନ ଗହନରେ ଉଙ୍କିମାରେ ଆଶା, ଆନନ୍ଦର ଅସରନ୍ତି ଢେଉ । ସେ ଭାବେ–ପ୍ରଭୁ ଆଖଣ୍ଡଳମଣିଙ୍କ ଦୟାରୁ ଏ ସାଲର ଫସଲ ଭଲେ ଭଲେ ଉତୁରିଲେ ସେ ଆଗ ସାହୁକାରର ଦେଢ଼ି ସୁଝିଦେବ । ଜମିଦାରର ଖଜଣାଗଣ୍ଡାକ ବାନ୍ଧିରଖିବ ମାଣବସା ଖଟୁଲି ଉପରେ । ତା’ପରେ ବରଷକମାନିଆ ଖାଇବାରଖି ବାକି ଧାନ ମପେଇଦେବ କଟକିଆ ବେପାରୀଙ୍କି । ଆଉ ସେହି ଟଙ୍କାରେ କରିବ ଝୁଅ ପେଇଁ ଚାପସରି, ବଟଫଳ, ଚଉଁରିଭୁଣ୍ଡି–ମାଇପ ପେଇଁ ଆଣିବ ଖଣ୍ଡେ କେନ୍ଦୁପାଟଣିଆ କସ୍ତା–ପୁଅ ବାହା ପେଇଁ କୁଣିଆଁ ପଠେଇବ ‘ଏରଣ୍ଡ ହଳଦିଆଁ’ର ବିଦେଇ ବରାଳଙ୍କ ଘରକୁ..…ଏମିତି କେତେ କଥା, କେତେ ଆଶା, କେତେ ରଙ୍ଗୀନ୍ ସ୍ୱପ୍ନ ।

 

କିନ୍ତୁ ତା’ମନକଥା ମନରେ ରହେ । ଆଖଣ୍ଡଳମଣିଙ୍କ ଦୟା ହୁଏନା । ଏ କଳିଯୁଗରେ ଦିଅଁ ପଥର ପାଲଟି ଗଲେଣି । ଆଜି ମଣିଷ ତ ମଣିଷର କାକୁତି ଶୁଣୁ ନାହିଁ, ନିଦା ପଥରର ଦିଅଁ ଦେବତା ଶୁଣିବେ କ’ଣ ? ....ଆଷାଢ଼ ଯାଇଁ ମାଡ଼ିଆସେ ଧାରା ଶ୍ରାବଣ । ମୂଷଳଧାରାରେ ବରଷିଯାଏ ଇନ୍ଦ୍ରରାଜାଙ୍କ ଚାରିମେଘ–ଆବର୍ତ୍ତକ, ସମ୍ବର୍ତ୍ତକ, ଦ୍ରୋଣ, ପୁଷ୍କର । ଉପର ମୁଣ୍ଡରେ କେଡ଼େ ଯୁଆଳି ମୋଟରେ ମେଘ ଢାଳେ କେଜାଣି, ବ୍ରହ୍ମଣୀନଈରେ ମାଡ଼ିଆସେ ଗଅଗଇଆ ବଢ଼ି । ବଗଚରା ବୁଡ଼ିଯାଏ ନିମିଷକେ । ତାଳଗଛ ଉଞ୍ଚରେ ପାଣି ଆସି ଗଛ, ବୁରୁଛ, ପଠା, କାଣ୍ଡିଆ ସବୁ ବୁଡ଼େଇଦିଏ ରାତାରାତି । ଆଉ ତା’ସାଙ୍ଗରେ ବୁଡ଼େଇଦିଏ ହଜାର ହଜାର ଚାଷୀଙ୍କର ଆଶା, ଭରଷାର ଥଳି, ଭାତହାଣ୍ଡି ‘‘ଘଇତା ମାରି ପାଟ’’ ଟିକି । ଚାରିଆଡ଼ ଚିଲିକାମୟ ହୁଏ । ଯୋଉ ଶହଶହ ଏକର ଜମିରେ ଧାନଗଛ ସବୁ ହାତେ, ଦେଢ଼ହାତ ଉଞ୍ଚ ହେଇ ଯାଇଥାଏ, ତା’ଉପରେ ସାପମୁଣ୍ଡ କଟିଲାଭଳି ସୁଅ ଚାଲେ–ଅଣ୍ଟାଏ ଉଞ୍ଚର ପାଣି ଜମି ରହେ ମାସ ମାସ ଧରି । ସୁତରାଂ ବେଉଷଣ କରିବାପାଇଁ ପାଣିହଳ ଯୋଚିବାକୁ ଆଉ ଚାଷୀକୁଳଙ୍କୁ ପଡ଼େନା । ଲହଲହ ଜିଭ ବୁଲେଇ ଦିନ କେଇଟାରେ ମୂଳପୋଛ କରିଦିଏ ବଢ଼ନ୍ତା ନଈ । ଠାଏଠାଏ ପୁଣି ପାହାଡ଼ ଭଳିଆ ବାଲି ଚରିଯାଏ କେତେ ହତଭାଗ୍ୟ ଗରିବଙ୍କ ଜମିରେ । ଫଳରେ ସେ ବର୍ଷ ତ ଫସଲ ହୁଏନା, ଆଉ ପନ୍ଦର କୋଡ଼ିଏ ବରଷ ପାଇଁ ନହେବାର ଯୋଗାଡ଼ କରିଯାଏ ।

 

ଏମିତି ବର୍ଷ ପରେ ବର୍ଷ ନଈବଢ଼ି ଆସେ । ଏକା ପଟାମୁଣ୍ଡେଇ ନୁହେଁ, ଆଳି, କନିକା, ତେଣ୍ଡାକୁଡ଼ା, ପାଟକୁରା, କେନ୍ଦ୍ରାପଡ଼ାର ବହୁ ଅଞ୍ଚଳ ସମୂଳେ ଯାଏ ଧୋଇ ହୋଇ । ସୁନା ଫଳିଲା ଜମିକି ଦି’ଦିନେ କରିଦିଏ ଦି’କଡ଼ାର । ଶହେ ଦେଢ଼ଶ’ଟଙ୍କା ଗୁଣ୍ଠର ଅଉଲ ନମ୍ବର ଜମିସବୁ ଆଖି ପିଞ୍ଛଡ଼ାକେ ପରିଣତ ହୁଏ ଧୁଧୁ ମରୁଭୂଇଁରେ । ଫଳରେ ଗରିବ ଚାଷୀଭାଇମାନେ ଭାସିଯାଆନ୍ତି ସେହି ସୁଅରେ–ଭାଙ୍ଗିପଡ଼ନ୍ତି ସେହି ଗୋଟିଏ ଗୋଟିଏ ଧକ୍କାରେ । ମଗୁଶୁର ମାସର ସକାଳ କୁହୁଡ଼ି ଭଳି ସୁଖସପନ ତାଙ୍କର କୁଆଡ଼େ ମିଳେଇଯାଏ ଦଣ୍ଡକେ । ମୁଣ୍ଡରେ ସତେକି ଛିଡ଼ିପଡ଼େ ଉପରର ବିଶାଳ ଆକାଶଟା । ଆଖିରୁ ଧାରଧାର ପାଣି ବହିଯାଏ ।

 

ଡୋଲିରୁ ପୁରୁଣାଧାନ ସରିଯାଏ । ଖଣିଧାନ ବି ଶେଷ ହେଇଯାଏ କାର୍ତ୍ତିକ ଅଧାଅଧିକି । ପିଲାଛୁଆଗୁଡ଼ିଙ୍କର ଭୋକରେ ହଂସା ଉଡ଼େ । ନିଜେ ବି ଉପାସ ରହିରହି ଡହଳବିକଳ ହେଇଉଠେ ପେଟ । ଧାନ ଗୌଣିକ ପାଇଁ କେତେ କାହାପାଖରେ ଗୋଡ଼ଭାଙ୍ଗି ଠିଆହେବେ ? ତା’ପୁଣି ଅଣ୍ଟାରେ ବଜବଜିଆ ପଇସା ଅଛି କେଉଁଠି ? ମନ ଚିଡ଼ିଯାଏ । ଛୁଆଙ୍କ ବିକଳ ଆଉ ସହି ହୁଏନା-। ଭବିଷ୍ୟତ ବି ଅନ୍ଧାର । ପୁଷମାସରେ ଏବର୍ଷ ଅଗାରି ମୁଣ୍ଡିଟିଏ ବି ଅମଳ ହେବାର ଆଶା ନାହିଁ । ସବୁ ବର୍ଷ ତ ନଈ ଏମିତି ଅଳପେ ବହୁତେ ଖାଉଛି । ଆଇନ୍ଦା ସନକୁ ଯେ ଛାଡ଼ିଦେବ ତା’ର କ’ଣ ମାନେ ଅଛି ? ନାଁ, ଗାଁ ଭୂଇଁର ମମତା ରଖି ମଶାଣି କୋଳକୁ ସେ କେବେ ସଜହେଇ ପାରିବ ନାହିଁ-। ପୁଣି ପିଲାଛୁଆକୁଳର ଦୀପ, ତାଙ୍କୁ ଏମିତି ଚାହୁଁ ଚାହୁଁ ଭୋକଉପାସରେ ମାରିଦେବ ନା ? ନା, ନା, ଯା’ ଛା’ ତା’ ହେଉ ପଛକେ, ସେ ଗାଁ ଛାଡ଼ିବ । ....ତହିଁଆର ଦିନ ବନ୍ଧା ହୁଏ ଗଣ୍ଠିରି । ସେ ଜନମ ମାଟିର ମୋହ ତେଜି ବାହାରିଯାଏ କଲିକତା, କାଇମାଟି, ରେଙ୍ଗାମ ।

 

ଜଣେ ଦି’ଜଣ ନୁହେଁ, ଦଶ ପଚାଶ ନୁହେଁ, ତଳଘଟି ଅଞ୍ଚଳର ଶହ ଶହ, ହଜାର ହଜାର ଲୋକ ଏମିତି ପଳେଇଯା’ନ୍ତି ବିଦେଶ । ଆପଣା ମା’ କୋଳରେ ରହି ପେଟ ଚାଖଣ୍ଡକ ନ ପୂରିବାରୁ ସାବତମା’ କୋଳକୁ ଯା’ନ୍ତି ଶାଗମୁଗ ଦି’ଟା ଗୋଟା ଗୋଟି କରିବାକୁ । ଗାଁ ପଦା ହେଇଯାଏ । ଭେଣ୍ଡା ଭେଣ୍ଡା ଗଜା ଟୋକାଙ୍କଠଉଁ ଆରମ୍ଭ କରି ବୁଢ଼ା ଦରବୁଢ଼ା ଯାଏ ସଭିଏଁ ଧରନ୍ତି ସେହି ବାଟ । ଆଜି କଲିକତା କରପୋରେସନରେ ବା ଚେଙ୍ଗଲ, ଉଲବାଡ଼ିଆ, ଫୁଲେଶ୍ୱର, ମାଟିଆ ବୁରୁଜର ଚଟକଳମାନଙ୍କରେ ଯେତେ ଓଡ଼ିଆ କାମ କରନ୍ତି, ତା’ର ଅଧିକରୁ ବୋଧେ ବେଶୀ ହେବେ ଏହି ପଟାମୁଣ୍ଡେଇ, ଆଳି ଅଞ୍ଚଳର ଲୋକ । ବ୍ରାହ୍ମଣୀ ନଈର ଉତ୍‌ପାତରେ ଅସ୍ତବ୍ୟସ୍ତ ହେଇ ଶାନ୍ତି ପାଇବାପାଇଁ ପଳେଇ ଯାଇଛନ୍ତି ଗଙ୍ଗା ନଈକୂଳକୁ ।

 

ଯାହାହେଉ, ସେହି ନଈଖିଆ, ଧୋଇଆ ଅଞ୍ଚଳରେ ଯେତେବେଳେ ଘନ ରାଉତଙ୍କ ଘର, ସେତେବେଳେ ତାଙ୍କର ଜମିଥିଲା କି ନଥିଲା ବୁଝି ଲାଭ କ’ଣ ? ପୁଣି ଯୋଉ ଜମିରେ ଫି ବର୍ଷ ଆସେ ବଢ଼ି–ଫି’ ବର୍ଷ ଚରିଯାଏ ନୂଆ ନୂଆ ବାଲିପଠା, ସେ ଜମିର ପରିମାଣ ଜାଣି ବା ଦରକାର କ’ଣ ? ଜମି ଥାଇ ନଥିଲା ଭଳି । ରାଉତେ ଏଠି ସେଠି ମୂଲପାତି ଲାଗି ବାରହୀନସ୍ତା ହେଇ ଚଳନ୍ତି । ଭାତମୁଠିକ ଛୁଆଙ୍କ ମୁହଁରେ ଦେଇ ନିଜେ ପେଜ ତୋରାଣି ପିଇ କୌଣସିମତେ ଦିନ କାଟିଦିଅନ୍ତି । ତେବେ ଏତେ ଦୁଃଖକଷ୍ଟ ଭିତରେ ଥାଇଁ ଯେ ସେ କାହିଁକି ଦି’ଦି’ଥର ଛନ୍ଦି ହେଇଥିଲେ, ତା’ଅନେକଙ୍କୁ ବଡ଼ କୌତୂହଳ ଲାଗେ । କିନ୍ତୁ ସୁଖ କରିବାକୁ ସେ କେବେ ଛନ୍ଦିହେଇ ନାହାଁନ୍ତି । ଦୁଃଖର ବୋଝ ହାଲୁକା କରିବା ପାଇଁ ସେ ଧରିଛନ୍ତି ଗୋଟିକ ପରେ ଆଉ ଗୋଟିକର ହାତ, ଆଉ ତା’ପଛରେ ଅଛି ଏକ ଛାତିଥରା କରୁଣ ଇତିହାସ ।

 

ଦୁଇ

 

ସେ ବର୍ଷ ନଈରେ ଆସିଥାଏ ଗାୟାଳ ବଢ଼ି । ଅକାତକାତ ପାଣି ଚାଲିଥାଏ ଘଇତାମାରି ପାଟରେ । ଗାଁଗଣ୍ଡାସବୁ ଭାସିବା ଉପରେ । ଶହ ଶହ ଲୋକ ପିଲାଛୁଆ ଧରି ଆସି ଠିଆ ହେଇଥାନ୍ତି ନଈବନ୍ଧରେ । ହରିବୋଲ, ହୁଳହୁଳିରେ କାନଅତରା ପଡ଼ୁଥାଏ । କାଳେ କୋଉଠି ବନ୍ଧ ଭାଙ୍ଗିବ, ସେଥିପାଇଁ ଆଲୁଅ ଧରି ଖିଦ୍‍ଖାଦିଆ ହେଇ ଏଣେତେଣେ ଦଉଡ଼ୁଥାନ୍ତି ଜୁଆନ୍‌ ଜୁଆନ୍‌ ଟୋକାଏ । ସହିରା ବାଟିପଡ଼ାର ଖଣ୍ଡେ ଦୂର ଆଗକୁ ନୂଆପଡ଼ା–ମସ୍ତ ଏକ ଚାଷୀବସ୍ତି । ସେଇଠି ଆଗ ବନ୍ଧ ଜକେଇଲା । ଛୋଟ ଛୋଟ ଘଳିଆ ପଡ଼ିବାର ଦେଖାଗଲା । ଗୋରୁଗାଈ ଫିଟେଇ ଦେଇ ଘରଦ୍ୱାର ଛାଡ଼ିଦେଇ ଜୀବନ ବିକଳରେ ଲୋକେ କିଏ କୁଆଡ଼େ ପଳେଇଲେ । ନଇବନ୍ଧ, ଉଞ୍ଚକୁଦ, ଗଛଡାଳରେ ଶହ ଶହ, ହଜାର ହଜାର ଲଣ୍ଠନ ଦେଖାଗଲା । ଗଭୀର ଆଶଙ୍କାରେ ଲୋକେ ଆର୍ତ୍ତନାଦ କରିବାକୁ ଲାଗିଲେ ।

 

ରାତିଅଧ । କଳାରାତିର ସାଇଁ ସାଇଁ ଗର୍ଜନକୁ ବୁଡ଼େଇ ଦେଇ ବୁଢ଼ୀ ଅସୁରୁଣୀ ଭଳି ଗର୍ଜିଉଠୁଛି ବଢ଼ନ୍ତା ନଈ । ଲକ୍ଷେ ଅହିରାଜ ସତେକି ଏକାବେଳକେ ସୁ ସୁ ଗର୍ଜନ ଛାଡ଼ିଛନ୍ତି ପାହାଡ଼ ଗୁହାରୁ । ସେଥିରେ ପୁଣି ଉପରୁ ଢୁ ଢୁ ବର୍ଷା, ତିନିଦିନ ହେଲା ଝଡ଼ । ହଠାତ୍‌...ହଠାତ୍‌ ନଈଭିତରେ ଗୋଟାଏ ଗୁମ୍‌ଗୁମ୍‌ ଶବ୍ଦହେଲା । ଭୂଇଁକମ୍ପରେ ମାଟି ଦୋହଲିଗଲା ଭଳି କୋଡ଼ିଏ ହାତ ଚଉଡ଼ାର ନଈବନ୍ଧ ଅତି ଭୟଙ୍କର ଭାବେ ହଲଚଲ ହେଇଉଠିଲା । ଲୋକେ ବୁଝିଗଲେ । ହରିବୋଲ, ହୁଳହୁଳିରେ ଆକାଶ ଫାଟି ପଡ଼ିଲା । କୋଡ଼ି, କୋଦାଳ, ଗାଣ୍ଡୁଆ, ଟୋକେଇ ଧରି ଧାଇଁ ଆସିଲେ ହଜାର ହଜାର ଲୋକ । ପକେଇଲେ ମାଟି ଉପରେ ମାଟି–ବୋହି ଆଣିଲେ ବୋଝ ବୋଝ, ଭାର ଭାର, ଓଦର ଓଦର ମାଟି । ଗୋଟାଏ ପାହାଡ଼ଟାକୁ ଯେମିତି ଘଡ଼ିକେ ବୋହିଆଣି ଅଜାଡ଼ି ଦେବେ ବନ୍ଧ ଉପରେ । କିନ୍ତୁ ଦୈବୀବଳ ପାଖରେ ମଣିଷ ବଳ !! ଛି, ଛି, ଖାଲି ସମୁଦ୍ରକୁ ଟେକା ପକେଇଲାଭଳି । ଲକ୍ଷ କାନଉଛୁଳା ହରିଶବଦ ସେହି କୂଳ ଉଛୁଳା ନଈ ଭିତରେ କୁଆଡ଼େ ମିଳେଇଗଲା । ସ୍ୱୟଂ ହରି ବି ବୋଧେ ଭାସିଗଲେ ସେହି ତୋଡ଼ ମୁହଁରେ । .....ଗୋଟାଏ କରୁଣ ଚିତ୍କାରରେ ମେଦିନୀ କମ୍ପି ଉଠିଲା–ଘାଇ ଭାଙ୍ଗିଲା ।

 

ଭୁସ୍‌ଭୁସ୍‌ ହେଇ ପାଣି ପଶିଗଲା ଗାଁ ଭିତରେ । ଘଡ଼ିକ ଭିତରେ ଗାଁ ଦାଣ୍ଡରେ ହେଲା ପୁରୁଷେ ପାଣି । କାନ୍ଥ ପଡ଼ିଗଲା । ଗାଈଗୋରୁ ଭାସିଗଲେ । ପିଲାକବିଲା ଜୀବନ ବିକଳରେ ହାଉଲୁ ମାଉଲୁ ହେଇ କିଏ କୁଆଡ଼େ ଗଲେ । ପାଣି ଯାଇଁ ଆସ୍ତେ ଆସ୍ତେ ମଥାନରେ ଲାଗିଲା ।

 

ଖାଲି ନୂଆପଡ଼ା ବୁଡ଼ିଲା ନାହିଁ, ନୂଆପଡ଼ା ତଳକୁ ବଲୁରିଆ, ସଅଁସିଦା, ପତରପୁର ବୁଡ଼ି ସହିରା ବାଟିପଡ଼ା ବୁଡ଼ି ଆସିଲା । ତା’ ତଳକୁ ତଳକୁ କଷଣଅଣ୍ଟା ଆଦି ଗାଁରେ ବି ମାଡ଼ିଗଲା ପାଣି-। ଚାରିଆଡ଼େ ହେଇଗଲା ଜଳାର୍ଣ୍ଣବ–ଏକାକାର ।

 

ତଳଘଟି ଗାଁରେ ପାଣି ପଶିବା ଗୋଟାଏ କିଛି ନୂଆକଥା ନୁହେଁ । ଫି ବର୍ଷ କୋଉଠି ନା କୋଉଠି ବନ୍ଧ ଭାଙ୍ଗେ । ଅଳପେ ବହୁତେ ଗାଁ ଭିତରେ ପାଣି ପଶେ । ସୁତରାଂ ଲୋକମାନେ ଏଭଳି ଘଟଣାରେ ଏକପ୍ରକାର ଅଭ୍ୟସ୍ତ । ପାଣି ଆସିବା ଦେଖିଲେ କନାକତରା. ଓଳିଆ, ପେଟରାଠଉଁ ଆରମ୍ଭ କରି ଆମ୍ବୁଲ ମାଠିଆ ନୁଣକାଠୁଆ ପର୍ଯ୍ୟନ୍ତ ସବୁ ନେଇ ସମ୍ପାଦ ରଖନ୍ତି ଉପରର ବାଉଁଶ ସଙ୍ଗାରେ । ଶିଳ, ଚକି, ଠେକି କାଞ୍ଚୁଲ, ଛାଞ୍ଚୁଣି ପହଁରା ଆଦି ଅଗଡ଼ଙ୍ଗ ବଗଡ଼ଙ୍ଗ ଚିଜ ସବୁ ସାଇତା ହୁଏ ଭାଡ଼ି ଉପରେ । ସଙ୍ଗାରେ ଝୁଲୁଥିବା ଶିକା ଦେହରେ ଟଙ୍ଗା ହୁଏ ଭାତହାଣ୍ଡି-। ତା’ ଉପରେ ଉଗୁଡ଼ା ହୁଏ ଏକ ପଅସରା ପଲମ । ଛୋଟ ଛୋଟ ଡଙ୍ଗା ବାନ୍ଧି ତଳେ ରହନ୍ତି ପିଲାଛୁଆ, ବୁଢ଼ାବୁଢ଼ୀ, ବୋହୂ ଭୁଆସୁଣୀ । ଘର ଭିତରେ କୋଉଠି ଅଣ୍ଟାଏ, କୋଉଠି ଛାତିଏ, କୋଉଠି ପୁରୁଷେ ପାଣି । ସେହି ଡଙ୍ଗା ଉପରେ ରୋଷେଇବାସ ହୁଏ; ଖିଆପିଆ ହୁଏ; ଶୁଆବସା ହୁଏ । ଡଙ୍ଗା ନେଇ ଲୋକେ ଏ ଘରୁ ସେ ଘରକୁ ଯାଆନ୍ତି–ଦୋକାନକୁ ଯାଇଁ ତେଲ ଲୁଣ ସଉଦା ଆଣନ୍ତି–ଗାଁ ବାହାରକୁ ଡଙ୍ଗା ନେଇ ଟିକିଏ ଉଢ଼ାଳରେ ରହି ସେହି ଡଙ୍ଗାଏ ଡଙ୍ଗାଏ ଝାଡ଼ାଝପଟ କାମ ସାରି ଆସନ୍ତି । ସେଥିପାଇଁ ଘରପିଛା ତିନି ଚାରି ଖଣ୍ଡ ଲେଖା ହୁଲି ଡଙ୍ଗା ସଭିଙ୍କର ଥାଏ ।

 

ଚାରି ଆଠଦିନ ପରେ ପାଣି ଛାଡ଼ିଗଲେ ପୁଣି ଘରକରଣା ଆରମ୍ଭ ହୁଏ–ପୁଣି ଆମ୍ବୁଲ ମାଠିଆ, ମାଣ୍ଡିଆ ଖୁସୁଳି ତଳକୁ ଆସେ । ନାହିଁ ଯଦି ପାଣି ନ ଛାଡ଼ି ଉପରକୁ ଉପରକୁ ଉଠି ଶେଷରେ ମଥାନ ଛୁଏଁ, ତେବେ ସେ ତିନି ପୁରୁଷର ଘର, ଚଉଦପୁରୁଷର ଭିଟାମାଟିର ଆଶା ଛାଡ଼ି ମଣିଷ ପଳେଇ ଯାଏ ଦୂରକୁ–ସେହି ଡଙ୍ଗାରେ କାତ ମାରି ମାରି, ଆହୁଲା ପକେଇ ପକେଇ ଚାଲିଯାଏ କୌଣସି ଏକ ଉଞ୍ଚା, ଶୁଖିଲା, ନିରାପଦ ଜାଗାକୁ । ତା’ପରେ ? ....ତା’ପରେ ଘରଦ୍ୱାର, ଜମିବାଡ଼ି ଛାଡ଼ି ପିଲାଛୁଆଙ୍କୁ ଧରି ସେ ସେହି ନୂଆଜାଗାରେ କେମିତି ଚଳେ, ତା’ କେବଳ ଭଗବାନହିଁ ଜାଣନ୍ତି–ତଳଘଟିର ଦିଅଁ ଆଖଣ୍ଡଳମଣି ଜାଣିଥିବେ ।

 

ସେଦିନ ସହିରା ବାଟିପଡ଼ାରେ ଯେ ପାଣି ପଶିଲା ଲୋକେ ଭାବୁଥିଲେ ବେଶୀ ହେବ ନାହିଁ । ଚାରିଆଡ଼େ ପାଣି ଖେଳେଇ ହେଇ ଗଲାଣି । ଖୁବ୍‌ ହେଲେ ଅଣ୍ଟାଏ ଯାକେ ହେଇପାରେ । .....ସେଇଆ ବି ହେଇଥାନ୍ତା । କିନ୍ତୁ ମଝିରେ ଭୁଇଁପୁର ପାଖରେ ଭାଙ୍ଗିଲା ପୁଣି ଗୋଟାଏ ଘାଇ । ହୁ ହୁ କରି ପାଣି ମାଡ଼ି ଆସିଲା । ସମୁଦାୟ ଗାଁଟା ଭାସିଯିବା ଉପରେ । ସବୁ ଆଶାଭରସା ଛାଡ଼ି ଲୋକେ ଯେଝା ଯେଝା ଡଙ୍ଗା ଧରି ତଳକୁ ତଳକୁ ଚାଲିଗଲେ । ଘନରାଉତେ ଆପଣା ସ୍ତ୍ରୀ ଓ ପୁଅଟିକି ନେଇ ମଧ୍ୟ ସେହି ଅନିଶ୍ଚିତ ପଥରେ ସଭିଙ୍କ ସାଥିରେ ଚାଲିଲେ ।

 

‘‘ଦିଗ’’ଟିକି ସେତେବେଳେ ମାତ୍ର ଅଢ଼େଇ ବର୍ଷ । ବୋଉ କୋରରେ ବସି ଦୁଧ ଖାଉଥିଲେ । ବାପା କାତ ମାରୁଥାନ୍ତି । ହଠାତ୍‌ ତା’ର ଆଖି ପଡ଼ିଲା ଗୋଟାଏ ଝିଙ୍କକାଠି ଉପରେ । ମେଞ୍ଚାଏ ଅଳିଆ କୁଟାକାଠି ସାଙ୍ଗରେ ଭାସି ଯାଉଥିଲା କେତୋଟି ଝିଙ୍କକାଠି । ସକାଳର କଅଁଳ ଖରାରେ ଚିକ୍‌ଚିକ୍‌ କରୁଥିଲା ତା’ର ଚିକିଣିଆ ରୂପ । ଦିଗ ଜିଦ୍‌ କଲା–‘‘ବୋଉ ! ମତେ ଗୋତା ସେଥୁଲୁ ଦେ.....ଏ..... ।’’ ଯେତେ ବୁଝେଇଲେ ବୁଝିଲା ନାହିଁ । ଯେତେ ‘ଉ’ କହି ଡରେଇଲେ ବି ଡରିଲା ନାହିଁ ସେହି ଅମାନିଆ ଛୁଆଟା । ଶେଷରେ ସେହି ଅଳିଆ ଜାଳମେଞ୍ଚାକ ନିକଟକୁ ବାପା ନଗେଇଲେ ଡଙ୍ଗାଟିକି । ଝିଙ୍କକାଠି ଆଣି ପୁଅକୁ ଦେବାପାଇଁ ବୋଉ ପାଣିକି ହାତ ବଢ଼େଇଲା । ......କିନ୍ତୁ.....କିନ୍ତୁ ସେଇ ଯେ ବଢ଼େଇଲା ଆଉ ଉଠେଇ ନାହିଁ । ଅନଉ ଅନଉ ମୁହୂର୍ତ୍ତକ ଭିତରେ ବୁଡ଼ିଗଲା ଚେତା । ସେହି ଡଙ୍ଗା ଉପରେ ବୋଉ ଢଳିପଡ଼ିଲା । ଯେତେ ଝଡ଼ାଫୁଙ୍କା କଲେ ବି ଆଉ ଶବଦ ମାନିଲା ନାହିଁ । ପାଟିରୁ ବୋହି ଆସିଲା ଗରଳ.....ବାପା ଦୂରକୁ ଚାହିଁ ଦେଖିଲେ, ସେହି ଅଳିଆ ମେଞ୍ଚାକ ଭିତରୁ ଗୋଟାଏ ମସ୍ତବଡ଼ ସାପ କଲବଲ ହେଇ ପାଣି ଭିତରେ ଚାଲିଯାଉଛି । ବୋଉ ଗୋଡ଼ହାତ ସେତେବେଳକୁ କଞ୍ଚାପାଣି ହେଇଗଲାଣି ।

 

ଘର ଗଲା, ଜମି ଗଲା, ଖୁଦମଳୁଖ କରି ଘରେ ଯାହା ଦି’ଟା ସାଇତି ଥିଲେ, ସେତକ ଛିନ୍‌ଛତର ହେଇଗଲା । ଗାଈଗୋରୁ ଆପଣାଛାଏଁ କିଏ କୁଆଡ଼େ ପଳେଇଲେ । ଆଉ ଶେଷରେ ଯୋଉ ସାମାନ୍ୟ କୁଟାଖିଅଟିଏ ରହିଯାଇଥିଲା ଘରପୋଡ଼ିରୁ, ସେତକ ବି ଚାହୁଁଚାହୁଁ ଆଖି ପିଞ୍ଛଡ଼ାକେ ଜଳିଗଲା । .....ଭାର୍ଯ୍ୟାକୁ ହରେଇ ଘନ ରାଉତ ଭୋ ଭୋ କାନ୍ଦି ଉଠିଲେ । .....ଏଣେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ନାହିଁ–ପେଜ ତୋରାଣି ମୁନ୍ଦେ ପିଇବାକୁ ସମ୍ବଳ ନାହିଁ, ତେଣେ ଅଢ଼େଇ ବରୁଷର ଗୋଟିଏ କଅଁଳା ଛୁଆ ବେକରେ ବନ୍ଧା । କେଁ କେଁ ହେଇ ସବୁବେଳେ ଜୀବନ ଖାଉଛି । ରାଉତେ ଆଖି ବୁଲେଇଲେ, କେହି ବନ୍ଧୁବାନ୍ଧବ ଘରେ ହେଲେ ଛୁଆଟିକି ଦେଇ ଦେବେ । କିନ୍ତୁ କିଏ ନେବ ? ଗରିବ ଘରେ କ’ଣ ଛୁଆର ଅଭାବ ? ତା’ଙ୍କୁ ବଢ଼େଇ କୁଢ଼େଇ ମଣିଷ କରିବା ପାଇଁ ଧନର ଅଭାବ ସିନା, ଛୁଆ ତ ଯାହାକୁ ଯେତେ । ରାଉତେ ଦି’ଚାରି ଜାଗା ମୁହଁ ପକେଇ ସବୁଠୁ ନିରାଶ ହେଇ ଫେରିଲେ ।

 

ଛୁଆର ବିକଳ ଦିନକୁଦିନ ବଢ଼ିଲା । ମା’କୁ ଝୁରିଝୁରି କତରାରେ ଲାଗିଗଲା ଶେଷକୁ । ନିଜେ ବି ଖାଇବା ମୁଠାକ ପାଇଁ ରାଉତେ ବଡ଼ ହୀନଛାକରା ହେଲେ । ଛୁଆକୁ ଏକୁଟିଆ ଛାଡ଼ି କୁଆଡ଼େ କାମଧନ୍ଦାକୁ ଯାଇପାରିଲେ ନାହିଁ । ଶେଷରେ ଅନ୍ୟ ଉପାୟ ନ ଦେଖି ଦିନେ ବାଧ୍ୟ ହେଇ ଛନ୍ଦି ହେଲେ ଆଉ ଗୋଟିଏ–ବାହା ନୁହେଁ ଦୁତିଅ ।

 

ତିନି

 

ମୋତି ଜେନଉଣୀର ସେଇ ଗୋଟିଏ ବୋଲି ଝିଅ–ମାଳ । ପେଟରେ ଥେଲାବେଳୁ ବାପ ମରିଥିଲା । ମୋତି ଧାନକୁଟି, ପତର ଗୋଟେଇ, ଘସିପାରି କେତେ କଷ୍ଟରେ ପାଳି ଆଣିଥିଲା ସେଇଟିକି । ଆପଣା ଘର ଡିହଟିକି ବନ୍ଧା ପକେଇ ଶେଷରେ ବାହାଦେଲା ବାଲିପାଟଣା ନିଧି ପଧାନଙ୍କ ଘରେ । ହେଲେ ତା’ର ବି କପାଳ ଛୋଟ । ଛ’ମାସର ଛୁଆଟିଏ କୋଳରେ ଦେଇ ତା’ ଭେଣ୍ଡା ବରଟା ବସନ୍ତରେ ଆଖି ବୁଜିଲା । କାନ୍ଦି ବୋବେଇ ମାଳ ଫେରି ଆସିଥିଲା ବୋଉ ପାଖକୁ-। ସେହି ଛୁଆବକଟକୁ ଚାହିଁ କୌଣସିମତେ ଦିନ କଟି ଯାଉଥିଲା । କଟି ଯାଇଥାନ୍ତା ବି, କିନ୍ତୁ ନିଷ୍ଠୁର ଭଗବାନ–ପଥର ଛାତି ତାଙ୍କର । ଶେଷରେ ସେ ଛୁଆଟିକି ବି ନେଇଗଲେ । ମାଳ ମୁଣ୍ଡ ପିଟି ବାଡ଼େଇ କଚାଡ଼ି ହେଇ ମହୀ ଦରାଣ୍ଡିଲା । ....ତା’ର ଛୁଆଥିବାରୁ ତା’କୁ ଅକଳିଆ ହେଇଥିଲା, ୟା’ର ଛୁଆ ଯିବାରୁ ଇଏ ପାଗଳ ହେଇ ଯାଇଥିଲା । ଗାଁବାଲା ଧରା ଧରି କରି ଦୁହିଁଙ୍କୁ ଛନ୍ଦି ଦେଲେ । ଫଟା କାନ୍ଥରେ ପୁଣି କାଦୁଅ ନେଶା ହେଲା ।

 

ବଡ଼ଘରେ ସିନା ବାଛବିଚାର, ସବୁ ନୁଚୁକାଳି ଖେଳ, ଗରିବ ଘରେ କିନ୍ତୁ ସେ ସବୁ ନଥାଏ । ଗରିବର ଭିତର ବାହାର ସବୁ ସମାନ । ବଡ଼ଘର ଝିଅଙ୍କ ଭଳି ସେ ବାହାରେ ସତୀ ଶିରୋମଣୀ ହେଇ ଭିତରେ ଭିତରେ ପର ପୁରୁଷଙ୍କୁ ପ୍ରେମପତ୍ର ଲେଖେନା କି ଏଣେ ବିଧବାର ନିରାହାର ଏକାଦଶୀ ପାଳନା କରି ତେଣେ ପୂଜାରୀ, ଚାକର, ଡ୍ରାଇଭର, ଟିଉସନ ମାଷ୍ଟରଙ୍କ ସଙ୍ଗେ ଲଟର ପଟର ହୁଏନା । ସେ ଯାହାକରେ, ସବୁ ଡାକିବଜେଇ, ଖୋଲା ଖୋଲି, ପାଞ୍ଚଜଣଙ୍କ ଆଖିଆଗରେ । ସେ ଦୁତିଅ ହୁଏ, କିନ୍ତୁ ବଜାରୀ ଟୋକାଙ୍କ ପାଲରେ ପଡ଼ି ଲୁଚି ଲୁଚି ଘରୁ ବାହାରିଯାଏ ନାହିଁ କି ବିଫଳ ମନୋରଥ ହେଇ ଶେଷରେ ଆତ୍ମହତ୍ୟା କରେ ନାହିଁ । ....ମାଳ ପଛକଥା ଭୁଲି, ପିଛିଲା ସ୍ମୃତି ପାସୋରି ପୁଣି ଘନର ହାତ ଧଇଲା । କାରଣ ବଞ୍ଚି ରହିବାକୁ ହେଲେ ମଣିଷକୁ ଗଲାକଥାକୁ ନିଶ୍ଚୟ ଭୁଲିଯିବାକୁ ହେବ । ଯାବୁଡ଼ି ଧରିଲେ ଖାଲି ନିଜେ ମୁହଁ ମାଡ଼ି ପଡ଼ିବ ସିନା, ଜିଇଁ ବଞ୍ଚି ଆଗେଇ ଯାଇ ପାରିବ ନାହିଁ ।

 

ସେହି ଛୁଆରଙ୍କୁଣୀ ମାଳ କୋଡ଼ରେ ମା’ଛେଉଣ୍ଡ ‘ଦିଗ’ଟିକି ଛାଡ଼ିଦେଇ ଘନରାଉତେ ଗଲେ କଲିକତା । ଜମିବାଡ଼ି ତ ବେଶୀ କିଛି ନଥିଲା । ଯାହା ବା ଥିଲା, ତା’ ନଈବଢ଼ିରେ ଗଲା ବାଲିଚରି । ପେଟ ପୋଷିବାର ଅନ୍ୟ ପନ୍ଥା ନ ଦେଖି ରାଉତେ ଟିକଟ କାଟିଲେ ହାବୁଡ଼ା.....ବର୍ଷପରେ ବର୍ଷ ବିତି ଯାଇଛି । ରାଉତେ ଦୋଳ, ଦଶରା, ରଜ, ବଡ଼ଓଷାକୁ ଘରକୁ ଆସିଛନ୍ତି ଯାଇଛନ୍ତି । ମାତ୍ର କେଇଟି ହପ୍ତା ଗାଁରେ କଟିଛି ସିନା, ବର୍ଷର ଦଶମାସ, ଏଗାରମାସ କଟିଛି ସେହି ଗଙ୍ଗା ଜେଟୀରେ, ଚଟକଳରେ, ମାତୁଆଳୀ ପଟିରେ । ମୋଟ ବୋହି ବୋହି ପିଠି ଆବୁ ହେଇଛି, ଜୀବନ ମୁରୁଛା ଖଟି ଖଟି ଶେଷକୁ କୁରୁମ ହେଇଛନ୍ତି–ତଥାପି ଗାଁକୁ ଫେରି ନାହାଁନ୍ତି, କାରଣ ଗାଁରେ ଭାତ ନାହିଁ, ନୁଗା ନାହିଁ, ପିଲାଛୁଆଙ୍କୁ ବଞ୍ଚେଇବାର ସମ୍ବଳ ନାହିଁ ।

 

ସମସ୍ତେ କହୁଥିଲେ ଆଉ ହବନାହିଁ । କିନ୍ତୁ ଅଜଗବି କଥା, ବୁଢ଼ାଦିନେ ରାଉତଙ୍କର ହେଲା ଆଉ ଗୋଟିଏ ପୁଅ । ‘ଦିଗ’କୁ ସେତେବେଳକୁ ଚଉଦ ପୂରି ପନ୍ଦର । ବାପ ମା’ ଶରଧାରେ ନାଁ ଦେଲେ ଦିଗମ୍ବର ସାଙ୍ଗକୁ ଦିବାକର ।

 

ଦିଗମ୍ବର ସଉତୁଣୀର ପୁଅ–ଶତ୍ରୁ । ହେଲେ ମାଳ ଦିନେ ସପନରେ ବି ତା’କୁ ପର ବୋଲି ଭାବି ନାହିଁ । ଘନ ହାତଧରି ଏଘରକୁ ଆସିବାଦିନୁ ସେ ଭୁଲିଯାଇଛି ସବୁ ପଛକଥା । ଏହି କୁଲୁକୁଲିଆ ଟିକି ପୁଅଟିକି କୋଳକୁ ଟେକି ନେଇ ସେ ଆପଣାର ମଲା ସ୍ୱାମୀ, ମଲାପୁଅ, ଜଳିଲା ପୋଡ଼ିଲା ସ୍ମୃତି–ସବୁ ପାଶୋରି ଦେଇଛି ମନରୁ । ହୃଦୟର ସମସ୍ତ ସ୍ନେହ, ପ୍ରୀତି, ମାୟା, ମମତା ନିଗାଡ଼ି ଦେଇ ଦିନରାତି ଛାତିରେ ଜାକି ଧରିଛି ଏଇ ଛୁଆଟିକି । ଆଉ ତା’ ଫଳରେ ଛୁଆଟି ବି ଏକାବେଳକେ ଭୁଲିଯାଇଛି ତା’ ଜନ୍ମିତ ମା’ କଥା । ମାଳକୁ ଗୋଟିପଣେ ଆଦରି ଯାଇଛି, ଏବଂ ଏହି ଖୋଲାମନ, ଖଳଖଳିଆ ସ୍ୱଭାବର ଶେଷ ପରିଣତି ଏଇଆ ହେଇଛି ଯେ ମାଳ ଯେମିତି ଦିଗମ୍ବରକୁ ପ୍ରାଣଠୁଁ ଅଧିକ ଭଲ ପାଉଥିଲା, ଦିଗମ୍ବର ସେମିତି ତା’ ଟିକିଭାଇ ଦିବାକରକୁ ଅଧିକ ତୋଳି ଧରିଲା–ସ୍ନେହ ଶରଧାରେ ଦଣ୍ଡକ ପାଇଁ ତଳେ ଥୋଇ ଦେଲା ନାହିଁ ।

 

ବୁଢ଼ା ଘନ ରାଉତଙ୍କ ଆଖିରୁ ପାଣି ଗଡ଼ି ଆସିଲା । ଶେଷବେଳେ ଯେ ଏମିତିକା ଗୁଣର ଘରଣୀଟିଏ ପାଇବେ ଏବଂ ପିଲାମାନଙ୍କର ଏଭଳି ହସ ହସ ସୁଖର ସଂସାର ଦେଖି ଆଖି ବୁଜିବେ, ଏହା ସେ କେବେ ଆଶାକରି ନଥିଲେ । .....ଦିଗମ୍ବରକୁ କ୍ରମେ ଅଠର ପୂରି ଊଣେଇଶ ପଶିଲା । ଜଣେ ପାରି ଉଠିଲା ବେଳକୁ ଆଉ ଜଣେ ଗଲା ନଇଁ । ବୁଢ଼ା ଆଉ କାମକୁ ପାରିଲେ ନାହିଁ । ଶେଷରେ ବିଦାୟ ନେବା ଆଗରୁ ଚଟକଳ ସାହାବଙ୍କୁ କହି, ବଡ଼ବାବୁଙ୍କୁ ଧରାଧରି କରି ସେହି କାମରେ ଭରତି କରିଦେଲେ ପୁଅକୁ । ବୁଢ଼ା ଆସିଲା ମରିବାକୁ–ଭେଣ୍ଡା ଗଲା ସେମିତି ଜୀବନ ମୁରୁଛା ଖଟି ଖଟି, ଅଣ୍ଟାପିଠି କୁଜା କରି ଅଳପ ଦିନେ ବୁଢ଼ା ହେବାକୁ । ଏହା ତଳଘଟିର ନିତିଦିନିଆ ଧରାବନ୍ଧା ଗତ । ନୂଆକଥା କିଛି ନୁହେଁ ।

 

ଅଭାବରେ ପଡ଼ି ରାଉତେ ଦିଗମ୍ବରକୁ ଗାଁ ଚାଟଶାଳୀରୁ ଆଉ ଅଧିକ ପଢ଼େଇ ପାରି ନଥିଲେ । ଅବିକା ଗାଁକୁ ଆସି ପାକୁଆ ପାଟିରେ ‘‘କମଳଲୋଚନ’’, ‘‘କେଶବ କୋଇଲି’’ ଆଉଡ଼େଇଲାବେଳେ ମନ ହେଲା, ଦିବାକରକୁ ଟିକିଏ ବେଶୀ ପଢ଼େଇବେ । ତାଙ୍କ ଦିହାନ୍ତି ତ ଏମିତି କୁଲି ମୂଲିଆ ହେଇ କଟିଲା, ‘ଦିଗ’ ତ ସେମିତି ପରଦୁଆରେ ଖଟି ଖଟି ସଢ଼ିବ, ଏଇ ‘ଦିବ’ଟି ହେଲେ ଦି’ଅକ୍ଷର ପଢ଼ୁ । ସେହି ହେଲେ ଏ ବଉଁଶରେ ବାବୁ ହବ–ନାଁ ରଖିବ ।

 

ଦିବାକର ସ୍କୁଲରେ ବସିଲା । କିନ୍ତୁ ତା’ ବାବୁହବା ଦେଖିବାକୁ ବାପା ବେଶୀଦିନ ରହିଲେ ନାହିଁ । ସେ ବର୍ଷ ଅନେକ ଦିନ ବଢ଼ିପାଣି ରହି ଛାଡ଼ିଯିବା ପରେ ପରେ ହଠାତ୍‌ ମାଡ଼ିଆସିଲା ହଇଜା । ପେଟ ବିକଳରେ ଲୋକେ ଏଣୁତେଣୁ ଖାଇ ବହୁତ ମଲେ । ଗାଁକୁ ଗାଁ ପଦା ହେଇଗଲା । ଅକସ୍ମାତ କାହିଁକି ଦିଗମ୍ବର ଆସିଥାଏ ଘରକୁ । ପିଲାମାନେ କାଳେ ଡରିବେ, ସେଥିପାଇଁ ତା’ଙ୍କୁ ଘରେ ପୂରେଇ ବାପାବୋଉ ଦୁଆର ମୁହଁରେ ଜଗି ବସିଥାନ୍ତି । ନିଶବଦ ରାତିରେ–ଗାଁ ମୁଣ୍ଡରେ ହଠାତ୍‌ ଅବତାର ବାଜା ବାଜିଉଠିଲା । ପିଲାମାନେ ଡରିଲେ କି ନାହିଁ କେଜାଣି ବୁଢ଼ା ଡରିଗଲେ । ସାଙ୍ଗେ ସାଙ୍ଗେ ହେଲା ଝାଡ଼ା । ତା’ପରେ ପରେ ହେଲା ବୋଉର । ବହୁତ ସେବା ଶୁଶ୍ରୂଷା ପରେ ବୋଉ ଭଲ ହେଇଗଲା । କିନ୍ତୁ ବାପା ଠାକିଲେ ନାହିଁ । ଗଲାବେଳେ ଖାଲି ‘ଦିଗ’କୁ ଏତିକି କହିଗଲେ–‘‘ବାପା ! ଦିବ ନାଗିଲା । ତା’କୁ ମଣିଷ କରିବୁ’’, ମାଳକୁ ଚାହିଁ କ’ଣ କହି ଆସୁଥିଲେ, କିନ୍ତୁ କହିପାରିଲେ ନାହିଁ । କୋରଡ଼ ଆଖିରୁ ଠପ୍‌ ଠପ୍‌ ହେଇ ଲୁହଧାର ଗଡ଼ି ଆସିଲା ।......

 

ଚାରି

 

ତଳଘଟିରେ ଖାଲି ବଢ଼ିଆସେ ନାହିଁ, ତା’ ସାଙ୍ଗେ ସାଙ୍ଗେ ଆସେ ବୁଢ଼ୀ–ଆସେ ବସନ୍ତ, ମେଲେରିଆ, ପିଳେହି, ପାଳିଜର । ମାସ ମାସ କାଳ ଗାଁଗଣ୍ଡା ସବୁ ବଢ଼ିପାଣିରେ ବୁଡ଼ିରହିବା ପରେ ଯେତେବେଳେ ଆସ୍ତେ ଆସ୍ତେ ପାଣି ଛାଡ଼ିଯାଏ, ସେତେବେଳେ ଚାରିଆଡ଼ ହେଇଉଠେ ଅତି ସନ୍ତସନ୍ତିଆ । ଛୋଟ ଛୋଟ ଗଛ, ବୁଦା, ଘାସ, କିଆବଣ ଆଦି ସଢ଼ି ପଚି ସତ୍ୟାନାଶ ହୁଅନ୍ତି । କି ଏକ ବିକଟ ଦୁର୍ଗନ୍ଧ ତହିଁରୁ ବାହାରି ଗାଁସାରା ଖେଳେଇ ହେଇଯାଏ । ଯେତେ ଯୋଉଠି ଖାଲଖୁଲା, ଗାଡ଼ିଆ ପୋଖରୀ ଥାଏ, ସବୁଥିରେ ପୁଣି ଭରିଯାଏ ଏଇ ମାଟି ଗୋବର ମିଶା ଅସନା ପାଣି । ଉପରୁ ମେଞ୍ଚା ମେଞ୍ଚା ବାଉଁଶପତର, ଆମ୍ବପତର ଝଡ଼ି ତା’ଉପରେ ଜମା ହୁଏ । ତଳେଥିବା କଲିକତି ଦଳ, ବୋରଝାଞ୍ଜି ଦଳ ଆସ୍ତେ ଆସ୍ତେ ପଚେ । ଫଳରେ ସେଥିରୁ ଜନ୍ମହୁଅନ୍ତି ଲକ୍ଷ ଲକ୍ଷ କୋଟି କୋଟି ‘ଆନୋଫେଲିସ୍‍’ର ବଂଶ । ଗୁଣୁ ଗୁଣୁ ଶବ୍ଦକରି ମାଡ଼ି ଯାଆାନ୍ତି ଗାଁକୁ ଗାଁ । ମସାରି ବ୍ୟବହାର ତ ଆମ ଲୋକେ ଜାଣନ୍ତି ନାହିଁ । ଆଉ ଜାଣିଲେ ବା କେତେଜଣଙ୍କର ସେଥିପାଇଁ ସମ୍ବଳ ଅଛି ? ତେଣୁ ସେହି ଯେ ଆନୋଫେଲିସ୍‌ ଦଳ (ମସା) ନବବଧୂ ଭଳି ପ୍ରେମଗୁଞ୍ଜନ କରି ଧାଇଁଆସନ୍ତି, ସେମାନେ ଜଣେ ହେଲେ କାହାକୁ ଆଲିଙ୍ଗନ, ଚୁମ୍ବନ ନକରି ଛାଡ଼ନ୍ତି ନାହିଁ । ଆଉ ପ୍ରେମର ଆତିଶଯ୍ୟ ଶେଷରେ ଏତେ ବେଶୀ ହୁଏ ଯେ ଲୋକେ ଆଉ ସମ୍ଭାଳି ହୋଇ ବସି ପାରନ୍ତି ନାହିଁ–ଲମ୍ବ ହୋଇ ବିଛଣା ଧରନ୍ତି ।

 

ପଟାଳ ଭଳି ପଡ଼ିଯାନ୍ତି ଗାଁକୁ ଗାଁ । ପାଳିଜର, ଏକୋଇ ଜର, ପିଳେହି ଜର–ଭିନ୍ନ ଭିନ୍ନ ରୂପରେ ଆସି ଭିନ୍ନ ଭିନ୍ନ ଜାଗାରେ ଦେଖାଦିଏ ମେଲେରିଆ । ମାସ ମାସ କାଳ ଭୋଗି ଭୋଗି ଲୋକଙ୍କର କଣ୍ଟା ଦୋହଲେ–ପଞ୍ଜରା ହାଡ଼ ଦୁଶେ । ସରୁ ସରୁ ଗୋଡ଼ହାତରେ ଓଳିଆ ଭଳି ପିଳେହି ପେଟଟିମାନ ବାହାରି ପଡ଼ି କି ଏକ କୁତ୍ସିତ, କଦାକାର ସଂକ୍ରାନ୍ତି ପୁରୁଷର ଚେହେରା କରିଦିଏ ଶେଷକୁ । ଓଷଧ ବୁନ୍ଦିଏ ତ ସେଠି ମିଳିବା ସାତସପନ । ଚିନି, ମିଶ୍ରି, ବାର୍ଲି, ଶାଗୁ ବା କମଳା, ଅଙ୍ଗୁରର ପ୍ରଶ୍ନ ସେଠି ଉଠୁନାହିଁ । କାରଣ ସେମାନେ ଗରିବ–ମଳିମୁଣ୍ଡିଆ । ଖାଲି ଲୁଣ, ପଖାଳ ଭାତହିଁ ତାଙ୍କର ଜୀବନ । ....ଫଳରେ ଦିଆଲୀ ଅମେଇସିଆ ଦିନ ମେଞ୍ଚା ମେଞ୍ଚା ପୋକଯୋକ ମଲା ଭଳି ଦିନ କେଇଟାରେ ପୋଛି ହେଇଯାନ୍ତି ଶହ ଶହ ଲୋକ ।

 

ପୁଣି ବେଳେ ବେଳେ ସେହି ଲୁଣ, ପଖାଳ ବି ମିଳେ ନାହିଁ । ନଈ ହଟ କଲେ ସେଇ ଭାତମୁଠାକ ପେଇଁ ନାଗିଯାଏ କେତେ ନାଟ । ପିଲାଛୁଆଙ୍କୁ ଅପନ୍ତରାରେ ବସେଇଦେଇ କେତେ ଦେଶାନ୍ତରୀ ହୁଅନ୍ତି–କେତେ ବାପଅଜାର ସାତ ପୁରୁଷି ମାନମହତରେ ଜଳାଞ୍ଜଳି ଦେଇ ଯାଆନ୍ତି କଲିକତାରେ କୁଲିଗିରି କରିବାକୁ । ଯିଏ ରହନ୍ତି, ସିଏ ପେଟ ବିକଳରେ ଖାଆନ୍ତି କଇଁଆପତର, କଇଁମୂଳ, କାନସିରି ଶାଗ । ଭୋକରେ ପେଟ ହୁ ହୁ ଜଳୁଥାଏ । ସେଥିରେ ଏମିତି ଆଡ଼ୁ ସାଡ଼ୁ ପଡ଼ିବା ଫଳରେ, ଏଠୁ ସେଠୁ ପୋଖରୀ ଗାଡ଼ିଆରୁ ପାଣି ପିଇବା ଫଳରେ ଆରମ୍ଭ ହେଇଯାଏ ଝାଡ଼ା । ମାଡ଼ିଆସେ କଲେରା–ମହାମାରୀ । ପୁଣି ଖାଲିପେଟକୁ ତ ହଇଜା ବାଇ । ଜଣକର ହେଲେ ପଚାଶ ଜଣଙ୍କର ହୁଏ । ସାହିକି ସାହି ପଦା ହେଇଯାଏ ରାତାରାତି । ହେଲେ ତା’ର ପ୍ରତିକାର ସେଠି କିଛି ନାହିଁ । ସୁଟରେ କାଦୁଅ ନାଗିବା ଡରେ କୌଣସି ଡାକ୍ତର ସେଠିକି ଯା’ନ୍ତି ନାହିଁ–ମଟର ଯିବାଭଳି ପିଚୁରାସ୍ତା ନଥିବାରୁ କୌଣସି ନେତାଙ୍କ କାର୍‌ ସେଠିକି ଯାଏ ନାହିଁ । ଖାଲି ସେହି ହତଭାଗ୍ୟ ଲୋକଙ୍କର ଦାରିଦ୍ର୍ୟକୁ ଉପହାସ କରି ବଢ଼ିବେଳେ ମୁଠାଏ ମୁଠାଏ ଚୁଡ଼ା ଚାଉଳ ନେଇ ବାଣ୍ଟନ୍ତି କଟକର ଧୋବଧୋଉଳିଆ ବାବୁମାନେ । ଲୋକଙ୍କର ଦୁଃଖ ପ୍ରକୃତରେ ଲାଘବ ହୁଏ କି ନାହିଁ କେଜାଣି, ଦାତାଙ୍କର ଗୁଣଗାରିମା, ଦାନ, ଉଦାରତା ଶତମୁଖରେ ପ୍ରକାଶିତ ହୁଏ ଖବରକାଗଜ ସ୍ତମ୍ଭରେ–ପ୍ରଚାରିତ ହୁଏ ଟାଉନ୍‌ହଲ୍‌ର ଗୁରୁଗମ୍ଭୀର ବକ୍ତୃତାରେ ।

 

ସେତିକିରେ ସେଠାରେ ଦୁଃଖ ସରେ ନାହିଁ । ସାପ ଆସେ, କୁମ୍ଭୀର ଆସେ–ସମୁଦ୍ରରୁ ସାଙ୍କୁଚ ମଗର ଉଠିଆସନ୍ତି । ବେଳେବେଳେ ବଡ଼ ବଢ଼ି ଆସିଲେ ବାଘଭାଲୁ ବି ଭାସିଆସନ୍ତି ବଣଜଙ୍ଗଲରୁ । ଫଳରେ ଗାଈଗୋରୁ, ଛେଳି ମେଣ୍ଢା ତ କେତେ ଯାଆନ୍ତି, ତା’ଛଡ଼ା ଏହି ମଣିଷର କେତେ ଦୁର୍ଲଭ ଜୀବନ ବି ଯାଇଁ ସ୍ଥାନପାଏ ସେହି ଜନ୍ତୁଜୁନ୍ତାଙ୍କ ପେଟରେ । ଅବଶ୍ୟ ସେହି ଲୋକମାନଙ୍କ ଭିତରେ କେହି ପାଠୁଆ, ପେଟୁଆ ବା ମୋଟୁଆ ଲୋକ ନଥାନ୍ତି, ତେଣୁ ତାଙ୍କ ଜୀବନକୁ ଦୁର୍ଲଭ କୁହାଯାଇ ନପାରେ (?), କିନ୍ତୁ ତଥାପି ଜୀବନ ତ ! ମଣିଷର ଜୀବନ ତ !! କିଏ ଭାବୁଛି ? ସରକାର ନା ସାଧାରଣ–କାହାର ଏ ଆଡ଼କୁ ଦୃଷ୍ଟିଅଛି ?

 

ତଳମାଳର ଲୋକେ ଏହି ବିଂଶ ଶତାବ୍ଦୀର ଆଲୁଅ ଯୁଗରେ ଏମିତି ମଶାମାଛି ଭଳି ସାଲୁବାଲୁ ହେଇ ବଢ଼ିରେ, ବୁଢ଼ୀରେ, ମହାମାରୀରେ, ମେଲେରିଆରେ, ସାପ ଚୋଟରେ, କିମ୍ଭୀର ପେଟରେ କଲବଲ ହେଇ ମରନ୍ତି–ସମଗ୍ର ଜାତି ମୁଖରେ କଳଙ୍କ ବୋଳି ପେଟବିକଳରେ ଯାଇଁ ପଡ଼ୋଶୀ ଦୁଆରେ ହାତ ପତାନ୍ତି–ମୋଟ ବୁହନ୍ତି, ତଥାପି ଆମେ ସ୍ୱାଧୀନ ! ତଥାପି ଆମେ ସୁଖରେ ଅଛୁ ବୋଲି ମନ୍ତ୍ରୀମାନେ ଆସେମ୍ଲି କମ୍ପେଇ ବକ୍ତୃତା ଦିଅନ୍ତି !!

 

ବଡ଼ଲୋକଙ୍କ କୁକୁରକୁ କାଶହେଲେ ଖବରକାଗଜରେ ତୁହାଇ ତୁହାଇ ବାହାରେ, କିନ୍ତୁ ଶହେଟା ଗରିବ ଏକାବେଳକେ ମରିଗଲେ କେହି ଆହା ବୋଲି ପଦେ କହେ ନାହିଁ । ସାତବରଷର ଛୁଆ ‘ଦିବ’ଟିକି ଦାଣ୍ଡଧୂଳିରେ ବସେଇଦେଇ ବୋଉ ଆଖି ବୁଜିଲା । ....ଆଠମାସ ହେଲା ପାଳିଜରରେ ଘାଣ୍ଟି ହେଉଥିଲା । ଶୁଖିଶୁଖି ହାଡ଼ କେଇଖଣ୍ଡ ଶେଷକୁ କତରାରେ ନାଗିଗଲା । ହେଲେ ଏ ଆଠମାସ ଭିତରେ ଆଠପାନ ବି ଔଷଧ ସେ ଖାଇ ନାହିଁ । କୋଉଠୁ ବା ଔଷଧ ପାଇବ ? ଏଇ ଗାଁର ନାରଣ ସୁବୁଦ୍ଧିଏ ଟାଟା କମ୍ପାନୀରେ ମୂଲମଜୁରୀ ଲାଗି ବହୁକଷ୍ଟରେ ସାନଭାଇଟିକି ଡାକ୍ତରୀ ପଢ଼େଇଥିଲେ ଯେ ପାସ୍‍କଲା ବାସିଦିନ ସେ ଯାଇଁ ରହିଲା କଟକରେ । ବେଶୀ ଆୟହେବ, ବେଶୀ କଲ୍‍ ମିଳିବ, ସମ୍ମାନ ପ୍ରତିପତ୍ତି ବି ଦିନକୁଦିନ ବଢ଼ିଉଠିବ ସେଠି । ଏ ମଳିମୁଣ୍ଡିଆ ମଫସଲରେ ରହିଲେ ଉନ୍ନତି ହେବ କେମିତି ? ପାଠପଢ଼ାର ଖର୍ଚ୍ଚଟା ବି ଉଠିବା ଏଠି ଅସମ୍ଭବ । .....ଏଇ ହେଲା ଏ ଯୁଗର ମତିଗତି । ସବୁବେଳେ ଖାଲି ବେପାରିବୁଦ୍ଧି–ଲାଭକ୍ଷତିର ହିସାବ । ଲକ୍ଷ ଲକ୍ଷ ଲୋକଙ୍କର ବହୁମୂଲ୍ୟ ଜୀବନର ଭାର ଦିଆ ହୋଇଛି ଯା’ ଉପରେ, ତା’ର ପୁଣି ଏଇ ପଇସାର ମୋହ ! କ୍ଷମତାର ମୋହ !! ହୃଦୟ ଏଠି କାହିଁ ? ସଭିଏଁ ଯେ ଏଠି ହଡ଼ାବେପାରୀ ।

 

ସମସ୍ତେ ଯେମିତି ମରୁଛନ୍ତି, ବୋଉ ସେମିତି ମଲା । ଓଷଧ, ପଥି, ପାଚନ, ଫଳରସ–କୌଣସିଟା ବି ପାଇଲା ନାହିଁ ସେ । ତାର ପାଇ ତିନିମାସ ଆଗରୁ ଦିଗମ୍ବର ଆସିଥିଲା । ବହୁତ ଖିରିତୋରାଣି ପେଇଛି–ବହୁତ ନାଜିଆମଣ୍ଡ ଖୋଇଛି । ସିଙ୍ଗଡ଼ାହାର ପତର ରସରେ ମହୁ ଅନୁପାନ ଦେଇ ଜଗୁ ବଇଦଙ୍କର କେତେ କେତେ ନାଲି ବଟିକା ତା’କୁ ଚଟେଇଛି, ହେଲେ ସବୁ ବୃଥା । ଶୋଥ, କାମଳ, ପିଳେହି, ରକ୍ତହୀନତା ସବୁ ଯୋଉଠି ଏକାକାର, ସେଠି ଏ ଅନାଡ଼ି ଅବଧାନଙ୍କର ଟୁଣୁ ଟୁଣୁକା ଚେରମୂଳ କ’ଣ ବା’ କରିବ ? ଖାଲି ଗୁଡ଼ାଏ ପିତା, କଷା, ରାଗ, ଆମ୍ବିଳା ଖାଇଖାଇ ପାଟି ଅରୁଚି ବଢ଼ିଲା ସିନା, ରୋଗ ଦବିଲା ନାହିଁ ।

 

ଦିଗମ୍ବର ଘରର ସବୁ ଯାନଆସନ ବିକି, କଂସାକୁରି ବନ୍ଧା ପକେଇ, ଶେଷରେ ଘରଡିହ ଖଣ୍ଡିକ ବି ସାହୁକାର ଘରେ ବନ୍ଧକ ଦେଇ ବହୁତ ପଇସା ବୋଉ ପିଛା ଖର୍ଚ୍ଚ କଲା । ରାତିରାତି ଅନିଦ୍ରା ହେଇ ବିଛଣାରେ ବସି କେତେ ସେବା, ଶୁଶ୍ରୂଷା କଲା । ଗୋଡ଼ ମୋଡ଼ିଦେଲା, ଦେହ ଝାଡ଼ିଦେଲା, ମୁଣ୍ଡ ଆଉଁସି ଦେଲା । ଶେଷକୁ ନିର୍ବିକାର ଚିତ୍ତରେ ଛେଲୁଆ ଛେଲୁଆ ମଳମୁତ୍ର କାଢ଼ି ଆପଣା ହାତରେ ସଫା କଲା । ....ବୋଉ ଆଉ ଥୟ ଧରି ପାରିଲା ନାହିଁ । ଭୋ ଭୋ କାନ୍ଦିଉଠି କୁଣ୍ଢେଇ ପକେଇଲା ଦିଗମ୍ବରକୁ । ଦିବାକର ସେତେବେଳେ ରହିଗଲା କୋଉ ପଛରେ । ବାହୁନି ବାହୁନି ବୋଉ କହିଲା–‘‘ଦିଗରେ ! କିଏ କହେ ତୁ ମୋ ସଉତୁଣୀର ପୁଅ ? କିଏ କହେ, ତୁ ଗଣ୍ଡମୂରୁଖ? ତୁ ଆଜି ଯାହା କରୁଛୁ, ଲକ୍ଷେ ପାଠୁଆ ତ ତା’ କରିବେ ନାହିଁ–ଲକ୍ଷେ ନିଜର ପୁଅ ବି ତ ତା’ପାଖେ ପଶିବେ ନାହିଁ । ଠାକୁରେ ତତେ କୋଟି ପରମାୟୁ ଦିଅନ୍ତୁରେ–ପିଲାଛୁଆ ନେଇ ସୁଖରେ ତୁ ଘରଦୁଆର କର ।’’ ଦିଗର ଆଖି ଛଳଛଳ ହେଇଆସିଲା । ସାତ ବରଷର ପୁଅ ଦିବ ବୋଉର ବିକଳ ସହି ନପାରି କଇଁ କଇଁ ହେଇ କାନ୍ଦିଉଠିଲା ।

 

ବୋଉ ଚାଲିଗଲା । ଘରର ଜିନିଷପତ୍ର ସବୁ ଯାଇଥିଲା । ଆଉ ଯାହା ଯେମିତି ପେଡ଼ି, ପେଟରା, ଭାଡ଼ିପଟା, ଗୁରୁବାରଖଟୁଲୀ ଆଦି ଥିଲା, ସେ ସମସ୍ତ ବିକି ଭାଙ୍ଗି ଦିଗମ୍ବର କଲା ବୋଉର ସୁଧି । ବାକି ରହିଲା ଭଙ୍ଗା ଦଦରା ଚାଳର ଶୂନ୍ୟ ଘରଟି । ଚାରିକଣ ଖରକି ଆଣିଲେ ବି ଅଗାରି ଚୋପାଟିଏ ବାହାରିବ ନାହିଁ । ଡିହଟି ପୁଣି ପଡ଼ିଛି ସାହୁଘରେ ବନ୍ଧା । ଆଉ ତା’ପ୍ରତି ମମତା ରଖି ବସି ରହିଲେ ହବ କ’ଣ ? ନିଜେ ତ ମରିବ–ଏ ଟିକି ଛୁଆଟିକି ଭୋକଉପାସରେ ଦହଗଞ୍ଜ କରି ମାରିବ ସିନା । ନା, ନା, ଆଉ ବିଳମ୍ବ କରିବା ଉଚିତ ନୁହେଁ । ସେହି ମେଲା ଘରଟିରେ ତାଲାଟିଏ ପକେଇ ଦିବାକରକୁ ସାଙ୍ଗରେ ଧରି ଦିଗମ୍ବର ବାହାରିଲା କଲିକତା ।

 

X X X

 

ଆଉ ଓଡ଼ିଆ ପିଲା–ପୁଣି ବିଶେଷତଃ ତଳଘଟି ଭଳି ନିପଟ ମଫସଲ ଅଞ୍ଚଳର ଛୋଟ ପିଲାଟିଏ ପହିଲେ କଲିକତା ସହର ଦେଖି ଆବାକାବା ହେଇଯିବା ସ୍ୱାଭାବିକ । କୁଆଡ଼େ ଯିବ, କ’ଣ କରିବ, କାହା ସାଙ୍ଗରେ କଥା କହିବ–କିଛି ସ୍ଥିର କରି ପାରିଲା ନାହିଁ । ଯୁଆଡ଼େ ଦେଖୁଛି, ସାଡ଼େ ମଣିଷ ହାଉଯାଉ । ଗାଡ଼ିଘୋଡ଼ା, ମଟର, ଟ୍ରାମରେ ରାସ୍ତା ଦୁଲୁ ଦୁଲୁ କମ୍ପୁଛି । ଘରଗୁଡ଼ାକ ପୁଣି ଏଡ଼େ ବଡ଼ବଡ଼ ଯେ ତା’ ଅଗ ଯାଇଁ ସରଗରେ ନାଗିଗଲା ଭଳି ଦିଶୁଛି । କଳଘର ଭିତରେ ଆହୁରି ବେଶୀ ହୁଲସ୍ଥୁଲ କାଣ୍ଡ । ସବୁବେଳେ ଧମ୍‌ଧମ୍‌, ଫସ୍‌ଫସ୍‌, ଭୁସ୍‌ଭୁସ୍‌ ହେଇ ରାକ୍ଷସଭଳିଆ କଳ ଚାଲିଛି । ଦିବାକରର ମନେ ହେଲା, ସତେ ଯେମିତି କେତେବେଳେ ସେ କୋଉଠି ଗାଡ଼ିତଳେ ଚାପା ପଡ଼ିଯିବ ବା କଳତଳେ ପେଷି ହେଇଯିବ । ତେଣୁ ସବୁବେଳେ ସେ ଡରିଡରି ଭାଇ ହାତ ଧରି ବା ଭାଇକି କୁଣ୍ଢେଇ ମୁଣ୍ଢେଇ ବାଟ ଚାଲେ । ବସାରେ ଶୋଇଥିଲାବେଳେ ବି ବେଳେବେଳେ ଚିରିଚିରେଇ ଉଠି ଭାଇକି କୁଣ୍ଢେଇ ପକାଏ ।

 

ବସା ଦୁଆରମୁହଁରେ ନିରୋଳାରେ ବସିଥିଲାବେଳେ ଦିବାକରର ବରାବର ଗାଁକଥା ମନେପଡ଼େ । ସାଙ୍ଗଛୁଆମାନଙ୍କ ହସ ହସ ମୁହଁ ଆସି ଆଖି ଆଗରେ ନାଚିଯାଏ । ଶ୍ୟାମ, ବାସୁ, ପହଲି, ଦାଶରଥି–ସମସ୍ତେ ଯେମିତି ଆସି ଡାକୁଛନ୍ତି ତାକୁ–‘‘ଆ’ରେ ଦିବ ! ନୁଚୁକାଳି ଖେଳିବା, ବୋହୂଚୋରି ଖେଳିବା, ଡାଳିମାଙ୍କୁଡ଼ି ଖେଳିବା–ନଇଲେ ଯାଇଁ ନଈପଠାରେ ତୋଳିବା ଭୂଇଁ ବରକୋଳି, ପିତାଶାଗ, ତୁଣ୍ଡପୋଡ଼ା ପତର ଆଉ ତା’ ନହେଲେ ଚୋରି କରିବା ଯାଇଁ ବାଲିପାଟଣା ନାୟକ ଘର ପଠାରୁ କାକୁଡ଼ି, ଫୁଟି, ତରଭୁଜ ।’’ ....ଚାଉଁକିନା ଚମକିପଡ଼େ ଦିବାକର । ମନ ଛଟପଟ ହୁଏ ଗାଁକୁ ଫେରିଯିବାକୁ । ଟିକି ଚଢ଼େଇ ଭଳି ତା’ର ଯୋଡ଼ିଏ ପର ଥାଆନ୍ତା କି ସେ ଏଇ ମୁହୂର୍ତ୍ତରେ ଉଡ଼ି ଉଡ଼ି ଚାଲିଯାନ୍ତା ଗାଁକୁ–କୁଣ୍ଢେଇ ପକାନ୍ତା ଯାଇଁ ଦାଶ, ବାସୁ, ପହଲିକି ।

 

ଭାଇ ବୁଝାନ୍ତି–‘‘ଆମେ ପରା ଗରିବ । ଆମର ଜମିବାଡ଼ି ନାହିଁ, ଘରଘାଟ ନାହିଁ, ସେଠି ରହିଲେ ଆମେ ଖାଇବା କ’ଣ ? ତୁ ପାଠଶାଠ ପଢ଼ି ବଡ଼ ହୋ କି, ସେଠି ଘର କରିବା, ଜମି କିଣିବା, ସମସ୍ତେ ଯାଇଁ ସେଠି ରହିବା ।’’ ଦିବାକର ବୁଝେ–ସତକଥା, ସେମାନେ ଗରିବ । ମହାଜନ ଘର ପୁଅ ବୋଲି କୃପାସିନ୍ଧୁ ପଟାମୁଣ୍ଡେଇରେ ପଢ଼ିଲା, ଅନନ୍ତ କନିକାରେ ପଢ଼ିଲା, ଗଦାଧର ଯାଇଁ କେନ୍ଦ୍ରାପଡ଼ାରେ ନାଁ ଲେଖେଇଲା, ଅଥଚ ଗରିବ ବୋଲି ତା’କୁ ଛାଡ଼ିବାକୁ ହେଲା ଗାଁ । ସେହି ଅତିପ୍ରିୟ ସାଙ୍ଗସାଥୀମାନଙ୍କଠାରୁ ବିଦାୟ ନେଇ ତା’କୁ ଆସିବାକୁ ହେଲା ଏଇ ସୁଦୂର ବିଦେଶ । .....ଗାଁର ନଈ, ପୋଖରୀ, ଦେଉଳ, ଆମ୍ବତୋଟା, ଜାମୁକୋଳି ଗଛ, କଣ୍ଟେଇକୋଳି ବୁଦା ଏପରିକି ଦାଣ୍ଡଧୂଳି ପର୍ଯ୍ୟନ୍ତ ସବୁ ଆସି ଗୋଟି ଗୋଟି ହେଇ ଉଭା ହୁଏ ତା’ ଆଗରେ । ଆଖି ଲୋତକମୟ ହୁଏ ।

 

ଆପଣା ହାତରେ ଲୁହ ପୋଛି ଦେଇ ଦିଗମ୍ବର କହେ–

 

‘‘କାନ୍ଦ୍‍ନାରେ–ବାପା ବୋଉ ମରିଛନ୍ତି ସିନା, ମୁଁ ତ ମରି ନାହିଁ, ମୁଁ ଥିବାଯାଏ ତୋ’ ଅଗଗୋଡ଼ରେ କଣ୍ଟାଟିଏ ବି ବୋହିବ ନାହିଁ । ଆଉ ଗାଁ ? ନିଶ୍ଚେ ଆମେ ଫେରିଯିବାରେ ଗାଁକୁ, ଯୋଉ ଗାଁର ପାଣିପବନ ଖାଇ ଆମେ ମଣିଷ ହେଲେ, ସେହି ଗାଁକୁ କି ଛାଡ଼ି ପାରିବା କେବେ ? ସେହି ମାଟିରେ ମିଶିଛି ଆମ ବାପାଙ୍କ ଦେହ; ସେହି ପବନରେ ମିଳେଇଛି ବୋଉର ନିଃଶ୍ୱାସ–ତା’ଠଉଁ ପବିତ୍ର ଭୂମିକି ଆଉ କୋଉଠି ଥାଇପାରେ-? କିନ୍ତୁ ଦିବ ! ଚିରକାଳ କ’ଣ ଆମେ ଏମିତି ମୂଲିଆ, ମୂରୁଖ ହେଇ ସେହି ଗାଁରେ ପଡ଼ିଥିବା-? କୁଲିକାବାଡ଼ି ହେଇ ସମସ୍ତଙ୍କଠଉଁ ନିନ୍ଦା, ଅପମାନ ପାଉଥିବା ? ନା, ତୁ ମନଦେଇ ପାଠପଢ଼-। ଦିନେ ବାବୁ ହବୁ–ଶହ ଶହ ଟଙ୍କା କମେଇବୁ–ତା’ପରେ ସେହି ଗାଁରେ ଯାଇଁ ତୋଳେଇବୁ କୋଠା–ରହିବୁ ସୁଖଶାନ୍ତିରେ । ପଦେ ହେଲେ କେହି କହିବାକୁ ନ ଥିବ ।’’

 

ଦିବାକରକୁ ନୀରବ ରହିବା ଦେଖି ଭାଇ ପୁଣି କହିଲେ–‘‘ବୁଝିଲୁ ଦିବ ! ମନ ମୁତାବକ ଗାଁକୁ ଫେରିଯାଇଁ ଘରଦ୍ୱାର କରି ରହିବାକୁ ହେଲେ ପାଖରେ ବଜବଜିଆ ଧନ ଥିବା ଦରକାର । ଆଉ ଧନ କମେଇବା ପାଇଁ ହେଲେ ପେଟରେ ପାଠ ଚାହି–ମୁଣ୍ଡରେ ବୁଦ୍ଧି ଚାହି ! କଲିକତାରେ ଯେ ଏତେ ଏତେ ହାକିମ ହୁକୁମା, ସାଇବସୁବା ଦେଖୁଛୁ–ସବୁବେଳେ ମଟର ଚଢ଼ି ବୁଲୁଛନ୍ତି, ସିନେମା ବାଇସ୍କୋପ୍‌ ଦେଖୁଛନ୍ତି, ଭଲ ଭଲ ଦାମୀ ପୋଷାକ ପିନ୍ଧୁଛନ୍ତି, ସେମାନେ ସମସ୍ତେ କ’ଣ ପଢ଼ିଛନ୍ତି ଜାଣୁ ? ଇଂରେଜୀ ପାଠ । ବିନା ପାଠରେ କେହି କେବେ ବାବୁ ହେଇନି । କିଏ ବି.ଏ. ପାସ୍‍ କରିଛି, କିଏ ଏମ୍‌.ଏ. ପାସ୍‍ କରିଛି, କିଏ ବା ବିଲାତକୁ ଯାଇଁ ଆହୁରି ଆହୁରି ବଡ଼ ପାସ୍‍କରି ଆସିଛି, ଆମ ଦେଶର ଲୋକେ ଯେ କଲିକତାରେ ନାହାନ୍ତି, ତା’ ନୁହେଁ । କିନ୍ତୁ ସେମାନେ ସମସ୍ତେ ମୂରୁଖ ।

 

ତେଣୁ ସେମାନେ ଦିନରାତି ଗଧ ଖଟଣି ଖଟି ଖଟି ଯେତେ ରୋଜଗାର କଲେ ବି, ତା’ ତାଙ୍କ ପେଟକୁ ନିଅଁଣ୍ଟ, ବାବୁଗିରି କରିବାକୁ ସୁବିଧା କାହିଁ ? ଅନ୍ୟମାନେ ସୁଖ ଆନନ୍ଦରେ ଶୋଇ ହାଇ ମାଇଲାବେଳେ ଏମାନେ ବଣ ଜଙ୍ଗଲର ପଶୁ ଭଳି ପଡ଼ିଛନ୍ତି....ତୁ ପାଠ ପଢ଼ ଦିବ–ଆମ ଭଳିଆ ମୂରୁଖ ନହେଇ ତୁ ବାବୁ ହୋ ।’’

 

ଏତେକଥା ଦିବାକର କିଛି ବୁଝିଲା ନାହିଁ, ସେ ଖାଲି ଏତିକି ବୁଝିଲା–ଭାଇ କହୁଛନ୍ତି, ସେ ପାଠ ପଢ଼ିବ । ଅନ୍ୟ କୌଣସି ଆଡ଼େ ମନକୁ ବାରଚାଉଳିଆ ନ କରି ପଢ଼ାରେ ଏଣିକି ଷୋଳଅଣା ମନ ଦେବ । .....ସେଇଆହିଁ ହେଲା । ସେଇଦିନୁ ପାଠପଢ଼ା ହେଲା ତା’ର ଏକମାତ୍ର ଚିନ୍ତା ।

 

କଲିକତାର କୌଣସି ଏକ ସ୍କୁଲରେ ଭାଇ ତା’ର ନାଁ ଲେଖାଇ ଦେଲେ ।

 

ପାଞ୍ଚ

 

ସେ ଅନେକଦିନ ତଳର କଥା, କେନ୍ଦ୍ରାପଡ଼ାର ପି.ଡବ୍ଲ୍ୟୁ.ଡି.ଏସ୍‌.ଡ଼ି. ଓ ସେଦିନ ଆସିଥାନ୍ତି ଚଉଦକୁଲାଟ ସେକ୍‌ସନ୍‌ ଭିଜିଟ୍‌ କରି । ତଳମାଳ ଅଞ୍ଚଳ । ଉପର ହାକିମଙ୍କର ତନାଘନା ସେଠି ବେଶୀ ନାହିଁ । ତେଣୁ ଦିନକ ପାଇଁ ଆସିଲେ ଏସ୍‌.ଡ଼ି. ଓ ସେଠି ତିନିଦିନ ରହିଯାନ୍ତି । କାମ ତ ଯାହା ଦେଖନ୍ତି ଦେଖନ୍ତି, ପାଟିକରି ଟେବଲ୍‍ ବାଡ଼ାନ୍ତି ତା’ର ଚଉଗୁଣରେ । ଯୋଉଠି ହଜାର ହଜାର ବୋହିଯାଏ, ସେ ଆଡ଼କୁ ତ ତାଙ୍କର ଦୃଷ୍ଟି ନଥାଏ, କାରଣ ସେଠି ଫଣା ଟେକିଲା ବେଳକୁ ଗଦ ଆଣି ସୁଙ୍ଘେଇ ଦିଏ କାନତରାଟି କେଳା । ହାତୀ ଚାଲିଯାଏ, ଆଉ ପିମ୍ପୁଡ଼ି ଗଳିବାକୁ ବାଟ ନଥାଏ । ମାଖୁନାକୁ ଉଗ୍ରେସର ଉପରେ ଆସି ହୁଅନ୍ତି ରବେଇ ଖବେଇ । .....ଯାହାହେଉ ଏସ୍‌ଡ଼ି.ଓ.–ଠାକୁରାଣୀଙ୍କ, ଭୈରବୀ କାଳୀମୂର୍ତ୍ତି ଦେଖି ସମସ୍ତେ ଡରିମରି ଧାଁ ଦଉଡ଼ କରନ୍ତି ଷୋଡ଼ଶୋପଚାର ପାଇଁ । ପୁଞ୍ଜା ପୁଞ୍ଜା ଧଳା କୁକୁଡ଼ା, କଳା କୁକୁଡ଼ା ଆଣି ବଳି ପକାଯାଏ । ଗଣ୍ଡା ଗଣ୍ଡା ଛେଳି, ମେଣ୍ଢୋଙ୍କର ତତଲା ରକ୍ତରେ ଦିଆଯାଏ ନୈବେଦ୍ୟ । ମା–ଠାକୁରାଣୀ କାନତରାଟିଙ୍କ ମୁଣ୍ଡରେ ହାତ ବୁଲାଇ ଶେଷକୁ ବିଚାରୀ ଉଗ୍ରେସର ବାବୁଙ୍କ ପିଲାଛୁଆଙ୍କ ଥାଳୀରୁ ଛଡ଼େଇ ଆଣି ଖାଇଯାନ୍ତି-

 

ଆଜିକାଲି ହାକିମ ହୁକୁମାଙ୍କ ମା’ ବୋଲି କହିଲେ ଯେ ବେଶୀ କିଛି ଦୋଷ, ତା’ ନୁହେଁ, କାରଣ ଗାଁ ଗହଳର ଗରିବ ଗୁରୁବା ଲୋକେ ହାକିମମାନଙ୍କୁ ‘‘ହଜୁର ! ମା’ ବାପା’’ ବୋଲି ନ କହିଲେ, ହାକିମେ ରାଗି ମୁସ୍ତାଯୋରି ହେଇ ଯାଉଛନ୍ତି । .....ଶେତା ଶେତା ସାହେବ ସବୁ କୋଉଦିନୁ ଜାହାଜ ଚଢ଼ି ତାଙ୍କ ଦେଶକୁ ଗଲେଣି । ଅଥଚ ଆଜିକାଲି ବି ଆମର ଏଇ କଳା ହାକିମଙ୍କୁ ‘‘ସାହେବ’’ ବୋଲି ନ ଡାକିଲେ ତାଙ୍କ ମୁହଁ ଏଡ଼େ । ଗୋଟାଏ ଗୋଟାଏ କଲମ ଗାରରେ କିରାନି ଚପରାସିଙ୍କ ଚାକିରି ଖାଇଦେବାକୁ ତିଆର । ଦେଶର ଜନସାଧାରଣ ହୁଏତ ୟା’କୁ ‘‘ଗୋଲାମିର ଚରମ ନିଦର୍ଶନ’’ ବୋଲି କହିବେ କିନ୍ତୁ ହାକିମମାନଙ୍କ ପାଖରେ ଏହା ଏକ ଆଭିଜାତ୍ୟ–ସମ୍ମାନାସ୍ପଦ ଗୌରବ ।

 

ସେ ଯାହାହେଉ, ମା’ପଛକେ ନ ହୁଅନ୍ତୁ, ହାକିମେ ଯେ ପ୍ରକୃତରେ ଗରିବଙ୍କ ବାପ, ତା’ ଜଣାପଡ଼ିଲା ସେଦିନ ଚଉଦକୁଲାଟ ସେକ୍‌ସନ୍‌ ଅଫିସ ଆଗରେ, ଯେତେବେଳେ ନାଳ ଇଲାକା ପେଟରୋଳ ‘‘ଏରାୟା’’ର ରକ୍ଷିତା ସ୍ତ୍ରୀ ଲଛମୀ ଆଣି ଦି’ବରଷର କଅଁଳା ଛୁଆଟିଏ ଶୁଆଇ ଦେଲା ଏସ୍‌.ଡି.ଓ. ସାହେବଙ୍କ ଗୋଡ଼ ତଳେ । ସୁନାକଣ୍ଢେଇ ଭଳି ଗୋରା ତକତକ ଝିଅଟି କୁଆଁ କୁଆଁ ହେଇ କାନ୍ଦିଉଠିଲା ।

 

ଥାଟପଟାଳ ପରି ମଣିଷ ଜମିଗଲେ । ଘଟଣା କ’ଣ ଜାଣିବା ପାଇଁ କୁତୂହଳ ହେଇ ପିଲାଛୁଆ, ଟୋକା ବୁଢ଼ା ସଭିଏଁ ଧାଇଁ ଆସିଲେ ଚାରିଆଡ଼ୁ । ଏପରିକି ଦା’ଦଉଡ଼ି ଧରି, ଧୂଆଁ ପତର ପିଙ୍କାର ନିଆଁଗୁଳ ପାଟିରେ ପୂରେଇ ଯୋଉ ବାଉରୁଣୀ, କଣ୍ଡୁରୁଣୀମାନେ ହିଡ଼େ ହିଡ଼େ ଘାସକାଟି ଯାଉଥିଲେ, ସେମାନେ ବି ଏ ଦଉଡ଼ାଦଉଡ଼ି ଦେଖି ଗୋଟିଏ ଗୋଟିଏ ସେ ଆଡ଼କୁ ଗଡ଼ିଲେ । ଅଧା ଖିଅର ହେଇ ଭଣ୍ଡାରିକି ଛାଡ଼ିଦେଇ କିଏ ଆସିଲା । ଦରଗାଧୁଆ ହେଇ ସେହି ଓଦାନୁଗାରେ ନସର ପସର ହେଇ କିଏ ଦଉଡ଼ିଲା । କିଏ ଝାଡ଼ା ଯାଇଥିଲା, ନଣ୍ଡଭଣ୍ଡ ହେଇ ଉଠି ଆସି ବାଆଁ ଛାଆଁ ପାଣିସାରି ଦେଇ ଦେ ଦଉଡ଼ । ମାଟିହାତ କରି ନାହିଁ । କଛା ମାରିବାକୁ ବି ଫୁରସତ୍‍ ନାହିଁ ତା’ର । ଚାହୁଁ ଚାହୁଁ ଆଖି ପିଞ୍ଛଡ଼ାକେ ସେ ଜାଗା ଅରାକ ହେଇଗଲା ଲୋକାରଣ୍ୟ । ସତେକି ସେଠି ଲହଙ୍ଗା ରଘୁନାଥପୁରିଆଙ୍କ ଭିତରେ ନଢ଼େଇ ନାଟ ହେଉଛି କି ହରିନାଥ ବୈଷ୍ଣବ ପ୍ରଧାନଙ୍କ ଭିତରେ ବାଦୀପାଲା ହେଉଛି ।

 

ଏସ୍‌.ଡି.ଓ. ସାହେବ ଦେଖି ତଟସ୍ଥ । ଲଛମୀ ଆଡ଼କୁ ଥରଟିଏ ଚାହିଁ ଦେଲାକ୍ଷଣି ତାଙ୍କର ପଞ୍ଚଭୂତ ଆତ୍ମା ଏକାବେଳକେ ଥରି ଉଠିଲା । ମୁହଁ ଶୁଖି କଳାକାଠ ପଡ଼ିଗଲା । ଘଡ଼ିକ ଆଗର ସେ ତମ୍ଭି କଥା, ଦମ୍ଭ ଚାହାଁଣି, ଗର୍ବିତ ବାକ୍‌ଚାତୁରୀ ସବୁ କୁଆଡ଼େ ମିଳେଇଗଲା ମୁହୂର୍ତ୍ତକେ । ଏଇ ଟି’କ ଆଗରୁ ଓଭରସିୟର, କଣ୍ଟ୍ରାକ୍ଟରଙ୍କ ଉପରେ ରାଗିମାଗି ଟେବୁଲ କଚାଡ଼ି ଅତି ଉତ୍ତେଜିତ ସ୍ୱରରେ ଗାଳିବର୍ଷଣ କରୁଥିଲେ, ଅଥଚ ବର୍ତ୍ତମାନ ? ବର୍ତ୍ତମାନ କୁଆଡ଼େ ଗଲା ସେ ରାଗ ? ନିରୀହ, ନିର୍ଜୀବ ମେଣ୍ଢାଛୁଆଟି ଭଳି ଲଥ୍‌କିନା ଚଉକି ଉପରେ ବସି ପଡ଼ିଲେ । ଟକମକ ହେଇ ଫୁଟୁଥିବା ତତଲା ରକ୍ତ ସତେକି ଦଣ୍ଡକ ଭିତରେ ହେଇଗଲା ଜମାଟବନ୍ଧା ବରଫ ।

 

ତଥାପି ସେହି ସାହେବ–ଛଳନା, ପ୍ରତାରଣା, ମିଥ୍ୟା, ପ୍ରବଞ୍ଚନାର ଏକ ମୂର୍ତ୍ତିମନ୍ତ ଜୀବନ୍ତ ଅବତାର । ଭିତରେ ଶତ ହଳାହଳ ରଖି ବାହାରେ ସେ ଅମୃତ ବର୍ଷଣ କରିପାରନ୍ତି । ଭିତରେ ଶତ ବ୍ୟଭିଚାରକୁ ଘୋଡ଼େଇ ଦେଇ ବାହାରେ ସାଧୁ, ସଚୋଟ, ନିଷ୍କଳଙ୍କ ହେଇ ପାରନ୍ତି । ସେଥିପାଇଁ ବିଦ୍ୟା ଅଛି, ବୁଦ୍ଧି ଅଛି, ଧନଅଛି, କ୍ଷମତା ଅଛି । କିଏ ତା’ର ବିରୁଦ୍ଧାଚରଣ କରିବ ? କିଏ ସେହି ଉପରର ଧୋବ ଧାଉଳିଆ ମୋଟା ପରଦା ଟେକି ଭିତରର ଅସଲ ରୂପ ଦେଖିବାକୁ ସମର୍ଥ ହେଇପାରିବ ?

 

ସାହେବ ଘଡ଼ିକେ ମୁଖର ଭାବ ବଦଳେଇ ପୁଣି ଓଭରସିୟରଙ୍କ ଉପରେ ରାଗିଉଠିଲେ । ସରକାରୀ ଦପ୍ତରରେ କାହିଁକି ଏ ଭାଣ୍ଡପାଲା ଲଗେଇଛ ବୋଲି ତାଙ୍କୁ ମାଗିବସିଲେ ଲମ୍ବା ଚଉଡ଼ା କଇଫତ୍‌ । ଓଭରସିୟର ବି ଏପର୍ଯ୍ୟନ୍ତ କିଛି ବୁଝିପାରୁ ନାହାଁନ୍ତି । ଚପରାସି ଜଣେ ଚଉକି ପଛରେ ଠିଆହୋଇ ସାହେବଙ୍କୁ ପଙ୍ଖା କରୁ କରୁ ହାତଠାରି ଏରାୟାକୁ ନିର୍ଦ୍ଦେଶ ଦେଉଛି ଜଲଦି ସେଠୁ ସ୍ତ୍ରୀକୁ ନେଇଯିବାକୁ । ଉପସ୍ଥିତ ଜନତା ଏ ଗୋପନ ରହସ୍ୟ ଭେଦ କରିବାକୁ ପ୍ରାରପଣେ ଚେଷ୍ଟାକରି ଗଭୀର ଉଦ୍ବେଗର ସହିତ ଚାହିଁ ରହିଛନ୍ତି ସେହି ସ୍ତ୍ରୀ ଲୋକଟିଆଡ଼େ । କାହାରି ତୁଣ୍ଡରେ ବଚନ ନାହିଁ ।

 

ଓଭରସିୟର ବାବୁ ଗଞ୍ଜାମୀଲୋକ, ଏରାୟାକୁ ଡାକି କହିଲେ–‘‘କାହିଁକିରେ ? ଦୋରା ଗାରୁ (ସାହେବ) ଆଗରେ ଏ ଆଲରା ପାଇଟି କାହିଁକିରେ ?’’ –ଏରାୟା ଟିକିଏ ବୟସ୍କଲୋକ । ଏଇ ପି.ଡବ୍ଲ୍ୟୁ.ଡି.ରେ ଚାକିରି କରି କରି ସତର ବରଷ ହେଲାଣି । ବଦଳି ହେଇହେଇ ଓଡ଼ିଶାର ସବୁ ଜିଲ୍ଲା ପ୍ରାୟ ଦେଖି ଆସିଲାଣି ସେ । କେତେ ହାକିମଙ୍କର ସେ ରାଗ ଦେଖିଛି । କେତେ ହାକିମଙ୍କର ବି ଭିତର ରୂପ ଦେଖିଛି । ସୁତରାଂ ଏ ମାଖୁନା ମୁହଁ ଭୁରୁଡ଼ରେ ଡରିହରି ଲୁଗାପଟାରେ ମୂତି ପକେଇବା ଲୋକ ସିଏ ନୁହେଁ । ସାମନାକୁ ବାହାରିପଡ଼ି ସେ ଏସ୍‌.ଡି.ଓ. ସାହେବଙ୍କ ଗୋଡ଼ତଳେ ପଡ଼ିଲା ଆଉ ଧୀରେ ଧୀରେ କହିଲା–‘‘ବାବୁ ! ଚିନୁଚୁ ନା ? ଆପଣ ଯେତେବେଳେ ଜି, ଉଦୟଗିରିରେ ଓଭରସର ଥେଲୁ, ସେତେବେଳେ ଏ ଲଛମୀ ତୋ’ ବଙ୍ଗଳାରେ ବାସନ ମାଜୁଥିବାର ଏକା । ତୁ ସେତେବେଳେ ଅଭିଆଡ଼ା ଥିବାର ଓ ଏଇ ଲଛମୀକି ନେଇ କେତେ ଶିଖେଇବାର–କେତେ ଟଙ୍କା ଦେବାର ଶାଢ଼ି ଦେବାର । ସେ କହିଲା–‘ତୁ ବାବୁଲୋକ–ହାକିମଲୋକ । ଆମେ ଛୋଟଜାତି । ଏନ୍ତା କଥା ବୋଲିବୁ ନାହିଁ–ତପୁ । ମୋର ବୋପା ମା’ ଜାଇଁଲେ ମୋତେ ପିଟି ପକେଇବେ ଏକା ।’ .....ତୁ କହିଲୁ–‘ନା, ମୁଁ ତୋତେ ଲାଭ୍‌ (Love) କରିବି–ତୋତେ ସାଦି କରିବି–ଲାଭ୍‌ ରେ ଛୋଟବଡ଼ କିସ ? .....ତା’କୁ ଆହୁରି ଆହୁରି ଶାଢ଼ି ଦେଲୁ–ସୁନା ଦେଲୁ–ଡାବୁ ଦେଲୁ । ସେ ବୋପା ମା’କୁ ଛାଡ଼ି ତୋ’ ପାଖକୁ ପଳେଇ ଆସିଲା ।

 

ତରବତ....ଏଁ....ତା’ପରେ ଯେତେବେଳେ ତା’ଦେହ କାଇଲା ହେଲା–ଏଡ଼େ ପିଲାଟାଏ ତା’ ପେଟ ଭିତରେ ବୁଲିଲା, ସେତେବେଳେ ତା’କୁ ଛାଡ଼ି ଦେଇ ତୁ ଲୁଚି ଲୁଚି ଚାଲି ଆସିଲୁ ନା ? ଏଥିରେ ତୋ’ର ଧରମ ହେବନା ବାବୁ ? ସେ ମାଈପିଲାଟା କେମିତି ବଞ୍ଚିବ ହେ ? ଏ ଚୋଟ ଚୁଆଟାକୁ ନେଇ ସେ କେଣିକି ଯିବ ହେ ?’’

 

ଏରାୟ ତେଲଙ୍ଗା ଲୋକ । ଓଡ଼ିଆରେ ଭୁଲ ଠିକ୍‌ ଯାହା ଆସିଲା ତା’ କହିଗଲା, ଲୋକେ ସେତେବେଳକୁ ହସି ହସି ନୋଚା କୋଚା । ଅସଲ କଥା ହୁଏତ ଅଧେ ସମଝି ନ ଥିବେ । କିନ୍ତୁ ତା’ ଦରଦରଖଣ୍ଡିଆ ବୋଲି ଶୁଣି ସମସ୍ତଙ୍କର ନାହିମୁଣ୍ଡା ତଳୁ ହସ ଉଠି ଆସୁଛି । ଏସ୍‌.ଡି.ଓ.ଙ୍କ ପାଖରେ ଠିଆ ହେଇଥିବା ଠିକାଦାର, ଚପରାସି, ତଣ୍ଡଲ, ଖଲାସି ପର୍ଯ୍ୟନ୍ତ ସମସ୍ତେ ହୋ ହୋ ହେଇ ହସୁଛନ୍ତି । ଲଫଙ୍ଗା ଟୋକା ପଞ୍ଝାଏ ଦୂରରେ ଠିଆ ହେଇ ସାହିବଙ୍କ ଆଡ଼କୁ ଚାହିଁ ଚାହିଁ କହୁଛନ୍ତି–‘‘ବେଲେ–ବେଲେରେ’’....

 

ଏସ୍‌.ଡି.ଓଙ୍କ ଗାଲରେ ସତେ ଯେମିତି କିଏ ଆସି ବସେଇ ଦେଇ ଯାଉଛି ବଜ୍ରଚାପୁଡ଼ା ।

 

ଏସ୍‌.ଡି.ଓ. ଏରାୟାକୁ ଜାଣନ୍ତି–ଭଲରୂପେ ଜାଣନ୍ତି । ଆଜି ନୁହେଁ, ଆଜିକି ପାଞ୍ଚବର୍ଷ ହେଲା । ଜି. ଉଦୟଗିରିରେ ଥିଲାବେଳେ ଏଇ ଏରାୟା ତା’ଙ୍କୁ କେତେ କାନେକାନେ ଉପଦେଶ ଦେଇଛି । ସେ ସେତେବେଳେ ନୂଆ କଲେଜରୁ ଫେରିଥାନ୍ତି । ହଠାତ୍‌ ଏସ୍‌.ଡି.ଓ. ପୋଷ୍ଟ ନ ଥିବାରୁ ତାଙ୍କୁ ଅସ୍ଥାୟୀ ଭାବରେ ସେକସନ୍‌ ଚାର୍ଜ ଦିଆ ହୋଇଥାଏ । ସେତେବେଳେ ତାଙ୍କର ଉଦ୍ଦାମ ଯୌବନ । ସବୁବେଳେ ଦେଖୁଥାନ୍ତି ଖାଲି ସୁନେଲି ସ୍ୱପ୍ନ । ଚାହୁଁଥାନ୍ତି ରଙ୍ଗୀନ ପ୍ରଜାପତି ପଛରେ ଧାଇଁ ଧାଇଁ ଜୀବନକୁ ଆକଣ୍ଠ ଉପଭୋଗ କରିବାକୁ । କିନ୍ତୁ ସେହି ଅମଡ଼ା ପଥରେ ଯେ ପ୍ରତି ପଦେପଦେ କଣ୍ଟା, ତା’ ତାଙ୍କୁ ଅଜଣା । ସେ ଖାଲି ଚାରିଆଡ଼େ ଆଖିଝଲସା ରୂପ ଦେଖନ୍ତି, କିନ୍ତୁ ସେହି ରୂପର ତଳେତଳେ–ସେହି ଲାବଣ୍ୟମୟୀ ତନୁର ପ୍ରତି ରକ୍ତବିନ୍ଦୁରେ ଯେ କେତେ ସହସ୍ର ସହସ୍ର ସିଫିଲିସ ବୀଜାଣୁର ଶୋଭାଯାତ୍ରା ଚାଲିଥାଏ, ତା’ ସେ କେବେ ଦେଖିପାରନ୍ତି ନାହିଁ । ଏଇ ସେହି ଏରାୟା, ଯେ ତା’ଙ୍କୁ କେତେ ଶହବାର ଫେରେଇ ଆଣିଛି ସେହି ଧ୍ୱଂସ ମୁଖରୁ ସେହି ମୃତ୍ୟୁ ମୁଖରୁ ।

 

ଆଉ ଏରାୟାର ଶତ ବାରଣ ସତ୍ତ୍ୱେ ସେ ଭଲ ପାଇଥିଲେ ଲଛମୀକି–ବୋକ ଦେଇଥିଲେ ତା’ର ନାଲ ଟୁହୁଟୁହୁ କଅଁଳ ଗାଲରେ......ସେ ଏକ ଜୀବନ୍ତ ସ୍ମୃତି–ପ୍ରାଣର ଏକ ଅପାସୋରା ଅମୂଲ୍ୟ ରତ୍ନ । ଆଜି ବି ମନେ ପଡ଼ିଲେ ଦେହ ଶିହରି ଉଠେ । ମନର କେଉଁ ଗହନ କୋଣରେ ଜାଗି ଉଠେ ଏକ କରୁଣ ମୂର୍ଚ୍ଛନା । ସେଦିନ ସେ ଭାବିଥିଲେ–ଭଲ ପାଇବାରେ ଛୋଟ ବଡ଼ ଜାତି ଅଜାତି, ଗରିବ ତାଲବରର ବିଚାର ଥାଇ ନପାରେ । ରୂପସୀ ନାରୀର ରୂପଲାବଣ୍ୟ ନିକଟରେ ପୁରୁଷର ସମ୍ମାନ, ପଦବୀ ଅତି ତୁଚ୍ଛ...ଲଛମୀ କି ସେ ଭଲ ପାଇଥିଲେ–ଖାଲି ବାହାରକୁ ଲୋକ ଦେଖାଣିଆ ପାଇଁ ନୁହେଁ ଭିତରେ ଅନ୍ତରର ଅସରନ୍ତି ସ୍ନେହ ଆଦର ଦେଇ । ଦଣ୍ଡେ ନ ଦେଖିଲେ ପାଗଳ ହେଇ ଯାଉଥିଲେ–ମୁହୂର୍ତ୍ତେ ଲଛମୀ ଅନ୍ତର ହେଲେ ତାଙ୍କୁ ସାରା ସଂସାର ବିଷ ଭଳି ଲାଗୁଥିଲା ।

 

କିନ୍ତୁ ସେ କ’ଣ ଆଉ ଜାଣିଥିଲେ ଯେ ତାଙ୍କ ପଛରେ କରଣକୁଳର ଏତେବଡ଼ ଆଭିଜାତ୍ୟ ରହିଛି–ପଟ୍ଟନାୟକ ବଂଶର ଏତେବଡ଼ ମାନମର୍ଯ୍ୟାଦା ଗୁନ୍ଥା ହେଇଛି । ପୁଣି ସେ ଜାଣିଥିଲେ ଫୁଲ ନା ଫୁଲ । ସବୁଜ ଲତା ଗହଳରେ ସବୁଦିନେ ସେ ସତେଜ ହେଇ ରହିଥିବ । ମଧୁପ ଭଳି ଏ ଉଡ଼ିଉଡ଼ି ଆସି ଚୁମା ଦେଉଥିବେ–ମଧୁ ଖାଉଥିବେ । କିନ୍ତୁ ଏତେଶୀଘ୍ର ଯେ ସେହି ଫୁଲ ଦେହରେ କଷି ଲାଗିଯିବ, ଏହା ତ କେବେ ସେ ସ୍ୱପ୍ନରେ ଭାବି ନ ଥିଲେ । ବଂଶର ମୋହ, ଜାତିର ମର୍ଯ୍ୟାଦା, ପଦବୀର ଗୌରବ, ଶିକ୍ଷାର ଆଭିଜାତ୍ୟ ଆଉ ସର୍ବୋପରି ସମାଜର ରକ୍ତଚକ୍ଷୁ–ସବୁ ଆସି ଏକାବେଳକେ ଠିଆ ହେଲେ ତାଙ୍କ ଆଗରେ । ଜଣେ ଏତେବଡ଼ ଉଚ୍ଚପଦସ୍ଥ ଅଫିସର ହେଇ ଏଇ ସାମାନ୍ୟ କୁଲି ମୂଲିଆ ଶ୍ରେଣୀର ଝିଅଟିକି କେମିତି ତୋଳି ନେବେ, ସେଇଆ ସେ ଭାବିବାକୁ ଲାଗିଲେ ।

 

ତାଙ୍କର ବଡ଼ଭାଇ ଜଣେ ଅଣ୍ଡର ସେକ୍ରେଟେରୀ । ମାମୁ ସିନିଅର ଫିଲସଫି ପ୍ରଫେସର । ପିସାଙ୍କ ପୁଅ ଏଇ ବର୍ଷ ବଟାନିରେ ଫାଷ୍ଟକ୍ଲାସ ଫାଷ୍ଟ ହେଇ ଏମ୍‌.ଏସ୍‌.ସି. ପାସ୍‍ କରିଛନ୍ତି–ଖୁବ୍‌ ଗୋଟାଏ ମୋଟା ଦରମାର ଚାକିରି ପାଇବେ । ତା’ଛଡ଼ା ଆଉ କେତେ ବନ୍ଧୁବାନ୍ଧବ ଯେ ଆଇ.ଏ. ବି.ଏ. ପାସ୍‍କରି ସରକାରୀ ଚାକିରିରେ ଭରତି, ତା’ କୁହା ନଯାଏ । ସେ ନିଜେ ବି ଜଣେ ବି.ଇ. । A.M.I.E. ପାଇଁ ପ୍ରସ୍ତୁତ ହେଉଛନ୍ତି, । ହୁଏତ କାଲି ସକାଳେ ସେ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ହେବେ । ତା’ପରେ ବି ଦିନେ ସୁପରିଟେଣ୍ଡିଂ ଇଞ୍ଜିନିୟର, ଚିଫ୍‌ ଇଞ୍ଜିନିୟର ହେଇ ପାରନ୍ତି । ତାଙ୍କର ବିବାହ ପାଇଁ ଆଗ୍ରିକଲ୍‌ଚରାଲ୍‌ କଲେଜ ପ୍ରିନ୍‌ସପାଲଙ୍କ ଝିଅର ଫଟୋ ଆସିଛି । କି ଢଳ ଢଳ ଲାବଣ୍ୟ ବୋଳା ଝିଅଟି । ପୁଣି ରେଭେନ୍‌ସା କଲେଜର ସେ ଜଣେ ଇଂଲିସ ଅନର୍ସ ଗ୍ରାଜୁଏଟ୍‌-। ଏପରି ସ୍ଥଳେ କେମିତି ସେ ଏଇ ଅତି ନିକୁଛ ଗରିବ ଘରର ଝିଅଟିକି ଜୀବନର ସାଥୀ କରି ବାଛି ନେବେ–ତା’ ପୁଣି ଏଭଳି ଅନ୍ତଃସତ୍ତ୍ୱା ଅବସ୍ଥାରେ ? ଲୋକେ ଦେଖି କ’ଣ କହିବେ ? ତାଙ୍କର ମାନସମ୍ମାନ ଆଉ କଡ଼ାକର ହେଇ ରହିବଟି ?

 

ସାହେବ ଚଞ୍ଚକ କରି ଲୁଚି ଲୁଚି ସେଠୁ ପଳେଇ ଆସିଲେ । ମନରେ ସାନ୍ତ୍ୱନା ଦେଲେ–କିଶୋର ଜୀବନର ଏ ଏକ ଦୁର୍ବଳତା । ଯାହାହେଉ ସେଥିପାଇଁ ସେ ଅପର୍ଯ୍ୟାପ୍ତ ଅର୍ଥଦାନ କରିଛନ୍ତି–ଶାଢ଼ିଗହଣା ପିନ୍ଧେଇଛନ୍ତି.....ପାପର ପ୍ରାୟଶ୍ଚିତ୍ତ ହେଇ ଯାଇଛି ସଙ୍ଗେ ସଙ୍ଗେ । କିନ୍ତୁ ଆଜି ଯେତେବେଳେ ତାଙ୍କର ସବୁ ସାନ୍ତ୍ୱନାକୁ ପଛରେ ପକେଇ କାଳାନ୍ତକ ଯମଦୂତ ଭଳି ଆଗରେ ଆସି ଉଭା ହେଲା ଲଛମୀ ଆଉ ପାପର ଜୀବନ୍ତ ରୂପ ଧରି କୁଆଁ କୁଆଁ ହେଇ କାନ୍ଦିଉଠିଲା ଛୁଆଟି, ସେତେବେଳେ ତାଙ୍କର ଚେତା ପଶିଲା । ଛାତି ଭିତରଟା କୋରି ହେଇଗଲା ଏକାବେଳକେ । ମନେ ହେଲା ସତେ ଯେମିତି କିଏ ଗୋଡ଼ହାତ ବାନ୍ଧିଦେଇ ଶାଣଦିଆ ଛୁରିରେ ତାଳୁରୁ ତଳିପା ଯାଏ, ଟିକି ଟିକି କରି କାଟୁଛି ଆଉ ସେହି କଟାଜାଗାରେ ବୋଳି ଦେଇ ଯାଉଛି କଲିଚୂନ, ଚୁରାଲୁଣ ।

 

ଲକ୍ଷେବାର ଦଂଶନ କଲା ବିବେକ । ଅନ୍ତରର କେଉଁ ଗୋପନତମ ପ୍ରଦେଶରୁ ଝଙ୍କାର ଉଠିଲା–‘‘ତୁ ପାପୀ–ତୁ ଦୋଷୀ–ତୋ’ର ଅପରାଧ ଅକ୍ଷମଣୀୟ । ମଥା ନୋଇଁ ପ୍ରାୟଶ୍ଚିତ କର–ନଚେତ ଧ୍ୱଂସ ହେଇଯିବୁ ।’’.....କିନ୍ତୁ ତଥାପି–ତଥାପି ସେ ନିରାଟ ସତ୍ୟକୁ ସ୍ୱୀକାର କରି ପାରିଲା ନାହିଁ ମନ । ପଦେ ପଦେ ତା’କୁ ବାଧା ଦେଲା ବାହାରର ମର୍ଯ୍ୟାଦା, ସମ୍ମାନ, ପ୍ରତିଷ୍ଠା । ଜଣେ ଏତେବଡ଼ ଉଚ୍ଚପଦସ୍ଥ ହାକିମ ହୋଇ କିପରି ଏ କଳଙ୍କର ବୋଝକୁ ଜାଣୁ ଜାଣୁ ବା ମୁଣ୍ଡକୁ ନେବେ-? ସହଜେ ତ ସମାଜରେ ନାନାଦି ବାଧା ବିପଦ ଅଛି, ତା’ଛଡ଼ା ଘରେ ସ୍ୱୟଂ ମେମ୍‌ ସାହେବଙ୍କ ସୃଷ୍ଟି–ସଂହାରିଣୀ ଭୈରବୀ ମୂର୍ତ୍ତି ପାଖରେ ଏ ସବତ୍ସା ଧେନୁଟିକି ନେଇ ସେ ଠିଆ ହେବେ କୋଉ ମୁହଁରେ ? ତାଙ୍କର ଜଳିଲା ଜଳିଲା ଆଖି ଆଗରେ ସେ ଏକାବେଳକେ ଜଳି ପୋଡ଼ି ଧ୍ୱଂସ ହେଇ ଯିବେ ନାହିଁ ଆଉ !

 

ମନର ସବୁ ଭାବନାକୁ ମନ ଭିତରେ ଚାପି ରଖି ସାହେବ ଉଠି ଠିଆ ହେଲେ ଏବଂ ଅତି ନିର୍ମମ ଭାବରେ ଯନ୍ତ୍ରଚାଳିତ କଳ ଭଳି କହି ଉଠିଲେ–‘‘ବଦ୍‌ମାସ୍‌ ! ବଦ୍‌ମାସୀ କରିବାକୁ ତୁ ଆଉ କୋଉଠି ପାଇଲୁ ନାହିଁ–କୁଆଡ଼ୁ ଗୋଟାଏ ବାରବୁଲୀ ଛତରୀ ଧରିଆଣି ମୋ ସାଙ୍ଗରେ ଖେଳୁଛୁ ଏ ଚାଲ୍‌ । ଇଡିୟଟ୍‌ ! ତୁ ଜାଣୁ ମୁଁ କିଏ ?’’

 

ଏରାୟା ସେମିତି ନିର୍ଭିକ ଭାବରେ ଠିଆ ହେଇ କହିଲା–‘‘ହାଁ, ଜାଣେ ହେ–ତୁ ସେତେବେଳେ ବାବୁ ଥେଲୁ । ଅବିକା ସାହେବ ହେଇଛୁ । ହେଲେ ତୁଇ ଲଛମୀକି ଲୋଭ ଦେଖେଇ ଘରୁ ବାହାର କରି ଆଣିବାର ଏକା ।’’

 

‘‘ନା ଲଛମୀକି ମୁଁ ଆଦୌ ଚିହ୍ନେ ନା’’–ତଳକୁ ମୁହଁ ପୋତି ସାହେବ ଉତ୍ତର ଦେଲେ ।

 

ଏତେବେଳ ଯାଏ ନୀରବରେ ଠିଆ ହେଇଥିଲା ଲଛମୀ । ଧାର ଧାର ହେଇ ଗଡ଼ି ଯାଉଥିଲା ଲୁହ । ଶେଷକଥା ପଦକ ଶୁଣି ଛାତି ତା’ର ଏକାବେଳକେ ଫାଟିଗଲା । ରକତ ଝଲକାଏ ସତେକି ପିଚିକି ଆସିଲା କଲିଜାତଳୁ । ଭୋ ଭୋ ଡକାପାରି ସେ କହିଲା–‘‘ସତ କହିବାର ବାବୁ ! ଉପରେ ଧରମକୁ ସାକ୍ଷୀ ରଖି ସତ କହିବାର ତମେ ମୋତେ ଚିହ୍ନି ନା କି ? ତମରି ଲାଗି ମୁଁ ଘର ଛାଡ଼ିଲି, ବୋପାମା’ଙ୍କୁ ଛାଡ଼ିଲି–ଏବେ ତମେ କହୁଛ ମୁଁ ଚିହ୍ନେନା, ଏତେ ଅନିଆ ଧରମ ସହିବ କି ? ଯଦି ରଖିବାକୁ ଲାଜ ମାଡ଼ିଲା, ତେବେ ବିଷ କଣିକାଏ ଦେଇ ମାରି ନ ଦେଲ କିଆଁ ? ତମର ଦି’ଦିନର ସୁଖ ପାଇଁ ମୋର ସାରାଜୀବନ ଏମିତି ଜାଳିପୋଡ଼ି ପାଉଁଶ କରିଦେଲ କାହିଁକି ? ଖଦି ନାହିଁ, ଭାତୁଆ ନାହିଁ, ମୁଣ୍ଡ ଗୁଞ୍ଜିବାକୁ କୁଡ଼ିଆ ବକଟେ ନାହିଁ–ଏଥିରେ ଏ ଛୁଆଟାକୁ ଧରି କେମିତି ଠୋ ଠୋ ଭୋକଉପାସରେ ମୁଁ ବରଷ ପରେ ବରଷ ବଞ୍ଚି ରହନ୍ତି କହିଲ-?

 

‘‘ବେଶ୍‌ତ, ସେଇଥିପାଇଁ ତ ଏ ବଦ୍‌ମାସ ମୁଣ୍ଡରେ ହାତ ବୁଲେଇଛୁ ।’’

 

‘‘ବଦ୍‌ମାସ ସିଏ କି ବଦ୍‌ମାସ ତମେ, ତା’ ଉପରେ ଯିଏ ଦିନରାତି କରୁଛି, ସେଇ ଜାଣେ-। କଲେଜରୁ ତିନି ତିନିଟା ପାସ୍‍ କରି ତମେ ହାକିମ ହେଇଛ ଆଉ ସେ ନିପଟ ମୂର୍ଖ–ତମର ଅଇଁଠା ବାସନ ଧୋଇବା ଯୋଗ୍ୟ । ତଥାପି ବଡ଼ କିଏ, ତା’ ଦୁନିଆ କହିବ–ମୋ କହିବା କିସ ଲୋଡ଼ା ? ତମେ ମୋତେ ଘରୁ ଟାଣି ଆଣି ମଝି ଦାଣ୍ଡର ଧୁଧୁ ଖରାରେ ଠିଆ କରେଇ ଦେଇ କାପୁରୁଷ ଭଳି ଲୁଚି ଲୁଚି ପଳେଇ ଆସିଲ, ଆଉ ସେ ସବୁ ନିନ୍ଦା ସବୁ ଅପବାଦକୁ ମୁଣ୍ଡରେ ବୋହି ସେହି ତତଲା ମରୁଭୂଇଁରୁ ମୋତେ ଧୀରେ ଧୀରେ ଆଣି ଆଶ୍ରାଦେଲା ତା’ ଭଙ୍ଗା କୁଡ଼ିଆରେ । ବଡ଼ଲୋକ ହେଇ ତମେ ଭାତ ମୁଠାଏ ମୁରୁଛି ପାରିଲ ନାହିଁ–ଅଇଁଠା କଣ୍ଟା ଦି’ଟା ଦେଇ ଚାକରାଣୀ କରି ରଖିବାକୁ ବି କୁଣ୍ଠିତ ହେଲ–ଅଥଚ ସେ ନିକୁଛ ଗରିବ ହୋଇ ତା’ ପେଟରୁ କାଟି, ପିଲାଛୁଆଙ୍କ ଅଧାରରୁ କମି କରି ଆଜୀବନ ମୋତେ ପୋଷିବାକୁ ରାଜି ହେଲା । ବଡ଼ କିଏ ତା’ ତମେହିଁ କୁହ ।

 

ଅପମାନରେ ସାହେବଙ୍କ ମୁହଁ ସେତେବେଳକୁ ଜଳିଗଲାଣି । ଲୋକେ ସେତେବେଳକୁ ଛି ଛାକର କରି ମୁହେଁ ମୁହେଁ ଯା ଚ୍ଛା ତାଇ ଗାଳି ଦେଉଛନ୍ତି । ଲଛମୀ ଅପେକ୍ଷା ସାହେବଙ୍କର ରାଗ ହେଉଛି ବେଶୀ ଏରାୟା ଉପରେ, ଯେହେତୁ ସେ ଚାକିରି କରେ ତାଙ୍କ ଅଧୀନରେ ।

 

ଉତ୍ତରକୁ ଅପେକ୍ଷା ନକରି ଲଛମୀ କହି ଚାଲିଛି–‘‘ତମ ଧନ ଦଉଲତ ଦେଖି ମୁଁ ଧାଇଁଆସିନି ବାବୁ । ଲକ୍ଷେ ସୁବର୍ଣ୍ଣ ଦେଲେ ବି ଆଉ ତମର ମୁହଁ ଚାହିଁବାକୁ ମୋର ଇଚ୍ଛା ନାହିଁ । ଖାଲି ଏଇ ଛୁଆଟି–ତମରି ଛୁଆଟିକି ତମ ହାତରେ ଟେକିଦେଲେ ମୋର କାମ ଶେଷ....’

 

ସାହେବ ଆଉ ସମ୍ଭାଳି ହେଇ ପାରିଲେ ନାହିଁ । ଆକାଶ କମ୍ପାଇ ଚିତ୍କାର କରି ଉଠିଲେ–‘‘ଭାକ୍‌, ଭାକ୍‌, ଖଚଡ଼ ମାଇକିନିଆ କୋଉଠି ଯାଇଁ ବେଶ୍ୟାଗିରି କରି ଆସି ମୋ ମୁଣ୍ଡରେ ଅଠା ବୋଳିବାକୁ ବସିଛୁ । ଭଲଗତି ଅଛିତ ଏଠୁ ଶୀଘ୍ର ଚାଲିଯା, ନଚେତ୍‌ ପୁଲିସ ଡାକି ତୋତେ ଏକ୍ଷଣି ଆରେଷ୍ଟ କରିବି ।’’

 

ଓଭରସିୟର ବାବୁଙ୍କୁ ଡାକି କହିଲେ–‘‘ଏ ପେଟରୋଳ ଏରାୟାକୁ ମୁଁ ଡିସ୍‌ଚାର୍ଜ କଲି । ବଡ଼ ବଦମାସ୍‌ ଲୋକଟା, ସାଙ୍ଗେ ସାଙ୍ଗେ ୟା’କୁ ଏ ହତା ପାରି କରିଦିଅ ।’’

 

ଲୋକେ ଯାଇଁ ଏସ୍‌.ଡି.ଓ.ଙ୍କୁ ବହୁତ କୁହାବୋଲା କଲେ । ପୁଲିସରେ ଖବର ଦେବାକୁ ବି କେତେଲୋକ ଯାଇଁ ଏରାୟା, ଲଛମୀକି ପ୍ରବର୍ତ୍ତାଇଲେ । ମାତ୍ର ଫଳ କିଛି ହେଲା ନାହିଁ । ସାହେବ ଯେମିତି ନଛୋଡ଼ବନ୍ଧା ହେଇ ବସିଲେ, ଲଛମୀ ଏରାୟା ବି ସେମିତି ତୁଣ୍ଡ ମୁଣ୍ଡ ନ ଫିଟେଇ ଭାଗ୍ୟକୁ ଆଦରି ଗୋଟିଏ ଗୋଟିଏ ଦାଣ୍ଡକୁ ବାହାରିଗଲେ । ବଡ଼ଲୋକ ବିରୁଦ୍ଧରେ ମାମଲା କରି ଫାଇଦା କ’ଣ ? କାହା ଆଗରେ ଯାଇଁ ବା ଗୁହାରି କରିବେ ? ପୁଲିସ କୁହ, ବଡ଼ ହାକିମ କୁହ, ଦୋପଟୀ କିଲଟର କୁହ–ସମସ୍ତେ ତ ବଡ଼ଲୋକ–ସମସ୍ତେ ତ ତାଙ୍କ ଜାତିଭାଇ । ଗରିବର ଦୁଃଖ ସେମାନେ କାହୁଁ ବୁଝିବେ ? ବଡ଼ଲୋକର ଚହଟ ଚିକିଣିଆ ଇଂରେଜୀ କଥା ନଶୁଣି ଏ ମୂରୁଖ ମଳିମୁଣ୍ଡିଆଙ୍କର ସାଦା ସିଧା କଥାରେ ବିଶ୍ୱାସ କରିବ କିଏ ? ମନେ ମନେ ଠାକୁରଙ୍କୁ ଡାକି ଡାକି ଏ ଦୁନିଆର ଅଗଣିତ ଦୀନଦୁଃଖୀଙ୍କ ଭିତରେ କଙ୍କାଳ ଦୁଇଟି ମିଳେଇଗଲେ ।

 

ଛଅ

 

ଊଣେଇଶ ଛୟାଳିଶର ଅଗଷ୍ଟ ମାସ । ମହାନଗରୀର ବିଶାଳ ବୁକୁ ଉପରେ ରକ୍ତର ସ୍ରୋତ ଛୁଟେଇ ମହାସମାରୋହରେ ପାଳିତ ହେଇଗଲା ‘‘ଡାଇରେକ୍ଟ ଆକ୍‌ସନ ଡେ ।’’ କଲିକତା ସହରର ଏମୁଣ୍ଡରୁ ସେ ମୁଣ୍ଡ ଯାଏ ଦୁଲ୍‌ ଦୁଲ୍‌ କମ୍ପିଲା ।

 

ଦିବାକର କଲିକତାରେ ବି.ଏ. ପଢ଼ୁଥାଏ । ସେ ବର୍ଷ ତା’ର ଫାଇନାଲ ପରୀକ୍ଷା । ମାଟିଆବୁରୁଜ ଚଟକଳରେ କାମ କରୁଥାନ୍ତି ଦିଗମ୍ବର । ତେଣୁ ସେହି ଅଞ୍ଚଳର କୌଣସି ଏକ ଗଳିରେ ବସା ନେଇ ରହିବାକୁ ହେଉଥାଏ ଦି’ଭାଇଙ୍କି । ପାଖରେ ଅବଶ୍ୟ କେତେଗୁଡ଼ିଏ ହିନ୍ଦୁଲୋକ ବସା ବାନ୍ଧିଥିଲେ । କିନ୍ତୁ ଗୋଳମାଳ ଦିନକୁ ଦିନ ବଢ଼ୁଥିବାର ଦେଖି ଆସ୍ତେ ଆସ୍ତେ ଓର ଉଣ୍ଡି କିଏ କୁଆଡ଼େ ଖସିଗଲେ । ବହୁ ଓଡ଼ିଆ ଲୋକ ଛାନିଆ ହେଇ କଲିକତା ଛାଡ଼ି ଦେଶକୁ ପଳେଇ ଆସିଲେ । ଦିବାକର ପ୍ରାଣରେ ବି ବଡ଼ ଭୟ ହେଲା । ଭାଇଙ୍କି କହିଲା କିଛିଦିନ ପାଇଁ ଗାଁକୁ ଚାଲି ଆସିବାକୁ ।

 

ଦିଗମ୍ବର ଦେଖିଲେ ପ୍ରକୃତରେ ଚାରିଆଡ଼େ ବିପଦ । ପ୍ରତିଦିନ ଶହ ଶହ ଲୋକ ଆଖି ଆଗରେ କଟି ଯାଉଛନ୍ତି । ଯୁଆଡ଼େ ଯିବ ସାଡ଼େ ଖାଲି ହାଣ, ମାର, କାଟ, ଲୁଟ୍‌ । ତା’ ପୁଣି ବଡ଼ ବଡ଼ିଆଙ୍କ ଉପରେ ବେଶୀ ନୁହେଁ, ତା’ରି ଭଳିଆ କୁଲି, ମଜୁରିଆ, ରିକ୍‌ସାବାଲା, ପାନ ଦୋକାନୀଙ୍କ ଉପରେ ବେଶୀ । ଏପରି ସ୍ଥଳେ ପିଲାଟାକୁ ନେଇ ରହିବା ଆଦୌ ନିରାପଦ ନୁହେଁ । କିନ୍ତୁ.......କିନ୍ତୁ ଚାଲିଗଲେ ଏଣେ ପିଲାଟାର ପଢ଼ା ବିଲ୍‌କୁଲ୍‌ ସତ୍ୟାନାଶ ହେଇଯିବ । ବାର ବରଷର ତପ ଯିବ ଶୁଖୁଆ ଝୋଳରେ । ଏତେ ନାଗି ନାଗି ପିଲାଟା ଶେଷକୁ କୋଉ କୁଳର ହେବନାହିଁ । ନା, ଯା ଚ୍ଛା ତା’ ହଉ ପଛକେ ଆଉ ଦି’ଟା ମାସ ଯେକୌଣସିମତେ କଷ୍ଟେ ମଷ୍ଟେ ପଡ଼ି ରହିବେ ସେ । ତେଣିକି ପରୀକ୍ଷାଟା ସରିଗଲେ ସେ ନିଶ୍ଚିନ୍ତ ।

 

ଦିବାକରକୁ ଡାକି କୋଳରେ ବସେଇ କହିଲେ–‘‘ନାଁରେ ଭୟ କ’ଣ ? ଏତେ ଗରସାହସ ହେଲେ କ’ଣ ଦୁନିଆରେ ଚଳିହେବ ? କୋଉଠି ଯାଇଁ ହିନ୍ଦୁ ମୁସଲମାନଙ୍କ ଭିତରେ ମାଡ଼ଗୋଳ ଲାଗିଛି ସିନା, ଏଠି ତ ଆମେ ସମସ୍ତେ ଭାଇ ଭାଇ ଭଳି ଚଳୁଥାଇ । ତା’ଛଡ଼ା ଇସ୍‌ମାଇଲ୍‌ ଚଚ୍ଚା ତ ବରାବର ପାଖେ ପାଖେ ଅଛନ୍ତି । ଡର କ’ଣ ?’’

 

ପିଠିରେ ହାତମାରି ଚଚ୍ଚା କହିଲେ–‘‘ଡର ନାହିଁ ବଚ୍ଚା ! ମୁଁ ଥାଉଁ ଥାଉଁ କେହି ତମ ଦେହରେ ଟିପ ଛୁଇଁ ପାରିବ ନାହିଁ । ହୋସେନ୍‌, ନଜିମ୍‌ ଭଳି ତମେ ଦି’ଜଣ ବି ମୋର ପୁଅ । ତମକୁ ଟିକିଏ ବିପଦ ପଡ଼ିଲେ ଆମେ ଘରବଉଁଶଯାକ ସମସ୍ତେ ତରଓ୍ୟାଲ୍‌ ଧରି ତମ ଆଗରେ ଠିଆ ହୋଇଯିବୁ ।’’

 

ଇସ୍‌ମାଇଲ୍‌ ବୁଢ଼ା ୟା’ କହିଦେଲେ ସିନା କିନ୍ତୁ ମନେ ମନେ ତାଙ୍କର ବି ଭାରି ଭୟ ହେଇଗଲାଣି । ବିଶେଷତଃ ଏହି ସାରା ବସ୍ତିଟା ଯାକ ମୁସଲମାନ । ଚାରିଆଡ଼େ ନିଆଁ ହୁ ହୁ ଜଳୁଛି-। କେତେବେଳେ ଯେ କାହା ମୁଣ୍ଡରେ ବ୍ରହ୍ମରାକ୍ଷସ ଚଢ଼ି ନ ଯିବ, ତା’ କିଏ କହିବ ? ତେଣୁ ସେ ହୋସେନ୍‌କୁ ପଠେଇ ଚେତେଲା, କାଳିଘାଟ, ବକ୍ସିବଜାର, ବହୁବଜାର ତରଫରେ ବରାବର ଖଣ୍ଡିଏ ଘର ଖୋଜୁଛନ୍ତି ଏମାନଙ୍କ ପାଇଁ ଏବଂ ସେଥିପାଇଁ ଯାହା ଟଙ୍କା ଦରକାର ତା’ ଆଗତୁରା କାଢ଼ି ଦେଇଛନ୍ତି ସିନ୍ଦୁକରୁ ।

 

ଖାଲି ଯେ ସେ କହିଦେଲେ ତା’ ନୁହେଁ, ପ୍ରକୃତରେ ଏ ଦି’ ଭାଇଙ୍କି ସେ ପୁଅଙ୍କଠୁଁ ବଳି ଭଲ ପାନ୍ତି । ଯେତେ ବାରଣ କଲେ ବି ସେ ଯବରଦସ୍ତି ଆସି ତାଙ୍କର ଅଭାବ ଅସୁବିଧା ପୂରଣ କରି ଦିଅନ୍ତି । ସେଠାରେ ରହିବା ଦିନୁ କେବେହେଲେ ତାଙ୍କୁ ଘରଭଡ଼ା ଦେବାକୁ ପଡ଼ି ନାହିଁ । ସବୁ ଦିଅନ୍ତି ଇସ୍‌ମାଇଲ୍‍ । ହଜାର ନାହିଁ ନାହିଁ କଲେ ବି ବସାଖରଚ ପାଇଁ ଫି’ମାସରେ ଆପଣା ଗୋଦାମରୁ ଡାଲି, ଚାଉଳ, ତେଲ, ମସଲା ଏପରିକି କାଠ ପର୍ଯ୍ୟନ୍ତ ବୋଝ ବୋଝ କରି ପଠାଇ ଦିଅନ୍ତି । ଇଦ୍‌, ମହରମ୍‌, ଦୋଳ, ଦଶହରାକୁ ତ ନଜିମ୍‍, ହୋସେନ୍‍ଙ୍କ ସହିତ ଏମାନଙ୍କ ପାଇଁ ନୂଆ ନୂଆ ନୁଗା, ଜାମା, ଛତା, ଜୋତା ଫି ବରଷ ବନ୍ଧା । ପ୍ରକୃତରେ କହିବାକୁ ଗଲେ ଦିବାକର ଯେ ବାବୁଙ୍କ ଭଳି ଚଳି କଲିକତା ସହରରେ ଆଜି ପର୍ଯ୍ୟନ୍ତ ପଢ଼ୁଛି, ତା’ କେବଳ ଏଇ ଇସ୍‌ମାଇଲ୍‍ ଚଚ୍ଚାଙ୍କ ଯୋଗୁଁ । ଜନ୍ମ ଜନ୍ମରେ ତାଙ୍କ ଋଣ ସୁଝିବାର ନୁହେଁ ।

 

ଏ କାଫେର୍‌ ପିଲା ଦୁଇଟିଙ୍କ ପ୍ରତି କାହିଁକି ଯେ ଚଚ୍ଚାଙ୍କର ଏତେ ମୋହବତ୍‌, ତା’ ଅନେକ ବୁଝିପାରନ୍ତି ନାହିଁ–ଅନେକ ସହି ବି ପାରନ୍ତି ନାହିଁ । ଖୋଲାଖୋଲି କେତେଥର ଆସି ପଡ଼ିଶା ଲୋକେ କହିଛନ୍ତି ଏମାନଙ୍କୁ ତଡ଼ି ଦେବାକୁ–ଏଇ ଦୁଷମନ୍‌ଙ୍କ ପିଛା ଅବ୍ୟାଜରେ ପଇସା ଖରଚ ନ କରି ଆପଣା ଜାତିର ଲୋକଙ୍କୁ ସାହାଯ୍ୟ କରିବାକୁ । କିନ୍ତୁ ଇସ୍‌ମାଇଲ୍‍ କାହାରି କଥାରେ କାନ ଦେଇ ନାହାନ୍ତି । ଆଖିରୁ ଧାର ଧାର ଲୁହ ଗଡ଼ି ଆସିଛି । କୁହୁକ ଲାଗିଲା ଭଳି ପଛକଥା ସବୁ ଗୋଟିଗୋଟି ହେଇ ଭାସି ଆସିଛି ଆଗକୁ ।.....

 

ବହୁତ ଦିନ ତଳର କଥା ସେ । ଘନଭାଇ ସେତେବେଳେ କାମ କରୁଥାଏ ଘୁଷୁଡ଼ି ବାବୁ ମିଲରେ । ଦଶରା ଛୁଟିରେ ଯାଇଥାଏ ଘରକୁ । ଗାଁକୁ ଗାଁ ତ ଲାଗିଛି । ତେଣୁ ମଝିରେ ମଝିରେ ଘନଭାଇ ବରାବର ତାଙ୍କ ଘରଆଡ଼େ ଯାଏ–ବାପାଙ୍କ ସାଙ୍ଗରେ ଦୁଃଖସୁଖ ହୁଏ । ଇସ୍‌ମାଇଲ୍‍କି ସେତେବେଳେ ମୋଟେ ବାର ବରଷ । ତା’ ତଳେ ଭାଇ ଭଉଣୀ ହେଇ ଆଉରି ଚାରୋଟି । ବାପ ତୋରାଫ୍‌ ଖାଁ ବାହାନ ବରଷର ବୁଢ଼ା । ଧୋଇଆ ଅଞ୍ଚଳ ତ । ଜମିବାଡ଼ି କାହୁଁ ଆସିବ ? ବହୁକଷ୍ଟରେ ସେ ଭିକଦୁଃଖ ମାଗି, କୁକୁଡ଼ା ବତକ ପାଳି ଛୁଆଗୁଡ଼ିଙ୍କ ତୁଣ୍ଡରେ ଆହାର ଦିଏ । ସେଥିରେ ପୁଣି ମା’ଟା ସବୁଦିନେ ରୋଗୀଣା–ବରଷକେ ଦଶମାସ ବିଛଣାରେ ପଡ଼ିଥାଏ । ସହଜେ ତ ତା’ର ବାଉଁଶକଣି ଭଳିଆ ନକନକିଆ ଦେହ, ତା’ ଉପରେ ପୁଣି ସବୁବେଳେ ଏମିତି ଧଇଁ ପେଲେ ଯେ ଏଠୁ ସେଠିକି ଉଠିବା କଠିନ । ମନେହୁଏ ସତେକି ସତେକି ଏଇ ମୁହୂର୍ତ୍ତରେ ପ୍ରାଣବାୟୁ ଉଡ଼ିଯିବ ।

 

ତେ ଦୁଃଖ ଦେଇଦେଇ ଖୋଦାଙ୍କ ମନସ୍କାମନା ପୂରି ନଥିଲା । ଯୋଉ ଦରମଲା ଗଛଟି ତଳେ ଠିଆ ହେଇ ସେହି କଅଁଳା ଛୁଆ କେଇଟି ଖରାତାପରୁ ଟିକିଏ ରକ୍ଷା ପାଉଥିଲେ, ଗୋଟିଏ ଝଞ୍ଜାରେ ସେହି ଗଛଟିକି ଦେଲେ ଉପାଡ଼ି । ....ତିନିଦିନ ହେଲା ଘରେ ଭାତ ନଥାଏ । ବାପା ବଡ଼ି ଅନ୍ଧାରୁଆରୁ ଉଠି ଗୋଛାଏ କତା ବାଡ଼େଇ ଦଉଡ଼ି ବଳିଲେ । ତା’ପରେ ବତା ଚିରି ସାହୁଘର ପାଇଁ କେତୋଟି ଗାଣ୍ଡୁଆ ଓ ଟୋକେଇ ବୁଣିଲେ । ବେଳ ସେତେବେଳକୁ ମୁଣ୍ଡ ଉପରୁ ଗଡ଼ିଲାଣି । ପେଟ ଆସି ନାଗିଲାଣି ପିଠିରେ । ଇସ୍‍ମାଇଲ୍‍ ସେଦିନ ଯାଇଥିଲା ସଇଁଘର ବିଲ ବାଛିବାକୁ । କାଦୁଅ ପାଣିରେ ଜୁଡ଼ୁବୁଡ଼ୁ ହେଇ ଚାଉଳ ଦି’କୁଞ୍ଚା ଭଳି ଅଣ୍ଟିରେ ଧରି ତିଶିରା ପହରକୁ ଫେରିଲା । ନଣ୍ଡଭଣ୍ଡ କରି ମା’ ତା’କୁ ବସେଇଲେ ଚୁଲିରେ । ବାପାଙ୍କୁ ବେଜାର ହେଲେ ଝଅଟ ଯାଇଁ ବୁଡ଼ି ପଡ଼ି ଆସିବାକୁ । ଭୋକରେ ବୁଢ଼ାର କରଡ଼ି ଜଳୁଥାଏ । ଆଖିରୁ ବାହାରି ଯାଉଥାଏ ଜୁଳୁଜୁଳିଆ ପୋକ । ସେମିତି ନୁଖୁରା ଦେହରେ ତରବର କରି ଦଉଡ଼ିଲା ସେ ନଈକି । ଭୋକଶୋଷରେ ତ ହଂସା ଉଡ଼ୁଛି, ଆଗ ପଛକୁ ଅନିସା କରିବାକୁ ବେଳ କାହିଁ ? ବୁଢ଼ା ଯାଇଁ ଭୁସ୍‌କିନା ନଈରେ ପଶି ବୁଡ଼ ମାଇଲା । ବାସ୍‌ ସେତିକି–ସେତିକିରେ ଶେଷ । ଆଉ ମୁଣ୍ଡ ଟେକିନି । ଆଗରେ ପହଁରୁଥିଲା ଏକ ମସ୍ତବଡ଼ ମଣିଷଖିଆ ଥଣ୍ଟିଆ । ଏକା ଥରକେ ସେ ଛାଟିନେଲା ଗଣ୍ଡ ମଝିକି । ...କଟକରେ ବାବୁମାନେ ଛେଳି, ମେଣ୍ଢା ଆଦି ପଶୁଙ୍କୁ ମାରି ଖାଆନ୍ତି ସିନା, ତଳମାଳରେ କିନ୍ତୁ ପଶୁମାନେ ଖାଆନ୍ତି ମଣିଷକୁ ! ମଣିଷଙ୍କ ଚର୍ବିରେ ଫୁଲେ ପଶୁଙ୍କ ପେଟ !!

 

ଚାରିଆଡ଼େ ହାଲହୂଲୋଳି ପଡ଼ିଗଲା । ଇସ୍‍ମାଇଲ୍‍ ମା’ ଢୁ-ଢୁ ମୁଣ୍ଡ କଚାଡ଼ିଲା ଦୁଆର ବନ୍ଧରେ । ସମସ୍ତେ ଆସି ଏଣୁତେଣୁ ଦି’ପଦ ସାନ୍ତ୍ୱନା ଦେଇ ଫେରିଗଲେ । ହେଲେ ଏକା ଘନଭାଇଟି–ମାସେକାଳେ ଦି’ଓଳି ଦଉଡ଼ୁଛି ତାଙ୍କ ଘରକୁ । ଉଧାର କରଜ କରି ଖୁଦମଳୁଖ ଆଣି ଯୋଗେଇଛି ଛୁଆଙ୍କ ତୁଣ୍ଡରେ ଦାନା । ଶେଷରେ କଷ୍ଟ ସହି ନ ପାରି ଇସ୍‍ମାଇଲ୍‍କି ସାଙ୍ଗରେ ନେଇ ଆସିଛି କଲିକତା ଆଉ ମାସ ମାସ କାଳ ବସାରେ ରଖେଇ, ଏଠିକି ସେଠିକି ଦଉଡ଼ି ଦଉଡ଼ି କେତେ କା’ର ହାତଗୋଡ଼ ଧରିଧରି ଶେଷରେ କାମ ଖଣ୍ଡିଏ ଯୋଗାଡ଼ କରି ଦେଇଛି ସାହାବ କୋଠିରେ । ତଥାପି ବି ଦି’ବରଷ କାଳ ଆପଣା ପେଟରୁ କାଟି ମାସକା ମାସ ଟଙ୍କା ପଠେଇଛି ମା’ ପାଖକୁ । ...ସାତଥର ମରି ଜନ୍ମ ହେଲେ ବି ଇସ୍‍ମାଇଲ୍‍ କ’ଣ ତା’ ଋଣ ସୁଝି ପାରିବ ?

 

କଇଁ କଇଁ ହେଇ କାନ୍ଦି ଉଠେ ଇସ୍‍ମାଇଲ୍‍ । ଝୋଟଭଳି ପାଚେଲା ନିଶ ଦାଢ଼ି ଉପରେ ତତଲା ପାଣି ନିଗିଡ଼ି ଯାଏ ମନଇଚ୍ଛା । ....ହୁଏତ ସେ ପରେ ବ୍ୟବସାୟ ପତ୍ରକରି ବଡ଼ଲୋକ ହେଇଛି–ଆଜି ହୁଏତ ହଜାର ହଜାର ଗଣିଦେବ । କିନ୍ତୁ ଏ ସମସ୍ତର ମୂଳରେ ଅଛି କା’ର ଚେଷ୍ଟା ? କିଏ ଆଗ ରୋଇଚି ସେ ଗଛଟିକି ? ଯୋଉ ଭାଇ, ବନ୍ଧୁ, ଜାତିମାନେ ଆସି ଅବିକା ଏତେ ଭଲେଇ ହଉଛନ୍ତି, ସେତେବେଳେ କେହି ଅବା ଟିକିଏ ଆଡ଼ ଆଖିରେ ଅନେଇଛନ୍ତି ? ଏପରିକି ନିଜ ଚଚ୍ଚା ବି । ସେଇଠି ତାଙ୍କର ଆଖିଆଗରେ ତା’ ଛୋଟ ଛୋଟ ଭାଇ ଭଉଣୀଗୁଡ଼ିକ ଠୋ ଠୋ ଭୋକଉପାସରେ ଦିନ ପରେ ଦିନ କଟେଇଛନ୍ତି, ହେଲେ ଚାଉଳ ସେରେ ଦେବା ତ ଦୂରର କଥା କଅଁଳ କଥା ପଦେ ବି କହି ନାହାଁନ୍ତି । ...ଇସ୍‍ମାଇଲ୍‍ ଆଉ ଭାବି ପାରେନା । କାଫେର୍‌ କହି ଛୁଆ ଦୋ’ଟିଙ୍କି ବାହାର କରି ଦେବାପାଇଁ ଯେ ତା’ ପାଖକୁ ଆସେ, ସେ ହଜାର ମୁସଲମାନ ହେଲେ ବି ଫାରସା ଧରି ତା’ଙ୍କୁ ଟିକିଟିକି କରି ହାଣି ଦେବାକୁ ତା’ର ଇଚ୍ଛାହୁଏ ।

 

ହେଲେ ଏଭଳି ମଣିଷଗୁଡ଼ାଙ୍କ ପାଇଁ ଏ ଦୁନିଆରେ ସ୍ଥାନ ନାହିଁ । ପରର ଯିଏ ମଙ୍ଗଳ କରିବାକୁ ଯାଏ, ଦୁନିଆଯାକର ସବୁ ଅମଙ୍ଗଳ ଆସି ନଦାହୁଏ ତା’ରି ମୁଣ୍ଡରେ । ଭଲଲୋକର ଭାଗ୍ୟରେ ସବୁ ଦୁଃଖ ଦୁର୍ଗତି । କାନ୍ଦି କାନ୍ଦି ମରିବାକୁ ଯେମିତି ତା’ର ଜନ୍ମ ।

 

ନଜିମ୍‌ ତେଣୁ ଧାଇଁ ଧାଇଁ ଆସି ଖବର ଦେଲା–‘‘ବାବା ! ବଡ଼ି ବୁରି ବାତ୍‌ । ପାର୍କ ସର୍କସରେ ମିଟିଂହେଇ ବଡ଼ ଗୁପ୍ତରେ ଏକ ପ୍ରସ୍ତାବ ପାସ୍‍ ହେଲା–‘ଆଜି ସନ୍ଧ୍ୟାବେଳେ ମାଟିଆବୁରୁଜ ଆକ୍ରମଣ କରାଯିବ । ଶତ୍ରୁପକ୍ଷର ଯେପରି ବିଲେଇ ଛୁଆଟିଏ ଉବୁରି ନ ଯାଏ, ସେଥିପାଇଁ ଶହ ଶହ ଗୁଣ୍ଡା ଅସ୍ତ୍ର ଶସ୍ତ୍ର ଧରି ଦିନ ଦି’ଟାରୁ ଜଗି ନେବେ ।’

 

ଶହେଟା ବଜ୍ର ଯେମିତି ଏକାବେଳକେ ଛିଡ଼ି ପଡ଼ିଲା ଇସ୍‍ମାଇଲ୍‍ ଖାଁଙ୍କ ମୁଣ୍ଡରେ । ମଥା ନୋଇଁ ଆଲ୍ଲାଙ୍କୁ ସେ ମନେମନେ ଘଡ଼ିକ ପାଇଁ ପ୍ରାର୍ଥନା କଲା । ସେତେବେଳକୁ ଦିନ ବାର–ଆଉ ମାତ୍ର ଦୁଇଟି ଘଣ୍ଟା ବାକି ।

 

ଏଇ ଗଣ୍ଡଗୋଳର ଆଶଙ୍କା କରି ହୋସେନ୍‌ର ମା’ ଖାତୁନ୍ନିସା ଚାରି ଦିନ ହେଲା ସେମାନଙ୍କୁ ଭଡ଼ାଘରୁ ଲୁଚେଇ ଲୁଚେଇ ଆଣି ଆପଣା ଘରେ ରଖେଇଛି । ଦିଗମ୍ବରର କାମକୁ ଯିବା ଆଠ ଦିନ ହେଲା ବନ୍ଦ । କେବଳ ହୋସେନ୍‌ ମଟରରେ ବସେଇ ସବୁଦିନେ ଦିବାକରକୁ କଲେଜ ନେଇଯାଏ ଓ ପୁଣି ଚାରିଟା ବାଜିଲେ ନିଜେ ଯାଇଁ ମଟରରେ ଘେନିଆସେ । କାଳେ ତଳେ ଚାକରବାକରଙ୍କ ଗୋଳମାଳରେ ସେମାନଙ୍କ ଖାଇବା ପିଇବା ଅସୁବିଧା ହେବ ସେଥିପାଇଁ ଖାତୁନ୍ନିସା ତାଙ୍କୁ ଦୋମହଲାରେ ଆଣି ଆପଣା ଶୋଇବାଘର ପାଖ ବଖରାରେ ଦେଇଛି ସ୍ଥାନ । .....ଇସ୍‍ମାଇଲ୍‍ ତରତର ହେଇ ସେଦିନ ଘରଭିତରକୁ ପଶିଯାଇଁ ଦେଖିଲେ–ହୋସେନ୍‌, ଦିବାକର ଗୋଟାଏ ଥାଳିରେ ବସି ଖାଉଛନ୍ତି । ପାଖରେ ବସି ଖାତୁନ୍ନିସା–‘‘ମାଂସ ଟିକିଏ ଦିଏ, ପଲାଉ ଗଣ୍ଡାଏ ଆଣେ, ପୁଡ଼ିଂଟା ଚାଖ, ରାଜଭୋଗ ଦି’ଟା ‘ଦିବ’ ଖାଉ’’–ଏମିତି ଏଣୁ ତେଣୁ କହି ପୁଅ ଯୋଡ଼ିଙ୍କୁ ଖୋଇବାରେ ବ୍ୟସ୍ତ । ଦିଗମ୍ବର ନଜିମ୍‌ର କଅଁଳା ଝିଅଟିକି କାନ୍ଧରେ ପକେଇ ଗେଲ କରୁଛି । ସଭିଙ୍କ ମୁହଁରେ ଉଛୁଳା ହସର ଢେଉ ।

 

ଦୁଃଖରେ ଛାତି ଫାଟିଗଲା । ସମ୍ଭାଳି ହେଇ ନ ପାରି ବୁଢ଼ା ଭୋ ଭୋ କାନ୍ଦି ଉଠିଲା । ....କଥାଟା କ’ଣ ବୁଝିବାକୁ ବେଶୀ ବେଳ ଲାଗିଲା ନାହିଁ । ଆଖି ପିଞ୍ଛଡ଼ାକେ ହସ ମଉଳି ଯାଇଁ ସଭିଙ୍କ ଆଖିରୁ ଗଡ଼ି ଆସିଲା ଲୁହ । ଦିବାକରକୁ କୁଣ୍ଢେଇ ପକେଇ ଖାତୁନ୍ନିସା ଭୋ ଭୋ ଡକାପାରିଲେ । ନଜିମ୍‌ ଧାଇଁ ଆସି ଦିଗମ୍ବର ଛାତିରେ ମୁଣ୍ଡ ଗୁଞ୍ଜି କଇଁ କଇଁ ହେଇ କାନ୍ଦି ଉଠିଲା । ବୁଢ଼ାଙ୍କ ଚେତା ବୁଡ଼ି ବୁଡ଼ି ଆସୁଥିଲା । ଏକ ଗଭୀର ଦୀର୍ଘଶ୍ୱାସ ଭିତରେ ଆପଣା ଛାଏଁ ପାଟିରୁ ବାହାରି ପଡ଼ିଲା–ଘନଭାଇ.....

 

ଏମିତି କେତେ ସମୟ ଯେ ସେମାନେ ପରସ୍ପରକୁ କୁଣ୍ଢାକୁଣ୍ଢି ହେଇ କାନ୍ଦିଥାନ୍ତେ, ତା’ ଠିକ୍‌ ନାହିଁ । କିନ୍ତୁ ହଠାତ୍‌ ସବୁ ଭାବନାକୁ ପଛକୁ ପକେଇ ଦୂରରୁ ଶୁଭିଲା ସେହି ପ୍ରଳୟଙ୍କରୀ ବିକଟ ଚିତ୍କାର–‘‘ଆଲ୍ଲା ହୋ ଆକବର’’ ....ହୃଦୟର ପ୍ରତି ରକ୍ତବିନ୍ଦୁ ଥରି ଉଠିଲା ଭୟରେ । ଉପରର ବିଶାଳ ଆକାଶଟା ସତେକି ମଡ଼ ମଡ଼ ହେଇ ଭାଙ୍ଗିପଡ଼ିଲା ପୃଥିବୀ ଉପରେ । ଆଉ ମୁହୂର୍ତ୍ତେ ଡେରି କରିବାର ନୁହେଁ । ଦିଗମ୍ବର, ଦିବାକରର ଶତ ବାରଣ ସତ୍ତ୍ୱେ ବି ନଜିମ୍‌ ଆଣି ପିନ୍ଧାଇ ଦେଲା ତା’ଙ୍କୁ ଦୁଇଟା ଶାଢ଼ି–ତା’ଉପରେ ପକେଇଲା ଦି’ଟା ମସ୍ତ ମସ୍ତ ବୁର୍‌ଖା । ହୋସେନ୍‍ ମଟର ଧରି ପ୍ରସ୍ତୁତ ହେଇଗଲା । ଆଗ ସିଟରେ ବସିଲେ ବୁଢ଼ା ନିଜେ । ପଛରେ ଭାଇ ଦୋ’ଟି । ବେଚେତା ହୋଇ ଘରଭିତରେ ପଡ଼ିଥିଲେ ଖାତୁନ୍ନିସା । ନଜିମ୍‌ ଆସି ଦୁଆର ମୁହଁରେ ଛଳ ଛଳ ଆଖିରେ ବିଦାୟ ଦେଇଗଲା ।

 

ଗୋଟାଏ ଫରଲଙ୍ଗ ଆଗକୁ ଯାଇଛନ୍ତି କି ନାହିଁ, ଯମଦୂତ ଭଳି ଆଗରେ ଆସି ଠିଆ ହେଇଗଲେ ପାଞ୍ଚ ଛଅ ଭଳି ତାଗଡ଼ା ତାଗଡ଼ା ଗୁଣ୍ଡା । ଅଣ୍ଟାରେ ଖାଲି ଖଣ୍ଡେ ଖଣ୍ଡେ କଳା କଉପୁନୀ–ହାତରେ ଚିକ୍‌ ଚିକ୍‌ ଛୁରା । ଏଇମାତ୍ର ବୋଧେ କା’ର କଲିଜା ଚିରି ଆସିଛନ୍ତି । ଦେହ ହାତ ରକ୍ତସିନାନ । ନାଲ ଚହ ଚହ ମଦୁଆ ଆଖିରେ ରକ୍ତର ଛିଟା ଲାଗି ଆହୁରି ଭୟଙ୍କର ଦିଶୁଛି । ଏକ ସ୍ୱରରେ ସଭିଙ୍କ ପାଟିରୁ ବାହାରି ପଡ଼ିଲା–‘‘କୋନ୍‌ ହେ ?’’

 

ଇସ୍‌ମାଇଲ୍‌ ବୁଢ଼ା ଚଟ୍‌କିନା ତଳକୁ ଓହ୍ଲେଇ ପଡ଼ି କହିଲେ–‘‘ହାମ୍‌ ଯାତା ହସ୍‌ପିଟାଲ୍‌ । ହାମାରି ବଡ଼ି ବୋହୂକୀ ତବିୟତ୍‌ ଅଛି ନେହିଁ । ବଚ୍ଚା ହୋନେକା ବଖତ୍‍ ହେ । ଲେବର ପେନ୍‌ ସୁରୁ ହୋଗିୟା । ଇସିଲିଏ ହାମଯାତା ଲେଡି ଡାକ୍ତରକା ପାଶ୍‍ । ଓ ଇନ୍‌କୀ ଶାଶ୍‌ ହେ । ଯାତା ଇନକୋ ମଦତ୍‌ ଦେନେକା ବାସ୍ତେ ।’’

 

ତଥାପି ବି ଗୁଣ୍ଡାଏ ନଛୋଡ଼ବନ୍ଧା । କହିଲେ–‘‘ନେଇ, ହାମ୍‌ ଦେଖନେ ମାଙ୍ଗତା ।’’

 

‘‘ଦେଖ୍‍ଲିଜିଏ’’–ଦାଡ଼ିରେ ହାତ ଆଉଁସି ଆଉଁସି ବୁଢ଼ା ଉତ୍ତର ଦେଲେ ।

 

ପ୍ରକୃତରେ ବି ସେମାନେ ଦେଖିଥାନ୍ତେ । କିନ୍ତୁ ବସ୍ତିଲୋକେ ସେତେବେଳକୁ ଆସି ସେଠି ଜମାହେଇ ପଡ଼ିଥିଲେ । ସମସ୍ତଙ୍କର ବୁଢ଼ାଙ୍କ ପ୍ରତି ଭାରି ଖାତିରି । ତାଙ୍କର ମେଳାପୀ ସ୍ୱଭାବ ଯୋଗୁଁ ଛୁଆଠୁ ବୁଢ଼ାଯାଏ ସଭିଏଁ ତାଙ୍କୁ ଭଲପା’ନ୍ତି । ତା’ଛଡ଼ା ସେ ନିଜେ ବି ଜଣେ ବଡ଼ ମାମଲତକାର । ତେଣୁ ସେ ଖଣ୍ଡମଣ୍ଡଳରେ ତାଙ୍କର ପ୍ରତିପତ୍ତି ଖୁବ୍‌ ବେଶୀ । ଲୋକେ ଉପରେ ପଡ଼ି ଗୁଣ୍ଡାମାନଙ୍କୁ ବାଧାଦେଇ କହିଲେ–‘‘ନେଇ, ନେଇ, ତୁମ୍‌ ଲୋଗ୍‌ ନେଇ ଜାନତେ–ଓ ହାମାରା ବାପ୍‌କା ମାଫି ଲୋକ୍‌ ହେ । କଭି ଝୁଟାବାତ୍‌ ବୋଲ୍‌ ନେହିଁ ସକତେ ।’’

 

ଗୁଣ୍ଡାଏ ଛାଡ଼ିଦେଲେ । ତୀର ବେଗରେ ମଟର ଛୁଟେଇ ଦେଇ ଆଖି ପିଞ୍ଛଡ଼ାକେ ହୋସେନ୍‌ ପାରି ହେଇଗଲା ମାଟିଆ ବୁରୁଜ–

 

ପାଞ୍ଚ ବାଜିଲା, ଛ’ ବାଜିଲା, ସାତ ବାଜିଲା । ଲୋକେ ଖୋଜି ଖୋଜି ନୟାନ୍ତ ହେଲେ । ହେଲେ ଭଡ଼ାଘରର ସେ ଭାଇ ଦୋ’ଟିଙ୍କି କୌଣସିଠାରେ ଠାବ କରିପାରିଲେ ନାହିଁ । ଭଡ଼ାଘରର କବାଟ ଭଙ୍ଗା ହେଲା । ଇସ୍‌ମାଇଲ୍‍ ମିଆଁଙ୍କ ଘର ଖାନ୍‌ତଲାସ ହେଲା । ଗୋଦାମ ଘରେ ବି ଲୋକେ ପଶି ଅନ୍ଦିକନ୍ଦି ଖୋଜି ଆସିଲେ । ହେଲେ କାହାନ୍ତି ସେମାନେ ? ଲୋକେ କହୁଛନ୍ତି, ଆଜି ସକାଳେ ଦେଖିଛନ୍ତି । ଅଥଚ ୟା’ରି ଭିତରେ କୁଆଡ଼େ ଶୂନେ ଶୂନେ ଉଭେଇଗଲେ ସେ । .......ଚଟକଳ ଆଡ଼ୁ ଦଳେ ଗୁଣ୍ଡା ରକ୍ତମୁଖା ହେଇ ଫେରିଥାନ୍ତି । ରକ୍ତ ପିଇ ପିଇ ଯେମିତି ମନ ଶାନ୍ତି ହେଇ ନାହିଁ । ଖୋଜୁଛନ୍ତି ଆହୁରି ଆହୁରି ତାଜାରକ୍ତ । ହଠାତ୍‌ କିଏ ଜଣେ କହିଲା–‘‘ମେ ଶୋଚତା ହୁଁ ବୁଢ଼ା ଉନଲୋଗଙ୍କୋ ଦୋ’ ବଜେ ପାର୍‌କର୍‌ ଦିଆ ।’’

 

‘‘ଏ’’–ଲୋକଙ୍କ ଭିତରେ ସତେକି ନିଆଁ ବୁଣି ହେଇଗଲା–‘‘କାଫେରକୋ ପାର୍‌ କରଦିଆ–ଏସା ବେଇମାନ୍‌ ଆଦିମ୍‌ ହାମ୍‍ ଲୋଗ୍‌କା ଭିତରମେ ହୈ ?’’ ଲୋକଙ୍କର ପ୍ରତି ରକ୍ତକଣା ଟକ୍‌ମକ୍‌ ହେଇ ଫୁଟିଉଠିଲା କ୍ରୋଧରେ । ବିଶେଷତଃ ସେହି ଚଟକଳ ଫେରନ୍ତି ରକ୍ତବୋଳା ଗୁଣ୍ଡାଦଳଟା ଏକାବେଳକେ ଅନ୍ଧ ହେଇଗଲେ । ‘‘ଆଲ୍ଲା ହୋ ଆକ୍‌ବର’’ରେ ମେଦିନୀ କମ୍ପି ଉଠିଲା । ‘‘ମାରୋ ବେଇମାନ କୋ’’ କହି, ଏକ ବିକଟ ଚିତ୍କାରରେ ଦୁଇ ଶହ ଭଳି ଲୋକ ଯାଇଁ ଏକାବେଳକେ ଆକ୍ରମଣ କଲେ ଇସ୍‌ମାଇଲ୍‌ ଘର ।

 

ରକ୍ତର ସୁଅ ବହିଗଲା । ନଜିମ୍‌ ଗଲା, ଖାତୁନ୍ନିସା ଗଲେ, ନଜିମ୍‌ର ସ୍ତ୍ରୀ ଗଲା, ଝିଅ ଗଲା, ଚାକରବାକର ଗଲେ, ବନ୍ଧୁ ବାନ୍ଧବ, କୁଣିଆ ମଇତ୍ର ଯିଏ ଯେତେ ଆସିଥିଲେ, କେହି ଜଣେ ହେଲେ ବାଦ୍‌ ପଡ଼ିଲେ ନାହିଁ । ସାରା ଜୀବନ ଖଟି ଖଟି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି କରିଥିଲେ ଇସ୍‌ମାଇଲ୍‌-। ସବୁ ଘଡ଼ିକ ଭିତରେ ହେଇଗଲା ଛିନ୍‌ଛତର–ଲୁଟ୍‌ ପାଟ୍‌ । କାଣି କଉଡ଼ିଟିଏ ବି ବାକି ରହିଲା ନାହିଁ-

 

ତଥାପି ଏତେ ଯାଇଁ ଯାଇଁ ଠାକୁରଙ୍କ ମନସାଧ ମେଣ୍ଟି ନ ଥିଲା । ଶେଷକୁ କୁଳର ଶେଷ ଦୀପଟିକି ବି ଲିଭାଇ ଦେଲେ । ...ସେମାନଙ୍କୁ ନିରାପଦ ସ୍ଥାନରେ ରଖି, ଖୋଦ୍‌ ବାପାଙ୍କୁ ତାଙ୍କ ପାଖରେ ଜଗେଇ ହୋସେନ୍‌ ଫେରି ଆସୁଥିଲା ଘରକୁ । ସେ କ’ଣ ଆଉ ଏତେ କଥା ଜାଣିଛି ? ...ବାଁପାଖ ମୋଡ଼ଟା ଡେଇଁ ମାଟିଆବୁରୁଜ ବଜାର ଭିତରକୁ ଷ୍ଟୁଡ଼ିବେକାରଟା ପଶି ଆସିଲା । କିଏ ଜଣେ ଦୂରରୁ ଚିତ୍କାର କରି ଉଠିଲା–‘‘ଆ ଗିୟା ବେଇମାନ’’–ଆଉ ଯାଏ କୁଆଡ଼େ ? କ୍ରୁଧ ଜନତା ଘେରି ଆସିଲେ ଚାରିଆଡ଼ୁ । ଦେଖାଚାହାଁ ନାହିଁ, କଥାବାର୍ତ୍ତା ନାହିଁ । ଟିଣକା ଟିଣ ପେଟ୍ରୋଲ ଢାଳିଦେଲେ ଗାଡ଼ିରେ । ସଙ୍ଗେ ସଙ୍ଗେ ଚଟ୍‌କରି ମାରିଲେ ଦିଆସିଲି । ଗାଡ଼ି ହୁ ହୁ ଜଳିଲା–ଆଉ ସେହି ଜଳନ୍ତା ନିଆଁ ଭିତରେ ଧୁଧୁ ହେଇ ଜଳିଉଠିଲା ଜିଅଁନ୍ତା ହୋସେନ୍‌ ।

 

ସାତ

 

ରେଖା ଓ ଜୟସୂର୍ଯ୍ୟ କାବେରୀର କୋମଳ ବାଲିଶେଯରେ ବସି କଥାବାର୍ତ୍ତା ହେଉଥିଲେ-। ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ । ମେଘମୁକ୍ତ ନିର୍ମଳ ଆକାଶରେ ହସି ଉଠୁଥିଲା ଫଗୁଣର ନବମୀ ଚାନ୍ଦ-। ସଜ ଫୁଟିଲା ଫୁଲ ପେନ୍ଥାମାନ ବେଣୀ ଆଗରେ ଝୁଲେଇ ତାମିଲ ଝିଅ କେଇଟି ଅଳସ ଗତିରେ ଏଣେତେଣେ ପଦଚାରଣା କରୁଥିଲେ ।

 

ଜୟସୂର୍ଯ୍ୟ କହିଲା–‘‘ଜାଣନ୍ତି ରେଖା ଦେବୀ ! ଏଇ କାବେରୀ ଉପକଣ୍ଠରେ ସେଦିନ ଓଡ଼ିଆଜାତିର ଗର୍ବ ଗୌରବର ଜୟଢକ୍‌କା ତୋଳି ବାଜି ଉଠିଥିଲା ଗଜପତିଙ୍କର ଭେରୀ, ତୁରୀ, ଶଙ୍ଖ, କାହାଳୀ । ମହାମହିମ ପୁରୁଷୋତ୍ତମଦେବ କାଞ୍ଚି ଜୟ କରି କାଳକାଳକୁ ଓଡ଼ିଆ ଜାତିର ବୀରତ୍ୱ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲେଖି ଦେଇଗଲେ ।’’

 

ହସି ଉଠିଲା ରେଖା–‘‘ଇତିହାସ ଭୁଲିଯାଆନ୍ତୁ । କୋଉ ଯୁଗର କିଏ ଯୁଦ୍ଧ କରି ବିଜୟ କେତନ ଉଡ଼େଇଥିଲା ବୋଲି ଆଜି ସେଇଆକୁ ନେଇ ଗର୍ବ କରିବାରେ କୌଣସି ଅର୍ଥ ନାହିଁ । ଆଜିର ଏଇ ଦୁର୍ବଳ ଦେହ ଓ ଭୀରୁ ମନ ନେଇ ସେମାନଙ୍କ ସହିତ ନିଜକୁ ତୁଳନା କରିବାକୁ ଲଜ୍ଜା ଲାଗେ । ବରଂ ଏଇ ହୀନବୀର୍ଯ୍ୟ, ନିରନ୍ନ, କାଙ୍ଗାଳ ଜାତିଟାକୁ ଦେଖିଲେ ମୋର ତ ମନେ ହୁଏ, ଆମେ କେବେ ତାଙ୍କର ବଂଶଧର ନୋହୁଁ । ହୁଏତ ବଙ୍ଗୋପସାଗର ଥରେ ମାଡ଼ି ଆସି ସାରା ଉତ୍କଳକୁ କରି ଦେଇଛି ପ୍ଳାବନ । ସବୁ ଶିଳ୍ପୀ, ସବୁ ଯୋଦ୍ଧା, ସବୁ ସାଧବ, ସବୁ କଳାବିତ୍‌ଙ୍କର ହେଇଛି ସେଥିରେ ସଲିଳ-ସମାଧି । ତା’ପରେ ନୂଆକରି ଆମେ ଜନ୍ମ ହେଇଛୁ–ନିର୍ବଳ, ନିସ୍ପନ୍ଦ, ଜଡ଼ ମନୁଷ୍ୟ । ମନୁଷ୍ୟ ନୋହୁଁ ତ ଖାଲି ଗୋଟାଏ ଗୋଟାଏ ପ୍ରାଣହୀନ ପାଷାଣ–ନିର୍ଜୀବ ମାଟିପିଣ୍ଡ ।’’

 

‘‘ତା’ହେଲେ କ’ଣ ଆପଣ କହିବେ, ସମଗ୍ର ପୃଥିବୀରେ ଶିଳ୍ପ-ନୈପୁଣ୍ୟର ପରାକାଷ୍ଠା ଦେଖେଇ ଆକାଶ କୋଳକୁ ମଥା ଟେକିଛି ଯୋଉ କୋଣାର୍କ, ସେଥିରୁ ଜାତି କିଛି ପ୍ରେରଣା ପାଏ ନାହିଁ ।’’

 

‘‘ମୋଟେ ନୁହେଁ । ତା’ ହେଉଥିଲେ ଆମର ଶହ ଶହ ଯୁବକ ଖାଲି କିରାଣି ହେଇ କଟକ ସହରରେ ମୁହଁ ମାଡ଼ି ପଡ଼ିରହୁନଥାନ୍ତେ–ଇଞ୍ଜିନିୟର ହେଇ, ଫିଟର୍‌ ହେଇ, ମେକାନିକ୍‌ ହେଇ ଯାଇଁ ହୀରାକୁଦରେ କାମ କରୁଥାନ୍ତେ–ଭୁବନେଶ୍ୱରରେ ରାଜଧାନୀ ଗଢ଼ୁଥାନ୍ତେ । ସାମାନ୍ୟ ମିସ୍ତ୍ରୀଠଉଁ ଆରମ୍ଭକରି ଚିଫ୍‌ ଇଞ୍ଜିନିୟର ପର୍ଯ୍ୟନ୍ତ ସବୁ କାମ ପାଇଁ ବାହାରୁ ଏମିତି ପଣ ପଣ ଲୋକ ଆସି ଆମକୁ ଶୋଷଣ କରିବାର ଅବକାଶ ନଥାନ୍ତା । ଆମ ଜାତିଭଳି କିଏ ଏମିତି ଘରପଶା ଅଛି କୁହତ ?’’

 

‘‘ତଥାପି ତ ଆମେ ଦିନେ ଦରିଆ ସେପାରି ଯାଇଁ ବଣିଜ କରି ଧନ, ଦଉଲତ, ମଣିମାଣିକ୍ୟ ଘରକୁ ବହି ଆଣୁଥିଲେ ?’’

 

ବଡ଼ ବିରକ୍ତ ହେଇ ଉଠିଥିଲା ରେଖା–‘‘ଥାଉ, ଆଉ ସେ ମୁହଁ–ସୁଆଗିଆ କଥା କହି ଲାଭ ନାହିଁ । କବିସୂର୍ଯ୍ୟଙ୍କ ଭାଷାରେ–‘‘ଜଗତେ କେବଳ, ଜନେ ହସିବା ଏହି ଏଥୁଁ ଫଳ’’ । କି ହେ, ଆଜି ତ ଆମର କଟକରୁ ବାଲେଶ୍ୱରକୁ ବଦଳି ହେଲାବେଳକୁ କାନ୍ଦି କୁନ୍ଥେଇ । କୋରାପୁଟ ଜିଲ୍ଲାକୁ କେହି ଆସୁ ନାହାଁନ୍ତି ଯେ ଆନ୍ଧ୍ର ଯାଇଁ ସେଥିରୁ ତିନିପା ଦଖଲ କରି ଗଲେଣି । ଡୁଡୁମା କୋଉଠି ହୁଏତ ଅଧେ ଲୋକ ଜାଣି ନଥିବେ । ସିନ୍ଧ୍ର କାରଖାନା କହିଲେ ଲୋକେ କହନ୍ତି–କ’ଣ ସିନ୍ଧ୍‌ ? ....ପାକିସ୍ଥାନରେ ? ...ଆଉ ଏଥିରେ ଆପଣ କହୁଛନ୍ତି–କ’ଣନା–ଦରିଆ ପାରି–ମଣିମାଣିକ୍ୟ । ଛି, ଛି, ସେହି ଓଡ଼ିଆ ବୋଲି ପରିଚୟ ଦେବାକୁ ଆମକୁ ଆଜି ଲାଜ ଲାଗେ ନାହିଁ ? କ’ଣ ଆଉ ଅଛି ଆମର ?–ଶିଳ୍ପ ନା ସାହିତ୍ୟ ନା ଶକ୍ତି ନା ସଂସ୍କୃତି ?’’

 

ନବ ଯଉବନୀ କର୍ଣ୍ଣାଟକ ତରୁଣୀଗଣ କବରୀରେ ରକ୍ତ କରବୀ ଖୋସି କାବେରୀ କୋଳରେ ଜ୍ୟୋତ୍ସ୍ନାସ୍ନାନ କରୁଥିଲେ । ମୁଗ୍‌ଧ କିଶୋର କେତେ ପାଗଳ ମଧୁପ ଭଳି ଧାଇଁ ବୁଲୁଥିଲେ ତାଙ୍କ ପଛେ ପଛେ । ଆନମନା ହେଇ ସେହିଆଡ଼କୁ ଚାହିଁ ରହିଥିଲା ଜୟସୂର୍ଯ୍ୟ । ଏତେ ଆନ୍ତରିକତା ସହ ସେ କେବେ ଦେଶକଥା ଭାବି ନାହିଁ । ଏସବୁ ତା’ର ଖାଲି ଆରାମ୍‌ ଚେୟାର୍‌ର ଖୁସିଗପ–ଏସେନ୍‍ସ, ଟୟଲେଟ୍‌ଭଳି ଗୋଟାଏ ଗୋଟାଏ ସାମୟିକ ବିଳାସ ମାତ୍ର । ତା’ ନହେଲେ ଦେଶ ଦୁର୍ବଳ ହେଲେ ତା’ର ଯାଏ କେତେ ଆସେ କେତେ ? ଜାତି ଅପର ଜାତିଦ୍ୱାରା ଶୋଷିତ, ଲାଞ୍ଛିତ, ପଦଦଳିତ ହେଲେ ତା’ର ହୋଲେ ନା ଡୋଲେ ? ସେତ ଆଉ ସେହି ବଡ଼ଲୋକର ଆଭିଜାତ୍ୟଭରା ମଣିମୟ ସିଂହାସନରୁ ତଳକୁ ଖସି ପଡ଼ୁନି ।

 

ଦୂର ଦିଗ୍‌ବଳୟ କୋଳରେ ଯୋଉଠି ଟିଟିଭ୍‌ଟିଏ ଗାଇ ଗାଇ ଉଡ଼ି ଯାଉଥିଲା ପଦ୍ମାବତୀର ଦେଶକୁ, ସେହି ଆଡ଼କୁ ଚାହିଁ ଚାହିଁ ଜୟସୂର୍ଯ୍ୟ କହିଲା–‘‘ଛାଡ଼ନ୍ତୁ । ପରପାଇଁ ମୁଣ୍ଡ ଖେଳେଇ ନିଜର ଶାନ୍ତିମୟ ଅବସରଟିକୁ ତିକ୍ତ କରିବା କାହିଁକି ? ଦେଶ କାହାକୁ ସ୍ୱର୍ଗକୁ ନେଲାଣି ନା ନେବ ? ନିହାତି ଗୁଡ଼ାଏ ବିଦ୍ୟା ବୁଦ୍ଧିହୀନ ବେକାର ଲୋକେ ଦେଶ ଦେଶ କହି ହୋ ହୋ ଧୋ ଧୋ କରନ୍ତି ସିନା । ...ବରଂ କୁହନ୍ତୁ–ଆପଣଙ୍କୁ ଶୁଭଲକ୍ଷ୍ମୀ ନା ବୈଜୟନ୍ତୀମାଳା–କାହାର ଆକ୍‌ଟିଂ ଭଲ ଲାଗେ ?’’

 

ମନେ ମନେ ରେଖା ହସିଲା–ଏଇ ତା’ହେଲେ ଆଧୁନିକ ଉଦୀୟମାନ ଯୁବକର ଚିନ୍ତାର ପରିସର !! ମୁହଁରେ କେତେ ବଡ଼ ବଡ଼ କଥା–ସାଗରପାରି, ପାଇକଯୁଦ୍ଧ, ବାଜି ରାଉତ, କୋଣାର୍କ ଅଥଚ ସେ ସମ୍ବନ୍ଧରେ ଥରେ ଗଭୀରଭାବେ ଆଲୋଚନା କରିବାକୁ ଧୈର୍ଯ୍ୟ ନାହିଁ । କାହିଁକି ଯେ ଏତେବଡ଼ ଐତିହାସିକ ଗରିମାମୟ ଓଡ଼ିଆ ଜାତିର ଏ ଦାରୁଣ ଅଧଃପତନ ହେଇଛି, ତା’ ଥରେ ମନପ୍ରାଣ ଦେଇ ଅନୁଧ୍ୟାନ କରିବାକୁ ଶକ୍ତି ନାହିଁ ଏ ଯୁଗର ଉଚ୍ଚଶିକ୍ଷିତ ତରୁଣ ପ୍ରାଣରେ । ....ଟିକିଏ ରହି ଗମ୍ଭୀର ହେଇ କହିଲା–‘‘ନାଁ, କ୍ଷମା କରିବେ, ମୁଁ ସେତେ ସିନେମା ପ୍ରିୟ ନୁହେଁ । ତା’ଛଡ଼ା ଏଇ ଧୂସର ମାଟିର ଭୋକିଲା ନଙ୍ଗଳା ବାସ୍ତବ ଛବି ଦେଖୁ ଦେଖୁ ତ ଦିନ ଯାଉଛି, ଧଳାପରଦାର ବିଳାସଭରା କଳ୍ପନା ଛବି ଦେଖିବାକୁ ବେଳ କାହିଁ ? ବୈଜୟନ୍ତୀମାଳାର ସଉଖାନିଆ ନାଚ ଅପେକ୍ଷା ରୟାଲ ସୀମାର ଦୁର୍ଭିକ୍ଷ ପୀଡ଼ିତ ଜନତାର ନଗ୍ନ, ନିରନ୍ନ, କରୁଣ ଚିତ୍ର ମୋତେ ବରଂ ବେଶୀ ଭଲ ଲାଗେ ।’’

 

‘‘ଓ, ଆପଣ ବଡ଼ ଦୁର୍ବଳ ତେବେ । ପରର ଟିକିଏ ଦୁଃଖ ଦେଖି ତରଳି ଯାଉଛନ୍ତି । କିନ୍ତୁ କୁହନ୍ତୁ ତ, ଏମିତି ଖାଲି ଦୁଃଖ କଲେ, ଚିନ୍ତାକଲେ ଏପରିକି ଘଣ୍ଟା ଘଣ୍ଟା ଧରି ଅସରା ଅସରା ଲୁହ ଢାଳିଲେ ବି ଆପଣ ସେମାନଙ୍କ ପାଇଁ କ’ଣ କରି ପାରିବେ ? ଆଜି ନୁହେଁ, ସବୁ ଯୁଗରେ, ସବୁ କାଳରେ, ସବୁ ଦେଶରେ ଧନୀ, ଦରିଦ୍ର ଦୁଇଟି ଶ୍ରେଣୀ ଥିଲେ, ଅଛନ୍ତି ଓ ଥିବେ ମଧ୍ୟ ।’’

 

‘‘କିନ୍ତୁ ତା’ ରହିବା ଉଚିତ କି ?’’

 

‘‘ତା’ତ ଆପଣ କହିପାରିବେ ନାହିଁ । ତା’ ଭଗବାନଙ୍କର ସୃଷ୍ଟି ।’’

 

‘‘ସତେ, ବଡ଼ ଅଦ୍ଭୁତ ଧାରଣା ତ ଆପଣଙ୍କର ଭଗବାନଙ୍କ ସମ୍ବନ୍ଧେ । ଭଗବାନ ବୋଲି ଜୀବଟିଏ ନଖାଇ ନପିଇ, ଟିକିଏ ହେଲେ ବୈକୁଣ୍ଠରେ ବିଶ୍ରାମ ନ ନେଇ ଖାଲି ଏଇ ପୃଥିବୀର ଦେଶ ଦେଶ ବୁଲି ଗରିବ ବଡ଼ଲୋକ ଗଢ଼ୁଛନ୍ତି–ନା ? ପୁଣି ମଣିଷ ଭିତରେ ଲୋଭ, ସ୍ୱାର୍ଥ, ହିଂସା, ଈର୍ଷା ପୂରି ରହିଲା ଭଳି ତାଙ୍କ ଭିତରେ ବି ଭେଦଭାବ, ପାତର ଅନ୍ତର ଅଛି–ତା’ ନହେଲେ ଦେଶର କୋଟି କୋଟି ଦୁଃଖୀ ରଙ୍କି ସାତଦିନର ପଚା ପଖାଳ ମୁଠାଏ ପାଉ ନଥିବା ସ୍ଥଳେ ଏଇ ମୁଷ୍ଟିମେୟ ଧନିକ କେତେଜଣ ଘିଅ, ଦୁଧ, ମାଂସ, ପଲାଉ ଖାଇ ଖାଇ ଶେଷକୁ ଅଜୀର୍ଣ୍ଣ ହେବାରୁ ଫ୍ରୁଟ୍‌ ସଲାଟ୍‌ ଖାଉ ନଥାନ୍ତେ ।’’

 

‘‘କିନ୍ତୁ ତଥାପି ତ ଆପଣ ଭଗବାନଙ୍କର ଅସ୍ତିତ୍ୱ ଅସ୍ୱୀକାର କରି ପାରିବେ ନାହିଁ ?’’

 

‘‘ତା’ ମୋର ଦୁର୍ବଳତା । ହେଲେ ପୃଥିବୀ ପୃଷ୍ଠରେ ଆଜି ଏଭଳି ଦେଶ ଅଛି, ଯୋଉମାନେ ଆଦୌ ବିଶ୍ୱାସ କରନ୍ତି ନାହିଁ ଭଗବାନଙ୍କୁ । ଅଥଚ ସେମାନଙ୍କ ଭିତରେ ଆମଭଳି ଏତେ ଅସାମ୍ୟ ନାହିଁ, ଅଶାନ୍ତି ନାହିଁ, ଦୁଃଖ ନାହିଁ, ଦୁର୍ଭିକ୍ଷ ନାହିଁ । ସେଠି ସମସ୍ତେ ଖାଇବାକୁ ପାଆନ୍ତି; ପିନ୍ଧିବାକୁ ପାଆନ୍ତି; ପିଲାମାନେ ମାଗଣାରେ ପାଠ ପଢ଼ିବାକୁ ପାଆନ୍ତି; ରୋଗ ବଇରାଗ ହେଲେ ସରକାର ତରଫରୁ ମାଗଣା ଔଷଧ ଦିଆଯାଏ । ଏପରିକି ବୃଦ୍ଧ, ଅକର୍ମଣ୍ୟ ହେଇଗଲେ, କି ସରକାରୀ ଚାକିରିଆ କି ବେସରକାରୀ ଜନସାଧାରଣ, ସମସ୍ତଙ୍କୁ ଯଥୋଚିତ ପେନ୍‌ସନ୍‌ ଦିଆଯାଏ ।’’

 

‘‘ଓ, ଆପଣ କମ୍ୟୁନିଜିମ୍‍ କଥା କହୁଛନ୍ତି ?’’

 

‘‘ତା’କୁ ଆପଣ କମ୍ୟୁନିଜିମ୍‌ କୁହନ୍ତୁ ବା ସୋସାଲିଜିମ୍‌ କୁହନ୍ତୁ ବା ବଲସେଭିଜିମ୍‌ କୁହନ୍ତୁ, କିନ୍ତୁ ସେହି ସମାଜରେ ଯେ ଶୋଷଣ ନାହିଁ, ପୀଡ଼ନ ନାହିଁ, ଅତ୍ୟାଚାର ନାହିଁ, ତା’ ଆପଣ ମୁକ୍ତକଣ୍ଠରେ ସ୍ୱୀକାର କରିବେ ନାହିଁ କି ?’’

 

‘‘ତା’ହେଲେ ବି ସତ୍ୟ ଅହିଂସାର ଭାରତ ଭୂଇଁରେ ସେ ରକ୍ତାକ୍ତ ବିପ୍ଳବ କେବେ ସୁନ୍ଦର ଦିଶିବନି । ବାପୁଜୀଙ୍କର ଏତେ ବର୍ଷର ସାଧନା କି ପ୍ରେମ ପରିବର୍ତ୍ତେ ଆମକୁ ଏହି ଘୃଣା ଶିଖେଇ ଦେଇଗଲା ?’’

 

‘‘ମୁଁ ତ କେବେ ବଡ଼ଲୋକଙ୍କୁ ଘୃଣା କରୁନି–ମୁଁ ଘୃଣା କରୁଛି ବଡ଼ଲୋକିକି । ଦଳେ ଖାଲି କିଛି କାମ ନକରି ନାନାଦି ଚଞ୍ଚକ କରି ପରର ରକ୍ତ ମାଉଁସ ଝୁଣି ଝୁଣି ପେଟ ଫୁଲାଉଥିବେ ଆଉ ଦଳେ ଖରା ବର୍ଷା, କୁହୁଡ଼ି କାକରରେ ବିଲମଝିରେ ବା କାରଖାନା ଭିତରେ ଖଟି ଖଟି ହେଉଥିବେ କୁରୁମ । ଅନ୍ନକାରୀ ଚାଷୀ ରହୁଥିବ ଉପବାସ ଆଉ କରମକୋଢ଼ୀ ମହାଜନର ହେଉଥିବ ଖିରି ପୁରି, ବାଣରୋଷଣୀ–ଏହା କିଏ ସହିବ ? କୋଉ ବିବେକୀ ଯୁବସମାଜ ଆଜି ଏହା ପସନ୍ଦ କରିବ-? .....ଆଉ ବିଳ୍ପବ ? ମୁଁ ତ କେବେ ରକ୍ତାକ୍ତ ବିଳ୍ପବ କଥା କହୁ ନାହିଁ । ପୂଜନୀୟ ବିନୋବାବାଭେଙ୍କ ପ୍ରତି ମୋର ପୂର୍ଣ୍ଣ ସମର୍ଥନ ଓ ଆନ୍ତରିକ ଭକ୍ତି ଅଛି । ଆମ ଦେଶ, କାଳ, ପାତ୍ରକୁ ଚାହିଁ ବିପ୍ଳବର ପନ୍ଥା ହୁଏତ ଭିନ୍ନ ହୋଇପାରେ । କିନ୍ତୁ ଏ ଉଚ୍ଚନୀଚ ସମାଜରେ ସମତା ଆଣିବା ପାଇଁ ବିଳ୍ପବ ଯେ ଦରକାର ଏବଂ ସେଥିପାଇଁ ଯେ ଦେଶର ତରୁଣ ତରୁଣୀଙ୍କ ଅସୀମ ତ୍ୟାଗ ଓ ଆତ୍ମବଳିର ସମ୍ମୁଖୀନ ହେବା ଆବଶ୍ୟକ, ତା’ ଆପଣ ଅସ୍ୱୀକାର କରିବେ କିପରି ?’’

 

ଉତ୍ତର ଦେବାକୁ ଜୟସୂର୍ଯ୍ୟ ମୁଖରେ ଭାଷା ନଥିଲା । ଇଚ୍ଛା ବି ନଥିଲା ଆଉ ଏ ନୀରସ ସମସ୍ୟା ଆଲୋଚନା କରି ସୁଖର ଅବସରଟିକୁ ଏମିତି ନଷ୍ଟ କରି ଦେବାକୁ । ଗରିବ ଚିରଦିନହିଁ ଗରିବ । ଆଲୋକ ଅନ୍ଧାରଭଳି, ଦିବସରାତ୍ରିଭଳି, ପୂର୍ଣ୍ଣିମା ଅମାବାସ୍ୟାଭଳି ବଡ଼ଲୋକ ଗରିବ ଚିରକାଳହିଁ ଅଛନ୍ତି ଓ ଥିବେ । ଗୋଟିକ ବିନେ ଅନ୍ୟଟିର ମହତ୍ତ୍ୱ ବିକଶିତ ହେବନି । ବଡ଼ଲୋକର ସୁଖସୁବିଧା ପାଇଁ ଗରିବର ଉପସ୍ଥିତି ଏକାନ୍ତ ବାଞ୍ଛନୀୟ । ତାଙ୍କୁ କାଢ଼ିଦେଲେ କିଏ କରିବ ସମାଜର ସେବା ? କିଏ କରିବ ଧୋବା, ଭଣ୍ଡାରୀ, ଗଉଡ଼, ମେହେନ୍ତର କାମ ? ବା କିଏ ହେବ ଧାନବିଲରେ ମୂଲିଆ, ଲୁଗାକଳର କୁଲି, କୋଇଲା ଖଣିରେ ମଜୁରିଆ ? ......ନା, ଗୁଡ଼ାଏ ରସିଆନ୍‍ ଲିଟରେଚର ପଢ଼ି ରେଖାଦେବୀଙ୍କ ମୁଣ୍ଡ ହୁଏତ ଖରାପ ହେଇଯାଇଛି । ଆଉ ସେ ବିଷୟରେ ଯୁକ୍ତି କରିବା ଠିକ୍‌ ନୁହେଁ । ନୀରବରେ ଜୟସୂର୍ଯ୍ୟ ଶୂନ୍ୟ ଆକାଶ ଆଡ଼େ ଚାହିଁ ରହିଲା ।

 

ଦଳେ ଯୁବକ–ବୋଧେ କଲେଜ ଛାତ୍ର ହେବେ । ଗୁଣୁ ଗୁଣୁ ଗୀତ ଗାଇ ଚାଲି ଯାଉଁ ଯାଉଁ ହଠାତ୍‌ ଆଖିପଡ଼ିଲା ୟା’ଙ୍କ ଉପରେ । କ୍ଷଣକପାଇଁ ଥମିଗଲେ । ପରସ୍ପରକୁ ଚୁମୁଟା ଚୁମୁଟି ହେଇ ମୁରୁକି ମୁରୁକି ହସି ଉଠିଲେ । ଥିରି ଥିରି ହେଇ ଆପଣା ଭିତରେ କହିହେଲେ–ପ୍ରେମିକ ଯୁଗଳ । କିଏ ବା କହିଲା–ଟ୍ରୁ ରୋମାନ୍‍ସ । ଆଉ କିଏ ବା କବି ଭାଷାରେ କହିଲା–‘‘ମାନ ତେଜଗୋ ଅଭିମାନୀନି ! ଶ୍ୟାମଘନ ବିରହ ବେଦନାରେ ଘାରିହେଇ ସରିଗଲେ ଯେ ।’’ ....ପୁଣି ଟିକିଏ ହସ–ପୁଣି ଟିକିଏ କଟାକ୍ଷ । ତା’ପରେ କିଏ କୁଆଡ଼େ ଆଗେଇଗଲେ ।

ଅବଶ୍ୟ ଭାଷା ତାମିଲ । ତେବେ ଇଙ୍ଗିତରୁ ସବୁକଥା ବୁଝି ହୁଏ । ଜୟସୂର୍ଯ୍ୟ ହସି ହସି କହିଲା–‘‘କିଛି ବୁଝିଲେ ?’’

 

‘‘ସବୁ....ଉପରେ ବିମଳ ଜ୍ୟୋତ୍ସ୍ନାଲୋକ; ତଳେ କାବେରୀର ଶାନ୍ତ, ସ୍ୱଚ୍ଛ କୁଳୁ କୁଳୁ ଝରଣା; ଚତୁର୍ଦ୍ଦିଗରେ ଫଗୁଣର ସୁରଭିସ୍ନିଗ୍‌ଧ ମନ୍ଦ ମଳୟ । ଆଉ ତା’ ଭିତରେ ନିର୍ଜନରେ ତରୁଣ ତରୁଣୀ–ନିରୋଳାରେ ଗୋପନକଥା–ଏଥିରେ ଯେକୌଣସି ଲୋକ ତ ସନ୍ଦେହ କରିବ । ତାଙ୍କର ଦୋଷ କ’ଣ ?

 

‘‘ସତେ ରେଖାଦେବୀ ! କେଡ଼େ ସୁନ୍ଦର ଏଇ ପୃଥିବୀ । କେଡ଼େ ସୁନ୍ଦର ଏଇ ପ୍ରଶାନ୍ତ ନୀଳ ଆକାଶ । ଆଉ ତା’ ଭିତରେ କେଡ଼େ କମନୀୟ ଏଇ ମୁକ୍ତ ବିହଗ ଦୁଇଟିର କଳଗୁଞ୍ଜନ । ହେଇ ଦେଖ, ଅନନ୍ତ ଆକାଶ କୋଳରେ ରୁପେଲି ଜ୍ୟୋତ୍ସ୍ନାର ସୁଏ ସୁଏ ଭାସି ଭାସି କେମିତି ଉଡ଼ି ଯାଉଛନ୍ତି ପକ୍ଷୀ ପକ୍ଷିଣୀ ଯୋଡ଼ିଏ । କେତେ ଶାନ୍ତି, କେତେ ଆନନ୍ଦ, କେତେ ପରିତୃପ୍ତ ।

 

ଜୟସୂର୍ଯ୍ୟ ରେଖାର କଅଁଳ ହାତଟିକି ନେଇ ଆପଣା ହାତ ଭିତରେ ଛନ୍ଦି ଧରିଲା । ....ଶିହରି ଉଠିଲା ରେଖାର ସର୍ବାଙ୍ଗ ଶରୀର । ସପନରୁ ଉଠିଲା ଭଳି ଚମକି ପଡ଼ିଲା ସେ ।

 

ତରୁଣ କିନ୍ତୁ ଏକାବେଳକେ ଆତ୍ମବିହ୍ୱଳ । ହୃଦୟର ପ୍ରତି ରକ୍ତକଣିକାରେ କି ଏଇ ଅସହନୀୟ କମ୍ପନ । ...କୋମଳ ଅଙ୍ଗୁଳିଗୁଡ଼ିକୁ ଧୀରେ ଧୀରେ ଆଉଁସି ଦେଉଁଦେଉଁ ଜୟସୂର୍ଯ୍ୟ କହିଲା–‘‘ଜାଣ ରେଖାଦେବୀ ! କୁଆଡ଼େ ଯାଉଛନ୍ତି ଏ ପକ୍ଷୀଯୁଗଳ ? ଯାଉଛନ୍ତି କେଉଁ ଏକ ଶ୍ୟାମଳ କୋମଳ ବନବିଥିର ଗହଳ କୁଞ୍ଜ ତଳେ ଲୀଳାୟିତ କୁଳାୟ ରଚନା କରିବାକୁ । ଅସୀମ ଆକାଶ କୋଳରେ ସବୁବେଳେ ଶାନ୍ତି ମିଳେନା ତ, ସେଥିପାଇଁ ଦରକାର ହୁଏ ଏକ ଅସୀମ ନୀଡ଼-।’’

 

‘‘ହଁ, ପଥଶ୍ରାନ୍ତ ଅପନୋଦନ ପାଇଁ ନୀଡ଼ ରଚନା କରିବା ଜୀବୀର ଧର୍ମ ।’’

 

‘‘ଖାଲି ପଥଶ୍ରାନ୍ତି ନୁହେଁ ରେଖା, ପ୍ରାଣର ପରିତୃପ୍ତି ପାଇଁ କୁଟୀରଟିଏ ସଭିଙ୍କର ଲୋଡ଼ା । ହେଇ ଦେଖ, କିପରି ସେଇ ପ୍ରଣୟୀଯୁଗଳ ଉଡ଼ି ଉଡ଼ି ଆସି ତରୁଶାଖାରେ ବସି ଦେହରେ ଦେହ ଛନ୍ଦି ହେଉଛନ୍ତି । କିପରି ରଖିଛନ୍ତି ଚଞ୍ଚୁ ଉପରେ ଚଞ୍ଚୁ । ....ରେଖା ! ଖାଲି ଏଇ ଦରଶନ କି ଆମର ସାର, ପରଶ କି କେବେ ମିଳିବ ନାହିଁ ? ଏତେ ନିକଟରେ ଥାଇଁ ବି ଆମେ ଏମିତି ଚିରଦିନ ଲକ୍ଷ ଯୋଜନର ଦୂରେ ରହିଥିବା ? ଏଇ ସୁବର୍ଣ୍ଣ ଚମ୍ପକ କଳିରେ କି ମଧୁପ ଦେବ ନାହିଁ ଥରେ ଚୁମ୍ବନ..... ? କରିବ ନାହିଁ ଥରେ ପ୍ରାଣଭରା ଆଲିଙ୍ଗନ..... ? ରେଖାର କୋମଳ ଅଙ୍ଗୁଳିଗୁଡ଼ିକ ତୋଳି ଜୟସୂର୍ଯ୍ୟ ବଡ଼ ଆବେଗରେ ଦେଲା ଏକ ଚୁମା.....

 

ବିଷଧର ସର୍ପଟାଏ ଦଂଶନ କଲା ଭଳି ଛାଟିପିଟି ହେଇ ଦଶହାତ ଦୂରକୁ ଘୁଞ୍ଚିଗଲା ରେଖା–‘‘ଛି, ଏ କ’ଣ କରୁଛନ୍ତି ? ଆପଣଙ୍କ ଭଳି ଉଚ୍ଚଶିକ୍ଷିତଙ୍କ ନିକଟରେ ଏ ଦୁର୍ବଳତା କେବେ ଶୋଭନୀୟ ନୁହେଁ ତ । ତରୁଣ ଆପଣ–ସ୍ୱପ୍ନରେ ବୁଡ଼ି ରହି ଉଚ୍ଚ, ଉଦାର, ମହତ୍‌ ଚିନ୍ତା କରନ୍ତୁ । ଏ ତୁଚ୍ଛ ତରୁଣୀ ମୋହରେ ଘାଣ୍ଟି ହେଇ ଜୀବନକୁ ପଙ୍ଗୁ କରି ଦିଅନ୍ତୁ ନାହିଁ । ପ୍ରେମ ସ୍ୱର୍ଗୀୟ–ଏ ହୀନ ପାଶବିକ କାମକୁ ପ୍ରେମ ବୋଲି ବୁଝନ୍ତୁ ନାହିଁ । ଏ କାମବିକାର ଯେତେ ପ୍ରେୟ ହେଲେହେଁ ତା’ଠାରୁ ଶ୍ରେୟଃ ବସ୍ତୁ ବହୁତ ରହିଛି ଦୁନିଆରେ । ସେଥିପାଇଁ ଆତ୍ମଶୁଦ୍ଧି ଦରକାର–SubIimation ଦରକାର ।’’

 

ଲଜ୍ଜାରେ ମସ୍ତକ ତୋଳି ପାରିଲା ନାହିଁ ଜୟସୂର୍ଯ୍ୟ । ରେଖା ମୁହଁକୁ ଥରେ ସଳଖି ଚାହିଁବାକୁ ତା’ର ନୈତିକ ଦମ୍ଭ ନଥିଲା ।

 

ସଞ୍ଜବେଳୁ ଏମାନଙ୍କୁ ଏକୁଟିଆ ବସେଇ ଦେଇ କୁଆଡ଼େ ଯାଇଁ ଘୂରି ଘୂରି ବୁଲୁଥିଲା ପୂର୍ଣ୍ଣିମା ।

 

ତା’ ଘର ଏଇ କାବେରୀ କୂଳରେ ଏକ ପଲ୍ଲୀ ଅଞ୍ଚଳରେ । ତା’ରି ଘରେ ଏ ଓଡ଼ିଆ ଓଡ଼ିଆଣୀ ଦି’ଜଣ ଅତିଥି । ରାତି ପ୍ରାୟ ସାଢ଼େ ନ’ଟା । କଳାମେଘ ଶାଢ଼ି ଖଣ୍ଡିଏ ପିନ୍ଧି ଫୁଟନ୍ତ ଗୋଲାପର ମହକ ଛୁଟେଇ ହସିହସି ଆସି ପହଞ୍ଚିଲା ପୂର୍ଣ୍ଣିମା । ସାଙ୍ଗରେ ଜଣେ ନୂଆବନ୍ଧୁ–ଗୌରବପୁ ସୁଢଳ, ସୁଠାମ ତରୁଣ । ପୂର୍ଣ୍ଣିମା ପରିଚୟ କରେଇ ଦେଲା–‘‘ଏ ମୋର କ୍ଲାସମେଟ୍‌–କୁମାରୀ ରେଖା ପଟ୍ଟନାୟକ । ମାଡ଼୍ରାସ ପ୍ରେସିଡେନ୍‌ସି କଲେଜରେ ବି.ଏ. ପଢ଼ନ୍ତି ଆଉ ଏ ତାଙ୍କର ବନ୍ଧୁ ଶ୍ରୀଯୁକ୍ତ ଜୟସୂର୍ଯ୍ୟ ପଟ୍ଟନାୟକ–ଉତ୍କଳ ଇଉନିଭରସିଟିରୁ ବି.ଏସ୍‍.ସି. ପାସ୍‍କରି ବାଙ୍ଗାଲୋରରେ ଇଲେକ୍‌ଟ୍ରିକାଲ ଇଞ୍ଜିନିୟରିଂ ପଢ଼ୁଛନ୍ତି । ମୋର ବହୁ ଅନୁରୋଧରେ ଆସିଛନ୍ତି କାବେରୀ କୁଳକୁ ବୁଲି ।’’

 

ତରୁଣଟି ଉଭୟଙ୍କୁ ପ୍ରଣାମ କଲା । ପୂର୍ଣ୍ଣିମା ଅନ୍ୟ କଥା ଆରମ୍ଭ କରୁଥିଲା । ରେଖା କହିଲା–‘‘ତୁ କେଡ଼େ ଅଭଦ୍ର ଲୋ । ପରିଚୟଟା ଗୋଟାଏ ପାଖର କରିଦେଇ ଚୁପ୍‌ ରହିଲୁ ।

 

‘‘ଓ ଆଇ ଆମ୍‌ ସରି–ମୁଁ ବଡ଼ ଦୁଃଖିତ । ଏ ମୋର ବନ୍ଧୁ ଶ୍ରୀ ଏ.ଭି ନାଗାରାଜନ୍‌–ଜେମିନି ଷ୍ଟୁଡ଼ିଓର ଜଣେ ସୁନାମଧନ୍ୟ ଶିଳ୍ପୀ ।’’

 

ରେଖା, ଜୟସୂର୍ଯ୍ୟ ହାତ ତୋଳି ନାଗାରାଜନ୍‌କୁ ପ୍ରଣାମ କଲେ । ଆଉ ବସିବାକୁ ବେଳ ନ ଥିଲା । ସମସ୍ତେ ଉଠି ଧୀରେ ଧୀରେ ଚାଲିଲେ ଘରଆଡ଼େ ।

 

ବାଟରେ–ପୂର୍ଣ୍ଣିମାକୁ ଟିକିଏ ପଛକୁ ଟାଣି ଆଣି ରେଖା ତା’ କାନରେ ଚୁପ୍‌ ଚୁପ୍‌ କହିଲା–‘‘ଏଇ କିଲୋ ?’’ ଲାଜରେ ପାଟଳ ପଡ଼ିଗଲା ପୂର୍ଣ୍ଣିମାର ଗୋଲାପ ମୁହଁଟି । ଛଳକୋପ କରି କହିଲା–ଭାକ୍‌....

 

ଟିକିଏ ଆଗେଇ ଯାଇଥିଲେ ନାଗାରାଜନ୍‌ । ପଚାରିଲେ–‘‘ଆପଣଙ୍କ ରୁପଭାରତୀ କେମିତି ଚାଲିଛି ରେଖାଦେବୀ ?’’

 

ବଡ଼ ଅକଳିଆ ପ୍ରଶ୍ନ । ବାହାରେ ଯାଇଁ ଭିତରର ଦୁର୍ବଳତା ପ୍ରକାଶ କରିବା ତ ଉଚିତ ନୁହେଁ । ତେବେ ସତ ନକହି ଘୋଡ଼େଇ ରଖିବା ପାଇଁ କ’ଣ ବା ଯୁକ୍ତି ଅଛି ? ରେଖା କହିଲା–‘‘କୁହନ୍ତୁ ନାହିଁ ଆଜ୍ଞା–ସେ ଗୋଟାଏ ଆମର ବଡ଼ ରୋଗ । କୌଣସି ଯୌଥ କମ୍ପାନୀ ଆମ ଭିତରେ ଏପର୍ଯ୍ୟନ୍ତ କୃତକାର୍ଯ୍ୟ ହେଲାନି ।’’

 

‘‘କାହିଁକି ? –ଅସାଧୁତା ?’’

 

‘‘ଠିକ୍‌ ଅସାଧୁତା ନୁହେଁ–ସୁପରିଚାଳନାର ଅଭାବ, ଭବିଷ୍ୟତର ପରିଣାମକୁ ନଚାହିଁ ଦାୟିତ୍ୱହୀନ ଭାବରେ ଆମ ଲୋକେ କର୍ମପନ୍ଥା ଲମ୍ବେଇ ଯାଆନ୍ତି । ଫଳରେ ହୁଏ କ୍ଷତି, ତା’ପରେ ସବୁ ମାରେ ଚିତ୍‌ପଟାଙ୍ଗ୍‌ ।’’

 

‘‘ଆପଣମାନେ କେହି ଏଥିରେ....’’

 

‘‘ନାଁ କ୍ଷମା କରିବେ । ମୋର ଅନ୍ତତଃ ସେ ଆଡ଼କୁ ସ୍ପୃହା ନାହିଁ ।’’

 

‘‘ଆପଣ ?’’ –ନାଗାରାଜନ୍‌ ଜୟସୂର୍ଯ୍ୟ ଆଡ଼େ ଚାହିଁଲା ।

 

‘‘ଇଚ୍ଛାଥିଲେ ବି ମୁଁ ଭିନ୍ନ ଲାଇନ୍‌ ବାଛି ନେଇ ସାରିଲିଣି । ମୋର ବାପା ଜଣେ ବଡ଼ ଇଞ୍ଜିନିୟର କି ନା, ତାଙ୍କର ଇଚ୍ଛା ମୁଁ ଏଠୁ ପଢ଼ିସାରି ଗ୍ଲାସଗୋ ଯିବି ହାଇଅର ଇଞ୍ଜିନିୟରଂ ପଢ଼ିବାକୁ’’

 

‘‘ତୁ କ’ଣ କରିବୁ ଲୋ ରେଖା ?’’ ହସି ହସି ପୂର୍ଣ୍ଣିମା ପଚାରିଲା ।

 

‘‘କେମିତି କହିବି ? ମିସନ୍‌ର ଯାହା ଇଚ୍ଛା । ସେମାନେ କହନ୍ତି ଆମେରିକା ଯାଇଁ କୌଣସି ଏକ ମାଟରନିଟି ଓ୍ୟାର୍ଡ଼ରେ ଆଜୀବନ କାମ କରିବାକୁ । ମୁଁ କିନ୍ତୁ ଅନୁରୋଧ କରିଛି ମୋତେ ଏଇ ଭାରତ ଭୂଇଁରେ ଏବଂ ସମ୍ଭବ ହେଲେ ମୋର ଜନ୍ମଭୂମି ଓଡ଼ିଶା ପ୍ରଦେଶରେ କାମ କରିବାକୁ ସୁଯୋଗ ଦେବାକୁ । ତେଣିକି ଯାହା ଯୋଗଥିବ ।’’

 

ବଡ଼ ଆଶ୍ଚର୍ଯ୍ୟ ହେଇ ଜୟସୂର୍ଯ୍ୟ ପଚାରିଲା–‘‘କାହିଁକି, ଆପଣଙ୍କ ବାପା ?’’

 

ଚାଉଁକିନା ଚମକି ପଡ଼ିଲା ରେଖା ଚୋରଙ୍କ ଭଳି ବଡ଼ କନ କନ, ଥଙ୍ଗଥଙ୍ଗ ହେଇ କହିଲା–‘‘ନା, ନା ମୋର ବାପା.....ମୋର ବାପା......’’

 

‘‘କ’ଣ ନାହାଁନ୍ତି ?’’

 

‘‘ନା, ନା, ଅଛନ୍ତି । ତେବେ.....ତେବେ ସେ ମୋତେ ପଚାରନ୍ତି ନାହିଁ ।

 

‘‘କ’ଣ ଏକାବେଳେକେ ପରିତ୍ୟାଗ କରିଛନ୍ତି ?’’

 

‘‘ହଁ, ହଁ, ସେହିପରି ........ ସେହିପରି .......ମୁଁ ପରିତ୍ୟକ୍ତା ।’’

 

ଘର ପାଖେଇ ଆସିଥିଲା,

 

ଆଠ

 

ଇସ୍‌ମାଇଲ୍‌ ଚଚ୍ଚା ଆଉ ମଣିଷ ହେଇ ନାହାଁନ୍ତି, ଗୋଟିପଣେ ପାଲଟିଗଲେଣି ପଥର । ଖାଲି ଆଖି ଦୋ’ଟିରେ ଜୁଳୁ ଜୁଳୁ କରି ଚାହିଁଛନ୍ତି ଯାହା, ତୁଣ୍ଡ ଖୋଲି କଥା ପଦେ କହିବାର ଶକ୍ତିନାହିଁ । ମରଣ ଶେଯରେ ଶୋଇ ମଣିଷ ଶେଷ ଲୋତକ କେଇବିନ୍ଦୁ ଢାଳି ଦେଲାଭଳି ବିଛଣାରେ ପଡ଼ି ପଡ଼ି ବେଳେବେଳେ ତତଲା ଲୁହ ନିଗାଡ଼ୁଛନ୍ତି ଆଉ କେତେବେଳେ ବା ହୋସେନ୍‌, ନଜିମ୍‌ ବୋଲି ବିଳିବିଳେଇ ଉଠି ଅତି ବିକଳ ଭାବରେ ଦରାଣ୍ଡି ପକାଉଛନ୍ତି ଭୂଇଁ ଅରାକ । ତା’ପରେ ବେଚେତ୍‌–ମଲାଗଲା ହେଇ ପଡ଼ି ରହୁଛନ୍ତି ଘଣ୍ଟାଘଣ୍ଟା କାଳ । କେତେ ପାଣି ଛାଟିଛାଟି, କାନ ଫୁଙ୍କିଫୁଙ୍କି ବହୁ କଷ୍ଟରେ ଚେତା ଆସୁଛି । ପୁଣି ଦିବାକରକୁ କୁଣ୍ଢେଇ ପକେଇ ‘‘ମେରା ବଚ୍ଚା’’ କହି ଭୋ ଭୋ କାନ୍ଦି ଉଠୁଛନ୍ତି ।

 

ସମସ୍ତେ କହିଲେ ପାଗଳ ହେଇଯିବେ । କେହି କେହି ବି ସନ୍ଦେହ କଲେ–ଆଉ ନୁହେଁ । ପିଲାମାନଙ୍କୁ ଝୁରିଝୁରି ବୁଢ଼ା ଏଇଥର ଶେଷ । ସେଇଆ ବି ହେଇଥାନ୍ତା । ଉସୁନା ଧାନରେ ଗଜା ହେବ ବୋଲି ଆଉ କାହାର ବା ଆଶା ଥିଲା ? ହେଲେ, ଏକା ସେହି ଦିବାକର ଯୋଗୁ–ଦିବାକରର ଜୀବନମୁରୁଛା ସେବା ଶୁଶ୍ରୂଷା, ଆଦର, ଯତ୍ନ ଯୋଗୁ ବୁଢ଼ା ପୁଣି ମଶାଣି ମୁହଁରୁ ଲେଉଟିଲା–ଥୁଣ୍ଟା ଗଛରେ ପୁଣି କଅଁଳିଲା ନୂଆ ପତର । ଦିନ ନାହିଁ ରାତି ନାହିଁ, ଖିଆନାହିଁ ପିଆନାହିଁ, ସଦାସର୍ବଦା ବିଛଣାରେ ବସିବସି ଅବିଶ୍ରାନ୍ତ ଭାବରେ ଦିବାକର କଲା ବୁଢ଼ାଙ୍କ ସେବା । ଦି’ଓଳି ଆପଣା ହାତରେ ଖୋଇଦିଏ; ଦେହମୁଣ୍ଡ ଆଉଁସି ଦିଏ; ଘଣ୍ଟାଘଣ୍ଟା ଧରି ଗୋଡ଼ରେ ତେଲ ମାଲିସ କରି ଚିପେ; ଏପରିକି ବିଛଣାରେ ତ୍ୟାଗ କରିଥିବା ମଳମୂତ୍ର ପର୍ଯ୍ୟନ୍ତ ଆପଣା ହାତରେ ନିର୍ବିକାର ଚିତ୍ତରେ ନିତି ଧୋଇ ସଫାକରେ । ତା’ଛଡ଼ା ରାତି ଅନିଦ୍ରା ହେଇ ଠିକ୍‌ ସମୟରେ ଔଷଧ ଦେବା, ଓଳିଓଳି ଧରି ବୁଢ଼ାଙ୍କୁ ବୁଝେଇବା, ରାତିରେ ପୁଅକଥା ଭାଳି ବିଳିବିଳେଇ ଉଠିଲେ ପାଖରେ ରହି ସାନ୍ତ୍ୱନା ଦେବା, କଅଁଳ କଥା କହିବା–କୋଉଥିରେ ଦିବାକର ମୁହୂର୍ତ୍ତକ ପାଇଁ ବି ହେଳା କରେନା ।

 

କଲିକତା ସହରରେ ରୋଗୀଟିଏ ପଡ଼ିଲେ ଯେ କେତେ ଖର୍ଚ୍ଚ ତା’ ଅନୁଭବୀ ଛଡ଼ା ଆଉ କିଏ ଜାଣିବ ? ରୋଗୀପାଇଁ ଔଷଧ ଇଞ୍ଜେକ୍‌ସନ୍‍, ଡାକ୍ତର ଭିଜିଟ୍‌, ଦି’ବେଳା କମଳା, ଅଙ୍ଗୁର, ନାସପାତି ଓ ବାର୍ଲି, ଦୁଧ, ବିସ୍କୁଟ୍‌ ଆଦି ତ ଦରକାର, ତା’ଛଡ଼ା ଏ ଦି’ ଭାଇଙ୍କର ଖାଇବାଖର୍ଚ୍ଚ, ବସାଭଡ଼ା ଆଦି ଅଛି । ଏପରି ଅବସ୍ଥାରେ ଟଙ୍କା କାହୁଁ ଆସିବ ? ଚଚ୍ଚାଙ୍କ ସମ୍ପତ୍ତିରେ ସିନା ସମସ୍ତେ ରାଜକୁମାର ଭଳି ଚଳି ଯାଉଥିଲେ, ଏବେ ତେଣେ ତ ଏକାବେଳକେ କଳାକନା ବୁଲିଗଲା, ଏମାନେ ଚଳିବେ କେମିତି ? ପ୍ରଥମେ ପ୍ରଥମେ ସେହି ଚଚ୍ଚା ଦେଇଥିବା ଦିବାକରର ଫାଉଣ୍ଟେନ୍‌, ରିଷ୍ଟଓ୍ୟାଚ୍‌, ସୁନାମୁଦି, ସିଲ୍‌କ ପଞ୍ଜାବି ଏପରିକି କେତେଯୋଡ଼ା ଦାମୀ ଗରମ ସୁଟ୍‌ ବିକ୍ରି କରାଗଲା-। କିନ୍ତୁ ସେଥିରେ କି କର୍ମ ପୂରେ ? ଅଭାବ ଦିନକୁ ଦିନ ଆଁ କରି ମାଡ଼ି ଆସିଲା । ଶେଷକୁ ବଡ଼ଭାଇ ଦିଗମ୍ବର ଯାଇଁ ମାଢ଼ୁଆଳୀ ଗୋଦାମରେ ଠିକା କାମ କଲା । ଦିନଯାକ ବଡ଼ ବଡ଼ ଲୁଗାଗାଣ୍ଠି, ଗୁଆବସ୍ତା, ଚିନିବସ୍ତା ବୁହେ । ମୋଟ ବୋହି ବୋହି ପିଠି ଛିଣ୍ଡିଯାଏ । ପାଟିରୁ ବଚ ବାହାରି ପଡ଼େ । ସଞ୍ଜବେଳକୁ ଦି’ଟଙ୍କା, ନ’ସୁକା ଧରି ଫେରେ ବସାକୁ । ଫଳ କିଣା ହୁଏ । ଡାକ୍ତର ଫିସ୍‌ ଦିଆ ହୁଏ ।

 

ଚଚ୍ଚା ସବୁ ବୁଝନ୍ତି, ସବୁ ଦେଖନ୍ତି । ଧାରଧାର ଲୁହ ଗଡ଼ିଆସେ କୋରଡ଼ ଆଖିପତା ତଳୁ-। ଦିବାକରକୁ କୁଣ୍ଢେଇ ଧରି ଭୋ ଭୋ ଡକାପାରି କହନ୍ତି–‘‘ମୋର ପୁଅ ମରି ନାହିଁରେ, ତୁମ୍ଭେମାନେ ମୋର ପୁଅ । ହୋସେନ୍‌, ନଜିମ୍‍ ମରି ନୂଆ ରୂପ ପାଇଛନ୍ତି ତୁମରି ଭିତରେ-। ଘନଭାଇ ନିଜେ ନିଜେ ପେଜ ପିଇ ମୋତେ ଭାତ ଖୋଇଥିଲା । କିନ୍ତୁ ତୁମେ ତା’ଠଉଁ ବି ବଳିଗଲ-। ତମେ ମୋରିପାଇଁ ମୋଟ ବୋହିଲ, ମୋରି ମଳମୂତ୍ର ସଫାକଲ । ତମେ ମଣିଷ ନୁହଁରେ, ଦେବତାଙ୍କ ଅଂଶ ।’’ କାନ୍ଦିକାନ୍ଦି ବୁଢ଼ା ବେଚେତ୍‌ ହେଇ ପଡ଼ନ୍ତି ।

 

ପୂରା ଦି’ମାସରେ ଚଚ୍ଚା ଟିକିଏ ସାଷ୍ଟମ ହେଲେ । ଆପଣା ଛାଏଁ ଉଠି ଏଠୁ ସେଠିକି ଟିକିଏ ଚଲାବୁଲା କରିପାରିଲେ ।

 

ଦିନେ ଭାଇଯୋଡ଼ିଙ୍କୁ ଡାକି ଚଚ୍ଚା କହିଲେ–‘‘ବାବା ! ବହୁତ କଲ । ତମ ବାପାଙ୍କ ଋଣ ତ ମୁଁ ସୁଝିନାହିଁ–ତମ ଋଣ ବା କ’ଣ ସୁଝିବି ? ତେବେ ଆଉ ମୋ’ପାଇଁ ତମେ ଘାଣ୍ଟି ହୁଅନି । ଏଣିକି ତମେ ତମ ଦୁଃଖରେ ଯାଅ । ବାଡ଼ି ଖଣ୍ଡିଏ ଧରି ମୁଁ ଆସ୍ତେଆସ୍ତେ ଚାଲିଯିବି ଦୁନିଆ ମଝିକି । ଭିକ ଦୁଃଖ ମାଗି ଏତେ ଲୋକ ଚଳୁଛନ୍ତି, ଗୋଟାଏ ପେଟ କ’ଣ ମୋର ଅପୋଷା ରହିଯିବ । ତେଣିକି ଯେତେବେଳେ ଆସିବ ଡାକରା, ଆଖି ବୁଜିଦେବି–ଏଇ କଳିକତାର କୋଉ ଫୁଟ୍‌ପାଥରେ ଢଳି ପଡ଼ିବ ଏଇ ହାଡ଼ କେଇଖଣ୍ଡ । ଦୁଃଖ କ’ଣ ? ମୋତେ ଛାଡ଼ ବାବା ! ମୁଁ ଯାଏ–’’

 

ଗୋଡ଼ ପାଖରେ ଆସି ଢୁ’କିନା ମୁଣ୍ଡ ପିଟି ଦେଲା ଦିବାକର–‘‘ସେମିତି କଥା କୁହ ନାହିଁ ଚଚ୍ଚା, ଆମେ ଦି’ଭାଇ ମରିହଜି ମାଟିରେ ମିଳେଇଗଲେ ତେଣିକି ପଛକେ ତମେ ଦାଣ୍ଡକୁ ଯିବ । କିନ୍ତୁ ତା’ ଆଗରୁ ନୁହେଁ । ଆମେ ବଞ୍ଚିଥିବା ଯାଏ ତମ ଗୋଡ଼ରେ ଧୂଳି ଟିକିଏ ମଡ଼ାଇ ଦେବୁ ନାହିଁ-। ...ଚଚ୍ଚା ! ଆମେ କ’ଣ ତମ ପୁଅ ନୋହୁଁ ? ଆମେ କ’ଣ ତମ ପଦସେବା କରିବାକୁ ଯୋଗ୍ୟ ନୋହୁଁ ?’’

 

ବୁଢ଼ାଙ୍କ ଆଖି ଛଳ ଛଳ ହେଇ ଆସିଲା । ବାଡ଼ିଖଣ୍ଡିକ ହାତରୁ ଖସିପଡ଼ିଲା ଛାଏଁ ଛାଏଁ ।

 

ଦିବାକର ପଢ଼ା ସେଇଠି ରହିଲା । ବି.ଏ. ପାସ୍‍ ହେଇ ପାରିଲା ନାହିଁ । ଭାଇ ଖାଲି ନାଁକୁ ମାତ୍ର ଥିଲେ ସିନା, ପଢ଼ଉଥିଲେ କିନ୍ତୁ ପ୍ରକୃତରେ ଚଚ୍ଚା । କଲେଜ ଦରମା, ବହିପତ୍ର, ଲୁଗାପଟା–ଯାବତୀୟ ଖରଚ ଅକୁଣ୍ଠିତ ଚିତ୍ତରେ ଯୋଗାଉଥିଲେ ସେ । କିନ୍ତୁ ସେ ତ ଗଲେ–ଥାଇଁ ବି ସେ ଆଜି ନଥେଲା ଭଳି । ରାଜେନ୍ଦ୍ରାସନରୁ ଆସି ସେ ଆଜି ଦାଣ୍ଡର ଫକୀର । ଆଉ କିଏ ପଢ଼େଇବ ? କା’ର ଏମିତି ହାତୀପେଟ ହେବ ପରପିଲାକୁ ସାହାଯ୍ୟ ଦେବାକୁ ?

 

ତଥାପି ଭାଇ କହୁଥିଲେ–‘‘ଦିବୁ ! ଯାହା ତ ହବାର ହେଉଛି । ମୁଁ ଆଉ କିଛିଦିନ ଦୁଃଖକଷ୍ଟ କରି ମୂଲପାତି ଆଣି ଦଉଛି । କେନ୍ଦ୍ରାପଡ଼ା ପାଖରେ ତିଦୋସ୍ତା ସନ ଯୋଉ ଜମି ମାଣକ ଚଚ୍ଚା ତୋ’ ନାଁରେ କିଣି ଦେଇଛନ୍ତି, ସେତକ ପଛକେ ବିକ୍ରି କରିଦେବା, ତୁ ଆଉ ବରଷେ ପଢ଼ । ପାସ୍‍ଟା ଅନ୍ତତଃ ହେଇଯାଉ ।

 

ଦିବୁ କହିଲା–‘‘ଭାଇ ! ବହୁତ ହେଲାଣି । ବହୁତ ମୂଲ ଲାଗିଲଣି ମୋ’ପାଇଁ । ଆଉ ନୁହେଁ, ଆଉ ନୁହେଁ । ମୁଁ ପଚିଶ ବରଷର ଭେଣ୍ଡା ହେଇ ଯିବି ସୁଟ୍‌ପିନ୍ଧି କଲେଜକୁ, ଆଉ ତମେ ଚାଳିଶ ବରଷର ଦରବୁଢ଼ା ହେଇ ଯିବ ଗଙ୍ଗା ଜେଟିରେ ମୋଟ ବୋହିବାକୁ–ଫୁଟ୍‌ପାଥ୍‌ରୁ ଘୋଡ଼ା ଘୁଅ ସଫା କରିବାକୁ । ୟା’ କେବେ ମୁଁ ଆଉ ସହି ପାରିବି ନାହିଁ ଭାଇ । ଆଖି ଥାଉଁ ଥାଉଁ ଆଉ କେବେ ୟା’ ତମକୁ ମୁଁ କରେଇ ଦେବିନି । ......ଅନେକ କରିଛ ମୋ’ପାଇଁ । ମୁଁ ସାବତ ମା’ର ପୁଅ ହେଇ ତମେ ମୋ’ପାଇଁ ଯାହା କରିଛ, ତା’ ଆଜିକାଲି ଜନମ କଲା ବାପ ବି କରୁନାହିଁ, ଭାଇକଥା କିଏ ପଚାରେ ? ଘରେ ନୂଆ’ଉ’ ଅଛି । ତାଙ୍କର ବି ଯୋଡ଼ିଏ ପିଲା ରାମ, ଗୋବିନ୍ଦ ଅଛନ୍ତି । ତାଙ୍କୁ ମଣିଷ କରିବାକୁ ହେବ । ତା’ଛଡ଼ା ଆମର ଜନ୍ମଦାତା ପିତାଙ୍କଠଉଁ ଯିଏ ବଳନ୍ତି, ସେହି ଜୀବନଦାତା, ଅନ୍ନଦାତା ଚଚ୍ଚାଙ୍କର ହେପାଜତ ନେବାକୁ ହେବ । ଏପରି ଅବସ୍ଥାରେ ମୁଁ ଆଉ ପଢ଼ିବି କ’ଣ ଭାଇ ? କଲେଜର ଫୁଲାଫାଙ୍କିଆ ଜୀବନ ଛାଡ଼ି ପେଟ ପୋଷିବା ପାଇଁ ମୁଁ ଏଣିକି କୌଣସି ପନ୍ଥାର ଆଶ୍ରୟ ନିଏ । ଖାଲି ପାସ୍‍ଟାଏ ନହେଲେ ଯେ ଜୀବନ ଏକାବେଳକେ ମାଟି ହେଇଗଲା, ୟା’ ନୁହେଁ ତ !’’

 

ସେଇଆହିଁ ହେଲା–ଦିବାକର ପୋଥିରେ ସେଇଠି ବନ୍ଧା ହେଲା ଡୋର ।

 

ଚଚ୍ଚା କହିଲେ–‘‘ବାବା ! ଏଡ଼େ ବକଟେ ଛୁଆ ତୁ । ଆଜିଠଉଁ ଯାଇଁ କି ଚାକିରି କରିବୁରେ-? ଭାତ ଖାଇ ତୋତେ ହାତ ଧୋଇ ଆସେ ନାହିଁ । ଏବେ ବି ତୋତେ ଖାତୁନ୍ନିସା କେତେଥର କୋରରେ ବସେଇ ଖୋଇ ଦେଇଛନ୍ତି । ଅଥଚ ତୁ ଆଜି ଯାଇଁ ପରଦୁଆରେ ମୁଣ୍ଡ ବିକି ଚାକିରି କରିବୁ–ୟା’ ଦେଖିବା ଆଗରୁ ମୁଁ ନ ମଲି କାହିଁକି ? ସମସ୍ତେ ମଲେ–ଏ ବୁଢ଼ାଟା ଏକା ପଡ଼ିରହିଲା ଏଇ ହୀନି ଅବସ୍ଥା ଦେଖିବାକୁ ।’

 

ଚଚ୍ଚାଙ୍କ ଆଖିରୁ ଝର ଝର ହେଇ ଝରି ଆସିଲା ଲୁହ ।

 

ବହୁତ ବୁଝାବୁଝି କରି ଶେଷରେ ଦିବାକର ଗଲା କୌଣସି ଏକ ଚଟକଳକୁ କାମକରି, ଯୋଉଠିକି ଯାଇଥିଲା ତା’ ବାପା, ଯୋଉଠିକି ଯାଇଥିଲା ତା’ ଭାଇ, ଯୋଉଠିକି ଯାଆନ୍ତି ତା’ ଜନମମାଟି ତଳଘଟିର ଶହ ଶହ, ହଜାର ହଜାର ଲୋକ । ଖାଲି ତଫାତ୍‌ ଏତିକି–ସେମାନେ ଯାଆନ୍ତି କୁଲି କାବାଡ଼ି ହେଇ, ଦିବାକର ଗଲା ଟିକିଏ ଉପର ପାହିଆରେ–ମେକାନିକ୍‍ ହେଇ । ଚେଷ୍ଟା କରିଥିଲେ ଯେ ସେ କୌଣସି ସରକାରୀ ବା ବଣିକ ଅଫିସରେ କିରାଣି କାମପାଇ ନଥାନ୍ତା, ଏପରି ନୁହେଁ । କିନ୍ତୁ କିରାଣି କାମକୁ ବଡ଼ ଘୃଣା କରେ ଦିବାକର । ଅଳସୁଆ ଗଧଙ୍କ ଭଳି ଖାଲି ଦିନରାତି ବସି ବସି ହାକିମଙ୍କ ହୁକୁମ ତାମିଲ କରିବାକୁ ହେବ । ପ୍ରାଣଛଡ଼ା ଖଟେଣି ଅଥଚ ଚାକିରି କରି କରି ବୁଢ଼ା ହେଇ ଶେଷରେ ମରି ଘାସ ହେଲେବି କେହି ଦିନେ ପଚାରିବେ ନାହିଁ । କିରାଣିଙ୍କ ରକ୍ତରେ ହାକିମଙ୍କ ନାଁ ହାଲୋଳ ହେବ, ଅଥଚ ମୂଳଦୁଆ ଇଟାଭଳି ସେମାନେ ସମସ୍ତେ ରହିଯିବେ ମାଟିତଳେ । ଖାଲି ଜୀବନକୁ ପଳେ ପଳେ ହତ୍ୟା କରିବା ଛଡ଼ା ଜୀବନର ବିକାଶ ପାଇଁ ତିଳେ ମାତ୍ର କ୍ଷେତ୍ର ନାହିଁ କିରାଣି-କାମରେ । ଦିବାକର ସେଇଥିପାଇଁ ଜାଣି ଜାଣି ବାଛିଲା ଏ ମେକାନିକ୍‌ ଜୀବନ । ପହିଲେ ପହିଲେ ହୁଏତ ଟିକିଏ କଷ୍ଟ ହେଇପାରେ, ହେଲେ ଭବିଷ୍ୟତରେ ଶାନ୍ତି ଅଛି । ନିଜ ସ୍ୱାଧୀନ ମତର କିଛି ମୂଲ୍ୟଅଛି ସେଠାରେ ।

 

ଚଟକଳରେ ତିରିଶଟି ଟଙ୍କାରେ ଦିବାକର ପ୍ରଥମେ ଆପ୍ରେଣ୍ଟିସରେ ଭରତି ହେଲା ।

 

ନଅ

 

ପଉଷ ରାତିର କଲିଜା ଚିରା ପାହାନ୍ତି ପହରରେ ବାଜି ଉଠିଲା ଫୁଙ୍କା । ଶ୍ରମିକ ବସ୍ତିରେ ଲାଗିଗଲା ଗହଳ ଚହଳ–ଦାନ୍ତଘସା, ଝାଡ଼ାଝପଟ, ଚାହାପାଣି । ଶୀତରେ ଦେହହାତ କୋଲ ମାରି ନେଉଛି । ଦାନ୍ତରେ ଦାନ୍ତ ବାଜୁଛି ଠକ୍‌ ଠକ୍‌ ହେଇ । ହେଲେ ଘୋଡ଼ିହୋଇ ଶୋଇବାକୁ ଆଉ ବେଳ କାହିଁ ? ନିଶ୍ୱାସ ମାରିବାକୁ ତ ତର ନାହିଁ ସେତେବେଳେ.....ସଭିଙ୍କ ସାଥିରେ ଦିବାକର ଉଠିଲା ।

 

ସିନ୍ଦୂରା ଫାଟି ଆସୁଛି । ତାରା ଗୋଟି ଗୋଟି ହେଇ ମଉଳି ଯାଉଛନ୍ତି । ପୂରୁବ ଆକାଶରେ କୋଉ ଅଦେଖା କାରିଗର ଆସି ତୁଳୀମୁନରେ ଆଙ୍କିଦେଇ ଯାଉଛି କେତେ ଜାତିକା ନୂଆ ନୂଆ ଛବି । ମୁଠା ମୁଠା ଅବିର ଗୁଣ୍ଡ କି କିଏ ଛାଟିଦେଉଛି ନୀଳମେଘୀ ଶାଢ଼ିଟି ଉପରେ । ଚଢ଼େଇ ଗାଇ ନାହିଁ । ନଈଟି ବହି ଯାଉଛି କାହିଁ କେଉଁ ଅନାଦି ଆଦିମ ଯୁଗର କଳକଳ ଛଳଛଳ ତାନରେ ।

 

ଦିବାକର ଉଠିଲା । ମନରେ କି ପବିତ୍ର, ଉଦାର ଭାବ; ପ୍ରାଣରେ କି ଅପୂର୍ବ ଶୀତଳତା । ଦୁଃଖ ନାହିଁ, ଗ୍ଳାନି ନାହିଁ, ଜଞ୍ଜାଳ ନାହିଁ, ପିପାସା ନାହିଁ । ସମାଧିସ୍ଥ ଯୋଗୀଙ୍କ ଭଳି ନୀରବ, ନିଥର, ଶାନ୍ତ । ଦିବାକର କିଛି ସମୟ ସେହି ବିଛଣାରେ ବସିଲା । ମିଲ୍‌ ପୁଙ୍ଗା ତା’ କାନକୁ ଶୁଭିଲା ନାହିଁ । ଉପର ସାହାବର କଡ଼ା ଆଖି ସେତେବେଳେ ଦୁଶିଲା ନାହିଁ ତା’କୁ । ସତେ ଯେମିତି ସ୍ୱର୍ଗର କେଉଁ ଜ୍ୟୋତିର୍ମୟ ଦିବ୍ୟ ପୁରୁଷ ଆସି ତା’ ସାମନାରେ ଠିଆ ହେଇଛନ୍ତି ଆଉ ତା’ ପିଠି ଥାପଡ଼େଇ ଥାପଡ଼େଇ କହୁଛନ୍ତି–

 

‘‘ଭୁଲ୍‌କଲ ତ ବାବା ! ଯୋଉ କଥାକୁ ଡରୁଥିଲ, ସେହି କଥାରେ ପଡ଼ି ପୁଣି ଜୀବନକୁ ହତ୍ୟା କଲ ତ । ଏଇ ନଈ କୂଳରେ ସେଦିନ ସ୍ୱାଧୀନ ଓଡ଼ିଆ ରାଜାଏ ଗଢ଼ିଥିଲେ ବିଶାଳ ଦୁର୍ଗ–ଓଡ଼ିଆ ପାଇକ ଛାତି ଫୁଲେଇ ନିଶ ଫୁଲେଇ ଶତ୍ରୁ ସହିତ କରୁଥିଲେ ମରଣାନ୍ତକ ଯୁଦ୍ଧ; ଏଇ ନଈର କୂଳେକୂଳେ ସରଳ, ଶାନ୍ତିମୟ ଆଶ୍ରମ ଗଢ଼ି ଯୋଗୀ, ଋଷି, ସିଦ୍ଧ, ସାଧକ ତପସ୍ୟା କରି ଯାଇଛନ୍ତି; ଏଇ ନଈ କୂଳରେ ଜନମ ହେଇ କେତେ କେତେ ମହାପୁରୁଷ ଦେଶପାଇଁ, ଜାତି ପାଇଁ, ସାହିତ୍ୟ ପାଇଁ ଜୀବନଦାନ କରିଛନ୍ତି, ଅଥଚ ତା’ରି କୂଳରେ ରହି–ସେହି ଐତିହାସିକ ମାଟି ଉପରେ ବସି ତମେ ନିଜକୁ ନିଜେ ତ ଭୁଲିଗଲ । ମଣିଷ ଜନମ ପରପାଇଁ ସିନା, ନିଜପାଇଁ କେବେ ନୁହେଁ ତ । ଥତେ ଆତ୍ମ ଦର୍ଶନ କର ବାବା ।’’

 

ଦିବାକର ଚାଉଁକିନା ଚମକି ପଡ଼ିଲା । ସପନ ନା ସତ କିଛି ବୁଝି ପାରିଲା ନାହିଁ ସେ । ପ୍ରାଣଭିତରଟା କେମିତି ଛଟ ପଟ ହେଇ ହାହାକାର କରିବାକୁ ଲାଗିଲା । ସାଥିଲୋକେ ଆସି ଡାକିଲେ କାମକୁ ଯିବାକୁ, କିନ୍ତୁ କେଜାଣି କାହିଁକି ଦିବାକରର ମୋଟେ ଗୋଡ଼ ଚଳିଲା ନାହିଁ ସେଦିନ । ଦେହ ଭଲ ନାହିଁ କହି ସେମାନଙ୍କୁ ବିଦା କରିଦେଲା । ସାରାଦିନ ବସାରେ ବସି ବସି ସେ କେତେ କ’ଣ ଆଗପଛ, ଭଲମନ୍ଦ, ଆକାଶ ପାତାଳ ଭାବିବାକୁ ଲାଗିଲା ।

 

କଲିକତା ଛାଡ଼ିବା ଆଜି କି ଛ’ମାସ ହେଇ ଗଲାଣି । ବରଷ ଗୋଟାଏ ମେକାନିକ୍‌ କାମ ଶିଖି ସେଥିରେ ଟିକିଏ ସିଦ୍ଧହସ୍ତ ହେଇଗଲା ପରେ ଆଉ ମୁହୂର୍ତ୍ତେ କଲିକତାରେ ରହିବାକୁ ତା’କୁ ଭଲ ଲାଗିଲା ନାହିଁ । କଲିକତାରେ ଓଡ଼ିଆମାନେ ଯେପରି ଅବସ୍ଥାରେ ଥାଆନ୍ତି, ସେଥିରେ ଦିବାକର ଭଳି ଶିକ୍ଷିତ ଯୁବକକୁ ଭଲ ନ ଲାଗିବାହିଁ କଥା । ଖାଲି ନିଜର ନୁହେଁ ସମଗ୍ର ଜାତିର ମାନ ସମ୍ମାନକୁ ମୁଠାଏ ଧୂଳିରେ ପରିଣତ କରି ଅପର ଜାତିର ଗୋଡ଼ ତଳକୁ ପକେଇ ଦେବାକୁ କୋଉ ବିବେକୀ ବା ପସନ୍ଦ କରିବ ? .....ଦିବାକର ଦେଖିଲା–ଓଡ଼ିଶା ଭିତରେ ଏଠିସେଠି ଛୋଟ ବଡ଼ ଅନେକ ମିଲ୍‌ ସ୍ଥାପିତ ହେଲାଣି । ଏପରି ଅବସ୍ଥାରେ କଲିକତାରୁ ଶ୍ରମିକମାନଙ୍କୁ ଆଣି, ଯେତେ ଜଣଙ୍କୁ ସମ୍ଭବ ହୁଏ, ସେଠାରେ ସ୍ଥାନ ଦେବା ଉଚିତ । ଏଇ ଆଶାରେ ସେ କଲିକତା ଛାଡ଼ିଲା । ଆଗତରା ଆସି କ୍ଷେତ୍ର ପ୍ରସ୍ତୁତ କରିବା ତା’ର ଲକ୍ଷ୍ୟ ।

 

ଇସ୍‌ମାଇଲ୍‍ ଚଚ୍ଚା କହିଲେ–‘‘ହଁ ବାବା ! ସେଇଆ ଭଲ ହେବ । ଆଉ ଏ ମଶାଣି-କଲିକତାରେ ହୋସେନ୍‌, ନଜିମ୍‌ଙ୍କ ପ୍ରେତ ଦେଖି ଦେଖି ମୁଁ ରହି ପାରିବି ନାହିଁ । ତୁ ପାଗଳା ଯୁଆଡ଼େ ଯା’ ପଛକେ, ମୁଁ ଫେରିଯିବି ମୋର ସେହି ଅତି ପ୍ରିୟ ପୁରୁଣା ଗାଁକୁ । ମୋର ନାତି ରାମ ଗୋବିନ୍ଦ ଯୋଡ଼ିଙ୍କୁ ଖେଳେଇ ଖେଳେଇ ସେହିଠାରେ ହେଲେ ଟିକିଏ ଶାନ୍ତି ପାଇବି ।’’

 

ଚଚ୍ଚା ଗାଁକୁ ଗଲେ । ତାଙ୍କ ସେବା କରିବାକୁ ସଙ୍ଗେ ସଙ୍ଗେ ଗଲେ ଭାଇ । ଦିବାକର କେତୋଟି ଶ୍ରମିକଙ୍କୁ ଧରି ଆସିଲା ଓଡ଼ିଶାର କୌଣସି ଏକ ମିଲ୍‌କି । ଯୋଗ ଭଲ । ସଙ୍ଗେ ସଙ୍ଗେ ତା’କୁ ମିଳିଗଲା ସେଠାରେ ଜୁନିଅର ମେକାନିକ୍‌ କାମ ଖଣ୍ଡିଏ । ଦରମା ଟ୧୩୫ଙ୍କା । ପଇଁତିରିସଟି ଟଙ୍କା ନିଜ ଖରଚ ପାଇଁ ରଖି ବାକି ତୁଲ ଶହେ ଟଙ୍କା ମାସକାମାସ ଭାଇ ପାଖକୁ ପଠେଇଲା ।

 

ଗତାନୁଗତିକ ଭାବେ ଦିନ ଗଡ଼ି ଯାଉଥିଲା । ଚାକିରି କରିବା, ଭାଇପାଖକୁ ଟଙ୍କା ପଠେଇବା, ମଝିରେ ମଝିରେ କଟକ ଯାଇଁ ଥରେ ଅଧେ ସିନେମା, ଥିଏଟର ଦେଖି ଆସିବା ବା କମ୍ପାନୀ ଗାଡ଼ି ଧରି ଜଙ୍ଗଲକୁ ଯାଇଁ ହରିଣ, ସମ୍ବର, ଠେକୁଆ ଶିକାର କରିବା–ଏତିକିରେ ସରି ଯାଉଥିଲା ତା’ର ସବୁ କାମ । ଏହା ଛଡ଼ା ଅନ୍ୟ କୌଣସି ଚିନ୍ତା ସେ କେବେ ମୁହୂର୍ତ୍ତକ ପାଇଁ କରିନି-। କିନ୍ତୁ ଆଜି ଏ କ’ଣ ହେଲା ? କେଉଁ ମାୟାବୀ ପୁରୁଷ ଆସି ତା’ ବିବେକକୁ ଦଂଶନ କଲା ଏଭଳି ନିର୍ମମ ଭାବେ ? କିଏ ଏଇ ଅନ୍ଧ ଯୁବକ ଆଖିରେ ବୋଳି ଦେଇଗଲା ଅଞ୍ଜନ ?

 

ଭଡ଼ାଘରଟି ଭିତରେ ଏକୁଟିଆ ବସି ବସି ଦିବାକର ବହୁତ ଭାବିଲା । ସତରେ, ଏଇ ମୋହ ଅନ୍ଧକାର ଭିତରେ ଘାଣ୍ଟି ହେଇ ସେ ଭୁଲି ଯାଇଥିଲା ତା’ର ପଥ । ସେ ସାଧାରଣ ଗଣ୍ଡ ମୂର୍ଖ କୁଲିଟିଏ ନୁହେଁ ଯେ ଖାଲି ଦରମା ପାଇ ଘରକୁ ଟଙ୍କା କେଇଟି ପଠେଇ ଦେଲେ ତା’ କର୍ତ୍ତବ୍ୟ ଶେଷ ହେଇଯିବ ବା ଚାକିରିରେ ଭଲ କରି ଗୋଟାଏ ଯୋଡ଼ାଏ ପ୍ରମୋଶନ ପାଇ ଦରମା ଗଣ୍ଡାକ ବଢ଼େଇ ପାରିଲେ ଜୀବନର ଲକ୍ଷ୍ୟ ପୂର୍ଣ୍ଣ ହେଇଯିବ । ତା’ପାଇଁ ବହୁତ କାମଅଛି ଆଗରେ । ତା’କୁ ଭାବିବାକୁ ହେବ ମିଲ୍‌ ଭିତରେ ଓଡ଼ିଆଙ୍କ ସମୂହ ସ୍ୱାର୍ଥପାଇଁ; ଭାବିବାକୁ ହେବ କଲିକତାରେ ସଢ଼ୁଥିବା ଶହଶହ ଗରିବ ଶ୍ରମିକଙ୍କ ପାଇଁ ଆଉ ସର୍ବୋପରି ଭାବିବାକୁ ହେବ ଯୋଉ ସ୍ଥାନର ପାଣିପବନ ଖାଇ ସେ ମଣିଷ ହେଇଛି, ସେହି ତଳଘଟି ଧୋଇଆ ଅଞ୍ଚଳର ଉନ୍ନତି ବିଧାନ ପାଇଁ, ତା’ ନହେଲେ ତା’ ପାଠପଢ଼ା ବୃଥା–ଭାଇଙ୍କର ପ୍ରାଣାନ୍ତକ ପରିଶ୍ରମ ବୃଥା–ଚଚ୍ଚାଙ୍କର ଅସୀମ ଆତ୍ମତ୍ୟାଗ ବି ବୃଥା ।

 

ଦିବାକର ପୁଣି କିନ୍ତୁ ସମସ୍ତ ନିଶ୍ଚଳଭାବେ ବସି ଚିନ୍ତାକଲା । ମନେ ମନେ ବୋଧେ ପ୍ରାର୍ଥନା କଲା ସେହି ଅଦେଖା ହାତର ଆଶୀର୍ବାଦ । ମୁହୂର୍ତ୍ତ ପରେ ମୁହୂର୍ତ୍ତ କଟିଗଲା । ସନ୍ଦେହ ତୁଟିଯାଇଁ ମୁହଁରେ କ୍ରମେ ଫୁଟିଉଠିଲା ଅଟଳ ଆତ୍ମବିଶ୍ୱାସ । ମଥା ନୋଇଁ ମାଟିରେ ପ୍ରଣାମ କଲା ସେ ।

 

ଦଶ

 

ତା’ ତହିଁଆର ଦିନ–ରବିବାର । ମିଲ୍‌ ବନ୍ଦ ହେବା କଥା କିନ୍ତୁ ଶ୍ରମିକମାନଙ୍କ ତରଫରୁ ସେଦିନ ଗୋଟାଏ ବଡ଼ ସଭା ହେବାର ଥାଏ ବୋଲି କର୍ତ୍ତୃପକ୍ଷ ସେଦିନ ମିଲ୍‌ ଚାଲୁ ହେବ ବୋଲି ଘାଷଣା କରିଥାନ୍ତି ଏବଂ କାଳେ କୌଣସି ଗଣ୍ଡଗୋଳ ଉପୁଜିବ, ସେଥିପାଇଁ ବହୁ ପୁଲିସ୍‌, ମିଲିଟାରି ଆର୍ମି ମିଲ୍‍ ଚାରିପାଖ ପଇଁତରା ମାରୁଥାଆନ୍ତି ।

 

ଦିବାକର ଦେଖିଲା ଏ ତ ବଡ଼ ଅନ୍ୟାୟ । ମିଲରେ ଚାକିରି କରିଛୁ ବୋଲି ଆମ ନିଜର ସ୍ୱାଧୀନ ମତ କିଛି ନାହିଁ ? ରାଷ୍ଟ୍ରର ସର୍ବାଧୀଶ ନାୟକ ସ୍ୱୟଂ ପଣ୍ଡିତଜୀ କହୁଛନ୍ତି–ଗଣତନ୍ତ୍ର ଶାସନରେ ସାନବଡ଼, ସପକ୍ଷ ବିପକ୍ଷ ସବୁ ଶ୍ରେଣୀର ଲୋକଙ୍କୁ ସ୍ୱାଧୀନ ମତ ପ୍ରକାଶ କରିବାକୁ ପୂର୍ଣ୍ଣ ସୁଯୋଗ ଦିଆଯିବ–ଅଥଚ ଏହି କ୍ଷୁଦ୍ରାଦପି କ୍ଷୁଦ୍ର ମିଲ୍‌ ଡିରେକ୍ଟର ଦେଖଉଛି କଡ଼ାଆଖି-କରୁଛି ସେହି ପବିତ୍ର ଗଣତାନ୍ତ୍ରିକ ନୀତିର ଖଣ୍ଡନ ! ଏ ତ ଅତି ଅନ୍ୟାୟ କଥା । ନା, ନା, ଏହାର ପ୍ରତିରୋଧ କରିବାକୁ ହେବ ଦୃଢ଼ ହସ୍ତରେ ।

 

ଦିବାକର ବସା ବସା ବୁଲି ଲୋକଙ୍କୁ ବୁଝେଇଲା । ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କଲା କାମକୁ ନଯାଇଁ ସଭାରେ ଯୋଗ ଦେବାକୁ । ଶ୍ରମିକମାନଙ୍କ ମଧ୍ୟରେ ଦିବାକର ସବୁଚାହିଁ ଶିକ୍ଷିତ । ତା’ ଛଡ଼ା ସମସ୍ତଙ୍କ ସହିତ ସେ ମିଳିମିଶି, ହସିଖେଳି, ଦାଦି ମଉସା ଡାକି ଚଳିଥାଏ । ମନରେ ଏତେ ଟିକିଏ ଗର୍ବ ନାହିଁ । ନିଜେ ପାଠୁଆ ବୋଲି ଅନ୍ୟଙ୍କୁ ଛୋଟ ବୋଲି ଭାବିବା, ୟା’ କେବେ ତା’ ଜାତକରେ ହେଇ ନାହିଁ । ସ୍ୱତରାଂ ଲୋକମାନେ–ପିଲାବୁଢ଼ା, ଗରିବ ତାଲବର ସମସ୍ତେ ତା’କୁ ଭଲ ପାଆନ୍ତି ଯେମିତି, ତା’ କଥାମାନି ଅକ୍ଷରେ ଅକ୍ଷରେ କାମ କରନ୍ତି ବି ସେମିତି । ତେଣୁ ସେ ଦିନର ଡାକରାରେ ଛୋଟଠୁ ବଡ଼ ଯାଏ ସମସ୍ତେ ପ୍ରାୟ ତା’ କଥାର ଢଳିଲେ । କେବଳ କେତେଜଣ ଆଖପାଖ ଗାଁରୁ ଆସୁଥିବା ଲୋକଙ୍କୁ ଛାଡ଼ିଦେଲେ ଶ୍ରମିକ ବସ୍ତିରୁ କେହି ଜଣେ ହେଲେ ଲୋକ ସେଦିନ କାମକୁ ଗଲେ ନାହିଁ ।

 

ସଭା ହେଲା । ସଭାର ଉଦ୍ଦେଶ୍ୟ ଥିଲା ଜେଲ୍‌ରୁ ଫେରୁଥିବା ନାରୀକର୍ମୀ କମରେଡ଼୍‍ ରେଖା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜଣାଇବା । ଆଜକୁ ଛ’ମାସ ତଳେ ଏଇ ମିଲରେ ସଭାକରି ସେ ଆରେଷ୍ଟ ହେଇଥିଲେ । ସେତେବେଳେ ମିଲରେ ଶ୍ରମିକ ଓ ମାଲିକଙ୍କ ଭିତରେ ଦରମା ବଢ଼େଇବା ନେଇ ଭୀଷଣ ଟଣାଓଟରା ଲାଗିଥାଏ । ଶ୍ରମିକମାନେ ପେଟ ଦେଖେଇ ହାତ ପତେଇ ମାଗୁଥାନ୍ତି ମୂଲ ଆଉ ମାଲିକମାନେ ସେହି ବୁଭୁକ୍ଷୁ ଜନତା ପିଠିରେ ବସଉଥାନ୍ତି ଚାବୁକ୍‌ । ରୁଟି ପରିବର୍ତ୍ତେ ପିଠିରେ କରୁଥାନ୍ତି ଲାଠି ପ୍ରହାର । ବଙ୍ଗ୍ଲୋରେ ବସି ଆରାମି ଚେୟାରରେ ଝୁଲିଝୁଲି ସେମାନେ କେକ୍‌, ପୁଡ଼ିଂ ଖାଉଥାନ୍ତି ଆଉ ଶ୍ରମିକମାନେ ବେଶୀ ହାଉ ହାଉ କଲାବେଳେ, କୁକୁରକୁ ଛିଣ୍ଡା ରୁଟି ଖଣ୍ଡେ ଖଣ୍ଡେ ପକେଇ ଦେଲା ଭଳି, ଟିକିଏ ଟିକିଏ ଆଶା ଦେଖଉଥାନ୍ତି–ହାତୀ ଦେବି ଘୋଡ଼ା ଦେବି କହି ପେଁକାଳି ବଜେଇ ଦବାକୁ ଫୁସଲୋଉଥାନ୍ତି, ଅଥଚ ଏଣେ ଜନତା ଧୀର ସ୍ଥିର ହେଇ ତାଙ୍କର ନ୍ୟାଯ୍ୟଦାବି ଦୃଢ଼ଭାବରେ ଉତ୍‌ଥାପନ କରୁଥାନ୍ତି ଓ ରକ୍ତମୁଖା ପୁଲିସର ଲାଠି ପ୍ରହାର ବେଳେ ଆଗକୁ ଯାଇଁ ମାଡ଼ ଖାଉଥାନ୍ତି–ଅହିଂସ ରହି ଆପୋଷ ମୀମାଂସା ପାଇଁ କର୍ମକର୍ତ୍ତାଙ୍କୁ ଅନୁନୟ କରୁଥାନ୍ତି । ...ବାୟୁମଣ୍ଡଳ ସରଗରମ ହେଇ ଉଠିଥାଏ–ସତେକି ଊଣେଇଶ ବୟାଳିଶର ଅଗଷ୍ଟ ଆନ୍ଦୋଳନ ।

 

ମିଲ୍‌ର ଜନୈକ କର୍ମକର୍ତ୍ତା ଜଣେ ଲକ୍ଷପତି । ଅସହ୍ୟ ହେଲା ତା’ଙ୍କୁ ଏ ଆନ୍ଦୋଳନ । ମିଲ୍‌ ସେତେବେଳକୁ ଆଠ ଦିନ ହେଲା ବନ୍ଦ । ଶ୍ରମିକଙ୍କ ସହିତ ମାଲିକଙ୍କର କ୍ଷତି ବି କମ୍‌ ନୁହେଁ । ରାଗରେ ଅଧୀର ହୋଇ ପଡ଼ିଲେ ସେ । କ୍ରୋଧ ଜର୍ଜରିତ ଉନ୍ମତ୍ତ ହସ୍ତୀ ଭଳି ଧାଇଁ ଆସିଲେ ସେ ଏ ପିମ୍ପୁଡ଼ି ଦଳକୁ ଦଳିମାଡ଼ି ଚୂନ୍‌ଚୂନା କରି ମାଟିରେ ମିଶେଇ ଦେବାକୁ । କିନ୍ତୁ ହାତୀଖୋଜ ତଳେ ଯେ ପିମ୍ପୁଡ଼ି ମରେନା, ୟା’ ତାଙ୍କୁ ଅଜଣା । ଯାହାହେଉ, ସେତେବେଳେ ସେ ହିତାହିତ ଜ୍ଞାନ ତାଙ୍କର ନଥିଲା । କ୍ରୋଧର ବଶବର୍ତ୍ତୀ ହେଇ ସେ ଆସି ବିଚ୍‌ ବଜାରରେ ଶ୍ରମିକ ଦଳର ଜଣେ ଆଜୀବନ ନିଷ୍ଠାପର କର୍ମୀଙ୍କି ଠାଇ ଠାଇ ଦି’ଟା ବଜ୍ରଚାପୁଡ଼ା ବସେଇ ଦେଲେ । ନିରୀହ କର୍ମିଟି ବିଚାରା ତିନିଗଡ଼ା ଦେଇ ଦଶହାତ ଦୂରରେ ଯାଇଁ ପଡ଼ିଲେ । ....ହୋ ହୋ ହେଇ ଆସି ଜମା ହେଇ ପଡ଼ିଲେ ଲୋକ । ଆଉ ମୁହୂର୍ତ୍ତେ ଡେରି କରିଥିଲେ ମାଲିକଙ୍କୁ ହୁଏତ ସେହିଦିନ ଦାଣ୍ଡର ଧୂଳିମାଟି ଦେହରେ ଚିରଦିନ ପାଇଁ ମିଳେଇ ଯିବାକୁ ପଡ଼ିଥାନ୍ତା । କିନ୍ତୁ କର୍ମୀଜଣଙ୍କ ସଙ୍ଗେ ସଙ୍ଗେ ଠିଆ ହୋଇପଡ଼ି ଉପସ୍ଥିତ ଜନତାକୁ ଲୋତକପୂର୍ଣ୍ଣ ଚକ୍ଷୁରେ ହାତଯୋଡ଼ି ବାରଣ କଲେ । ମାଲିକଙ୍କୁ କହିଲେ ଅତିଶୀଘ୍ର ସେ ସ୍ଥାନ ଛାଡ଼ି ଚାଲିଯିବାକୁ ।

 

ଯାହାହେଉ ମାଲିକ ସିନା ମାଡ଼ ମାରି ସୁଦ୍ଧା ନିରାପଦରେ ଫେରିଗଲେ, କିନ୍ତୁ ଜନତା ବେଳକୁବେଳ ବେଶୀ ବେଶୀ ଉତ୍ତ୍ୟକ୍ତ ହେବାକୁ ଲାଗିଲେ । ବିଶେଷତଃ ଜଣେ ସର୍ବତ୍ୟାଗୀ ସାଧାରଣ କର୍ମୀଙ୍କୁ ଦିନ ଦି’ପହରେ ଶହଶହ ଲୋକଙ୍କ ଆଗରେ ଏଭଳି ଅପମାନିତ କରି ମାଡ଼ ଦେବାଟା କିଏ ବା ସହ୍ୟ କରିବ ? ଲୋକେ ତା’ର ତୀବ୍ର ପ୍ରତିବାଦ କରି ବିପୁଳ ସଂଖ୍ୟାରେ ଯାଇଁ ବିଭିନ୍ନ ସ୍ଥାନରେ ସଭା କଲେ ଏବଂ ତାଙ୍କର ଅତିପ୍ରିୟ ଜନନେତାଙ୍କ ପ୍ରତି ଯେଉଁ ବର୍ବରୋଚିତ ବ୍ୟବହାର କରାଗଲା, ତା’ର ନିରପେକ୍ଷ ତଦନ୍ତ ପାଇଁ ସରକାରଙ୍କ ନିକଟରେ ଦୃଢ଼ଭାବରେ ଦାବି ଜଣାଇଲେ । ....ଏହିଭଳି ଗୋଟିଏ ବଡ଼ ସଭାରେ ସଭାନେତ୍ରୀ ହୋଇଥିଲେ କମରେଡ଼୍‌ ରେଖା ପଟ୍ଟନାୟକ । ଅତି ଅହିଂସ ଭାବରେ ସେ କେବଳ ଦାବି କରୁଥିଲେ ଏ ଅନ୍ୟାୟର ବିଚାର । କିନ୍ତୁ ସେ ଅନ୍ୟାୟର ବିଚାର ହେଲା କି ନାହିଁ କେଜାଣି, ତାଙ୍କୁ ସେଥିପାଇଁ ବରିବାକୁ ପଡ଼ିଲା ଛ’ମାସ ସଶ୍ରମ କାରାଦଣ୍ଡ ।

 

ତେଣୁ ସେଦିନ ଜେଲ୍‌ରୁ ମୁକୁଳିବା ସଙ୍ଗେ ସଙ୍ଗେ ତାଙ୍କୁ ସମ୍ବର୍ଦ୍ଧନା କରିବାର ଆୟୋଜନ ହେଇଥାଏ ସେହି ପୂର୍ବର ଯୁଦ୍ଧଭୂଇଁରେ । ବଡ଼ଲୋକମାନେ ତ ସବୁଦିନେ ନଈ ନ ଦେଖୁଣୁ ନଙ୍ଗଳା-। ଧନଲୋଭରେ ରାତିସାରା ତାଙ୍କୁ ନିଦ ହୁଏ ନାହିଁ । ଚଢ଼େଇଟିଏ ଉଡ଼ିଗଲେ ଚୋର ଆସିଲା ବୋଲି ଚମକି ପଡ଼ନ୍ତି । ତେଣୁ ଏ ମିଲ୍‌ମାଲିକେ ଖାଲି ସଭା ନାଁ ଶୁଣି ଛାନିଆ ହେଇ ପୁଲିସଙ୍କୁ ଯାଇଁ କୁଣ୍ଢେଇ ପକେଇବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । ହୁଏତ କେଇଟି ଫୁଲମାଳରେ ମାତ୍ର ଦିଆଯିବ ତାଙ୍କୁ ସମ୍ମାନ, ଅଥଚ ସେଥିପାଇଁ ଏତେ କଟକଣା–ରବିବାର ଦିନ ମିଲଖୋଲା !–ପୁଲିସ ପହରା !! –ମିଲିଟାରୀ ଜଗୁଆଳି !!! ବଡ଼ ହସ ମାଡ଼ିଲା ଦିବାକରକୁ ।

 

ଖଣ୍ଡେ ସାଦା ଖଦଡ଼ ଶାଢ଼ି ପିନ୍ଧି ଚାଲି ଚାଲି ଆସି ସଭାମଣ୍ଡପରେ ପହଞ୍ଚିଲେ ରେଖାଦେବୀ । ତାଙ୍କୁ ଦେଖୁ ଦେଖୁ ବିପୁଳ ଜନତା ଆନନ୍ଦରେ ଉଦବେଳିତ ହେଇ ଉଠିଲା । ଜୟ ଜୟକାର ନାଦରେ କମ୍ପି ଉଠିଲା ଗଗନ ପବନ । ଆନନ୍ଦର ଆତିଶଯ୍ୟରେ ଲୋକେ ଆଞ୍ଜୁଳା ଆଞ୍ଜୁଳା ଫୁଲ ତା’ଙ୍କ ଉପରକୁ ଫିଙ୍ଗିବାକୁ ଲାଗିଲେ । ସଭାପତି ଆସନ ଅଳଙ୍କୃତ କଲେ ସେହି ନିରଳସ ଲାଞ୍ଛିତ ଜନନେତା । ଲୋକେ ତାଙ୍କ ଉଦ୍ଦେଶ୍ୟରେ ମୁହୁର୍ମୁହୁଃ ଜୟଧ୍ୱନି କରିବାକୁ ଲାଗିଲେ-। ଫୁଲହାରରେ ପୋତି ହୋଇ ପଡ଼ିଲା ସଭାପତି ଓ ରେଖାଦେବୀଙ୍କ ଦେହ । ଜନତା ତାଙ୍କର ପ୍ରାଣାଧିକ ନେତାଙ୍କ ନେତାଙ୍କ ପ୍ରତି ଯେଉଁ ଅନ୍ତରର ସ୍ନେହ, ଶ୍ରଦ୍ଧା, ଭକ୍ତି, ପ୍ରୀତି ଜଣାଇ ଅଭିନନ୍ଦନ ଲେଖିଥିଲେ, ତା’ ଉଠି ପାଠକଲେ ଅଭ୍ୟର୍ଥନା ସମିତିର ସଭାପତି ଶ୍ରୀଯୁକ୍ତ ଦିବାକର ରାଉତ ।

 

ରେଖା ଥରକୁ ଥର ଦିବାକର ଆଡ଼କୁ ଚାହିଁଲା । ଖାଲି ବର୍ହିଦୃଷ୍ଟିରେ ନୁହେଁ, ଅର୍ନ୍ତଦୃଷ୍ଟିରେ ବି । ଆଜକୁ ବରଷେ ହେଲା ସେ ଆସି ଏଠି କାମ କରୁଛି, କିନ୍ତୁ ଏ ଉଦୀୟମାନ, ଉତ୍ସାହୀ ତରୁଣର ସନ୍ଧାନ ସେ ଆଜି ପର୍ଯ୍ୟନ୍ତ ପାଇ ନ ଥିଲା ତ । ମୁଖରେ କି ଜ୍ୱଳନ୍ତ ଦୀପ୍ତି, ତୁଣ୍ଡରେ କି ଓଜସ୍ୱିନୀ ଭାଷା, କଥା ପଦକରେ କି ଅସୀମ ଦୃଢ଼ତା । ପୁଣି ସେ ଆସି ଶୁଣିଲା–କେବଳ ଏଇ ଯୁବକଙ୍କର ଅଦ୍ୟମ କର୍ମପ୍ରେରଣା ଓ ଅଦ୍ଭୁତ ସଙ୍ଗଠନ ଶକ୍ତି ଯୋଗୁଁ ଆଜିର ଏ ସଭା ସମ୍ଭବପର ହେଇଛି, ତା’ ନହେଲେ ମାଲିକଙ୍କର ଚକ୍ରାନ୍ତରେ ସବୁ ଭଣ୍ଡୁର ହେଇ ଯାଇଥାନ୍ତା । କେଜାଣି କାହିଁକି ରେଖା ମନେମନେ ଯୁବକଟି ଆଡ଼କୁ ଟିକିଏ ଢଳି ପଡ଼ିଲା ।

 

ସରୋବରରେ ଯେତେବେଳେ ପଦ୍ମ ଫୁଟୁଥାଏ–ବାସନାରେ ମହକି ଉଠୁଥାଏ ଚଉଦିଗ, ସୌନ୍ଦର୍ଯ୍ୟରେ ପୃଥିବୀ ଦିଶୁଥାଏ ସ୍ୱର୍ଗଭୁବନ ଭଳି–କିନ୍ତୁ କୂଳରେ ଥିବା ଭେକ କ’ଣ ତା’ର ମହତ୍ୱ ବୁଝେ ? ବରଂ ତା’ ସୌରଭରେ ମତୁଆଲା ହେଇ କୋଉ ଦୂର ରାଇଜରୁ ଉଡ଼ି ଉଡ଼ି ଧାଇଁ ଆସେ ଅଳି-ମୃଦୁ ଗୁଞ୍ଜନ କରି ମୁଖରେ ଦିଏ ଚୁମା.....ଗୁଣୀ ଗୁଣ ଚିହ୍ନେ । ରସଗ୍ରାହୀହିଁ ରସର ସନ୍ଧାନ ପାଏ–ହୃଦୟର ମୂଲ୍ୟ ବୁଝେ । ଖାଲି କେଇଟି ମୁହୂର୍ତ୍ତ ଦର୍ଶନ ଓ ଆଳାପ ଆଲୋଚନାରେ ରେଖାର ଦୃଢ଼ ହୃଦୟ କାହିଁକି ଦୁର୍ବଳ ହେଇ ପଡ଼ିଲା । ତା’ର ଅଜାଣତରେ ସେ ମନେ ମନେ ଢଳିପଡ଼ିଲା ଦିବାକର ଆଡ଼େ ।

 

ସଭାସ୍ଥ ଲୋକେ ଉଚ୍ଛନ୍ନ ହେଲେ–ରେଖାଦେବୀ କିଛି କୁହନ୍ତୁ । ଦିବାକର ବି ଅନୁରୋଧ କଲା–ଏଇ ଅବସରରେ ଆମେ ରେଖାଦେବୀଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଉପଦେଶ ଓ ଅଭିଜ୍ଞତା କିଛି ଶୁଣିବାକୁ ଚାହୁଁ.......ଟିକିଏ ସ୍ମିତ ହସ ହସି ରେଖା ଉଠିଲା । କରଯୋଡ଼ି ଅତି ବିନୀତ ଭାବେ ସମବେତ ଜନତାକୁ ଆଗ ପ୍ରଣାମ କଲା ସେ । ଘନ ଘନ କରତାଳି ଓ ଜୟଧ୍ୱନି ଭିତରେ ସଭାସ୍ଥଳ ଉଛୁଳି ପଡ଼ିଲା । ପୁଞ୍ଜିପତି ମିଲ୍‌ମାଲିକଙ୍କ ଛାତିରେ ସତେକି ବିଦ୍ଧ ହେଇଗଲା ଉତ୍ତପ୍ତ ଲୌହଶେଳ-

 

ରେଖା କହିଲା–‘‘ଭଉଣୀ ଓ ଭାଇମାନେ ! ମୋର କାରାବାସ ଦିନ ଆପଣମାନେ ମୋତେ ଯେଉଁ ଗଭୀର ଶ୍ରଦ୍ଧା ଜଣାଇଛନ୍ତି ଓ ତତ୍‌ ସଙ୍ଗେ ସଙ୍ଗେ ଯେଉଁ ଅସୀମ ସହିଷ୍ଣୁତା ଦେଖାଇଛନ୍ତି, ସେଥିପାଇଁ ମୁଁ ପ୍ରଥମେ ଆପଣମାନଙ୍କୁ ଅନ୍ତରର ଧନ୍ୟବାଦ ଦେବି । ଆଜି ହୁଏତ ବନ୍ଧୁକ ମୁନରେ କର୍ତ୍ତୃପକ୍ଷ ଆମର ହକ୍‌ ଦାବିକୁ ଦବେଇ ଦେଇ ପାରିଲେ, କିନ୍ତୁ ଏହିଭଳି ଅହିଂସ ଆନ୍ଦୋଳନ କିଛିଦିନ ନିଷ୍ଠାର ସହିତ ଚଳାଇ ପାରିଲେ, ଦିନେ ନା ଦିନେ ତାଙ୍କର ସ୍ୱର୍ଣ୍ଣ ସିଂହାସନ ଟଳମଳ ହେବ–ଏଇ ବିପୁଳ ଜନତାର ନ୍ୟାଯ୍ୟ ଦାବିକୁ ସେହି ମୁଷ୍ଟିମେୟ ମିଲ୍‌ମାଲିକ କେତେଜଣ ସ୍ୱୀକାର କରିବାକୁ ବାଧ୍ୟ ହେବେ । ସେଥିପାଇଁ ଧୈର୍ଯ୍ୟ ଦରକାର, ନିଷ୍ଠା ଦରକାର, ତ୍ୟାଗ ଦରକାର.....ଆନ୍ଦୋଳନରେ ଯୋଗଦେଇ ଯୋଉ ଲଢ଼ୁଆ ଭାଇମାନେ ଆହତ ହେଇଛନ୍ତି, ଜେଲ୍‌ ଯାଇଛନ୍ତି ବା କର୍ତ୍ତୃପକ୍ଷଙ୍କ ହୀନ ଚକ୍ରାନ୍ତ ଫଳରେ ଆଜି କର୍ମଶୂନ୍ୟ ହେଇ ବସିଛନ୍ତି, ସେମାନଙ୍କୁ ମୁଁ ଗଭୀର କୃତଜ୍ଞତା ଜଣାଉଛି । ସେମାନଙ୍କର ପୁନଃସଂସ୍ଥାନ ପାଇଁ ଓ ଯଥୋଚିତ କ୍ଷତିପୂରଣ ପାଇଁ ଆମେ ଯତ୍‌ପରୋନାସ୍ତି ଚେଷ୍ଟା କରିବୁ ଏବଂ ସେଥିପାଇଁ ଦରକାର ପଡ଼ିଲେ ଆମେ ପୁଣିଥରେ କାରାବରଣ କରି ନିର୍ଯ୍ୟାତନା ସହିବାକୁ ହସି ହସି ଆଗେଇ ଆସିବୁ ।’’

 

ଗଭୀର ଉତ୍ସାହ ଓ ଉତ୍ତେଜନା ଭିତରେ ସେଦିନର ସଭା ମଉଳିଲା । ...ଜରୁରୀ କାମ ଥିବାରୁ ରେଖା ସଙ୍ଗେ ସଙ୍ଗେ କଟକ ଚାଲିଗଲା । ହେଲେ ତା’ର ଦେହଟା ଖାଲି ଚାଲିଗଲା ସିନା, ମନ ଯାଇ ପାରିଲା ନାହିଁ । ମନଟା କେମିତି ତା’ର ଲକ୍ଷ ବାରଣ ସତ୍ତ୍ୱେ ଅଟକି ଗଲା ସେଇଠି–ସେଇ ଶାନ୍ତ, ସୌମ୍ୟ ଦୀପ୍ତିମନ୍ତ ଯୁବକ ଦିବାକରର ନିକଟରେ, ଯଦିବା ସେ ଗଲାବେଳେ ସେହି ତରୁଣକୁ ପ୍ରଣାମ ସୁଦ୍ଧା କରି ଯାଇ ନଥିଲା ।

 

ଏଗାର

 

ଟାଉକି ବିଲେଇ ସବୁଦିନେ କୋଉ ଖଞ୍ଜରେ ଆସି ଶିକା ଛିଣ୍ଡେଇ ଦୁଧ ପିଏ–ସର ଖାଇଯାଏ । ଭାବେ ସବୁଦିନେ ଏମିତି ଖସିଯିବ । କିନ୍ତୁ ଦିନେ ତା’କୁ ମାଇପେ କବାଟ କଣରେ ନୁଚି ନୁଚି ରହି ଧରନ୍ତି–ଗୋଜିଣା ମାଡ଼ରେ ଦିଅନ୍ତି ଟାଙ୍କେ ଛେଚା…..

 

ସବୁ ଜିନିଷର ଗୋଟାଏ ସୀମା ଅଛି । ପାପର ଭାରା ବେଶୀ ଦେଲେ ଆଉ ଧରିତ୍ରୀ ସହିବ କି ? ଯେତେବେଳେ ଧରମ ବୋଲି ଗୋଟାଏ ଜିନିଷ ଅଛି ତ ! ଯେତେ ବିଜ୍ଞାନ ଯୁଗ ହେଉ ବା ଯେତେ ଜଡ଼ବାଦ ଉପରେ ଆମେ ବିଶ୍ୱାସ କରୁ ପଛକେ, ଦୋଷ କଲେ ଯେ ଦଣ୍ଡ ମିଳିବ, ୟା’ କିଏ ଅସ୍ୱୀକାର କରିବ ? ଚୋର ଚୋରି କରେ–ହୁଏତ ରାତି ଅଧରେ, ସଭିଙ୍କ ଆଖି ଆଢ଼ୁଆଳରେ ସେ ଲୁଟିନିଏ ଧନ । ସେ ମନେ ମନେ ଭାବେ–ସେ ଭାରି ସିଆଣା । ଅନ୍ଧାର ଭିତରେ କେହି ତା’ କାମ ଦେଖି ପାରୁ ନାହାଁନ୍ତି ବା ସେ ସମସ୍ତଙ୍କ ଆଖିରେ ନିଦ-ଧୂଳି ପକେଇ ମାରି ନେଉଛ ଟଙ୍କା ସୁନା । କିନ୍ତୁ ତଥାପି–ତଥାପି କ’ଣ ଚୋରଘରେ ନିତି ଆଲୁଅ ? ଦିନେ ତ ଅନ୍ଧାର ହୁଏ–ସେହି ନିଛାଟିଆ ନିଶୂନ ରାତିରେ ଅତି ତରକି ତରକି ଏକୁଟିଆ ଯାଉଁ ଯାଉଁ ଦିନେ ତ ସେ ପୁଣି ଧରାପଡ଼େ । ଲୋକେ ବୁଝନ୍ତି ନାହିଁ । କହନ୍ତି–ଠାକୁର ମିଛ–ଧରମ ଅଧରମ ମୂରୁଖଙ୍କ କଥା ।

 

ଜୟସୂର୍ଯ୍ୟର ବାପା ବି ସେଇଆ ମନେ କରିଥିଲେ । ଧନବଳରେ, କ୍ଷମତାବଳରେ ସେ ଯେମିତି ମଣିଷଗୁଡ଼ାଙ୍କୁ ବିଲେଇ, କୁକୁର ଭଳି ହେୟ ମଣୁଥିଲେ, ଧରମ ଅଧରମ, ପାପପୁଣ୍ୟ କଥାଟାକୁ ବି ସେମିତି ବେଖାତିର କରୁଥିଲେ–ଦୁର୍ବଳ ଲୋକର ମନର ବିକୃତି ବୋଲି କହି ହସିହସି ଉଡ଼େଇ ଦଉଥିଲେ । ସେ କ’ଣ ଆଉ ଜାଣିଥିଲେ ଯେ ଯେତେ ନୁଚେଇ ନୁଚେଇ ଚୋରି କଲେ ବି ତାଙ୍କ ମୁଣ୍ଡ ଉପରେ ଜଣେ ବୁଢ଼ା ତଦାରଖ ବସିଛି ଆଉ ପରତଛୁ ନଗେଇ ଡିମାଡିମା ଆଖିରେ ଚାହିଁ ରହିଛି ତାଙ୍କର ଟିକିନିଖି ସବୁ କାମକୁ । ମଣିଷ ଆଖିରେ ସିନା ଧୂଳି ଦେବ, ତା’ ଆଖିରେ ତ ଆଉ ଧୂଳି ଦେଇ ହବ ନାହିଁ ବା ସିଏ ତ ଆଉ ପାତର ଅନ୍ତର କରି ଅମୁକ ମନ୍ତ୍ରୀଙ୍କ ସାନଶଳା ବା ଅମୁକ ଏମ୍‌.ଏଲ୍‌.ଏ.ଙ୍କ ଭାଣିଜୀର ଝିଆରୀ ଜୋଇଁ ବୋଲି ସେତେବେଳେ ଆଖି ବୁଜି ଦେବନି । ......ପଇସା ମୋହରେ ଘାରି ହେଇ ବାପା ଏ ଅମକ କଥାଟିକି ବିଲ୍‌କୁଲ୍‌ ପାସୋରି ଦେଇଥିଲେ ।

 

ଓଭରସିୟର ପାହିଆରୁ ଉଠି ଉଠି ସେତେବେଳେକୁ ସେ ସୁପରଟେଣ୍ଡିଂ ଇଞ୍ଜିନିୟର । ହେଲେ ଚାକିରିରେ ସିନା ଉପରକୁ ଉପରକୁ ଉଠିଲେ, ମନରେ ସେ କେବେ ବଡ଼ ହେଇ ପାରିଲେ ନାହିଁ । ବରଂ ଯହୁଁ ଯହୁଁ କାଠ ଚଉକିରୁ କୁସନ୍‌ ଚେୟାର ହେଲା, ତହୁଁ ତହୁଁ ହେଲା ବେଶୀ ଲୋଭ, ବେଶୀ ଭୋଗଲିପ୍‌ସା । ଆଉ ଭୋଗ ତ ଏଭଳି ଜିନିଷ ଯେ ଘିଅରେ ନିଆଁ ପଡ଼ିଲା ଭଳି ସେ ଦିନକୁଦିନ ବଢ଼େ ସିନା କେବେ କମେ ନାହିଁ । ଫଳରେ ଲୋଭ ଦିନକୁଦିନ ଖରାଦିନିଆ ଜଙ୍ଗଲନିଆଁ ଭଳି ହୁ ହୁ ହେଇ ବଢ଼ିଉଠିଲା । କିନ୍ତୁ ଖାଲି ଲୋଭ ବଢ଼ିଲା ସିନା, ଦରମା ତ ସେହି ଅନୁପାତରେ ବଢ଼ିଲା ନାହିଁ । ସରକାର ବଡ଼ ବଡ଼ ହାକିମଙ୍କର ପୋଜିସନ୍‌କୁ ଚାହିଁ ଦରମା ଖଞ୍ଜିଛନ୍ତି ସିନା, ଲୋଭକୁ ଚାହିଁ ତ ଆଉ ଖଞ୍ଜି ନାହାଁନ୍ତି । ତେଣୁ ବାପା ବାଧ୍ୟ ହେଇ ଠାକୁର ଖାଇ ଖଟୁଲୀ ଖାଇବାର ଆୟୋଜନ କଲେ–ନେଲେ ଅପର୍ଯ୍ୟାପ୍ତ କିଳା ପୋତେଇ–ଲାଞ୍ଚ–ପରସେଣ୍ଟଜ୍‌ । ଏଆର୍‌ କଣ୍ଡିସନ୍‌ଡ ବିଲିଡିଙ୍ଗରେ ସୋଫା ଉପରେ ଶୋଇ ଶୋଇ ଦାମୀ ପେଗ୍‌ ସହିତ ଷ୍ଟେଟ ଏକ୍‌ସପ୍ରେସ୍‌ ଟାଣିଲାବେଳେ ଆଉ କି ଧର୍ମ ଅଧର୍ମ କଥା ମନେ ପଡ଼େ !!!

 

କିନ୍ତୁ ଆମେ ଯେତେ ବୁଢ଼ା ଅଜାଙ୍କର ଛିଣ୍ଡା ଗାମୁଛା ଛାଡ଼ି ଶିଲ୍‌କ ସୁଟ୍‌ ପିନ୍ଧିଲେ ବି ସେହି ନେଙ୍କେଡ଼ା ବୁଢ଼ାଙ୍କର କଥାପଦିକ–‘‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ’’–ଆଜିଯାଏ ରହିଯାଇଛି । ଫଳରେ ଦିନେ ଏକ ସୁନିର୍ମଳ ସକାଳରେ ବାପା ସେହି ଭୋଗବିଳାସ ପୂର୍ଣ୍ଣ ସରଗ ରାଇଜରୁ ଭୁସ୍‌କିନା ଗଡ଼ି ଗଡ଼ି ଆସି ପଡ଼ିଲେ ରସାତଳରେ । ଲାଞ୍ଚ ନେଉ ନେଉ ଧରାପଡ଼ି ହେଲେ ଗିରଫ୍‌ । ହ୍ୟାଣ୍ଡକପ୍‌ ପଡ଼ି ଯାଇଥାନ୍ତା, ଖାଲି ସେ ଟିକିଏ ବଡ଼ବଡ଼ିଆ ହାକିମହୁକୁମାଙ୍କ ଦୋସ୍ତ ହେଇଥିବାରୁ ଅଳ୍ପକେ ରକ୍ଷା ପାଇଗଲେ ।

 

ସେତେବେଳକୁ ତାଙ୍କ ଚାକିରି ବାଇଶି ତେଇଶି ବରଷ ହେଇଗଲାଣି । ସମସ୍ତଙ୍କ ଚାହିଁ ସିନିୟର । ଆଉ ଅଳ୍ପଦିନେ ସମଗ୍ର ଓଡ଼ିଶାର ଚିଫ୍‌ ଇଞ୍ଜିନିୟର ଚାନ୍‌ସ ପାଇଥାନ୍ତେ । କିନ୍ତୁ ଏମିତି ଚଡ଼କ ପଡ଼ିଲା ଯେ ଏକାଦିନକେ ଚାକିରିରୁ ବରଖାସ୍ତ । ପେନ୍‌ସନ୍‌ ତକ ବି ବାଜ୍ୟାପ୍ତ । ତା’ ବି ଉପରେ କେତେ ଧରାଧରି, ଖୋସାମତ ମରାମତ ହେବାରୁ, ତା’ ନହେଲେ ମାମୁଁଘରେ ଯାଇଁ ଘଣା ପେଲିବାକୁ ଯେ ପଡ଼ି ନଥାନ୍ତା, ତା’ କିଏ କହିବ ?

ତଳମାଳ ଡାକେ

 

ଘଡ଼ଘଡ଼ି ମାରି କଚଡ଼ା ମେଘ ଅସରାଏ ବରଷି ଗଲେ ମଦୁଆଙ୍କର ମଦନିଶା ଅନେକଟା କମିଯାଏ, ଯଦିବା ପୂରାପୂରି ଛାଡ଼ି ନ ଥାଏ । ବାପାଙ୍କ ରଙ୍ଗୀନ୍‌ ମୋହ ତୁଟିଯାଇଁ ଏ ଧୂସର ଦୁନିଆର ମାଟିଗୋଡ଼ି ଏବେ ଟିକିଏ ଟିକିଏ ଆଖିରେ ପଡ଼ୁଛି । ହେଲେ ସହଜରେ ଆସି ସେ ଦେଶର ବିପୁଳ ଜନସାଧାରଣ ଚାଷୀ, ମୂଲିଆ, ବ୍ୟବସାୟୀ, କିରାଣିଙ୍କ ସହିତ ମିଶି ପାରୁ ନାହାଁନ୍ତି–ନିଜର ଚିରା ଚରିତ ଆଭିଜାତ୍ୟରେ ଆଞ୍ଚ ଆସିବ ବୋଲି ଡରୁଛନ୍ତି । ଅଥଚ ତେଣେ ବଡ଼ବଡ଼ିଆ ହାକିମହୁକୁମାମାନେ ଏ ଲାଞ୍ଚଖିଆ, ଚୋର ଅଫିସରଙ୍କୁ ପାଖେ ପୂରେଇବାକୁ ନାରାଜ । ନିଜେ ଯେତେ ଚାଲୁଣି ହେଲେ ବି ଏ ଛୁଞ୍ଚିଟିର କଣାଟା ବାହାରକୁ ଦୈବାତ୍‌ ଫୁଟି ଦିଶିଲା ବୋଲି ତା’କୁ କ୍ରମେକ୍ରମେ ଘୃଣା କରିବାକୁ ଆରମ୍ଭ କଲେଣି । ବାପା ବାଦୁଡ଼ିଙ୍କ ଭଳି ପଶୁକୁଳକୁ ଯିବେ ନା ପକ୍ଷୀକୁଳରେ ମିଶିବେ କିଛି ସ୍ଥିର କରି ନ ପାରି ମଝିରେ ଦି’ନାବରେ ଗୋଡ଼ ଦେଇ ଟଳଟଳ ହେଉଛନ୍ତି ।

 

ତେବେ ଯାହାହେଉ, ବାପାଙ୍କର ଏ ଦାରୁଣ ଅଧଃପତନ ପରେ ଜୟସୂର୍ଯ୍ୟର ଆଉ ଗ୍ଲାସଗୋ ଯିବାର ପ୍ରଶ୍ନ ଉଠିଲା ନାହିଁ । ହାଇଅର ଇଞ୍ଜିନିୟରଂ ପଢ଼ା ସେତିକିରେ ରହିଲା । ପରୀକ୍ଷା ଦେଇ ସେ ସିଧାସିଧା ବାଙ୍ଗାଲୋରରୁ ଫେରି ଆସିଲା କଟକ । ତେବେ ସେ ନିଜେ ଜଣେ ବଡ଼ ମେଧାବୀ ଛାତ୍ର । ଭବିଷ୍ୟତର ଉନ୍ନତି ପାଇଁ ସଦାସର୍ବଦା ଯତ୍ନଶୀଳ । କଲେଜରେ ପଢ଼ିବାକୁ ଯେତେବେଳେ ସୁଯୋଗ ନ ମିଳିଲା, ସେ ନିଜେ ନିଜେ ଘରୋଇ ଭାବରେ ପଢ଼ିବାକୁ ଲାଗିଲା ସିଭିଲ୍‌ ଇଞ୍ଜିନିୟରଂ । ପରେ ହୁଏତ ସୁବିଧା ଦେଖି କେଉଁ ବିଶ୍ୱବିଦ୍ୟାଳୟରେ ଯାଇଁ ପରୀକ୍ଷାଟା ଦେଇ ଦେବ । କିମ୍ବା ତା’ ନ ହେଇ ପାରିଲେ ବି, ସେ ସମ୍ବନ୍ଧରେ ତା’ର ଗୋଟାଏ ମୋଟାମୋଟି ଧାରଣା ହେଇ ପାରିବ ତ । ଜ୍ଞାନ ଆହରଣ ପାଇଁ ଅଧ୍ୟବସାୟ ନ କଲେ ହବ କେମିତି ?

 

ବାପାଙ୍କର ସେହି ଗୋଟିଏ ବୋଲି କୁଳଚନ୍ଦ୍ରମା । ତେଣୁ ସବୁ ସ୍ନେହ, ଶ୍ରଦ୍ଧା ତା’ ଉପରେ ଅଜାଡ଼ି ହେଇ ପଡ଼ିବା କଥା । ବିଶେଷତଃ ଏଭଳି ଉଚ୍ଚଶିକ୍ଷିତ, ଯୋଗ୍ୟ ସନ୍ତାନକୁ କୋଉ ବାପା ବା ଆଦର ନ କରିବ ? କିନ୍ତୁ ଠାକୁରଙ୍କର କି ବରାଦ, ସେହି ବାପ ପୁଅଙ୍କ ଭିତରେ ସବୁବେଳେ ତିଖଡ଼ ବିଖଡ଼ । ଦିନେ କଥା ହେଲେ ତିନିଦିନ ମୁହଁ ଫଟାଫଟି ।

 

ଲୋକେ ଅବଶ୍ୟ ସେଥିପାଇଁ ଜୟସୂର୍ଯ୍ୟକୁ ଦୋଷ ଦିଅନ୍ତି । ଯେତେହେଲେ ସିଏ ବାପା । ବାପର ଦୋଷ କ’ଣ ପୁଅ ଧରିବା ଉଚିତ ? ବାପାଙ୍କଠଉଁ ଉପଦେଶ ନେଇ ପୁଅ ବାଟ ଚାଲିବ ସିନା, ତାଙ୍କ ଦୋଷକୁ ଗଣ୍ଠିକରି ଧରି ବସିବ କେମିତି ? କିନ୍ତୁ ଯିଏ ଯେତେ କହିଲେ ବି କବିସୂର୍ଯ୍ୟ ମନ କେବେ ବୁଝେନା । ତା’ରି ଆଖି ଆଗରେ ତା’ ଜନମକଲା ମା’ ଯେମିତି ହନ୍ତସନ୍ତ ହେଇ ଡହଳବିକଳ ହେଇ ମରିଛନ୍ତି, ତା’ ସେ ଜୀବନରେ କେବେ ଭୁଲି ପାରିବ ନାହିଁ । ଆଉ ସେହି ସକରୁଣ ଜୀବନ୍ତ ମରଣ ପାଇଁ ଦାୟୀ ଯୋଉ ବାପା, ତାଙ୍କୁ ସେ ଭକ୍ତି କରିବ କେମିତି ? ପୂଜା କରିବ କେମିତି ?

 

ବେଶୀ ଦିନ ତଳର କଥା ନୁହେଁ । ତା’କୁ ସେତେବେଳେ ହେଇଥାଏ ପନ୍ଦର ବର୍ଷ । ହାଇ ସ୍କୁଲରେ ପଢ଼ୁଥାଏ । ତା’ର ଅବଶ୍ୟ ଭାଇ ଭଉଣୀ କେହି ନ ଥାନ୍ତି, ହେଲେ ପ୍ରତି ବର୍ଷ ପ୍ରାୟ ମା’ଙ୍କର ଗୋଟିଏ ଗୋଟିଏ ପିଲା ହେଇ ନଷ୍ଟ ହେଇ ଯାଉଥାନ୍ତି । ଫଳରେ ମା’ଙ୍କ ସ୍ୱାସ୍ଥ୍ୟ ଦିନକୁଦିନ ଖରାପ ହେଇ ଯାଉଥାଏ ଅତି ଭୀଷଣ ଭାବେ । କିନ୍ତୁ ଆଶ୍ଚର୍ଯ୍ୟ କଥା, ମା’ ଏମିତି ବେଳକୁ ବେଳ ରୋଗିଣୀ ହେଇ ପଡ଼ିବା ଦେଖି ବାପାଙ୍କ ମନରେ ତାଙ୍କ ପ୍ରତି ଦୟା ଆସେନା ବରଂ ଆସ୍ତେ ଆସ୍ତେ ଆସୁଥାଏ ବିତୃଷ୍ଣା । ଭଲ ଔଷଧପତ୍ର ଦିଅନ୍ତି ନାହିଁ, ଭଲ ଡାକ୍ତର ଆଣି ଦେଖାନ୍ତି ନାହିଁ । ଏପରିକି ପ୍ରାଣଖୋଲା ଆଦର, ଯତ୍ନ ଟିକିଏ ବି କରନ୍ତି ନାହିଁ କେବେ । ଏମିତି ଚାରିଆଡ଼ୁ ଅବହେଳା ପାଇ ପାଇ ମା’ ଶେଷକୁ ବିଛଣା ଧରିଲେ । ଶାରୀରିକ ଦୁର୍ବଳତା ସହିତ ମାନସିକ ଅଶାନ୍ତି ତାଙ୍କୁ ଏକାବେଳକେ ମାଟି କରିଦେଲା ।

 

ଓଃ, କି କରୁଣ ସେ ଛବି ! କି ମର୍ମନ୍ତୁଦ ସେ ଅନୁଭୂତି !! ମା’ ରୋଗ ଶେଯରେ ଶୋଇ ଶୋଇ କଲବଲ ହେଉଥାନ୍ତି ଅଥଚ ବାପା ତାଙ୍କୁ କେବେ ଆଡ଼ଆଖିରେ ଥରେ ଅନାନ୍ତି ନାହିଁ–ଭୁଲରେ ବି କେବେ ସେ ଦୁଆର ମୁହଁରେ ତାଙ୍କ ପାଦ ପଡ଼େନା । ଅଥଚ ଲକ୍ଷେ ଔଷଧ ଅପେକ୍ଷା ବାପାଙ୍କର ପଦିଏ କଅଁଳ କଥା, ଟିକିଏ ହାତ ଆଉଁସା ସେତେବେଳେ ତାଙ୍କ ରୋଗର ନବେ ଭାଗ ଉପଶମ କରି ଦେଇଥାନ୍ତା !!

 

ଦେଖିଦେଖି ଜୟସୂର୍ଯ୍ୟ ପଥର ହେଇ ଯାଇଛି । ପୋଷ ପୋଷ ରକତ ଝରି ପଡ଼ିଛି ତା’ କଲିଜା ତଳୁ ।

 

ପୁଣି ଏ ଅପମାନ ଯାଇଁ ଚରମ ସୀମାରେ ପହଞ୍ଚିଲା ସେତିକିବେଳେ, ଯେତେବେଳେ ବାପା ବଂଶ ବୃଦ୍ଧିର ଦ୍ୱାହି ଦେଇ ଆୟୋଜନ କଲେ ଆଉ ଜଣେ ଷୋଡ଼ଶୀର ହାତ ଧରିବାକୁ-। ....ଅବଶ୍ୟ ସେମିତି ଯେ ବାପାଙ୍କ ବିଷୟରେ କେତେଲୋକେ କେତେ କଥା ନ କହନ୍ତି ଓ ସେ ସମସ୍ତ ମା’ଙ୍କ କାନକୁ ନ ଆସେ, ଏପରି ନୁହେଁ । କିନ୍ତୁ ଏଭଳି ଡାକି ବଜେଇ ଆଉ ଜଣକୁ ଆଣି ମା’ଙ୍କ ଜିଅଁନ୍ତା ଛାତି ଉପରେ ନୃତ୍ୟ କଲେ ତାଙ୍କ ପ୍ରାଣରେ ଯେ କେତେ କଷ୍ଟ ହେବ, ତା’ ଖାଲି ଅନୁଭବ କରି ହେବ ସିନା, କହିହେବ ନାହିଁ ତ । ଖଟ ଖୁରାରେ ମୁଣ୍ଡ ବାଡ଼େଇ ଦେଇ ମା’ ତିନିଦିନ କାଳ ବେଚେତା ହେଇ ପଡ଼ିଲେ ।

 

ତଥାପି ବାପାଙ୍କର ପାଷାଣ ପ୍ରାଣ ତରଳିଲା ନାହିଁ । ହାତ ଧରି ଯାହାକୁ ବିଭା ହେଇଥିଲେ, ତା’ କଲିଜାଚିରା କରୁଣ କ୍ରନ୍ଦନ ଶୁଣି ତାଙ୍କ ଛାତି ଭିତରେ ଗୋଟାଏ କମ୍ପନ ଆସିଲା ନାହିଁ ।

 

ମା’ ବଞ୍ଚି ଥାଉଁଥାଉଁ ନୂଆମା’ ଘରକୁ ଆସିଲା । ବାପା ସେହି ଦରବୁଢ଼ା ବୟସରେ ଫୁଲଚନ୍ଦନ ନାଇ ବରବେଶ ସାଜି ବେଦୀରେ ବସି ବିଭା ହେଲେ ।.......

 

ସେତିକିରେ ବି ସରିଲା ନାହିଁ ହୀନିମାନ । ଯମଙ୍କଠଉଁ ଆଉରି କଠିନ ବାପାଙ୍କ ମନ । ଯମ ଯାହାଙ୍କୁ ଦୟାକରି ଆଜି ପର୍ଯ୍ୟନ୍ତ ନଉ ନଥିଲେ, ବାପା ତାହାଙ୍କୁ ଶୀଘ୍ର ଯମପୁରକୁ ପଠେଇବା ପାଇଁ ଦେଲେ ଓଷଧି ସାଙ୍ଗରେ ବିଷ !–ସ୍ଲୋ ପଏଜନ୍‌ !! .....ମା’ଙ୍କର କ୍ରମେ ଆରମ୍ଭ ହେଲା ଝଲକା ଝଲକା ରକ୍ତବାନ୍ତି । ଫୁଲ କଲିଜା ସତେ କି ଟିକି ଟିକି ହେଇ ଛିଡ଼ି ପଡ଼ିଲା । ଶେଷକୁ ଭୂଇଁ ଦରାଣ୍ଡି ଦରାଣ୍ଡି, ମାଟି ଅଣ୍ଡାଳି ଅଣ୍ଡାଳି କେଡ଼େ ବିକଳରେ ଯେ ତାଙ୍କ ଜୀବ ଛାଡ଼ିଲା, ତା’ ଅନୁଭବୀ ଛଡ଼ା କିଏ ବୁଝିବ ? ଗଛରୁ ପତର ବି ଝରି ପଡ଼ିଛି ସେ କଲବଲ ମରଣ ଦେଖି, ମଣିଷ କଥା କିଏ ପଚାରେ ?

 

ହୁଏତ ବଡ଼ଘରର ଡେଙ୍ଗା ପାଚିରି ମୋଟା କାନ୍ଥ ଡେଇଁ ଏତେ କଥା ପଦାକୁ ଫୁଟି ପାରିନି, ହେଲେ ଜୟସୂର୍ଯ୍ୟ ତ ସବୁ ନିଜ ଆଖିରେ ଦେଖିଛି । ମରି ହଜି ମାଟିରେ ମିଳେଇ ନ ଗଲେ ସେ କି କେବେ ଏକଥା ଭୁଲିପାରେ ? ତେଣୁ ଯେତେ ଯିଏ କହିଲେ ବି ତା’ର ସବୁଦିନେ ବାପାଙ୍କ ସହିତ ଅପଡ଼ । ହୁଏତ ଉପରେ କେତେବେଳେ ପଦେ ଅଧେ କଥାବାର୍ତ୍ତା ହୁଏ, କିନ୍ତୁ ଭିତରେ କେବେ ମନ ମିଳେନା–ବୋଧେ ମିଳିବ ନାହିଁ ଜୀବନସାରା ।

 

ବାର

 

ରେଖା ଚାଲିଗଲା । ଦିବାକର ସଭାକାମ ସାରି ବସାକୁ ଫେରିଲା । ହାଇସ୍କୁଲରେ ପଢ଼ିବାଦିନୁ କେତେ ଝିଅଙ୍କ ସହିତ ସେ ମିଶିଛି । କଲେଜରେ ଡିବେଟିଂ ସୋସାଇଟିରେ, ଥିଏଟର, ଭେରାଇଟି ସୋ’ରେ ବା ବିଭିନ୍ନ ସ୍ଥାନ ପରିଭ୍ରମଣରେ ସେ ବହୁ ରୂପସୀ ତରୁଣୀଙ୍କର ଖୁବ୍‍ ଘନିଷ୍ଠ ସମ୍ପର୍କରେ ଆସିଛି । ହୁଏତ କେତେ ରାତି ରାତି ବିତି ଯାଇଛି ସୁନ୍ଦରୀ ଷୋଡ଼ଶୀଙ୍କ ସହିତ ଯୁକ୍ତି କରି; କେତେ ଫୁଲଫୁଟା ଚାନ୍ଦିନୀ ରାତି କଟିଛି ଦଳ ଦଳ ଲଳନାଙ୍କ ସହିତ ଲେକ୍‌ କୁଳରେ ବୁଲି ବା ଲୀଳାୟିତ ବଟାନିକାଲ୍‌ ଗାର୍ଡ଼ନରେ ପିକ୍‌ନିକ୍‌ କରି । କିନ୍ତୁ କାହିଁ ? ଏପରି ପୁଲକ ତ କେବେ ତା’ ପ୍ରାଣରେ ଜାଗି ନଥିଲା । ଏଭଳି ତ କେବେ ଥର ଥର ହେଇ ଥରି ଉଠି ନଥିଲା ତା’ ତନୁମନ । କିନ୍ତୁ ଆଜି କ’ଣ ହେଲା ଏ ? କିଏ ଆସି ତା’ର ଶୋଇଲା ମନରେ ଲଗେଇ ଦେଲା ନିଆଁ–ଥିର ପାଣିରେ ଖେଳେଇ ଦେଲା ଭଉଁରୀ–

 

ଅବସନ୍ନ ଦେହ ହାତ ନେଇ ଦିବାକର ସେଦିନ ଫେରିଲା । ଛାତିରେ ବି ତତୋଧିକ ଦୁର୍ବଳତା । ସତେକି ସେ କ’ଣ ଭୁଲ୍‌ କରିଛି । କା’ର ଅଜାଣତରେ ଲୁଟି ନେଇଛି ତା’ର ସାଇତା ଧନ । କିନ୍ତୁ ଆଶ୍ଚର୍ଯ୍ୟ–ସେଇଟାକୁ ଭୁଲ୍‌ ବୋଲି ଜାଣିଲେ ବି ସେଇ ଭୁଲ୍‌କୁ ବାରମ୍ବାର ମନେ ମନେ ହେଜି ହେବାକୁ ଭଲ ଲାଗୁଛି । ମନ ହେଉଛି ଜୀବନର ସବୁ ଆଦର୍ଶ, ଉଦ୍ଦେଶ୍ୟ, ଲକ୍ଷ୍ୟ, ସାଧନା ଛାଡ଼ି ସେହି ଭୁଲ୍‍ ପଛରେ ଧାଇଁ ଧାଇଁ ସାରା ଜୀବନଟା କଟେଇ ଦେବାକୁ । ଏଗୁଡ଼ା ଯେମିତି ବଡ଼ ଶୁଷ୍କ, ନୀରସ, ପ୍ରାଣହୀନ ଆଉ ସେଇ ଭୁଲରେ ଯେମିତି ଅଛି ସବୁ ପୂର୍ଣ୍ଣତା–ସବୁ ସୁଖ, ଶାନ୍ତି, ସନ୍ତୋଷ । ....ରାତିସାରା ଭାବି ଭାବି ଦିବାକରର ମୁଣ୍ଡ ଗରମ ହେଇ ଉଠିଲା ।

 

ରେଖାଦେବୀ–ସୁନ୍ଦର । ମୁହଁରେ ଅବଶ୍ୟ ସେ ଅମୀୟ ବୋଳା ଅପରୂପ ରୂପଲାବଣ୍ୟ ନାହିଁ, କିନ୍ତୁ ଅଛି କି ଏକ ମହନୀୟ ଉଦାର ଭାବ–କମନୀୟ ଉଜ୍ଜ୍ୱଳ ଦୀପ୍ତି । କି ଧୀର ନମ୍ର କଥା, କି ସ୍ନେହବୋଳା, ସରଳ ପ୍ରାଣ ପୁଣି ତା’ରି ଭିତରେ କି ଉର୍ଜ୍ଜସ୍ୱଳ ପ୍ରଦୀପ୍ତ ବହ୍ନି । ବି.ଏ. ପାସ୍‍ କରିଛନ୍ତି । ସାଧାରଣ କ୍ଷେତ୍ରରେ କର୍ମୀ । ତଥାପି ବି ମଥାରେ ଅଛି ଓଢ଼ଣା–ଆଖିରେ ଅଛି ଲାଜ ସଙ୍କୋଚ । ପୁଣି ନାରୀର ସେଇ ସ୍ୱଭାବ ସୁଲଭ ଦୁର୍ବଳ ପ୍ରାଣ ଓ ଢଳ ଢଳ ମନ ଭିତରେ କି ଅଦ୍ଭୁତ ଭାବରେ ବିକଶି ଉଠିଛି ଅସୀମ ତେଜ–ଅସାଧାରଣ ବୀରତ୍ୱ । ଟିକିଏ ଅନ୍ୟାୟ ଦେଖିଲେ ବିଜୁଳି ପରି ଚକ୍‌ କରି ଜଳି ଉଠେ ସେ–ଜାଳିଦିଏ ଅତ୍ୟାଚାରୀର ଦମ୍ଭ, ଗର୍ବ, ଔଦ୍ଧତ୍ୟ, ଆତ୍ମପ୍ରୌଢ଼ୀ । ସତେ, ଚମତ୍କାର ଏ ଝିଅଟା । ଘଡ଼ିକେ ମଳୟର ସଞ୍ଚାର କରିପାରେ ଆଉ ଠିକ୍‌ ତା’ ପର ମୁହୂର୍ତ୍ତରେ ଦି’ପଦ କଥାରେ ଲକ୍ଷେ ଲୋକଙ୍କୁ ତତେଇ ପାରେ, ମତେଇ ପାରେ, ଫାସିଖୁଣ୍ଟକୁ ଯିବାପାଇଁ ସଜେଇ ପାରେ । ସୁନ୍ଦର–ବାସ୍ତବିକ୍‌ ସୁନ୍ଦର ଏଇ ଝିଅଟି ।

 

ସୁନ୍ଦର ଆଉ କାହାକୁ କହନ୍ତି କି ? ଖାଲି ଡଉଲଡାଉଲ ରୂପ, ଗୋରା ତକତକ ଚେହେରା, ଚନ୍ଦ୍ରଉଦିଆ ମୁହଁ ବା କାଳିନ୍ଦୀ କଳା ବେଣୀ ହେଲେ ତ ଆଉ ସୁନ୍ଦର ହେବ ନାହିଁ । କେତେ ଝିଅ ତ ସରଗ ରାଇଜର ପରୀଙ୍କ ଠଉଁ ଆହୁରି ସୁନ୍ଦର–ଆହୁରି ରୂପବନ୍ତ, ହେଲେ ତାଙ୍କ ପେଟରେ ଯେତେ ଗଉଁ, ଯେତେ ମନମୋଟ, ଯେତେ ଖୁମାଣ, ସେଥିରେ କୁଆଡ଼େ ଉଭେଇ ଯାଏ ସେ କଅଁଳ ଛନ ଛନ ରୂପ । ସାମାନ୍ୟ ଟିକିଏ ଖରାଧାସ ବାଜିଲେ କୁଆଡ଼େ ଶୁଖି କଳାକାଠ ପଡ଼ିଯାଏ ସେ ଅଲିଅଳ ଲଳନାଙ୍କ କମନୀୟ ରୂପକାନ୍ତି । କିନ୍ତୁ ଯାହାଙ୍କର ଉପର ଚମ ଧଳା ନହେଲେ ବି ଭିତରେ ମହକୁଛି ସୁବାସ–ପୂରି ରହିଛି ନାନାଦି ମିଠାକଥା, ମହତ୍‌ ଗୁଣ, ସହିଷ୍ଣୁ ଭାବ, ସେହିମାନେହିଁ ପ୍ରକୃତ ସୁନ୍ଦର । ଟିକିଏ ଖରା କାହିଁକି, ଦି’ପହରର ଧୁଧୁ ଖରାରେ ତାଙ୍କୁ ଠିଆ କରିଦେଲେ ବି ସେ ମଉଳି ଯିବେ ନାହିଁ ବରଂ ନିଆଁରେ ପଡ଼ି ସୁନା ଅଧିକ ଉଜ୍ଜ୍ୱଳ ଦିଶିଲା ଭଳି, ସେ ଆହୁରି ଚିକ୍‌ ଚିକ୍‌ କରିବେ । .....ରୂପବତୀ ସୁନ୍ଦର ନୁହେଁ, ଗୁଣବତୀହିଁ ପ୍ରକୃତ ସୁନ୍ଦର । ନାଲି ଟହ ଟହ ପଲାସ ଫୁଲକୁ କେହି ଆଦର କରନ୍ତି ନାହିଁ, ରୂପହୀନ ଟିକି ହେନାଟିକି ସଭିଏଁ କରନ୍ତି ଆଦର–ସଭିଏଁ ତୋଳି ଧରନ୍ତି ଆନନ୍ଦରେ ।

 

ଦିବାକରର ବଡ଼ ଲୋଭ ହେଲା, ଏଇ ଗୁଣର ଝିଅଟିକି ସେ ହାତ ପାହାନ୍ତାରେ ପାଆନ୍ତା କି..... ।

 

ପର ମୁହୂର୍ତ୍ତରେ କିନ୍ତୁ ଚମକି ପଡ଼ିଲା ସେ–ଏଁ–ପାଗଳଙ୍କ ଭଳି ସେ କ’ଣ ଭାବୁଛି । ବାମନ ହେଇ ସରଗର ଚାନ୍ଦକୁ ବଢ଼ଉଛି ହାତ । ସେ ଜଣେ କୁଲି ଶ୍ରେଣୀୟ ସାମାନ୍ୟ ମେକାନିକ୍‌ ଆଉ ରେଖାଦେବୀ ଜଣେ ମାନ୍ୟଗଣ୍ୟ ନାରୀକର୍ମୀ–ଯାହାଙ୍କର ଦେଶରେ ଖ୍ୟାତି ଅଛି, ଉପର ମହଲରେ ପ୍ରଶଂସା ଅଛି, ଜନସାଧାରଣଙ୍କ ଭିତରେ ସମ୍ମାନ ଅଛି । ସେ ଏହି ଅତି ତୁଚ୍ଛ ଲୁହାପଟା ମେକାନିକ୍‌କି.....ଛି, ଛି, ଛି, ମନେ ମନେ ବଡ଼ ଲଜ୍ଜିତ ହେଲା ଦିବାକର । ଖରାତେଜ ପାଇ ଘାସ ଉପରର କାକର ସବୁ ମିଳେଇ ଗଲା ଭଳି ତା’ର ସମସ୍ତ ଚିନ୍ତା, ଭାବନା, କଳ୍ପନା, ଜଳ୍ପନା ଘଡ଼ିକେ ଗଲା ଉଭେଇ । ଭଡ଼ାଘରର ଆରପାଖ ବ’ଖରାରେ ବସି କିଏ ଜଣେ ରାଧାନାଥଙ୍କ ‘ଦରବାର’ ପଢ଼ୁଥାଏ–

 

ବସ୍ତୁ ନୁହଁଇ ସେ ଅଟଇଟି ଧୂମ

ଅନ୍ୟ ନାମ ତା’ର ଆକାଶ କୁସୁମ ।

 

ଦିବାକରର ଚେତା ଫେରିଲା । କି ଏକ ଗଭୀର ନିରାଶାରେ ଭରିଗଲା ହୃଦୟ । ସତେ ତା’ହେଲେ କ’ଣ ସେ ଖାଲି ଗୋଟାଏ ମରୀଚିକା ପଛରେ ଧାଇଁ ଧାଇଁ ବୁଲୁଛି ? ପଥିକ ପ୍ରାଣରେ ଏତେ ପିପାସା, ଅଥଚ ପାଣି ଟୋପାଏ ମିଳିବ ନାହିଁ ତା’କୁ । ପଇଡ଼ପାଣି ଖାଲି ବଡ଼ଲୋକଙ୍କ ପାଇଁ, ଗରିବର ତଣ୍ଟି ଶୁଖି ଠକ୍‌ ଠକ୍‌ ହେଇ ମରିଗଲେ ବି ବୁନ୍ଦାଏ ସେ ପାଇବ ନାହିଁ–ଏଇ କ’ଣ ଠାକୁରଙ୍କ ବିଚାର !!

 

ସେଦିନ ମିଲ୍‌ରୁ ଫେରି ରେଖା ସିଧାସିଧା ଯାଇଥିଲା ଟାଉନ୍‌ହଲ୍‌ । ସେଠାରେ ବି ଆୟୋଜନ କରା ହୋଇଥିଲା ଏକ ସମ୍ବର୍ଦ୍ଧନାର । ରାତି ନ’ଟାରେ ସେ କାମ ସାରି ସେ ଫେରି ଆସିଲା ମଦର୍‌ ମେରିଙ୍କ ଘରକୁ । ସେଥିପାଇଁ କାର୍‌ ନେଇ ଇଭ୍‌ ଯାଇଥିଲା ଟାଉନହଲ୍‌ ଯାଏ ।

 

ମେରି ସେ ପର୍ଯ୍ୟନ୍ତ ଅଖିଆ ଅପିଆ ତା’କୁ ଅନିଷା କରି ବସିଥିଲେ । ମଟର ପହଞ୍ଚିବା ସଙ୍ଗେ ସଙ୍ଗେ ଦଉଡ଼ିଯାଇଁ ତା’କୁ କୋଳ କରି ଆଣିଲେ । ଖାଇବା ଜିନିଷ ପ୍ରସ୍ତୁତ ଥିଲା । ଏକା ଟେବଲରେ ବସି ହସିହସିକା ତିନିହେଁ ଆରମ୍ଭ କଲେ ରାତ୍ରି ଭୋଜନ ।

 

ସବୁଦିନ ପରି ସେଦିନ ବି ରେଖାକୁ କୋଳରେ ପୂରେଇ ମେରି ଶୋଇଲେ । ଆର ଖଟରେ ଶୋଇଲା ଇଭ–ଆପଣା ଜନମ କଲା ଝିଅ ।

 

ସଭିଙ୍କ ଆଖିରେ ଘଡ଼ିକେ ଘୋଟିଗଲା ଗାଢ଼ ନିଦ । ହେଲେ ରେଖା–ରେଖା ଆଖିରେ ପଲକଟିଏ ବି ପଡ଼ିଲା ନାହିଁ ବହୁ ଚେଷ୍ଟାରେ । ଦୁନିଆ ଯାକର ସବୁ ଚିନ୍ତା, ସବୁ ବ୍ୟଥା ଯେମିତି ଆସି ଏକାବେଳକେ ଠୁଳ ହେଇଗଲା ମନ ଭିତରେ । ଛ’ ମାସକାଳ ଜେଲ୍‌ର ଅନ୍ଧକାରମୟ ସଂକୁଚିତ ସେଲରେ ରହି ରହି ସେ ଏତେଦିନେ ବାହାରକୁ ଆସିଛି । ବାହାରର ଆଲୋକ, ପବନ, ଗଛଲତା, ନଦନଦୀ, ପାହାଡ଼ ପର୍ବତର ମଧୁମୟ ବାତାବରଣ ତଳେ ମୁକ୍ତ ବିହଗ ଭଳି ମନ ଆନନ୍ଦରେ ଉଡ଼ିପାରୁଛି ଆଜି । ତା’ଛଡ଼ା କେତେ ଘନିଷ୍ଠ ସାଙ୍ଗସାଥି, ବନ୍ଧୁ ବାନ୍ଧବ, ଗୁରୁ ଗୁରୁଜନଙ୍କ ସାକ୍ଷାତ ଲାଭ ବି କମ୍‌ ସୌଭାଗ୍ୟର କଥା ନୁହେଁ । ମଦର୍‍ ମେରିଙ୍କର ପେଟଖୋଲା ସ୍ନେହ ଶରଧା ତ ଜୀବନରେ ଏକ ଗର୍ବର ସାମଗ୍ରୀ । ସର୍ବୋପରି ଆଜିର ବିଭିନ୍ନ ସାଧାରଣ ସଭାରେ ଜନତାର ଯେଉଁ ବିପୁଳ ଆଦର ଅଭ୍ୟର୍ଥନା ତା’ ଏକ ଆଶାତୀତ ଗୌରବର ବିଷୟବସ୍ତୁ । କେତେ ବଡ଼ ବଡ଼ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ବି ଏ ଗୌରବ ମିଳୁଥିବ କି ନାହିଁ ସନ୍ଦେହ । କିନ୍ତୁ ଆଶ୍ଚର୍ଯ୍ୟ–ଏତେ ଆନନ୍ଦ ଭିତରେ ଥାଇଁ ବି ରେଖା ପ୍ରାଣରେ ଦୁଃଖର ରେଖା । ଜୀବନରେ ପ୍ରଥମ ଥରପାଇଁ ଆଖିରୁ ଝରିଛି ଅଶ୍ରୁ ।

 

କଲେଜ ଜୀବନଠାରୁ ଆରମ୍ଭକରି ସାଧାରଣ କ୍ଷେତ୍ରର କର୍ମୀ ଜୀବନ ପର୍ଯ୍ୟନ୍ତ ସବୁଠାରେ ସେ ବହୁ ବହୁ ଯୁବକଙ୍କ ସଂସ୍ପର୍ଷରେ ଆସିଛି । କେତେ କବି, କେତେ ଚିତ୍ରକର, କେତେ ତରୁଣ ଶିଳ୍ପୀ, କେତେ ନିଷ୍ଠାପର ଦେଶ ସେବକଙ୍କ ସହିତ ସେ ମିଶିଛି, ବସିଛି, ଆଳାପ ଆଲୋଚନା କରିଛି, ମାସ ମାସ ଧରି ସହକର୍ମୀ ଭାବେ କାମ ବି କରିଛି । ଗୋଟି ଗୋଟି ହେଇ କୋଡ଼ିଏଟି ବସନ୍ତ ଆସି ତା’ଦେହ ମନରେ କଅଁଳ ହାତ ବୁଲେଇ ଦେଇ ଚାଲିଗଲାଣି । କିନ୍ତୁ କାହିଁ ? କେବେ ତ ସେ ଏପରି ଚଞ୍ଚଳ ହେଇ ଉଠି ନଥିଲା । କେବେ ତ ଏପରି ଲାଜ ସଙ୍କୋଚ ଭୁଲି ଥର ଥର ହେଇ ଝରିପଡ଼ି ନଥିଲା ସେ । ତା’ହେଲେ କିଏ ତା’ ମନ ଗହନରେ ଏ କାଉଁରୀ କାଠି ଛୁଆଇଁଦେଇ ଏଭଳି ବାୟାଣୀ କରିଦେଲା ? କିଏ ତା’ର ପାଷାଣ ହୃଦୟରେ ଝରାଇଦେଲା ଏ କୁଳୁ କୁଳୁ ଝରଣା-?

 

ଦିବାକର ? ହଁ ଦିବାକର । ଦିବାକରର ଦରଶନରେ ଏତେଦିନେ ପାଖୁଡ଼ା ମେଲି ଫୁଟି ଉଠିଛି ପଦ୍ମ । ବସନ୍ତ ଆସିଛି–କୋଇଲି ଗାଇଛି–ମଳୟର ପରଶ ପାଇ ସରୋବରରେ ନାଚିଉଠିଛି ନୀଳଜଳ । ସବୁଜ ପତ୍ରଗହଳରେ ଲାଜ ଢଳ ଢଳ ମଥାଟି ତୋଳି ଶତଦଳ ଭାବୁଛି–ଥରେ ଯଦି ଅଂଶୁମାଳୀ ସରଗ ରାଇଜ ଛାଡ଼ି ଓହ୍ଲେଇ ଆସନ୍ତେ ଏ ମରତ ଭୂଇଁକି......

 

କିନ୍ତୁ ଏ କ’ଣ ? ହଠାତ୍‌ ଏ ଘନ ବଉଦମାଳା କେଉଁଆଡ଼ୁ ଭାସି ଆସିଲା । ଚାହୁଁ ଚାହୁଁ ଅଂଶୁମାଳୀଙ୍କି ଏକାବେଳକେ ଘୋଡ଼ାଇ ଦେଲା ଯେ.......ସପନ ଦେଖିଲା ଭଳି ରେଖା ଚମକି ପଡ଼ିଲା । କ’ଣ ଭାବୁଛି ସିଏ ? କାହିଁକି ମନେ ମନେ ଦେଖୁଛି ଏ ସୁନେଲୀ ସ୍ୱପ୍ନ ? ବାସ୍ତବରେ କି କେବେ ଏହା ସମ୍ଭବ ହେଇପାରେ ? ଏତେବଡ଼ ଆଦର୍ଶବାଦୀ, ଦେଶପ୍ରେମୀ ଯୁବକ–ଜାତି, ବଂଶ, କୁଳ–ସବୁଥିରେ ବହୁଗୁଣରେ ଶ୍ରେଷ୍ଠ । ସେ କ’ଣ କେବେ ଏହି ଅତି ତୁଚ୍ଛ ରାସ୍ତାକଡ଼ର ଭିକାରୁଣୀର ଝିଅଟାକୁ....ନା, ନା ଆଗକୁ ଆଉ ଭାବିପାରିଲା ନାହିଁ ରେଖା । ଦିବାକରକୁ କାହିଁ କେଉଁ ଗୋପନତମ ରାଇଜରେ ଲୁଚେଇ ରଖି ଆକାଶସାରା ଘୋଟିଗଲା ଘନ ବାରିଦ । ଝର ଝର ହେଇ ଝରି ପଡ଼ିଲା ବର୍ଷା....ତକିଆ ଉପରେ ମୁହଁମାଡ଼ି ରେଖା ଭୋ ଭୋ କାନ୍ଦି ଉଠିଲା ।

 

ଧଡ଼ପଡ଼ ହେଇ ମେରି ଉଠି ରେଖାକୁ କୋଳକୁ ଟାଣିନେଲେ–‘‘କ’ଣ ହେଲାରେ ମା’ ! ଦିନେ ନାହିଁ କାଳେ ନାହିଁ ଆଜି କାହିଁକି ତୋ’ ଆଖିରେ ଲୁହ ? କହ ମା’, କ’ଣ ତୋ’ର ଅଭାବ ? ସରଗର ଚାନ୍ଦ ହେଲେ ବି ଏଇ ମୁହୂର୍ତ୍ତରେ ମୁଁ ତୋଳି ଆଣି ଦେବି ।’’

 

ରେଖା ମୁଖରେ କିନ୍ତୁ ଭାଷା ନଥିଲା । ଆଖିରୁ ଝରୁଥିଲା ଅଝର ଝରା ଲୁହ । ମେରିଙ୍କ ଛାତିରେ ମୁହଁ ଗୁଞ୍ଜି ସେ ଖାଲି ବେଶୀ ବେଶୀ କାନ୍ଦିବାକୁ ଲାଗିଲା ।

 

ତେର

 

ହାଟ ସେଦିନ ହୁଲ୍‌ସ୍ଥୁଲ୍‌ ପଡ଼ିଗଲା । ଶହ ଶହ ଲୋକ ସଉଦା କିଣା ଛାଡ଼ି, ଦୋକାନ ପତ୍ର ଛାଡ଼ି ମୁହୂର୍ତ୍ତକେ ଆସି ଜମା ହେଇ ପଡ଼ିଲେ । ସଭିଙ୍କ ମୁହଁରେ ଆଶଙ୍କାର ଚିହ୍ନ । ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଛନ୍ତି ଲୋକଟି ଆଡ଼େ ।

 

ଦିବାକର କିନ୍ତୁ ନଛୋଡ଼ବନ୍ଧା । ଗୋଟାଏ ଗଜା ଆମ୍ବଗଛ ମୂଳକୁ କୁଣ୍ଢେଇ ଧରି କହୁଛି–‘‘ହାଣ–ଆଗ ମୋତେ ହାଣିସାର ତା’ପରେ ଯାଇଁ ଏ ଗଛକୁ ହାଣିବ । ତା’ ଆଗରୁ ମୁଁ କେବେ ହଣେଇ ଦେବି ନାହିଁ ।’’ ....ଗଛକୁ କୁଣ୍ଢେଇ ଧରି ତଳକୁ ମୁହଁମାଡ଼ି ହାମୁଡ଼େଇ ପଡ଼ିଛି ସେ, ଉପରେ ଲହ ଲହ କରୁଛି ଚାରି ଚାରିଟା ମସ୍ତବଡ଼ ଧୋବା କୁରାଢ଼ି ।

 

ଲୋକେ ତଟସ୍ଥ । ଜମିଦାର ସୁଟ୍‌ ପିନ୍ଧି ଥନ୍ତଲ୍‌ ପେଟ ଦେଖେଇ ମଟର ଭିତରେ ବସିଛନ୍ତି-। କ’ଣ କରିବେ କିଛି ବୁଦ୍ଧି ବାଟ ପାଉ ନାହାଁନ୍ତି ।

 

ଭଁ କିନା ହର୍ଣ୍ଣ ବଜେଇ ଭୁସ୍‌କିନା ଆସି ମଟରରୁ ଓହ୍ଲେଇ ପଡ଼ିଲା ରେଖା । କଟକରୁ ସେ ସ୍ଥାନ ଚାରିମାଇଲ୍‌ ବାଟ । ହେଲେ ବି କାହାଠଉଁ ଶୁଣାପାଇ ବିଜୁଳି ପରି ଧାଇଁ ଆସିଛି ସେ । ସିଧା ସଳଖ ମଟର ପାଖକୁ ଯାଇଁ ଜମିଦାର ସାହେବଙ୍କୁ କହିଲା–‘‘ଦେଖନ୍ତୁ, ଏ କୋଡ଼ିଏ କୋଶ ଅଙ୍କରାତିରେ ଯେତେ ଯୋଉଠି ହାଟ, ତୋଟା, ବାଡ଼ି, ବଗିଚା ଥିଲା ସବୁ ଆପଣ କାଟି ସଫା କରି ଦେଲେଣି । କେତେ ବଡ଼ ବଡ଼ ଗଜା ଆମ୍ବତୋଟାମାନ ଆପଣଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି ଆଖି, ପିଞ୍ଛଡ଼ାକେ ପଦା ହେଇଯାଉଛି, ଜମିଦାରୀ ଖସିଯିବା ଭୟରେ ଆପଣ ଏକାବେଳକେ ଅନ୍ଧ ହେଇ ଗଲେଣି । ହେଲେ ଏଭଳି ଅନ୍ୟାୟ କେବେ ଧର୍ମ ସହିବ ନାହିଁ । ଏ ଆଲୁଅ ଯୁଗରେ ଲୋକେ ବି କେବେ ବରଦାସ୍ତ କରିବେ ନାହିଁ ଆପଣଙ୍କର ଏ ମନମୁଖୀ ଶୋଷଣ ।’’

 

ଜମିଦାର ତାଚ୍ଛଲ୍ୟଭରା ହସ ହସିଲେ–‘‘କିଏ ତମେ ? ଏ ମୋର ଜମିଦାରୀ ଇଲାକା । ଏଠି ମୁଁ ଯା’ ଇଚ୍ଛା ତା’ କରିପାରେ । ବେଶୀ ଗୋଳମାଳ କଲେ ତମକୁ ମୁଁ ପୁଲିସ ଆଣି ଆରେଷ୍ଟ କରେଇବି ।’’

 

‘‘ବେଶ୍‌, ତାହାହିଁ କରନ୍ତୁ । କିନ୍ତୁ ଆମେ କୌଣସିମତେ ଗଛ କଟେଇ ଦେବୁ ନାହିଁ ’’–ବୁଲିପଡ଼ି ଜନତାକୁ ସମ୍ବୋଧନ କରି ରେଖା କହିଲା–‘‘ଦେଖନ୍ତୁ, ଆପଣ ଏମିତି ମଲାମୂଷା ଭଳି ପଡ଼ି ରହିଥିବାରୁ ଜମିଦାର କରି ଚାଲିଛି ଏ ଶୋଷଣ । ଆଖିରେ ଆଙ୍ଗୁଠି ଗେଞ୍ଜି ଛଡ଼େଇ ନେଇ ଯାଉଛି ଆପଣଙ୍କ ପିଲାଛୁଆଙ୍କ ତୁଣ୍ଡର ଆହାର–ଗଛ, ମାଛ, ଗୋଚର, ଅନାବାଦୀ । ଏହାର ତୀବ୍ର ପ୍ରତିରୋଧ କରନ୍ତୁ–ସମସ୍ତଙ୍କର ମଙ୍ଗଳ ପାଇଁ କେତେଜଣ ହୁଏତ ସେଥିପାଇଁ କଷ୍ଟ ସହିବାକୁ ପ୍ରସ୍ତୁତ ହେଇ ପଡ଼ନ୍ତୁ ।’’

 

ଜମିଦାରଙ୍କୁ ଚାହିଁ କହିଲା–‘‘ଆସନ୍ତୁ, ଗଛ ହାଣିବେ ତ, ଦିବାକର ବାବୁଙ୍କ ସହିତ ମୋତେ ମଧ୍ୟ ଏଇ ଗଛମୂଳେ ଆଗ ହାଣନ୍ତୁ । ତା’ପରେ ଯାଇଁ ଗଛରେ ଚୋଟ ବସେଇବେ ।’’

 

ରେଖା ବି ଯାଇଁ ସେହି ହାଣକୁରାଢ଼ି ମୁହଁରେ ବେକ ଦେଖେଇ ଦେଲା । .....ଲୋକେ ତ ଆଉ ଏତେ ନିର୍ଜୀବ କାଠ ପଥର ନୁହନ୍ତି । ଆଖି ଆଗରେ ନିତି ନିତି ଦେଖୁଛନ୍ତି ଗାଁକୁ ଗାଁ ତୋଟା ପଦା ହେଇଯାଉଛି । ଜମିଦାରଙ୍କ ସିନ୍ଦୁକ ପୂରି ମଟର ଉପରେ କିଣା ହେଉଛି ମଟର ଆଉ ଏଣେ ଛାଇତଳିଆ ଗାଁଗୁଡ଼ିକ ହେଉଛି ମଶାଣି ପଦା । କେତେ ଆଉ ସେମାନେ ସହିବେ ? ଖାଲି କେହି ମଙ୍ଗୁଆଳ ନଥିବାରୁ ତାଙ୍କର ବହପ ପାଉ ନଥିଲା ସିନା, ତା’ ନହେଲେ ଲୋକେ ବହୁଆଗରୁ ତାତିକରି ରହିଥିଲେ । ସମସ୍ତେ ସମସ୍ୱରରେ କହିଉଠିଲେ–‘‘ହଁ, ହାଣନ୍ତୁ ଜମିଦାର ସାହେବ–ଖାଲି ଆପଣ ଦି’ଜଣଙ୍କୁ ନୁହେଁ ଆମ ସମସ୍ତଙ୍କୁ ବି ହାଣନ୍ତୁ ସେ । ତା’ପରେ ଯାଇଁ ଗଛ ହାଣିବେ । ଦେଶ ତ ମଶାଣି ହେଲାଣି, ଆଉ କ’ଣ ହବାକୁ ବାକି ଅଛି ?’’ .....ସମସ୍ତେ ଲଟ୍‌ଲାଟ୍‌ ଯାଇଁ ଗଛ ଚାରିପାଖ ଶିଅ ଉପରେ ଶୋଇ ପଡ଼ିଲେ ।

 

ଜମିଦାରଙ୍କ ମନରେ ଚେତା ପଶିଲା । ଛାତିରୁ କମି ଆସିଲା ତାତି । ନରମ ହେଇ ମଟରରୁ ଓହ୍ଲେଇ ଆସି ଦିବାକର, ରେଖାକୁ ପାଖକୁ ଡାକିଲେ । ଲଜ୍ଜାରେ ମୁଣ୍ଡ ଯେତେ ଜଳିଗଲେ ବି ସମାଧାନ କରିବାକୁ ବାଧ୍ୟ ହେଲେ ସେ । ....ସେଦିନ ଗଛକଟା ବନ୍ଦ ରହିଲା । ଖାଲି ସେଦିନ କାହିଁକି, ସେହି ଦିନଠୁ ପ୍ରାୟ ଗଛକଟା ବନ୍ଦ ହୋଇଗଲା ସେ ଅଞ୍ଚଳରେ ।

 

ଲୋକମାନଙ୍କୁ ବୁଝାସୁଝା କରି ଦିବାକର, ରେଖା ଏକା ମଟରରେ ମିଲ୍‌ କି ଫେରିଲେ । ରେଖା ଡ୍ରାଇଭିଂ କରୁଥାଏ । କ୍ଲିନର ବସିଥାଏ ପଛ ସିଟରେ । ଦିବାକରକୁ ରେଖା ଅନୁରୋଧ କଲା ସାମନା ସିଟରେ ବସିବାକୁ !

 

ବାଟରେ–

 

ରେଖା ହସି ହସି କହିଲା–‘‘ବାଃ, ଲକ୍ଷେବାର ଧନ୍ୟବାଦ୍‌ ଆପଣଙ୍କୁ । ଆପଣଙ୍କ ଦୁଃସାହସ ଦେଖି ତ ମୁଁ ଏକାବେଳକେ ଡରି ଯାଇଥିଲି । ଯେତେହେଲେ ଅର୍ଥପିପାସୁ, କୃପଣ ଜମିଦାରଟା–ନାହିଁନାହିଁ ଯଦି ଚଣ୍ଡାଳ ବୁଦ୍ଧି କରି...

 

‘‘କରୁ–କ୍ଷତି କ’ଣ ? କୁରାଢ଼ି ଚୋଟରେ ହୁଏତ ଗୋଟାଏ ମୁଣ୍ଡ କଟିଯାଇଥାନ୍ତା, କିନ୍ତୁ ଲକ୍ଷେ ମୁଣ୍ଡରେ ତା’ ଆଣି ନ ଥାନ୍ତା କି ଉତ୍ସାହ–ଉତ୍ତେଜନା ? ତତଲା ରକ୍ତ ଦେଖିଲେ ସାଙ୍ଗେ ସାଙ୍ଗେ ତାତି ଉଠି ନଥାନ୍ତେ ଲୋକେ । ଆଉ ସେତିକିରେ ତ ହେଇଥାନ୍ତା ସବୁ ସମସ୍ୟାର ସମାଧାନ । ଏ କ୍ଷୁଦ୍ର ଜୀବନ ବି ସାର୍ଥକ ହେଇଥାନ୍ତା ସେ ପବିତ୍ର ବଳିରେ ।’’

 

‘‘ହେଲା ଯେ, ଜୀବନଟା କ’ଣ ଏଡ଼େ ଶସ୍ତା ?’’

 

ଦିବାକର ଟିକିଏ ହସିଲା । କହିଲା–‘‘ଆପଣ ପରା ନିଜେ ସେଦିନ ମୁନିସିପାଲ୍‌ଟି ପଡ଼ିଆ ସଭାରେ କହୁଥିଲେ–‘‘ମଣିଷ ଜୀବନ ପର ପାଇଁ । ଯିଏ ତା’ ନକରି ଖାଲି ନିଜ ପାଇଁ ସାଇତି ରଖେ, ସେ ସ୍ୱାର୍ଥପର.... ।’’

 

ରେଖା ମନ ଗର୍ବରେ ପୂରି ଉଠୁଥିଲା । ଟିକିଏ ରହି କହିଲା–‘‘କିନ୍ତୁ ଯୋଉ ଜମିଦାରଙ୍କୁ ବଡ଼ବଡ଼ିଆ ଘଣ୍ଟ ଘୋଡ଼େଇ ରଖିଛନ୍ତି, ତାଙ୍କୁ ଆମଭଳି ରାମା ଶାମା କେଇଜଣ ହୁରୁଡ଼ା ହୁରୁଡ଼ି କଲେ କ’ଣ ହେବ ? ଜମିଦାରୀ ଉଠେଇବେ ଉଠେଇବେ କହି ସଙ୍ଗେ ସଙ୍ଗେ ଉଠେଇଲେ ନାହିଁ । ଫଳରେ ଏ ସମସ୍ତ ଜୁଆଚୋରି । ତେଣେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଇ କରା ହେଉଛି ବନ ମହୋତ୍ସବ, ଆଉ ଏଣେ ଦିନ ଦି’ପହରେ ସେହି ବଡ଼ବଡ଼ିଆଙ୍କ ନାକ ଅଗରେ ଚାଲିଛି ବନ ଉତ୍ପାଟନ–ବୃକ୍ଷ ଚ୍ଛେଦନ । ଏଥିରେ କ’ଣ କରିବେ ? ଖେତ ଖାଇଗଲା ବୋଲି ମାଲିକଙ୍କୁ ନ କହି ଏ ଗାଈଙ୍କି ବାଡ଼େଇ ଲାଭ କ’ଣ ?’’

 

‘‘ବୁଝିଲି । ମୋର ତ ରାଗ ହୁଏ, ଗାଈ ମାଲିକ ଉଭୟଙ୍କୁ ପିଟି ପିଟି ସିଧା କରି ଦେବାକୁ-। କିନ୍ତୁ ତା’ କଲେ ଆଇନ୍‌ ଆମକୁ ବାନ୍ଧି ନବ ନାହିଁକି ? ବରଂ ଗାଈକି ଆଗ ଦି’ଚାରି ଥର ନେଇ କାଞ୍ଜିଆହୁଦାରେ ପକେଇବା । ତେଣିକି ଯଦି ଫଳ ନ ହୁଏ–ପୁଣି ଯଦି ଗାଈ ଓଲିଆ ହେଇ ଆସି ଆମ ଖେତକୁ ମୁହଁ ବଢ଼ାଏ, ତା’ହେଲେ ସଭିଏଁ ସଦଳବଳେ ଯାଇଁ ପହଞ୍ଚିବା ମାଲିକ ପାଖରେ ।’’

 

‘‘ବାଃ, ସୁନ୍ଦର ସିମିଲି ତ (ଉପମା)’’–ରେଖା ହସି ଉଠିଲା–‘‘କିନ୍ତୁ ଆପଣ ଜାଣନ୍ତି, ଏଇ ଆପଣଙ୍କ ଗାଈ ଆଉ ମୋ ଜମିଦାରଙ୍କୁ କେତେ ମୋଟାମୋଟା କ୍ଷତିପୂରଣ ଦିଆଯାଉଛି ତାଙ୍କ ଜମିଦାରୀ ପାଇଁ ?’’

 

‘‘ଜାଣେ ଆଜ୍ଞା । ଥେଲାବାଲା ଗୋଷ୍ଠୀଙ୍କର ଏ ବିଚାର କିନା, ତେଲିଆ ମୁଣ୍ଡରେ ତେଲ ନ ଦେଲେ ତାଙ୍କ ଛାତି ଫାଟିଯିବ । ସେମାନେ ତ ଯୋଉ ମୂଳଧନରେ ଜମିଦାରୀ କିଣିଥିଲେ, ତା’ର ଶହେ ଗୁଣ କାହିଁକି ହଜାର ଗୁଣ ମାରି ନେଇ ସାରିଲେଣି–ପୁଣି ଆହୁରି ଦିଆଯିବ କାହିଁକି ? କ’ଣ ଜମିଦାରୀ ନେଇ ତା’ଙ୍କୁ ପୁଣି ନୂଆ ଶୋଷକ, ପୁଞ୍ଜିପତି, ମିଲ୍‌ମାଲିକ କରିବାକୁ ? ମାଛ ତେଲରେ ଯିଏ ମାଛ ଭାଜୁଛନ୍ତି ତାଙ୍କୁ ପୁଣି ଯଚା ହେଉଛି ଶହେ ଗାଡ଼ି, ଦୁଇଶ’ ଗାଡ଼ି ଲେଖା ତେଲ ଅଥଚ ଆମେ ଗରିବଗୁଡ଼ା ଏଣେ ପେଟ ବିକଳରେ ଏକାବେଳକେ ମରିଗଲୁଣି । ....ପୁଣି ସେତିକିରେ ଶେଷ ହେଉନାହିଁ ଏ ଟ୍ରାଜେଡ଼ି । ଓଡ଼ିଶାରେ ତ ତିନିଭାଗ ବେଛପରି ଜମିଦାର । କଲିକତାରେ ଇଷ୍ଟଇଣ୍ଡିଆ କମ୍ପାନୀ ଅଫିସରେ କିରାଣି, ଚପରାସି କାମ କଲାବେଳେ ନାନାଦି ଚଞ୍ଚକ ଧରି ଶାଗ ମାଛରେ କିଣି ନେଇଛନ୍ତି ଓଡ଼ିଶାର ଜମିଦାରୀତକ । ବକ୍‌ସି ଜଗବନ୍ଧୁଙ୍କ ରୋଡ଼ଙ୍ଗ କିଲ୍ଲା ଗଲାଭଳି ଅଧିକାଂଶ ଜମିଦାରୀ ହସ୍ତାନ୍ତର ହେଉଛି ଏକ କୂଟ, କପଟ, ଜାଲ, ଜୁଆଚୋରି ଭିତରେ । ବର୍ତ୍ତମାନ ସେହି ଷଡ଼ଯନ୍ତ୍ର ପାଇଁ ତାଙ୍କଠାରୁ ଯଥେଷ୍ଟ ଜୋରିମାନା ଆଦାୟ କରା ନ ହେଇ ଓଲଟି ତା’ଙ୍କୁ କ୍ଷତିପୂରଣ ଦେବାଟା କେଡ଼େ ହାସ୍ୟାସ୍ପଦ କଥା !!

 

ରେଖା ବଡ଼ ଗମ୍ଭୀର ହେଇ ଉଠିଥିଲା । କଥା ମଝିରେ ବାଧା ଦେଇ କହିଲା–‘‘ନା, ନା, ଏ ବଡ଼ ସଂକୀର୍ଣ୍ଣ ମନୋଭାବ, ଏଠି ଧନୀ ଦରିଦ୍ର, ଶୋଷକ ଶୋଷିତଙ୍କ ଭିତରେ ସଂଘର୍ଷ ହେଉଛି । ତା’ ଭିତରକୁ ଏ ହୀନ ପ୍ରାଦେଶିକତା ଟାଣି ଆଣିବା ଅସୁନ୍ଦର ହେବ ।’’

 

‘‘ଟିକିଏ ସହିଷ୍ଣୁ ହେଲେ ବୋଧେ କଥାଟା ଏତେ ଅପ୍ରାସଙ୍ଗିକ ବା ଅସୁନ୍ଦର ଜଣା ଯିବନି । ମୁଁ ସେହି ଶୋଷକ ଶୋଷିତଙ୍କ କଥା କହୁଛି । ଟିକିଏ ତଳେଇ କରି ଦେଖିଲେ ଜାଣି ପାରିବେ–ଇଂରେଜ ଭାରତୀୟଙ୍କ ଭିତରେ ଯୋଉ ସମ୍ପର୍କ, ଅଣ ଓଡ଼ିଆ ଓଡ଼ିଆଙ୍କ ଭିତରେ ସେହି ସମ୍ପର୍କ, କଟକି ସମ୍ବଲପୁରୀଙ୍କ ଭିତରେ ସେହି ସମ୍ପର୍କ–ସବୁଠେଇଁ ସେଇ ଶୋଷକ ଶୋଷିତଙ୍କ ସମସ୍ୟା । ପୁଞ୍ଜିପତିମାନେ ଖାଲି କମ୍ୟୁନିଷ୍ଟ ନାଁ ଶୁଣୁ ଶୁଣୁ ଛାନିଆ ହେଇ ପଡ଼ିଲା ଭଳି, ଏଇ ସମସ୍ୟାର ସାମାନ୍ୟ ଟିକିଏ ଆଭାସ ପାଇଲାମାତ୍ରେ ତା’କୁ ସଂକୀର୍ଣ୍ଣ ପ୍ରାଦେଶିକତା କହି ଉଡ଼େଇ ଦେଲେ ଚଳିବ ନାହିଁ । ଏତେ ମହାଭାରତୀୟ ହେଉଁ ହେଉଁ ଶେଷରେ ଆମେ ଆତ୍ମପ୍ରତ୍ୟୟ ହରେଇ ବସିବା-। ଅନ୍ୟମାନଙ୍କ ଚାପରେ ପଡ଼ି ହୁଏତ ଦିନେ ଏକାବେଳକେ ଅସ୍ତିତ୍ୱ ହରେଇବ ଆମ ଜାତି, ଆମ ଦେଶ, ଆମ ଭାଷା, ଆମ ସଂସ୍କୃତି....’’

 

କିନ୍ତୁ ବଡ଼ ବଡ଼ ଅନୁଷ୍ଠାନରେ ବା ବଡ଼ ବଡ଼ ଚାକିରି-ବାକିରିରେ ଅଣଓଡ଼ିଆଙ୍କୁ ଆଣି ନ ରଖିଲେ ଆମର ସେଥିପାଇଁ ଲୋକ କାହାଁନ୍ତି ?’’

 

‘‘ମାନୁଛି ମେଡ଼ିକାଲ୍‌ କଲେଜରେ ବଡ଼ ବଡ଼ ପ୍ରଫେସର ଅଣଓଡ଼ିଆ ହେଇପାରନ୍ତି, କିନ୍ତୁ ଗ୍ରାମମଙ୍ଗଳ ବିଭାଗରେ ଅଣଓଡ଼ିଆଙ୍କୁ ଆଣି ଭରତି କରିବାରେ ଯଥାର୍ଥତା କାହିଁ ? ତା’ଛଡ଼ା ପ୍ରାଦେଶିକତା ଆପଣ କାହାକୁ କହୁଛନ୍ତି କି ? ଆମେ ତ ଅନ୍ୟ ଜାତି ଉପରେ ଜବରଦସ୍ତ ନେଇ ଆମ ଭାଷା ବା ଭାବ ଚପେଇ ଦଉନୁ ବା ତାଙ୍କ ଉପରେ କୌଣସି ପ୍ରକାର ଜୁଲମ ବା ଅତ୍ୟାଚାର କରୁନୁ । ଆମେ ଖାଲି ଚାହୁଁଛୁ ଆମ ନିଜର ସ୍ୱାର୍ଥରକ୍ଷା–ଆମ ସଂସ୍କୃତିକୁ ନେଇ ବଞ୍ଚେଇ ରଖିବା । ଏଟାକୁ ତ କେବେ ପ୍ରାଦେଶିକତା କୁହା ଯିବନି, ବରଂ ଏଇ ଅଞ୍ଚଳକୁ ଶିକ୍ଷା, ସଭ୍ୟତା, ଆଲୋକ, ଅଗ୍ରଗତି ସବୁ ଦିଗରେ ଉତ୍ତମ ରୂପେ ପରିପୁଷ୍ଟ କରି ପାରିଲେ ଭାରତ ରାଷ୍ଟ୍ରର ଗୋଟିଏ ଅଙ୍ଗ ପରିପୁଷ୍ଟ ହେବ–ବଳବାନ୍‌ ହେବ । ତା’ ନହେଲେ ହୁଏତ ରାଷ୍ଟ୍ରର ଏଇ ଅଙ୍ଗଟି ଦୁର୍ବଳ ହେଇ ପଡ଼ିବ-। ଫଳରେ ସାରା ଦେହରେ ହେବ ଯାତନା । ଆଉ କିଏ ଜାଣେ ହୁଏତ ଏଇ ଗୋଟିଏ ଅଙ୍ଗ ପାଇଁ ସମଗ୍ର ଦେହଟା ବି ଦିନେ ଅକର୍ମଣ୍ୟ ହେଇ ଯାଇପାରେ । ତେଣୁ ଅନ୍ୟମାନଙ୍କ ଶୋଷଣରୁ ନିଜକୁ ରକ୍ଷାକରି ନିଜର ପୁଷ୍ଟି ସାଧନ କରିବା କେବେ ସଂକୀର୍ଣ୍ଣ ପ୍ରାଦେଶିକତା ନୁହେଁ, ବରଂ ତା’ହିଁ ପ୍ରକୃତରେ ମହାଭାରତୀୟ ଜାତୀୟତା ।’’

 

ନଈ ଭିତରକୁ ମଟର ଗଡ଼ିଲା । ରେଖା ଖାଲି ତନ୍ମୟ ହେଇ ଭାବୁଥିଲା–ବାସ୍ତବିକ ଯୁବକଟି ଦେଶ ପାଇଁ କେତେ ଗଭୀର ଚିନ୍ତା କରିଛନ୍ତି–କେତେ ନିବିଡ଼ ଭାବେ ଅନୁଭବ କରିଛନ୍ତି ଏ ଜାତିର ଦୁଃଖ ଦୁର୍ଦ୍ଦଶା । ତୁଣ୍ଡ ଖୋଲି କିଛି ଉତ୍ତର ଦେଲାନି । ମନ ଭିତରେ କିନ୍ତୁ ତାଙ୍କ ପ୍ରତି ଭରିଗଲା ଅସୀମ ଭକ୍ତି ।

 

ଚଉଦ

 

ମାଟି କଳସୀଟି କାଖରେ ଧରି ନଈ ଭିତରକୁ ପାଣି ଆଣି ଯାଉଥିଲା ରାଜଲକ୍ଷ୍ମୀ । ବଡ଼ଘରର ଝିଅ, ହେଲେ ଏତ ଆଉ କଟକ ସହର ନୁହେଁ, ମଫସଲରେ ସବୁ ଝିଏ ପାଣି ଆଣନ୍ତି, ମସଲା ବାଟନ୍ତି, ଭାତ ରାନ୍ଧନ୍ତି । ସହର ଭଳି ଖାଲି ସିନେମା, ଥିଏଟର ଦେଖୁ ଦେଖୁ ତାଙ୍କ ଦିନ ଯାଏନା । .....ଝିଅଟି ଚବଚବ କରି ପାଣି ଭିତରେ ପଶି ଯାଇଁ ତୁଠ ପଥର ଉପରେ ବସି ଗୋଡ଼ ଘଷିହେଲା ।

 

ହସିହସି ତେଣୁ ଆସି ପହଁଞ୍ଚିଲା କୁସୁମ । ମନ ଆନନ୍ଦରେ ଢଗଟିଏ ମେଲିଦେଲା–

 

‘‘ତୁଠ ନିରିମଳ ପାଣି ଗଙ୍ଗାଜଳ

ମୁଗୁନି ପଥର ପଡ଼ିଛି;

କେତେ ଘଷି ମାଜି      ହେଉ ଲୋ ସୁନ୍ଦରି

ତୋ ପାଇଁ ପୁରୁଷ ଝୁରୁଛି ।’’

 

କୁଳକୁଞ୍ଚାଟାଏ ପକେଇ ଦେଇ ସେଇ ହସ ମୁହଁରେ ଉତ୍ତର ଦେଲା ରାଜଲକ୍ଷ୍ମୀ–

 

‘‘ମୁଁ ତ ସୁନା ମୁଁ ତ ରୂପା

ମୁଁ ତ ଅଳପ ବୟସୀ,

ମୋ ପାଇଁ ଯୋଉ       ପୁରୁଷ ଝୁରୁଛି

ସେ ତ ଅରଣା ମଇଁଷି ।’’

 

‘‘ହଁ, ଅରଣା ମଇଁଷ ? –ଦଉଛି ରହ ଆଜି ଦିବାକରକୁ ଲେଖି । ତୋ’ ଉଗୁରି ଯଦି ସେ ନ ଭାଙ୍ଗିଛି.....’’–ହସି ହସି କହିଲା କୁସୁମ ।

 

‘‘କୋଉ ଦିବାକର ଲୋ–ତତେ ବାହା ହଉନାହିଁ ଦିବାକର ।’’

 

‘‘ହୁଁ ଛାଡ଼ିଦବୁ ? ଶୁଣୁଶୁଣୁ ତ କୁଆଡ଼େ ପାଟିରୁ ନାଳ ବୋହିଲାଣି, ଆଉ ଦେଖିଲେ କୁଆଡ଼େ ଛାଡ଼ିଦବ ଇଏ–କାନି–ଅଗରେ ବାନ୍ଧି ସାତ ସିନ୍ଦୁକରେ ପୂରେଇ ନ ରଖିଛୁ......ସତେ ଆମ୍ବକସି ! ତୋ ଆଖିକାନ ରାଣ–ମତେ ସେଇ ଚଉଠି ଦିନ ରାତିରେ ଟିକିଏ ମନେ ପକଉଥିବୁ ।’’

 

‘‘ଭାକ୍‌–କେଡ଼େ ଡବଡବିଟା ତୁ । କିଏ ଯଦି ଶୁଣିବ......’’ ‘‘ଶୁଣୁ-ଶୁଣିଲେ କ’ଣ ବାହାଘର ଭାଙ୍ଗି ଯାଉଛି ? ଇସ୍‌ମାଇଲ୍‍ ଚଚ୍ଚା ତ କହୁଥିଲେ ଦୁନିଆ ଓଲଟି ଯିବ ପଛକେ ଏ ବାହାଘର ନିଶ୍ଚେ ହବ ହବ ହବ ।’’

 

‘‘ଆରେ ମୁଁ ସେକଥା କହୁଛି । ଯିଏ ଶୁଣିବ, ସିଏ କ’ଣ ଭାବିବ ?’’

 

‘‘ଭାବିବ ଶ୍ରୀମାନ୍‍ ଦିବାକରଙ୍କ ସହିତ ଶ୍ରୀମତି ରାଜଲକ୍ଷ୍ମୀଙ୍କ ବିଭାଘର ହେଉଛି । ଯଥା–ରାମସ୍ୟ ସୀତା, ରାବଣସ୍ୟ ମନ୍ଦୋଦରୀ, ନଳସ୍ୟ ଦମୟନ୍ତୀ....’’

 

ଠୋ ଠୋ ହେଇ ହସି ଉଠିଲା ରାଜଲକ୍ଷ୍ମୀ–‘‘ଆଉ ଯଥା କେଶବସ୍ୟ କୁସୁମ’’

 

‘‘ହଉ, ହେଲା ଏବେ, ମୁଁ ତ ଆଉ ମେମ୍‌ ସାହେବ ହେଇ ଯାଇଁ ଟେବଲରେ ଚା’ ବିସ୍‌କୁଟ ଖାଉ ନାହିଁ ?’’

 

‘‘ତୋ’ର ଯଦି ଲୋଭ ହେଉଛି, ତୁଇ ଯା’ ମେମ୍‌ ସାହେବ ହେବୁ ।’’

 

‘‘ଇଲୋ ମାଆଲୋ–ମୋ ଭଳିଆ ନାଣ୍ଡିମୁଣ୍ଡି ଖଇରିକାଣ୍ଡି କି କିଏ ପଚାରିବ ? ଆଗ ତ ଚଚ୍ଚା କହିବେ–ମୋ ଦିବାକର ସାଙ୍ଗକୁ ଏ ସାଜିବ ନାହିଁ । ଚଚ୍ଚାଙ୍କର ଦିବାକର ପ୍ରତି କମ୍‌ ଲୋଭ କିଲୋ–ତା’ଲାଗି ପରା କହିଲା ମାତ୍ରେ ଜୀବନ ଦେଇଦେବେ ସେ ।’’

 

ଆରପାଖରେ ବେଣାବୁଦା ଆଢ଼ୁଆଳରେ ବସି ବନସୀ ପକାଉଥିଲେ ଚଚ୍ଚା । ଝିଅ ଯୋଡ଼ିକ ତା’ଙ୍କୁ ଦେଖି ପାରି ନାହାଁନ୍ତି, ହେଲେ ସେ ଶୁଣୁଛନ୍ତି ସବୁ କଥା ।

 

ଦୀର୍ଘ ନିଶ୍ୱାସଟିଏ ପକେଇ ରାଜଲକ୍ଷ୍ମୀ କହିଲା–‘‘ହଁ, ତାଙ୍କରି ଲାଗି ତ ଏ ମଣିଷ । ଆପଣା ପୁଅମାଇପଙ୍କୁ ହାଣମୁହଁକୁ ଦେଇ ସେଇ ପରା ବଞ୍ଚେଇଛନ୍ତି ଏ ଦି’ ଭାଇଙ୍କି । ସେ ମଣିଷ ନୁହଁନ୍ତି ଲୋ ସାକ୍ଷାତ୍‌ ଦେବତା ।’’

 

‘‘ହଉ, ଦେବତାଙ୍କ ଘରକୁ ଯାଇଁ ଏ ମାନବୀଙ୍କି ଭୁଲି ନ ଗଲେ ହେଲା–’’

 

‘‘ଯା, ସବୁବେଳେ ତୋ’ର ଖାଲି ଫାଜିଲାମି–’’

 

‘‘ଆଉ ତୋ’ର ? ତୋ’ର ସବୁବେଳେ ଖାଲି ଦିବାକର ଲାଗି ପାଗଳାମି.....’’

 

‘‘ଆରେ, ବଡ଼ ଦୁଷ୍ଟ ତ ତୁ । ଦେବି ଯେ ଦି’ଟା ବସେଇ’’

 

‘‘ଭାରି ଦେଲାବାଲା–ଆଉ କା’ ହାତରେ ବେଙ୍ଗ ବନ୍ଧା ହେଇଛି କି ?’’

 

ବାଲିମୁଠାଏ ଧରି ରାଜଲକ୍ଷ୍ମୀ ଫୋପାଡ଼ିଲା କୁସୁମ ଉପରକୁ । କୁସୁମ ବି ଛାଡ଼ିବା ଜନ୍ତୁ ନୁହେଁ । ପକେଇଲା ଆଞ୍ଜୁଳା ଆଞ୍ଜୁଳା ପାଣି । ପୁଣି ରାଜ ପକେଇଲା ବାଲି, ମାଟି, ଗୋଡ଼ି.......ତା’ପରେ ଧରାଧରି, ଟଣାଟଣି, କୁତୁରୁ କାଳିଆ....ନିରୋଳା ନଈକୂଳଟା କ୍ଷଣକପାଇଁ ଉଛୁଳି ଉଠିଲା ସେ କିଲିକାଲିଆ ହସରେ ।

 

ଚଚ୍ଚା ସବୁ ଦେଖିଲେ–ସବୁ ଶୁଣିଲେ । ଆନନ୍ଦରେ ଦୁଇଟି ଧାର ଲୁହ ଗଡ଼ିପଡ଼ିଲା ପାକେଲା ଦାଢ଼ି ଉପରେ । ସେଇ ସ୍ଥିର କରିଛନ୍ତି ଏ ବିଭାଘର । ବଡ଼ଘର ବୋଲି ଦିଗମ୍ବର ମନା କରୁଥିଲା । ଚଚ୍ଚା କହିଲେ–‘‘ନାହିଁ ଏଇ ମୋର ଗୋଟିଏ ବୋଲି ପୁଅ । ମୋ ମନଖୁସି ମୁଁ ଯୋଉଠି ବିଭାଦେବି, ତମେ କେହି ପାଟି ଫିଟେଇ ପାରିବ ନାହିଁ ।’’ ...କଲିକତାରେ ସେହି ଅଧାଭଙ୍ଗା ଅଧାପୋଡ଼ା କୋଠାଟା ଚଚ୍ଚା ଜଣକ ପାଖରେ ବନ୍ଧା ପକେଇଛନ୍ତି ଏଇ ବିଭାଘର ପାଇଁ । ଦିଗମ୍ବର, ଦିବାକର ଯେତେ କହି କହି ଫାଟିଫୁଟି ଗଲେ ବି କାହାରି କଥାରେ କାନଦେଇ ନାହାଁନ୍ତି ।

 

ଚଚ୍ଚାଙ୍କର ଘର ପାଖରେ ଆଉ କେହି ନଥିଲେ । ଏପରିକି କଲିକତାରେ ଘରବାଡ଼ି କରି ରହିବା ଦିନୁ ଗାଁରେଥିବା ଘରପର୍ଯ୍ୟନ୍ତ ଭାଙ୍ଗି ଦେଇଥିଲେ ସେ । ଯିଏ ଥିଲେ, ଭାଇ ଭଗାରି–ଦୂର ଦୂରାନ୍ତ ବନ୍ଧୁ । ତେଣୁ ସେମାନଙ୍କ ଉପରେ ଯାଇ ବୋଝ ହେବାକୁ ତାଙ୍କର ମୋଟେ ଇଚ୍ଛା ହେଲାନି-। ଦିବାକର କହିଲା–‘‘ନାହିଁ ଚଚ୍ଚା, ତମେ ଆମର ପାଖେ ପାଖେ ରୁହ । ତିଳେ ହେଲେ ତମକୁ ଦୂରକୁ ଛାଡ଼ି ଆମେ ଶାନ୍ତି ପାଇପାରିବୁ ନାହିଁ ।’’ ଦିଗମ୍ବର ବି ସେଇଆ କହୁଥିଲା–‘‘ଚଚ୍ଚା ଆମର ଘରେ ରୁହନ୍ତୁ–ଯିଏ ଯାହା କହିଲେ କହିବ ପଛକେ ।’’ ହେଲେ ଚଚ୍ଚା ଜଣେ ପୁରୁଖା ଲୋକ–ମୁରବୀ ଲୋକ । ସେ କ’ଣ ଆଉ ଜାଣି ନାହାଁନ୍ତି ଏହାର ପରିଣାମ କ’ଣ ହେବ । ଓଡ଼ିଶାର ଏଇ ନିରାଟ ମଫସଲ ଅଞ୍ଚଳରେ ହିନ୍ଦୁଘରେ ଯାଇଁ ଜଣେ ମୁସଲମାନ ରହିଲେ ପରିଣାମ ଯେ କି ଭୟଙ୍କର, ତା’ ତାଙ୍କ ଆଖିଆଗରେ ଜଳ ଜଳ ହେଇ ଦିଶୁ’ଛି । ସେ ପିଲାମାନଙ୍କୁ ବୁଝେଇ ଦେଲେ–‘‘ନାହିଁ ବାବା ! ‘ବୁଝି ବିଚାରି କର୍ମକଲେ ପ୍ରମାଦ ନପଡ଼ଇ ଭଲେ ।’ ଆମ ଭିତରେ ଯେତେ ସ୍ନେହ, ମମତା ଥିଲେ ବି ଗାଁ ଲୋକେ, ସମାଜ ଲୋକେ ତ ତା’ ବୁଝିବେ ନାହିଁ । ଶେଷକୁ ତମକୁ ସବୁ ଜାତିରୁ ଅଟକ କରି ନାନାଦି ଗଣ୍ଡଗୋଳର ସୃଷ୍ଟି କରିବେ । ତା’ଅପେକ୍ଷା ବରଂ ଗାଁ ବାହାରେ ମୋ’ପାଇଁ ଖଣ୍ଡେ କୁଡ଼ିଆ କରିଦିଅ । ମୁଁ ସେହିଠାରେ କର୍ମକୁ ଆଦରି ପଡ଼ିଥିବି ।’’

 

ଅବସ୍ଥାର ଗୁରୁତ୍ୱ ଦିବାକର ବୁଝିଲା । ନିଜର ଲକ୍ଷ ଅନିଚ୍ଛା ସତ୍ତ୍ୱେ ବି ସେଇଆ କରିବାକୁ ବାଧ୍ୟ ହେଲା ସେ ।

 

ହେଲେ ନାଁକୁ ମାତ୍ର ଖାଲି ଗାଁମୁଣ୍ଡାରେ ଘରଖଣ୍ଡିଏ ହେଲା ସିନା, ଗାଁ ଲୋକଙ୍କଠଉଁ କେବେ ଅଲଗା ହେଇ ପାରିଲେ ନାହିଁ ଚଚ୍ଚା । ମାସ ଦି’ଟାରେ ତାଙ୍କର ସ୍ନେହ କୋମଳ ବ୍ୟବହାର, ହସ ହସ କଥା, ପରୋପକାରୀ ଉଦାର ମନ ଯୋଗୁଁ ଗାଁଟାଯାକର ତିନିପା’ ଲୋକ ଟାଣିହେଇ ଆସିଲେ ତାଙ୍କଆଡ଼େ । ବୁଢ଼ା ଟିକିଏ ହୋମିଓପ୍ୟାଥି ଆଗରୁ ଜାଣିଥିଲେ । ଆଉ ଟିକିଏ ପଢ଼ାପଢ଼ି କରି ଆରମ୍ଭକଲେ ସେହି କାମଟି–ପଇସା ପାଇଁ ନୁହେଁ, ଦୁଃଖୀ ରଙ୍କୀଙ୍କ ସାହାଯ୍ୟପାଇଁ , ରୋଗ ବଇରାଗରେ ସଢ଼ୁଥିବା ଗରିବ ଗୁରୁବାଙ୍କ ଉପକାର ପାଇଁ । ....ତା’ଛଡ଼ା ସେ ଜଣେ ବଡ଼ ମାମଲତକାର ଲୋକ । ଗାଁରେ କିଛି କଳିକଜିଆ, ଭଲମନ୍ଦ ହେଲେ ନିଜେ ଯାଇଁ ଦି’ପକ୍ଷଙ୍କ ହାତଓଠ ଧରି ସବୁ ମାମଲା ଗାଁରେ ଗାଁରେ ନିଷ୍ପତ୍ତି କରିଦେଲେ । ଫଳରେ କଚେରିକି ଟଣାହେଇ ଲୋକଙ୍କୁ ଆଉ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା ନାହିଁ ।

 

ଆଉ ନିରାଶ୍ରୟ ଲୋକ ତ ଟିକିଏ କୋଉଠି ଆଶ୍ରୟ ପାଇଲେ ସେ ଆଡ଼କୁ ଢଳିପଡ଼େ । ଖାଲି ଗୋଟାଏ କଳ୍ପିତ ଉପକାରର ଆଶାରେ କେତେ ଗଛ ଦେହରେ ସିନ୍ଦୂର ବୋଳି, ପଥର ଉପରେ ଫୁଲ ଥାପନା କରି ଦିଅଁ ରୂପେ ପୂଜାକରନ୍ତି ଆମଲୋକେ । ଆଉ ଏ ତ କଥାକୁହା ମଣିଷ–ଡାକିଲେ ଓ କରୁଛନ୍ତି–ଆପଦ ବିପଦ ଦେଖିଲେ ଭୋ ଭୋ ହେଇ କାନ୍ଦି ଉଠୁଛନ୍ତି । ତାଙ୍କୁ ନ ମାନିବ କିଏ ? ତାଙ୍କ ବିରୁଦ୍ଧରେ କଥା କହିବ କୋଉ ଜଣକ ? ସମସ୍ତେ ବୁଢ଼ାଙ୍କୁ ଆପଣା ବାପତୁଲ୍ୟ ଭକ୍ତି କରନ୍ତି । ଉପରେ ପଡ଼ି ଆସି ତାଙ୍କର ସୁଖ ସୁବିଧା ପାଇଁ ନାନାଦି କାମ କରିଦିଅନ୍ତି-

 

ଶେଷକୁ ଏପରି ହେଲା ଯେ ଦିଗମ୍ବର ଘରୁ ତାଙ୍କର ଆଉ ଖାଇବା ଜିନିଷ ଆସିବା ଅଧିକାଂଶ ଦିନ ଦରକାର ପଡ଼ିଲା ନାହିଁ । ଗାଁଲୋକେ କେତେ ସ୍ନେହ ଆଦରରେ ଆଣି ଭାତ, ତୁଣ, ମାଛ, ସାଗୁଆତି, ଚା, ଦୁଧ ଦେଇଗଲେ । ଓଷାବାର ପୁନେଇ ପରବରେ ତ ଛାଡ଼ । ପିଠାପଣା, ଖିରି ପୁରିରେ ଘର ଭାସିଲା । କା’ ଘରେ ଚୁଡ଼ାଘଷା ହେଲେ ଚଚ୍ଚାଙ୍କ ପାଇଁ ଆଗ ଅଲଗା କରି ରଖ-। କିଏ ଆଣି ଏ ଓଳି ଅଣ୍ଡା ସିଝେଇ ଦେଇ ଗଲାଣି ତ କିଏ ଆରଓଳିକି ଆଣିଲାଣି ଚୁଙ୍ଗୁଡ଼ିମାଛର ମଲେଇ । ଚଚ୍ଚା ଦେଖି ଆବାକାବା ହେଇଗଲେ । ଯେତେ ମନା କଲେ ବି କେହି ଶୁଣିବାକୁ ନାହାଁନ୍ତି । ସଭିଙ୍କର ସେଇ ଗୋଟିଏ କଥା–ଆପଣ କ’ଣ ଆମର ବାପ ନୁହଁନ୍ତି ? ବାପର ସେବା କରିବା ତ ପୁଅଝିଅଙ୍କ କାମ ।

 

ଆନନ୍ଦରେ କି ଦୁଃଖରେ ଝରଝର ହେଇ ବୁଢ଼ାଙ୍କ ଆଖିରୁ ଲୁହ ଝରିଆସେ । ନଜିମ୍‌, ହୋସେନ୍‌ ସତେକି ମରିନାହାଁନ୍ତି । ଯୋଡ଼ିଏ ଦେହ ଛାଡ଼ି ଏଇ ଶହଶହ ଲୋକଙ୍କ ଭିତରେ ସତେ ବା ନୂଆ ଜନମ ଲଭିଛନ୍ତି ସେମାନେ । ....ମନକୁ ମନ ଗୁଣି ହେଇ ବୁଢ଼ା କାନ୍ଦି ଉଠନ୍ତି । ....ଦିଗମ୍ବରର ପୁଅ ଯୋଡ଼ିକ ରାମ, ଗୋବିନ୍ଦ ପାଖରେ ବସି ପଢ଼ୁଥାନ୍ତି । ବୁଢ଼ାଙ୍କ ଆଖିରେ ଲୁହ ଦେଖି ପଢ଼ା ଛାଡ଼ି ଯାଇଁ ନଦି ହେଇ ପଡ଼ନ୍ତି ପିଠି ଉପରେ–‘‘କାହିଁକି କାନ୍ଦୁଛ ଜେଜେ ?’’ .....ଗାଁ ଲୋକେ ଆସି ଜମା ହୋଇ ପଡ଼ନ୍ତି । କାହାରି ତୁଣ୍ଡରୁ କଥା ବାହାରେ ନାହିଁ । ଘଡ଼ିଏକାଳ ନୀରବରେ ସଭିଏଁ ଲୁହ ଢାଳନ୍ତି । ତା’ପରେ କୋଉ ଭେଣ୍ଡା ଯୁଆନ୍‌ ଆସି ବୁଢ଼ାଙ୍କ ଆଖିରୁ ଲୁହ ପୋଛି ଦେଇ କହେ–‘‘ବାବା ! ଆମେ କ’ଣ ତମର ପୁଅ ନୋହୁଁ ?’’

 

ବୁଢ଼ାଙ୍କ ଛାତି ବିଦାରି ହେଇ ଉଠେ । ତା’କୁ କୁଣ୍ଡେଇ ପକେଇ ବେଶୀ ବେଶୀ କାନ୍ଦି ଉଠନ୍ତି ।

 

ପନ୍ଦର

 

‘‘ଦିବାକର ବାବୁ ଘରେ ଅଛନ୍ତି ?’’

 

ନିଜ ଆଖିକୁ ନିଜେ ବିଶ୍ୱାସ କରି ପାରିଲା ନାହିଁ ଦିବାକର । ସ୍ୱୟଂ ରେଖାଦେବୀ ଆସି ବସା ସମ୍ମୁଖରେ ଉପସ୍ଥିତ ।–

 

‘‘ଆସନ୍ତୁ ଆଜ୍ଞା । ନମସ୍କାର’’

 

‘‘ନମସ୍କାର । ଆଜି ଷଢ଼େଇକଳା ଖରସୁଆଁ ମିଶ୍ରଣ ବିରୁଦ୍ଧରେ ଏକ ସାଧାରଣ ସଭା କରା ହେଉଛି କଟକରେ । ଆପଣ ଆସିବେ ନାହିଁ ?’’

 

‘‘ନିଶ୍ଚେ ଯିବି । ତେବେ ଏ ରାମା ଶାମା ଦାମାଙ୍କ ନୁଖୁରା କଥାକୁ କିଏ ଶୁଣିବ ? ଆମେ ତ ସବୁବେଳେ ଉପର ମହଲକୁ କରପତ୍ର ଯୋଡ଼ି ରହିଛେ । ଟିକିଏ କିଏ କ’ଣ କଲେ କହୁଛେ–ସଂକୀର୍ଣ୍ଣତା–ପ୍ରାଦେଶିକତା । ଅଥଚ ନିଜର ଅତି ସଂକୀର୍ଣ୍ଣ ସ୍ୱାର୍ଥ–କ୍ଷମତା ଟିକକ ପାଇଁ ଏ ସମସ୍ତ ଚଳନା–ଅଭିନୟ । ମହାଭାରତୀୟ କହିକହି ତ ଆମେ ଡୁଡୁମା ଦେଲୁଣି, ଷଢ଼େଇକଳା ଖରସୁଆଁ ଦେଲୁଣି, ବିଚ୍ଛିନ୍ନ ଅଞ୍ଚଳ କିପରି ଆସିବ ତା’ର ନାଁ ସାଙ୍ଗିଆ ଧରୁନାହୁଁ । ଏପରିକି ହୀରାକୁଦ, ଭୁବନେଶ୍ୱର, ଚଉଦୁଆର ମିଲରେ ଓଡ଼ିଆଙ୍କୁ ନିକାଲି ଦେଇ ବାହାରୁ ଆଣି ଭରତି କରୁଛୁ ପଣପଣ ଅଣଓଡ଼ିଆ । .......ଏ ଜାତିଟାକୁ ସତେ ଯେମିତି ଆମେ ପଶୁଠାରୁ ହୀନ ମଣିଲୁଣି ।’’

 

‘‘ଆହା, ଆପଣ ବଡ଼ ଭାବପ୍ରବଣ ଦେଖୁଛି ତ । ସାମାନ୍ୟ ଟିକିଏ କଥାରେ ଏତେ ସମସ୍ୟା ଭାବି ପାରୁଛନ୍ତି ?’’

 

‘‘ହଁ, ମୁଁ ବର୍ତ୍ତମାନ ପଢ଼ୁଥିଲି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘କଙ୍କାଳର ଆର୍ତ୍ତନାଦ’ । ବାସ୍ତବିକ ଏ ଜାତିଟା କେବଳ କଙ୍କାଳ । ତାଙ୍କର ଆର୍ତ୍ତନାଦ ଆମର କର୍ଣ୍ଣ କୁହରରେ ପ୍ରବେଶ କରି ପାରୁନାହିଁ । ସେଥିପାଇଁ ସଭାସମିତି ଦରକାର ନାହିଁ ରେଖାଦେବୀ–ସେଥିପାଇଁ ଦରକାର ବିପ୍ଳବ–ବିପ୍ଳବ–ଅହିଂସ ବିପ୍ଳବ ।’’

 

‘‘ଆଚ୍ଛା, ଆଚ୍ଛା ସେକଥା ପରେ ବୁଝିବା । ଆପଣ ଟିକିଏ ଧୈର୍ଯ୍ୟ ଧରନ୍ତୁନା । ଆପଣଙ୍କର ଏ ଉତ୍ତ୍ୟକ୍ତ ରୂପ ଦେଖିଲେ ସାଧାରଣ ଲୋକେ ଭୟଭୀତ ହେଇ ପଡ଼ିବେ ଯେ ।’’

 

ଦିବାକର ତଳକୁ ମୁହଁ ପୋତି ନୀରବ ହେଲା । ଟିକିଏ ରହି ରେଖା କହିଲା–‘‘ତା’ହେଲେ ଆସନ୍ତୁନା ବର୍ତ୍ତମାନ ଯିବା ଚାଲି–’’

 

‘‘ମୁଁ ପରେ ଗଲେ ଚଳିବ ନାହିଁ ?’’

 

‘‘ନା ବର୍ତ୍ତମାନ ଆସନ୍ତୁ–ଏଇ କାରରେ ଚାଲିଯିବା’’ ।

 

ଦିବାକର ଆଉ ଆପତ୍ତି ନକରି ବସାରେ ଚାବି ଦେଲା ।

 

ଯଥାବିଧି ସଭା ହୋଇଗଲା । ଷଢ଼େଇକଳା ଖରସୁଆଁ ସହିତ ଦେଶର ଅନ୍ୟାନ୍ୟ ବହୁବିଧ ସମସ୍ୟା ଆଲୋଚନା କରି ରାତି ଦଶଟାକୁ ରେଖା ଦିବାକର ବସାକୁ ଫେରିଲେ । ଦିବାକର ସେହି ରାତାରାତି ରିକ୍‌ସା କରି ମିଲ୍‌କି ଫେରି ଆସିବ ବୋଲି କହୁଥିଲା । ରେଖା କିନ୍ତୁ ଅନୁରୋଧ କଲା–ଆସନ୍ତୁନା, ରାତିଟାରେ ଯାଇଁ କ’ଣ କରିବେ ? ନହେଲା ବା କାଲି ଦିନ ଗୋଟାଏ କାମ ମାରା ହେବ ।

 

‘‘ଲୁହାବାଡ଼ିଆଠାରୁ ଏଥିରେ ଜୀବନର ଯଥେଷ୍ଟ ସାର୍ଥକତା ଅଛି ରେଖାଦେବୀ ! ମଣିଷକୁ ଏତେ ପ୍ରାଣହୀନ ପଥର ବୋଲି ଭାବନ୍ତୁ ନାହିଁ ।

 

ନିଜର ଭୁଲ ପାଇଁ ନିଜେ ଲଜ୍ଜିତ ହେଲା ରେଖା । ଅତିଶୟ ଦୁଃଖିତ ହେଇ କହିଲା–‘‘ହାତ ଯୋଡ଼ୁଛି । କ୍ଷମା କରିବେ । ବଡ଼ ଭୁଲ ହେଇଗଲା ମୋର ।’’

 

‘‘ନା, ନା, ସେ କିଛି ନୁହେଁ । କୁଲି କି କୁଲି ବୋଲି କହିଲେ ସେଥିରେ ଦୁଃଖ କରିବାର କ’ଣ ଅଛି ?’’

 

‘‘ଦିବାକର ବାବୁ !’’ ରେଖାର କଣ୍ଠ ରୁଦ୍ଧ ହେଇ ଆସିଲା । ଚଲାପଥରେ ଆଉ ପାହୁଣ୍ଡଟିଏ ଆଗେଇ ପାରିଲା ନାହିଁ ପାଦ । ଲଥ୍‌କିନା ବସିପଡ଼ି ରେଖା ଦିବାକରର ଗୋଡ଼ ଧରିଲା....ଆଖିରେ ଅଶ୍ରୁ....

 

ବିଜୁଳି ସକ୍‌ ଲାଗିଗଲା ଭଳି ଚାଉଁକିନା ଚମକି ପଡ଼ିଲା ଦିବାକର–ଏଁ–କ’ଣ ଏ ? ସ୍ୱପ୍ନ ନା ସତ୍ୟ କିଛି ସ୍ଥିର କରିପାରିଲା ନାହିଁ ସେ । ସେଇ ଗୋଟିଏ ଘଟଣାରେ ଯେମିତି ସମାହିତ ହେଇଗଲା ଛାତି ଭିତରର ସମସ୍ତ ଜଟିଳ ସମସ୍ୟା । ନଈ ଦୁଇଟିରେ ସମାନ ଭାବରେ କୂଳ ଉଛୁଳାଇ ଭରା ଶ୍ରାବଣର ବଢ଼ି ଆସିଥିଲା । ଖାଲି ମିଶିଯିବାକୁ ସାମାନ୍ୟ ଟିକିଏ ପବନର ଆବଶ୍ୟକତା ଥିଲା ଯାହା । ...ନଇଁପଡ଼ି ଦିବାକର ଧୀରେ ଧୀରେ ତୋଳି ଧରିଲା ରେଖାକୁ–

 

‘‘ଆହା, ଆପଣ ଏଇ ସାମାନ୍ୟ କଥାରେ ଏତେ ବିଚଳିତ ହେଇ ପଡ଼ୁଛନ୍ତି । ଆଉ ଦେଶର ବଡ଼ ବଡ଼ ସମସ୍ୟା ସମାଧାନ କରିବେ କିପରି ?’’

 

‘‘ଅପଦାର୍ଥ ମୁଁ । ସାମାନ୍ୟ କଥାପଦେ ଯାହାକୁ କହି ଆସେ ନାହିଁ, ସିଏ ଦେଶକାମ କରିବ କ’ଣ ? କୌଣସି କାର୍ଯ୍ୟ ମୋ ଭିତେ ହବ ନାହିଁ । ମରଣହିଁ ମୋର ଶ୍ରେୟଃ....’’

 

‘‘ଛି, ଏତେ ଦୁର୍ବଳ ହେଇ ପଡ଼ୁଛନ୍ତି ? ଏଇ ଦେଖନ୍ତୁ–ଏଇ ଯେ ଆକାଶରେ ପୂନେଇ ଚାନ୍ଦ ଟହ ଟହ ହେଇ ହସୁଛି, ତା’ ଭିତରେ କ’ଣ ସାମାନ୍ୟ ଟିକିଏ ଦାଗ ନାହିଁ ? କିନ୍ତୁ ତା’ ବୋଲି କ’ଣ ସେ ଯାଇଁ କରୁଛି ସାଗରରେ ଆତ୍ମହତ୍ୟା ? ବରଂ ସେହି ହସ ହସ ଚାନ୍ଦଟିକି ଦୁନିଆର ସଭିଏଁ କରୁଛନ୍ତି ଆଦର–ସଭିଏଁ ଚାହୁଁଛନ୍ତି କରିବାକୁ ଆପଣାର ।’’

 

ଆଶ୍ଚର୍ଯ୍ୟ ହେଇ ରେଖା ଟିକିଏ ଦିବାକର ମୁହଁକୁ ଚାହିଁଲା–‘‘କିନ୍ତୁ ଯିଏ ତା’କୁ ଆଦର କରେ, ପ୍ରାଣ ଦେଇ ଭଲପାଏ, ତା’ ଆଖିରେ କେବେ କଳାଦାଗ ଦିଶେ ନା ତ......’’

 

ବୁଦ୍ଧିମତୀର ପ୍ରଶ୍ନରେ ଦିବାକର ବିବ୍ରତ ହେଲା । ଟିକିଏ ଅସାଧାରଣ ଭାବେ ରୁକ୍ଷ ହେଇ ପଡ଼ିଛି ବୋଲି ମନେ ମନେ ଅନୁତାପ କଲା ସେ । ରେଖାର କଅଁଳ ହାତ ଯୋଡ଼ିକ ଧରି ଟିକିଏ ଈଷ୍‌ତ ହସ ହସି କହିଲା–‘‘ମୋର ଭୁଲ୍‍ ହେଇଛି । କ୍ଷମା କରିବେ । ପ୍ରକୃତରେ ଚାନ୍ଦର ଶୋଭାରେ ଚକୋର ଆଜି ମୁଗ୍‌ଧ । ସେ ଚାହେଁ ତା’ରି କୋଳରେ ମଥାରଖି ଜୀବନକୁ ଏକାବେଳକେ ଭୁଲି ଯିବାକୁ ।’’

 

ନିଜକୁ ନିଜେ ବିଶ୍ୱାସ କରିପାରିଲା ନାହିଁ ରେଖା । କଅଁଳେଇ ଡାକିଲା–‘ଦିବାକର ବାବୁ....

 

‘‘ଛଳନା କରୁନାହିଁ ମୁଁ–ମୋତେ ବିଶ୍ୱାସ କରନ୍ତୁ–’’

 

‘‘କିନ୍ତୁ....କିନ୍ତୁ ମୁଁ ଯେ ଅତି ତୁଚ୍ଛ ଭିକାରୁଣୀର ଝିଅଟା......’’

 

ଏଁ–ଭିକାରୁଣୀର ଝିଅ ??? –ଆକାଶରୁ ଖସିପଡ଼ିଲା ଭଳି ଚମକି ପଡ଼ିଲା ଦିବାକର । ହଠାତ୍‌ ବିଶ୍ୱାସ କରି ପାରିଲା ନାହିଁ ତା’କଥାରେ । ଏତେ ଶିକ୍ଷା, ଏତେ ସୌଜନ୍ୟ, ଏତେ ଶାଳିନତା ପୁଣି ଏତେ ତେଜ, ଏତେ ଦୀପ୍ତି, ଏତେ ଦୁଃସାହସିକ ବିପ୍ଳବୀ ମନୋଭାବ–ତଥାପି ଭିକାରୁଣୀର ଝିଅ ? ହଉ–ହେଲେ ବା ସେଥିରେ କ୍ଷତି କ’ଣ ? ଏଡ଼େ ଗୁଣର ଝିଅଟି ବୋଧେ କୁଳୀନ ଘରେ, ଶିକ୍ଷିତଘରେ ବି ମିଳିବା ଅସମ୍ଭବ । .....ହୁଏତ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ନିରାଶ୍ରୟା ରମଣୀଟିକୁ ପ୍ରଲୋଭନ ଦେଖାଇଛି ବଡ଼ଲୋକ । ସରଳା, ନିରୀହା ନାରୀ ବିଶ୍ୱାସ କରିଯାଇଛି ସେହି ପାପିଷ୍ଠର କପଟ କଥାରେ । ଅଥଚ ଠିକ୍‍ ଝଡ଼ଝଞ୍ଜା ଉଠି ଆସିଲାବେଳେ ଅଝାଡ଼ ଜଙ୍ଗଲରେ ତା’କୁ ଏକୁଟିଆ ଛାଡ଼ିଦେଇ ପଳେଇ ଯାଇଛି କାପୁରୁଷ । ବଣର ହିଂସ୍ରଜନ୍ତୁଙ୍କ ହାବୁଡ଼ରୁ ରକ୍ଷା ପାଇବା ପାଇଁ ହୁଏତ ନାରୀ କରିଛି ଶେଷକୁ ଆତ୍ମହତ୍ୟା । କେଉଁ ଦୟାର୍ଦ୍ର କଣ୍ୱମୁନିଙ୍କ ଆଶ୍ରମରେ ଛାଡ଼ି ଦେଇ ଯାଇଛି ତା’ କ୍ଷୁଦ୍ର ଶିଶୁଟିକି । ତା’ ଆଜି ବଢ଼ି ବଢ଼ି ରୂପ ଗୁଣର ଝଲକ ଖେଳେଇ ଦୁନିଆ ଦୁଆରେ ଠିଆ ହେଇଛି ଶକୁନ୍ତଳା ରୂପେ.....

....କିନ୍ତୁ କି ଦୋଷ ତା’ର ? ନିରାପରାଧିନୀ ସେ । ତଥାପି ଆମ ସମାଜ ତା’କୁ ଚାହିଁବ ରକ୍ତଚକ୍ଷୁରେ ! ଆମର ପେଟଫୁଲା ଶୋଷକ, ଧନିକ, ଭକ୍ଷକ ପଣ୍ଡାମାନେ ତା’କୁ କରିବେ ଦୁର୍‌ଦୁର୍‌ ଖୁର୍‌ଖୁର୍‌ !! ନା, ଯାଚ୍ଛା ତା’ ହେଉ ପଛକେ ସେ ତୋଳି ନେବ ଏଇ ମଶାଣିର ଫୁଲଟିକି । ବେଶୀ ନ ହେଲେ ଅନ୍ତତଃ ଜଣକର ତ ସେ ହେଲେ ଜୀବନରେ କିଛି ଉପକାର କରି ପାରିବ । ତେଣିକି ସମାଜ ତା’ର ଯାହା କରିବ କରୁ ପଛକେ ।

ଟିକିଏ ନୀରବ ରହି ଦିବାକର କହିଲା–‘‘ହେଲେ ଏବେ ଭିକାରୁଣୀର ଝିଅ ଯେ ରାଜରାଣୀ ନ ହେବ, ତା’ର କ’ଣ ମାନେ ଅଛି ? ତା’ଛଡ଼ା ମୁଁ ତ ଆଉ ଲକ୍ଷପତିର ସନ୍ତାନ ନୁହେଁ-।’’

‘‘ସତେ, ମୋର ଏତେ ବଡ଼ ଭାଗ୍ୟ ହେବ ?

 

‘‘ତା ବରଂ ମୋର ହେବ ପରମ ସୌଭାଗ୍ୟ । ଯେତେହେଲେ ମୁଁ ଜଣେ ଲୁହାପିଟା କୁଲି ତ....’’

 

‘‘ଛିଇ, ପୁଣି ସେଇକଥା–ରାଜାଝିଅ ସାବିତ୍ରୀ ତ ସାମାନ୍ୟ ଏକ କାଠୁରିଆକୁ.....ଆଉ ମୁଁ ତ ଅତି ତୁଚ୍ଛ ଭିକାରୁଣୀର....’’

 

‘‘ଥାଉ’’–ରେଖାପାଟିରେ ହାତ ଦେଇ ବନ୍ଦ କଲା ଦିବାକର–‘‘ସେ ସବୁ କିଛି ମୁଁ ଶୁଣିବାକୁ ଚାହେଁନା । ମୁଁ ଖାଲି ଜାଣିବାକୁ ଚାହେଁ, ଏତେ ବଡ଼ ନିଷ୍ଠାପର ଦେଶସେବିକାଙ୍କର ଏ ସାମାନ୍ୟ ଏକ ଚାକିରିଆ ତା’ ପୁଣି ମଜୁରିଆଙ୍କ ପ୍ରତି ଦୟା ହେଲା କାହିଁକି ?’’

 

‘‘ମୋତେ କ’ଣ ପରୀକ୍ଷା କରୁଛନ୍ତି ଦିବାକର ବାବୁ ? ଚାକିରି କରିଛି କିଏ ? ଆପଣଙ୍କ ଦେହ–ମନ ତ ନୁହେଁ । ଆଉ ମଜୁରିଆ ?

 

ଆଜିକାଲି ଯୁଗର ଏ କିଳାପୋତିଆ ମନ୍ତ୍ରୀ, ଏମ୍‌.ଏଲ୍‌.ଏ. ବାବୁ, ଲାଞ୍ଚଖିଆ ହାକିମ ହୁକୁମାଙ୍କଠଉଁ ଖଟିଖିଆ, ଝାଳବୁହା ମଜୁରିଆଟି କ’ଣ ବେଶୀ ସାଧୁ, ସଚ୍ଚୋଟ ନୁହେଁ ? ବେଶୀ ନମସ୍ୟ ନୁହେଁ ଏ ଜାତିର ?’’

 

ଦିବାକର ମୁହଁରେ ଭାଷା ନଥିଲା ଉତ୍ତର ଦେବାକୁ । ସେ ଖାଲି ନୀରବରେ ଚାହିଁ ରହିଥିଲା ଆକାଶ ଆଡ଼େ । ବାଟ ଚାଲୁ ଚାଲୁ ରେଖା ହଲେଇ ଦେଇ କହିଲା–‘‘ଆରେ, କ’ଣ ଭାବୁଛନ୍ତି ?’’

 

‘‘ଭାବୁଛି–ସରଗର ଏ ଚାନ୍ଦ ଆଉ ମରତର ଏ ଚାନ୍ଦ ମୁଖଟି ଭିତରେ କେଉଁଟି ବେଶୀ ସୁନ୍ଦର ।’’

 

‘‘ଯା......ମୋର ତ ବରଂ ଭୟ ହେଉଛି–ପଦ୍ମକୁ ଛାଡ଼ି ଏ ପାଣିଶିଉଳି ଫୁଲ ଉପରେ ଦିବାକରଙ୍କର ଆଖି ପଡ଼ିଲା କେମିତି ?

 

ହସିଉଠି ଦିବାକର ରେଖା ଗାଲରେ ଦେଲା ଗୋଟିଏ ଛୋଟ ଚାପୁଡ଼ା । ରେଖା ଗେଲେଇ ହେଇ କହିଲା–‘‘ଆଉ ସେ ଆଜ୍ଞା, ଆପଣ, ଦେବୀ–ଏଗୁଡ଼ା ଯେପରି....’’

 

ଦିବାକର ହସିଲା ।

 

ଘର ପାଖେଇ ଆସିଥିଲା । ମେରି ରାସ୍ତା ଉପରକୁ ଧାଇଁ ଆସି ଝିଅକୁ କୋଳ କରି ନେଲେ । କହିଲେ–‘‘ମା’ରେ ! ଆଜି ଇଭ୍‌ର ରାତି ଡିଉଟି । ତେଣୁ ମଟର ନେଇ ତୋତେ ଆଣିବାକୁ ଯାଇ ପାରିଲା ନାହିଁ ।’’

 

‘‘ହଉ, ସେଥିରେ କ’ଣ ଅଛି ?’’

 

ରେଖା ଦିବାକରକୁ ପରିଚୟ କରେଇ ଦେଲା–‘‘ଏ ମୋର ମା’ ମେରି–ଇଭ୍‌ ମୋ ବଡ଼ଭଉଣୀ–ମେଡ଼ିକାଲରେ ସିଷ୍ଟର କାମ କରନ୍ତି ।’’ ଆଉ ମା’ଙ୍କୁ ଚାହିଁ କହିଲା–‘‘ଏ ମୋର ଜଣେ ବନ୍ଧୁ–ଶ୍ରୀଯୁକ୍ତ ଦିବାକର ରାଉତ–ଜଣେ ନିଃସ୍ୱାର୍ଥପର, ନୀରବ ଦେଶସେବକ ।’’

 

କାହିଁ କୋଉ ସାତତାଳ ସ୍ୱର୍ଗରୁ ଗଡ଼ ଗଡ଼ ହେଇ ତଳକୁ ଖସି ପଡ଼ିଲା ଦିବାକର । ବୋକାଙ୍କ ଭଳି ରେଖା ମୁହଁକୁ ଚାହିଁ ରହିଲା ଖାଲି; ହେଲେ ଅପେକ୍ଷା କରିବାକୁ ସେତେବେଳେ ବେଳ ନ ଥିଲା । ଭଦ୍ରତା ଖାତିରିରେ ଆଗ ମୁଣ୍ଡ ନୋଇଁ ପ୍ରଣାମ କଲା ମା’ଙ୍କୁ । ମା’ ବିନମୟରେ ତା’ ମଥାରେ ଦେଲେ ଏକ ଚୁମା ।

 

ଖାଇବା ଯୋଗାଡ଼ କରିବା ପାଇଁ ମା’ ଗଲେ ଘର ଭିତରକୁ । ରେଖାର ହାତଧରି ଦିବାକର କହିଲା–‘‘ସରଳତାର ସୁଯୋଗ ନେଇ ମୋ ସହିତ ଆଉ ଅଭିନୟ କରୁନାହଁ ତ ରେଖା-?’’

 

ପୁଣି ଲୁହ ଗଡ଼ି ଆସିଲା ରେଖା ଆଖିରୁ–‘‘ସେଥିପାଇଁ ଭଗବାନ ଅଛନ୍ତି । କିନ୍ତୁ ମୁଁ ଆଗରୁ କହିଛି–ମୁଁ ପ୍ରକୃତରେ ଏକ ଭିକାରୁଣୀର ଝିଅ । ଏମାନେ ମୋର ପାଳନକର୍ତ୍ତା । ଟିକିଏ ମୋତେ ସମୟ ଦିଅନ୍ତୁ । ସମସ୍ତ କଥା ମୁଁ ଆପଣଙ୍କୁ ଖୋଲି କହିବି ।’’

 

ଘର ଭିତରୁ ବାହାରି ଆସି ମେରି କହିଲେ–‘‘ଆସ ବାବା ! ଆ’ ମା’ ! ଖାଇବା ପ୍ରସ୍ତୁତ ଅଛି ।’’

 

ଷୋଳ

 

ତା’ ତହିଁଆର ଦିନ । ରେଖା କହିଲା–‘‘ଚାଲନ୍ତୁ–ମୁଁ ଆପଣଙ୍କୁ ମିଲରେ ନେଇ ଛାଡ଼ି ଦେଇ ଆସିବି । ରିକ୍‌ସାରେ ଯାଇଁ ଲାଭ କ’ଣ ?’’ .....କୌଣସି ଆପତ୍ତି ନ କରି ଦିବାକର ଯାଇଁ ମଟରରେ ବସିଲା । ପାଖରେ ବସି ରେଖା ଦେଲା ଷ୍ଟାର୍ଟ ।

 

‘‘ଆଚ୍ଛା ଟିକିଏ ଭୁବନେଶ୍ୱର ଆଡ଼ୁ ଯାଇଁ ବୁଲି ଆସିଲେ କେମିତି ହୁଅନ୍ତା ?’’–ଅଧବାଟରେ ପ୍ରସ୍ତାବ କଲା ଦିବାକର ।

 

‘‘ବେଶ୍‌ ତ, ଭାରି ଭଲ କଥା’’–ରେଖା ଗାଡ଼ି ଲେଉଟାଇଲା–‘‘ଚାଲନ୍ତୁ ଦେଖିଆସିବେ, କେମିତି ଅଛନ୍ତି ଆପଣଙ୍କର ସେଠି ଓଡ଼ିଆଲୋକେ । ଯଦି ସୁବିଧା ହୁଏ, ଆଉ କେତେଗୁଡ଼ିଏ ଓଡ଼ିଆଙ୍କୁ ବି କଲିକତାରୁ ଆଣି ସେଠି ରଖା ଯାଇ ପାରିବ ।’’

 

‘‘କିନ୍ତୁ ରେଖା ! ମୋର ସେ ଧାରଣା ଆଜି ପୂରାପୂରି ବଦଳି ଯାଇଛି । ଭିକାରିକି ଭିକ ମୁଠିଏ ଦେଇ ଯେମିତି ଦେଶର ଭିକ୍ଷୁକ ସମସ୍ୟା ସମାଧାନ କରାଯାଇ ନପାରେ, ଏଇ କେତେଜଣ ଓଡ଼ିଆଙ୍କୁ କଲିକତାରୁ ଆଣି ଚଉଦୁଆରେ ବା ଭୁବନେଶ୍ୱରରେ ଏଠି ସେଠି ଗୁଞ୍ଜିଦେଲେ ଏ ବିରାଟ ସମସ୍ୟାର ସେହିପରି ପରିସମାପ୍ତି ହେଇ ନପାରେ । ସେଥିପାଇଁ ବିଶାଳ ଆକାରରେ ଏକ ଗଠନମୂଳକ ଯୋଜନା ଆବଶ୍ୟକ । ତମେ ଜାଣିନ ରେଖା କେମିତି କଲିକତାରେ ତିଳେ ତିଳେ ନିଷ୍ପେଷିତ ହେଇ ରହିଥାନ୍ତି ଲକ୍ଷ ଲକ୍ଷ ନିରାଶ୍ରୟ, ନିଃସହାୟ ଓଡ଼ିଆ । ଆଉ କେମିତି ଏଣେ ଦେଶରେ–ତାଙ୍କ ଜନମଭୂଇଁ ତଳମାଳ ଅଞ୍ଚଳରେ ମାଡ଼ିଆସେ ବଢ଼ି ଉପରେ ବଢ଼ି, ବୁଡ଼ିଯାଏ ଗାଁକୁ ଗାଁ, ଉଜୁଡ଼ି ଯାଏ ଶହଶହ ବାଟିର ସୁନା ଫସଲ ।’’

 

‘‘ପେଟ ପୋଷିବା ପାଇଁ ଲୋକଙ୍କର ଅନ୍ୟ କୌଣସି ଫନ୍ଦା କି ଦେଶରେ ନାହିଁ ?’’

 

‘‘କିଛି ନାହିଁ–କିଛି ନାହିଁ ରେଖା ! ଅଛି ଖାଲି ଦେଣା, କରଜ, ଜମିବନ୍ଧା, ଜମିବିକ୍ରି । ତା’ ନହେଲେ ଅଛି ଠକ୍‌ ଠକ୍‌ ଭୋକ ଉପାସ–ଜୀବ ଥାଉଁ ଥାଉଁ ଜିଅଁନ୍ତା ମରଣ । ଜମିଯାଏ, ଘରଯାଏ, ଫସଲଯାଏ–ଶେଷକୁ ଭିଟାମାଟି ଛାଡ଼ି ଆସି ଆଶ୍ରା ନିଅନ୍ତି ଯୋଉ ଗଛମୂଳରେ, ସେଠି ଆରମ୍ଭ ହୁଏ ହଇଜା–ଆକ୍ରମଣ କରେ ମେଲେରିଆ । ଗାଁକୁ ଗାଁ ପଦା ହୁଏ ଯିଏ ବଞ୍ଚନ୍ତି ସିଏ ବି ହୁଅନ୍ତି କଙ୍କାଳ । ପେଟରେ ପିଳେହି, ମୁହଁଶେଥା, ଗାଲରେ ହନୁହାଡ଼ । ଏ ଅବସ୍ଥାରେ କିଏ ବା ରହନ୍ତା ଗାଆଁରେ ? ଥୋକେ ଚଳନ୍ତି ମଶାଣିକି । ଆଉ ଥୋକେ ଆଉ ଟିକିଏ ବେଶୀ କଲବଲ ହେବାପାଇଁ ଯାଆନ୍ତି କଲିକତା । ସୁଖଶାନ୍ତି ତ ଆଣନ୍ତି ନାହିଁ, ଆଣନ୍ତି ସେଠୁ ଗନେରିଆର କୀଟ ! ସିଫିଲିସ୍‌ର ବୀଜାଣୁ !!

 

୧୮୧୭ ପାଇକ ଯୁଦ୍ଧରେ ଯୋଉ ଆଳି, ପଟାମୁଣ୍ଡେଇ, କନିକା, କୁଜଙ୍ଗର ବିଦ୍ରୋହୀ ଖଣ୍ଡାୟତ ସେନା ବାମଦେବ ପାଟଯୋଷୀ ଓ ନାରାୟଣ ପରମଗୁରୁଙ୍କ ନେତୃତ୍ୱରେ ଦୁର୍ଦ୍ଧର୍ଷ ଇଂରେଜୀ ସୈନ୍ୟଙ୍କୁ ପରାସ୍ତ କରି ଖୋର୍ଦ୍ଧା ଓ କଟକରେ କିଛିକାଳ ପାଇଁ ଇଂରେଜଶାସନ ଏକାବେଳକେ ଧ୍ୱସ୍ତବିଧ୍ୱସ୍ତ କରି ପାରିଥିଲେ, ସେହିମାନଙ୍କ ବଂଶଧର–ଅଣନାତି, ପଣନାତି ଆଜି ପେଟବିକଳରେ ଗାଁ ଛାଡ଼ି ପଳାନ୍ତି ବିଦେଶ । ଗାଲମୁଛାଧାରୀ ଦୁର୍ଦ୍ଦାନ୍ତ ଓଡ଼ିଆ ପାଇକର ବଂଶଧର ଆଜି କଙ୍କାଳ ସାଜି କଲିକତାରେ କରେ କୁଲିଗିରି.....ରେଖା ! ଆମେ ମଣିଷ ହେଇ, ଶିକ୍ଷିତ ହେଇ, ଦେଶର ଆଶାଭରସା ତରୁଣୀ ହେଇ ଏଇଆ କ’ଣ ଖାଲି ଦେଖୁଥିବା ? ଜଳ ଜଳ କରି ଖାଲି ଚାହିଁ ରହିଥିବା ଜାତିର ଏ ମହାମରଣ ଆଡ଼େ ?’’

 

ଏକ ଗଭୀର ଦୀର୍ଘଶ୍ୱାସ ପକେଇ ରେଖା କହିଲା–‘‘କିନ୍ତୁ ଆମର ବ୍ୟକ୍ତିଗତ ଚେଷ୍ଟାରେ ବା ବିଶେଷ କ’ଣ ହେଇ ପାରିବ ?’’

 

‘‘ସମସ୍ତଟା ନ ହେଇ ପାରିଲେ ବି ଅନେକଟା ହେଇପାରିବ ରେଖା । ଚାଲ–ଆଗରେ ରାଜରାଣୀମନ୍ଦିର ପାଖରେ ଗାଡ଼ି ରଖ । ଅତୀତର ଚାରୁକଳା ଦେଖିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ଏ ବିକଳାଙ୍ଗ ମଣିଷ ସମ୍ବନ୍ଧେ ଆଉ କେତୋଟି କଥା ଆଲୋଚନା କରିବା । ତଳମାଳ ପାଇଁ ମୁଁ ମନେ ମନେ ଯେଉଁ କ୍ଷୁଦ୍ର ଯୋଜନାଟି କରିଛି, ତା’ର କେତୋଟି ଆଭାସ ଦେବି ତମକୁ ।’’

 

ମନ୍ଦିର ନିକଟରେ ଗାଡ଼ି ଅଟକିଲା । ମନ୍ଦିରର ଲଳିତ କୋମଳ ଛବିଗୁଡ଼ିକୁ ଚାହିଁ ଚାହିଁ ଦିବାକର କହିଲା–‘‘ତମେ କ’ଣ ବିଶ୍ୱାସ କରୁଛ ରେଖା, ଏଇ ପଥରର ବୁକୁ ଚିରି ଯୋଉ କାରିଗରର ନିହାଣ, ମୁଗୁର ଗଢ଼ିଛି ଏ ଜୀବନ୍ତ କଳା, ଆମେ ସେହି କାରିଗରର ବଂଶଧର ?’’

 

‘‘ନା ସେଥିରେ ମୋର ବି ସନ୍ଦେହ ହୁଏ । ତା’ ହୋଇଥିଲେ ଆମେ ଆଜି ଏତେ ଅପଦାର୍ଥ, ଅମଣିଷ ହେଇ ନ ଥାନ୍ତେ ।’’

 

ଦିବାକରର ଛାତିତଳୁ ଦୀର୍ଘ ନିଃଶ୍ୱାସଟିଏ ବାହାରି ପଡ଼ିଲା । ଆପଣାଛାଏଁ । କିଛି ନକହି ନୀରବରେ ବସିରହିଲା ସେ ।

 

ରେଖା ହଲେଇ ଦେଇ କହିଲା–‘‘କହିଲେ ନାହିଁ ଆପଣଙ୍କ ଯୋଜନାର ରୂପରେଖ ?’’

 

‘‘ହଁ କହୁଛି–ମୋ କ୍ଷୁଦ୍ରବୁଦ୍ଧିରେ ଯାହାକିଛି କଳ୍ପନା କରିଛି ତମ ମନକୁ ଆସିବ କି ନାହିଁ ଜାଣେନା, ତଥାପି ଶୁଣ । କଟକ ଚିନ୍ତା ବାଇମୁଣ୍ଡିକି ଲାଗିଲା ଭଳି ଏ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସବୁବେଳେ ମୋ ମୁଣ୍ଡକୁ ଘାରୁଛି । ଏବଂ ମୋର ବିଶ୍ୱାସ, ମୋର ଏ କ୍ଷୁଦ୍ର ଭାବନା ସହିତ ଦେଶର ଚିନ୍ତାନାୟକ, ଜନନାୟକଙ୍କର ସାମାନ୍ୟ ଟିକିଏ ମନ ମିଳିଲେ ସେ ଅନ୍ଧାର ଭୂଇଁରେ ଆଲୁଅ ପୁଟି ଉଠିବ–ମଲା ଦେହରେ କଅଁଳି ଉଠିବ ନୂଆ ଜୀବନ ।

 

ତମେ ଜାଣ କି ଜାଣନା, କଲିକତା କରପୋରେସନର ପାଣି ପାଇପ୍‌ ବିଭାଗରେ ଓ ଇଲେକ୍‌ଟ୍ରିକ୍‌ ବିଭାଗରେ ଯେତେ ମିସ୍ତ୍ରୀ କାମ କରନ୍ତି, ସମସ୍ତେ ଓଡ଼ିଆ ଓ ପ୍ରାୟ ସମସ୍ତେ ଏଇ ଆଳି, ପଟାମୁଣ୍ଡେଇର ଲୋକ । ପଟାମୁଣ୍ଡେଇ ଲୋକଙ୍କ ଭଳି ସୁଦକ୍ଷ ପ୍ଲମ୍ବର ମିସ୍ତ୍ରୀ କଲିକତାରେ ଆଉ କେହି ନାହାଁନ୍ତି କହିଲେ ଚଳେ । ତେଣୁ ଦେଶରେ ଯଦି ଗୋଟିଏ ସଙ୍ଗଠିତ କମ୍ପାନୀ ଗଢ଼ାଯାନ୍ତା ଏବଂ ଜଣେ ଉପଯୁକ୍ତ ଇଞ୍ଜିନିୟରଙ୍କ ପରିଚାଳନାରେ କାର୍ଯ୍ୟ ଆରମ୍ଭ କରାଯାନ୍ତା, ତେବେ ଓଡ଼ିଶା ସରକାରଙ୍କ ସମସ୍ତ ପ୍ଲମ୍ବିଂକଣ୍ଟ୍ରାକ୍ଟ (ପାଇପ୍‌ କାମ) ସେମାନେ ନେଇପାରନ୍ତେ । ଏବଂ ଫଳରେ ଶହ ଶହ ଓଡ଼ିଆ ଲୋକ ତ ଆପଣା ଦେଶଭିତରେ ସମ୍ମାନର ସହିତ ଅନ୍ନବସ୍ତ୍ରର ସଂସ୍ଥାନ କରିପାରନ୍ତେ, ତା’ଛଡ଼ା ଉଦ୍‌ବୃତ୍ତ ଅର୍ଥ ଏତେ ଅପର୍ଯ୍ୟାପ୍ତ ମିଳନ୍ତା ଯେ ତହିଁରେ ଉକ୍ତ ଅଞ୍ଚଳର ନାନା ଉନ୍ନତିକର କାର୍ଯ୍ୟମାନ ସହଜରେ ହେଇପାରନ୍ତା । ବର୍ତ୍ତମାନ ଯେପରି କେବଳ ଜଣେ ଜଣେ ବ୍ୟକ୍ତି ବିଶେଷ ଉକ୍ତ କାମରୁ ଲକ୍ଷଲକ୍ଷ ଟଙ୍କା ଲାଭମାରି ନେଉଛନ୍ତି, ତା’ ନ ହୋଇ କମ୍ପାନୀ ଜରିଆରେ କରାଗଲେ ଲାଭଟା ସର୍ବସାଧାରଣଙ୍କ ହାତକୁ ଆସନ୍ତା ଏବଂ ସର୍ବସାଧାରଣଙ୍କର କଲ୍ୟାଣରେ ଲାଗିଲା ଭଳି ପ୍ରତ୍ୟେକ ଗ୍ରାମରେ ପାଠଶାଳା, ପାଠାଗାର, ଡାକ୍ତରଖାନା, କୋ-ଅପରେଟିଭ୍‌ ବ୍ୟାଙ୍କ ପ୍ରଭୃତି ନାନାଦି ଲୋକ ହିତକର ଅନୁଷ୍ଠାନମାନ ଉକ୍ତ ଅର୍ଥରେ ଖୋଲାଯାଇ ପାରନ୍ତା ।

 

ଦ୍ୱିତୀୟତଃ ବଢ଼ିରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ଉପରେ ଘନ ଘନ ଚାପ ଦିଆଯାନ୍ତା ଆଳି ରିଂ ବନ୍ଧକୁ ଅତିଶୀଘ୍ର ସୁଦୃଢ଼ କରିବାକୁ ଓ ଅନ୍ୟାନ୍ୟ ସଂପୃକ୍ତ ବନ୍ଧବାଡ଼ମାନ ମଜବୁତ୍‌କରି ବାନ୍ଧିବାକୁ । ହୀରାକୁଦ ବନ୍ଧ ହେଲେ ହୁଏତ ମହାନଦୀରେ ବଢ଼ିର ପାଦୁର୍ଭାବ କମିଯାଇ ପାରେ, କିନ୍ତୁ ବ୍ରାହ୍ମଣୀ, ବୈତରଣୀ ପାଇଁ ପ୍ରତିକାର କ’ଣ ? ପଚାଶ ବର୍ଷ ତଳେ ଉତ୍କଳମଣି ଗୋପବନ୍ଧୁ ଯେମିତି କେନ୍ଦ୍ରାପଡ଼ା, ପଟାମୁଣ୍ଡେଇର ଘରେ ଘରେ ବୁଲି ଭୋ ଭୋ କାନ୍ଦୁଥିଲେ, ଆଜି ଆଉ ସେମିତି କାନ୍ଦିବାର ଅବସର ନାହିଁ । ସେତେବେଳର ଶୋଷକ ବିଦେଶୀ ସରକାର ପାଇଁ ଆଜି ଦେଶରେ ଲୋକପ୍ରତିନିଧି ଜାତୀୟ ସରକାର ପ୍ରତିଷ୍ଠିତ । ତେଣୁ ଖାଲି ଚୁଡ଼ା ଚାଉଳ ମୁଠାଏ ମୁଠାଏ ବାଣ୍ଟି ବା କଟକରେ ବସି ସହାନୁଭୂତିରେ ଲୁହ ଢାଳିଲେ ଲୋକଙ୍କର ଦୁଃଖ ଦୁର୍ଗତି ଯିବ ନାହିଁ । ସେଥିପାଇଁ ଆନ୍ତରିକତା ଦରକାର–ଆଶୁ ପ୍ରତିବିଧାନ ଦରକାର । ଲୋକଙ୍କୁ ଖାଇବା, ପିନ୍ଧିବା, ରହିବାକୁ ଦେବା ଯେକୌଣସି ସଭ୍ୟ ସରକାରର ପ୍ରଥମ କର୍ତ୍ତବ୍ୟ । ତେଣୁ ତଳଘଟି ଲୋକେ ଯେପରି ସ୍ଥାୟୀଭାବରେ ବଢ଼ିରୁ ରକ୍ଷା ପାଆନ୍ତି ଏବଂ ତାଙ୍କ ଭାତହାଣ୍ଡି ଧାନ ଫସଲଟି ଏମିତି ଫି’ବର୍ଷ ଧୋଇରେ ନ ଯାଏ, ତା’ ଦେଖିବାପାଇଁ ସରକାରଙ୍କ ନିକଟରେ ଦୃଢ଼ଭାବରେ ଦାବି କରାଯିବ ।

 

ଫସଲର ନିଶ୍ଚୟତା ଜାଣିଲେ ଲୋକଙ୍କ ଭିତରେ ଗଭୀର ଉତ୍ସାହ ଆସନ୍ତା ଏବଂ ସେମାନେ ଆଉ ଗାଁ ଭୂଇଁ ଛାଡ଼ି ପିଲା କୁଟୁମ୍ବ ଛାଡ଼ି ବିଦେଶରେ କୁଲିଗିରି କରିବାକୁ କେବେ ଯାଆନ୍ତେ ନାହିଁ । ଏବଂ ଏତିକିବେଳେ ସେମାନଙ୍କ ଭିତରେ ଟିକିଏ ସଙ୍ଗଠନ ଆଣିପାରିଲେ, ଏ ଛୋଟ ଛୋଟ ଚାଷ ଭାଙ୍ଗି ଏକ ସମୂହ ଚାଷ (Collective Farming)ର ବ୍ୟବସ୍ଥା କରାଯାଇ ପାରନ୍ତା ଓ ଖାଲି ଧାନ ଫସଲଟି କରି ଚାଷୀ ଯେମିତି ବର୍ଷର ଛ’ମାସ ହାତଗୋଡ଼ ବାନ୍ଧିଦେଇ ଘରେ ବସୁଛି, ସେପରି ନକରି ଧାନ, ମୁଗ, ଝୋଟ, ଆଳୁ–ବିଭିନ୍ନ ଋତୁରେ ବିଭିନ୍ନ ଫସଲ ବି କରି ହୁଅନ୍ତା । ପୁଣି ସମୂହ ଚାଷ କରାଗଲେ ଏ ହଳ ଲଙ୍ଗଳର ବ୍ୟବସ୍ଥା ଭାଙ୍ଗି ଟ୍ରାକ୍ଟରରେ କରାଯାନ୍ତା ଚାଷ–କମ୍ପୋଷ୍ଟ ଖତ ଦିଆହୁଅନ୍ତା ଜମିରେ । ଫଳରେ ଜମିତ ଅଧିକ ଉର୍ବର ହୁଅନ୍ତା ତା’ଛଡ଼ା ଭରଣକ ଜାଗାରେ ତିନି ଭରଣ ଫଳନ୍ତା ମାଣପିଛା । .......ଅବଶ୍ୟ ପ୍ରଥମେ ଏଥିରେ ଟିକିଏ ଅସୁବିଧା ହୋଇପାରେ–ଆପଣାର ସଂକୀର୍ଣ୍ଣ ସ୍ୱାର୍ଥ ଛାଡ଼ି ଏ ସମୂହ ହିତର ପରିକଳ୍ପନା କେତେକଙ୍କୁ ଅକଳିଆ ଲାଗିପାରେ, କିନ୍ତୁ ବର୍ଷ ଗୋଟାଏ ଲୋକଙ୍କ ଭିତରେ କାମ କରି ତା’ର ଉପକାରିତା ସେମାନଙ୍କୁ ଦେଖେଇ ଦେଇ ପାରିଲେ, ତେଣିକି ସବୁ ବଳେ ଶଗଡ଼ ଗୁଳାରେ ପଡ଼ିଯିବ । କେହି ଟିକିଏ ଉଁ କି ଚୁଁ କହିବାକୁ ନଥିବ ।

 

ଏଇ ଚାଷ ଛଡ଼ା ଆଉ କେତୋଟି ବ୍ୟବସାୟ ବି ସେଠି ହେଇପାରିବ । ଯଥା–ଲୁଣମରା, ମାଛ ଆମଦାନୀ । ଅବଶ୍ୟ ପଟାମୁଣ୍ଡେଇ ପାଖରୁ ସମୁଦ୍ର ପ୍ରାୟ ପନ୍ଦର ମାଇଲ ଦୂର, ତଥାପି ଚେଷ୍ଟା କରାଗଲେ ଏବଂ ସେଥିପାଇଁ କିଛି ମୂଳଧନ ଓ କେତେକ ଉତ୍ସାହୀ କର୍ମକର୍ତ୍ତା ଯେଗାଡ଼ କରିପାରିଲେ ଏ ବ୍ୟବସାୟ ଦୁଇଟି ମନ୍ଦ ଚଳନ୍ତା ନାହିଁ । ସମୁଦ୍ରରୁ ଅପର୍ଯ୍ୟାପ୍ତ ପରିମାଣରେ ମାଛ ମରା ହୋଇ ଚାନ୍ଦବାଲି ବାଟେ ଭଦ୍ରଖ ପଠାଯାନ୍ତା ଏବଂ ସେଠାରେ ପ୍ରତିଦିନ ଏକ୍ସପ୍ରେସରେ ଚାଲାଣ ହୁଅନ୍ତା କଲିକତା । ଲୁଣ ମରାଗଲେ ବି କଟକ, ବାଲେଶ୍ୱର, ଭଦ୍ରଖରେ କମ୍‌ ବିକ୍ରି ହୁଅନ୍ତା ନାହିଁ ।

 

ଆଉ ଏ ସବୁ ବାଦ୍‌ ଆରମ୍ଭ କରାହୁଅନ୍ତା ନାନାଦି କୁଟୀର ଶିଳ୍ପ । ଯଥା–ସୂତାକଟା, ଲୁଗାବୁଣା, ସଉପବୁଣା, କଂସାବାସନ ତିଆରି, ବଢ଼େଇକାମ ଇତ୍ୟାଦି ଇତ୍ୟାଦି । ତା’ଛଡ଼ା ପନିପରିବା ବଗିଚା, ଏଣ୍ଡିଚାଷ, ମହୁଚାଷ, କୁକୁଡ଼ା ବତକ ପାଳନ ଓ ଅଧିକ ସଂଖ୍ୟାରେ ଗୋପାଳନ ଆଦି ନାନା କାର୍ଯ୍ୟର କେନ୍ଦ୍ର ବି ଖୋଲାଯାନ୍ତା ବିଭିନ୍ନ ସ୍ଥାନରେ । ଏଥିରେ ବହୁସଂଖ୍ୟକ ବୟସ୍କଲୋକ ତ ନିଯୁକ୍ତ ହେଇପାରନ୍ତେ, ତା’ଛଡ଼ା ଅନେକ ଅକର୍ମଣ୍ୟ ଲୋକ ଓ ବୁଢ଼ାବୁଢ଼ୀ ବି ଘରେ ବସି ଦି’ପଇସା ଉପାୟ କରିବାର ସୁଯୋଗ ପାଆନ୍ତେ । ପୁଣି ଆଜିକାଲି ଯେମିତି ଆଠ ଦଶ ବରଷର ପିଲାଏ ବଜାରରେ ବସି ବିଡ଼ି ବନେଇ ବା ନାଟ ଆଖଡ଼ାରେ ମିଶି ରାଜା, ରାଣୀ, ଗୋଟିପୁଅ ହେଇ ଜୀବନକୁ ଏକାବେଳକେ ନଷ୍ଟକରି ଦେଉଛନ୍ତି, ସେମାନେ ବି ଏ ଅନୁଷ୍ଠାନମାନଙ୍କରେ କାମକରି ଭବିଷ୍ୟତ ଜୀବନକୁ ଗଢ଼ିପାରନ୍ତେ ଏବଂ ଅଳ୍ପଦିନେ ସ୍ୱାବଲମ୍ବୀ ହେଇ ନିଜ ଗୋଡ଼ରେ ନିଜେ ଠିଆହେଇ ପାରନ୍ତେ ।’’

 

ତନ୍ମୟ ହୋଇ ଏକ ଲୟରେ ଶୁଣିଯାଉଥିଲା ରେଖା । ସତେକି ଅମାନିଶିର ଘନ ଅନ୍ଧକାର ଭିତରେ ତା’କୁ କିଏ ଆଲୋକ ଦେଖେଇ ବାଟ କଢ଼େଇ ନେଉଥିଲା ଆଗକୁ । ଦେଶପାଇଁ ସେ ଅନେକ ଚିନ୍ତା କରିଛି । ବଡ଼ ଗଭୀରଭାବେ ତା’ହୃଦୟ ଆଲୋଡ଼ିତ ହେଇଛି ଲୋକଙ୍କର ଦୀନ ଦଳିତ ଅବସ୍ଥା ଦେଖି । କିନ୍ତୁ ତା’ର ସମାଧାନ କ’ଣ, ପ୍ରତିକାର କ’ଣ, ତା’ ସେ ଆଜିପର୍ଯ୍ୟନ୍ତ ସ୍ଥିରକରି ପାରି ନ ଥିଲା । ଖାଲି ଏଠି ସେଠି ଗୋଟାଏ ବକ୍ତୃତା ଦେଇ ବା ଖବରକାଗଜରେ ଦୁଇଚାରିଟା ପ୍ରବନ୍ଧ ଲେଖି ଦେଲେ ଯେ ଦେଶ ସେବା ହେଇଗଲା, ତା’ନୁହେଁ । ସେଥିପାଇଁ ରୀତିମତ ସାଧନା ଦରକାର, ତ୍ୟାଗ ଦରକାର । କୌଣସି ନାଁ ବା କ୍ଷମତା ବା ପ୍ରଶଂସା ପାଇଁ ଲାଳାୟିତ ନ ହୋଇ ଦେଶର ଯେକୌଣସି ଗୋଟିଏ ସମସ୍ୟାକୁ ଧରିନେଇ ସେଥିପାଇଁ ନିରବଚ୍ଛିନ୍ନ ଭାବରେ ସାରା ଜୀବନ କାମ କରିଯିବାହିଁ ପ୍ରକୃତ ସେବା । ସେଇଥିରେହିଁ ଜୀବନରେ ଶାନ୍ତି ଆସିବ, ଅନ୍ୟଥା ନୁହେଁ । ..ଅନ୍ୟ ସବୁଗୁଡ଼ା କେବଳ ଫାଙ୍କି । ଆନ୍ତରିକତା ଲେଶ୍‌ ମାତ୍ର ନାହିଁ ସେଥିରେ । ଏତେଦିନେ ସତେକି ରେଖା ଆଖିରୁ ପରଳ ଖସିଗଲା । ସେ ଜଳ ଜଳ କରି ଦେଖି ପାରିଲା ଆଗରେ ପଡ଼ିଥିବା ସାଧନାମୟ ପଥଟିକି ।

 

ଟିକିଏ ରହି ଦିବାକର କହିଲା–‘‘ମୁଁ ଜାଣେ ରେଖା, ତମେ ବହୁ ଉଚ୍ଚରେ ଅଛ । ଦେଶର ଅତି ବଡ଼ବଡ଼ ସମସ୍ୟା ଚିନ୍ତା କରିବାରେ ତମେ ବ୍ୟସ୍ତ । ମୋର ଏଇ ମାଟି କାଦୁଅର ମଣିଷଙ୍କ କଥା ତମକୁ ହୁଏତ ଭଲ ଲାଗିବନି । ପ୍ରଦେଶର ଗଣ୍ଡି ଡେଇଁ ଯିଏ ଭାରତୀୟ, ଆନ୍ତର୍ଜାତୀୟ ତଥା ବିଶ୍ୱର ସମସ୍ୟାମାନ ଚିନ୍ତା କରୁଛି, ସିଏ ଏଇ ସାମାନ୍ୟ ଏକ ଆଞ୍ଚଳିକ ପ୍ରଶ୍ନ ଉପରେ ଏତେଟା ଗୁରୁତ୍ୱ କେବେ ଦେଇ ନ ପାରେ ।’’

 

‘‘ଥାଉ, ଆଉ ଲଜ୍ଜା ଦିଅନ୍ତୁ ନାହିଁ । ଏ ବଡ଼ବଡ଼ ଦୁହାଗୁଡ଼ାକ ତୁଚ୍ଛା ଫମ୍ପା । ଯୋଉମାନେ ପ୍ରକୃତରେ କିଛି କରନ୍ତି ନାହିଁ ସେହିମାନେହିଁ କେବଳ ଏ ଦୁହା ଉଠାନ୍ତି । ବାସ୍ତବ କର୍ମୀ କିନ୍ତୁ ସବୁବେଳେ ନୀରବ । ସାଧନା କରାହୁଏ ଲୋକଲୋଚନ ଅଗୋଚରରେ–ଢକ୍‌କା ବଜେଇ ନୁହେଁ । ....ସତେ ଦିବାକର ବାବୁ, ଯଦି ଆପଣ ମୋତେ ବିଶ୍ୱାସ କରନ୍ତି, ତେବେ ମୁଁ କହିବି, ମୁଁ ଆମ ଦଳର ସମସ୍ତ କର୍ମପନ୍ଥା ଛାଡ଼ିଦେଇ ଏଇ ମୁହୂର୍ତ୍ତରେ ଧାଇଁଯିବାକୁ ରାଜିଅଛି ସ ତଳମାଳ ଅଞ୍ଚଳକୁ-।’’

 

ଦିବାକର ହସିଲା । ରେଖାର ଆନ୍ତରିକତା ସେ ବହୁଦିନୁ ଜାଣିଛି । ଖାଲି ମନ ବିଡ଼ିବାକୁ ପଚାରୁଥିଲା ଯାହା । ....ଟିକିଏ ଗମ୍ଭୀର ହୋଇ କହିଲା–‘‘କିନ୍ତୁ ରେଖା, ତା’ ଆଗରୁ ମୋର ଗୋଟିଏ ଅନୁରୋଧ ତମେ ରଖିବ ? ଅତି ବିନୀତ ଅନୁରୋଧ–ପ୍ରାଣର ଏକ ଅଶ୍ରୁପୂର୍ଣ୍ଣ ମିନତି....’’

 

ଦିବାକରର ହାତଯୋଡ଼ିକ ମୁଠେଇ ଧରିଲା ରେଖା–‘‘ଛି, କ’ଣ ପାଇଁ ଏତେ ବିକଳ ହେଇ ପଡ଼ୁଛନ୍ତି ? ଜୀବନ ଦେବାକୁ ପଡ଼ିଲେ ବି ଏଇ ମୁହୂର୍ତ୍ତରେ ମୁଁ ହସିହସି ଦେବାକୁ ପ୍ରସ୍ତୁତ ଅଛି । ଆଦେଶ ଦିଅନ୍ତୁ ।’’

 

‘‘ତମେ ଜୟସୂର୍ଯ୍ୟ ବାବୁଙ୍କୁ ଜାଣ ?’’

 

ଏଁ–ଜୟସୂର୍ଯ୍ୟ–ଚାଉଁକିନା ଚମକି ପଡ଼ିଲା ରେଖା । ମୁହଁରୁ ମଉଳିଗଲା ହସ ଟିକକ । ...ସେ ଦିବାକରକୁ ଜୀବନର ସବୁକଥା ଟିକିନିଖି କରି ଖୋଲି କହିଛି । କେବଳ କହିନାହିଁ ବାପାମା’ଙ୍କ ନାଁ । ପ୍ରାଣରେ ବେଶୀ ଆଘାତ ଲାଗିବ ବୋଲି ଦିବାକର ବି ଜୋର ଦେଇ ନାହିଁ ସେ କଥାରେ । ଆଜି ହଠାତ୍‌ ଜୟସୂର୍ଯ୍ୟ ନାଁ ପଡ଼ିବାରୁ ତା’ର ସନ୍ଦେହ ହେଲା–ଦିବାକର ଆଉ ସବୁକଥା ଜାଣିଲା କି ? ......ଟିକିଏ ରହି ମୁହଁର ଭାବ ବଦଳେଇ କହିଲା–ହଁ, ଜାଣେ, ମାନ୍ଦ୍ରାଜରେ ମୁଁ ପଢ଼ୁଥିବା ସମୟରେ ସେ ମୋର ବନ୍ଧୁ । ବର୍ତ୍ତମାନ ଭୁବନେଶ୍ୱର ଇଲେକ୍‌ଟ୍ରିକାଲ୍‌ ଡିଭିଜନ୍‌ର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ।’’

 

‘‘ତାଙ୍କୁ ଯଦି କୌଣସି ମତେ ଆମର ଏଇ ପଥରେ ପଥିକ କରାଇ ପାରନ୍ତ......’’

 

‘‘ଅସମ୍ଭବ–ନିରାଟ ଅସମ୍ଭବ । ତାଙ୍କ ମନୋଭାବ ମୁଁ ପିଲାଦିନୁ ଜାଣେ, ତା’ଛଡ଼ା ବର୍ତ୍ତମାନର ଏ ସାତଶହ ଟଙ୍କାର ଚାକିରି ଓ ରାଜାଧିରାଜ କ୍ଷମତା ଛାଡ଼ି ସେ ଆସି ଆମ ସାଙ୍ଗରେ ଏ କାଦୁଅ ମାଟିରେ ଘାଣ୍ଟି ହେବେ ବା ଗାଁକୁ ଯାଇଁ ଏ ଯାବତ ପାଣ ବାଉରୀଙ୍କ ସହିତ ମିଶିବେ, ୟା’ କେବେ ହେଇ ନପାରେ । ସୂର୍ଯ୍ୟ ହୁଏତ ପୂର୍ବରୁ ଯାଇଁ ପଶ୍ଚିମରେ ଉଇଁପାରେ, କିନ୍ତୁ ଜୟସୂର୍ଯ୍ୟ ବାବୁ କେବେ ତାଙ୍କର ସେ ଆଭିଜାତ୍ୟଭରା ସିଂହାସନରୁ ତଳକୁ ଓହ୍ଲାଇ ଆସି ନ ପାରନ୍ତି ।’’

 

‘‘ତା’ ମୁଁ ଜାଣେ । ବଡ଼ଲୋକର ସନ୍ତାନ । ପିଲାଟିଦିନୁ ନାନାଦି ଭୋଗବିଳାସ କୋଳରେ ବଢ଼ି ଆସିଛନ୍ତି । ତା’ ପରେ ବର୍ତ୍ତମାନ ଏତେବଡ଼ ଉଚ୍ଚପଦସ୍ଥ ହାକିମ । ମାନ, ସମ୍ମାନ, ଧନ, ଐଶ୍ୱର୍ଯ୍ୟ–ସବୁ ଗୁଣରେ ପରିପୂର୍ଣ୍ଣ । ଏଭଳି ଲୋକ କାହିଁକି ଏ ଭିକାରିର ପଥ ଧରିବ ? ବଢ଼ା ହୋଇଥିବା ପଲଉ ମାଂସ ଛାଡ଼ି ଏ ନିରାହାର ଏକାଦଶୀ କରିବାକୁ ମନ ବା ବଳିବ କାହାର ? କିନ୍ତୁ ତଥାପି–ତଥାପି ରେଖା ! ଜୟସୂର୍ଯ୍ୟ ବାବୁଙ୍କୁ ଆମ ଭିତରକୁ ଆଣିବା ନିହାତି ଦରକାର ଓ ଯେକୌଣସିମତେ ତାଙ୍କୁ ଆଣିବାକୁହିଁ ହେବ । ତାଙ୍କ ଭଳି ଜଣେ ସୁଦକ୍ଷ ଇଞ୍ଜିନିୟର ନ ପାଇଲେ ଆମର କୌଣସି କାର୍ଯ୍ୟ ସଫଳ ହୋଇ ପାରିବ ନାହିଁ । ବିଶେଷତଃ ତାଙ୍କର ଜନ୍ମ ସେଇ ଅଞ୍ଚଳରେ-। ସୁତରାଂ ସେଠାକାର ସମସ୍ୟା ଓ ତା’ର ସମାଧାନ ତାଙ୍କୁ ଭଲରୂପେ ଜଣା ।

 

‘‘ତା’ ବୁଝିଲି ଯେ, କିନ୍ତୁ ସେ ଆସିଲେ ତ ? କିଏ ତାଙ୍କୁ ସେଇ ଧନ ଦଉଲତର ମାୟାପୁରୀରୁ ଏ କଣ୍ଟକିତ ଦୁର୍ଗମ ପଥକୁ ଟାଣି ଆଣି ପାରିବ ?’’

 

‘‘କେବଳ ତମେ–ତମେହିଁ ରେଖା । ତମେହିଁ ଏ ନାଟକର ସୂତ୍ରଧର । ଚାହିଁଲେ ଏହାକୁ କମେଡ଼ି କରିପାର ଆଉ ଚାହିଁଲେ ବି କରିପାର ଟ୍ରାଜେଡ଼ି । କାରଣ ତମଛଡ଼ା ଏ ଦୁନିଆରେ ଆଉ କେହି ନାହିଁ, ଯେ କି ଜୟସୂର୍ଯ୍ୟ ବାବୁଙ୍କୁ ଟାଣି ଆଣି ପାରିବ ଆମ ଭିତରକୁ । ଆଉ ଜୟସୂର୍ଯ୍ୟ ବାବୁ ନ ଆସିଲେ ଆମର ସବୁ କଳ୍ପନା ଜଳ୍ପନା ଉଭେଇ ଯିବ ଧୂଆଁରେ–ଯୋଜନା ଯିବ ଫସରଫାଟି ।’’

 

ଆଶ୍ଚର୍ଯ୍ୟ ହେଇ ରେଖା ଦିବାକର ମୁହଁକୁ ଚାହିଁଲା । ଭୟ ବି ହେଲା–ଦିବାକର କିଛି ତାଙ୍କ ଭିତରେ ଖରାପ ସମ୍ପର୍କ ଥିବା ଭାବୁଛି କି ? ....ଅତି ବିନୀତ ହେଇ କହିଲା–‘‘ଆପଣ ଆଦେଶ ଦେଲେ ମୁଁ ଦେଶ ପାଇଁ ଜୀବନ ପର୍ଯ୍ୟନ୍ତ ଦେଇପାରେ–କିନ୍ତୁ.......’’

 

‘‘ନାଁ, ଏଥିପାଇଁ ଜୀବନ ଦେବାକୁ ପଡ଼ିବ ନାହିଁ, ଖାଲି ଟିକିଏ ସ୍ୱାର୍ଥତ୍ୟାଗ କରି ପାରିଲେ ହେଲା ।’’

 

‘‘କୁହନ୍ତୁ, ଜୀବନର ଯାହା କିଛି ମହାମୂଲ୍ୟ ସମ୍ପଦ, ତା’ ମୁଁ ହସିହସି ତ୍ୟାଗ କରିପାରେ ଏଇ ମୁହୂର୍ତ୍ତରେ ।’’

 

‘‘ଖାଲି ଭାବପ୍ରବଣତାରେ ଭାସିଯାଇଁ କହୁଛ ନା ପ୍ରକୃତରେ ଅନ୍ତଃସ୍ଥଳରୁ ତମର ବାହାରୁଛି ଏ କଥା ?’’

 

‘‘ଏଇ ଜାତିର ଚିରନମସ୍ୟ ଏ ଜୀବନ୍ତ କଳାପୀଠରେ ବସି ଶପଥ କରି କହୁଛି–ଜୀବନର ସମସ୍ତ ସ୍ୱାର୍ଥ–କି କାୟିକ, କି ମାନସିକ, କି ଆତ୍ମିକ–ସମସ୍ତ ବଳିଦେବାକୁ ମୁଁ ରାଜିଅଛି ଦେଶ ମାତୃକାର ପୂଜା ପୀଠରେ । ଆପଣଙ୍କ ଚରଣ ଛୁଇଁ କହୁଛି–ଜୀବନର ଶେଷ ନିଃଶ୍ୱାସ ବହୁଥିବା ପର୍ଯ୍ୟନ୍ତ ମୁଁ ମୋ ପ୍ରତିଜ୍ଞାରେ ଅଚଳ, ଅଟଳ, ଅବିଚଳିତ ରହିବି ।’’

 

ଦିବାକର ଆଖି ଦୁଇଟିରୁ ଧାରଧାର ଲୁହ ଗଡ଼ି ଆସିଲା । ଉଠି ଆସୁଥିବା ଛାତିର କୋହକୁ ବହୁକଷ୍ଟରେ ଚାପିରଖି ବଡ଼ ବାଷ୍ପରୁଦ୍ଧ କଣ୍ଠରେ କହିଲା–‘‘ରେଖା ! ପାରିବ ତମେ ? ଏ ଅକିଞ୍ଚନକୁ ଛାଡ଼ି ସେଇ..........ହଁ ସେଇ ଜୟସୂର୍ଯ୍ୟ ବାବୁଙ୍କ ଆଡ଼କୁ ତମେ ଢଳିପାରିବ ରେଖା ?

 

ଏଁ–ସମଗ୍ର ଆକାଶଟା ସତେକି ଛିଡ଼ିପଡ଼ିଲା ରେଖା ମୁଣ୍ଡରେ । ଚିତ୍କାର କରି ଉଠିଲା ସେ–‘‘ଦିବାକର ବାବୁ....’’

 

‘‘ତଥାପି–ତଥାପି ଦେଶର ହିତ ପାଇଁ–ଦୀନ, ଦଳିତଙ୍କ କଲ୍ୟାଣ ପାଇଁ ଏତିକି ସ୍ୱାର୍ଥ କ’ଣ ତମେ ତ୍ୟାଗ କରିପାରିବ ନାହିଁ ?’’

 

–ଦିବାକର ଆଖିରେ ଲୋତକର ଝରଣା । ସମ୍ମୁଖର ପଥର ମୂର୍ତ୍ତିଠାରୁ ଆହୁରି ପଥର ଯେପରି ତା’ ଛାତି ।

 

‘‘କିନ୍ତୁ ଏ ତ ସ୍ୱାର୍ଥତ୍ୟାଗ ନୁହେଁ–ଜୀବନ ତ୍ୟାଗଠାରୁ ଆହୁରି ମର୍ମନ୍ତୁଦ ଏ ଯନ୍ତ୍ରଣା–’’

 

‘‘ଜାଣେ–ତମ ଅପେକ୍ଷା ମୋର କଷ୍ଟ ବି କମ୍‌ ହେଉନାହିଁ ରେଖା । ଛାତି ଫାଟିଯାଉଛି–ତଣ୍ଟି ଶୁଖି ଯାଉଛି–କଲିଜା ଯେପରି ଟିକିଟିକି ହେଇ ଛିଡ଼ି ପଡ଼ୁଛି ତତଲା ଲହୁ ସାଙ୍ଗରେ । କିନ୍ତୁ ତଥାପି–ତଥାପି ରେଖା ! ତୁଳି ଦେଖ–ଏକ ଦିଗରେ ଦେଶ, ଅନ୍ୟ ଦିଗରେ ଏଇ ତୁଚ୍ଛ କାମର ମୋହ; ଏକ ଦିଗରେ ଜାତିର ନିଃସ୍ୱ, ନିରନ୍ନ, ନିଃସହାୟ ଜନତାର ସେବା, ଅନ୍ୟ ଦିଗରେ ଏ ହୀନ ସ୍ୱାର୍ଥପରତା–ସଂକୀର୍ଣ୍ଣ ଆତ୍ମକୈନ୍ଦ୍ରିକ ଭାବ । କୁହ ରେଖା । କେଉଁଟାକୁ ବାଛି ନେବ ତମେ ? ପରର ସେବା ନା ନିଜର ସ୍ୱାର୍ଥ ? ଦେଶର ସମୂହ କଲ୍ୟାଣ ନା ନିଜର ସଂକୀର୍ଣ୍ଣ ଆତ୍ମ–ତୃପ୍ତି ?’’

 

ରେଖା ତୁଣ୍ଡରେ ଭାଷା ନ ଥିଲା ଉତ୍ତର ଦେବାକୁ । ସେ ଖାଲି ଭାବୁଥିଲା–ଦେଶପାଇଁ କେତେ ଉଗ୍ରଚିନ୍ତା କରିପାରନ୍ତି ଏ ଯୁବକ । ଜୀବନ ଦେବାକୁ ମୁହୂର୍ତ୍ତଟିଏ ବି ଲାଗିବ ନାହିଁ ତା’ଙ୍କୁ.....ଛାଡ଼, ଶେଷରେ ପୂର୍ବର ସେହି ଶପଥ ଅନୁଯାୟୀ, ତାକୁ ଚିର ଅବିବାହିତା ରହିବାକୁହିଁ ହେବ । କେବଳ ଜୟସୂର୍ଯ୍ୟ ସହିତ ମଝିରେ କେତେଟା ଅଭିନୟ ଯାହା । ହେଉ, ମଙ୍ଗଳମୟଙ୍କର ଯାହା ଇଚ୍ଛା, ତା’ ପୂର୍ଣ୍ଣ ହେଉ । କ୍ଷତି କ’ଣ ?

 

ଆଖିର ଲୁହ ପୋଛି ରେଖା ମଟର ଛୁଟାଇ ଦେଲା ଜୟସୂର୍ଯ୍ୟ ଅଫିସ୍‌କି । ସାଙ୍ଗରେ ଦିବାକର–

 

ସତର

 

ଜୟସୂର୍ଯ୍ୟ ନିଜକୁ ନିଜେ ବିଶ୍ୱାସ କରିପାରିଲା ନାହିଁ–‘‘କ’ଣ କହୁଛ ରେଖା ! ସତେ କ’ଣ ମୋର ଏଡ଼େ ଭାଗ୍ୟ ହେବ ?’’

 

‘‘ହେବ ନିଶ୍ଚେ–ମୁଁ ସେତେବେଳେ ଭୁଲ୍‍ କରିଥିଲି । ତମେହିଁ ମୋ ଜୀବନର.......’’

 

‘‘ସତେ ? ସତ କହୁଛ ରେଖା ?’’

 

‘‘ନିରାଟ ସତ–କେବଳ ଗୋଟିଏ କଥା–ଯଦି ତମେ ଏ ଭୋଗବିଳାସର ସରଗପୁରୀରୁ ଆମର ମାଟି କାଦୁଅ ଗାଁ ଗହଳକୁ ଫେରି ଆସି ଆଉ ସେଇ ଦୀନଦୁଃଖୀଙ୍କ ସେବାରେ ଟିକିଏ ମନପ୍ରାଣ ଢାଳିଦିଅ.....’’

 

ମୁହୂର୍ତ୍ତକ ପାଇଁ ଟିକିଏ ଇତଃସ୍ତତ ହେଲା ଜୟସୂର୍ଯ୍ୟ–‘‘ତା’ର ଅର୍ଥ ?’’

 

‘‘ଅତି ସହଜ–ଏ ଗୋଲାମୀ ଛାଡ଼ି ସ୍ୱାଧୀନ ଭାବରେ ତମେ ଯାଇଁ କରିବ ବ୍ୟବସାୟ–କଣ୍ଟ୍ରାକଟି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ତ ତମେ ଅଧିକାରୀ ହେବ, ତା’ଛଡ଼ା କେତେଗୁଡ଼ିଏ ଦୀନ, ଦୁସ୍ଥ ଲୋକଙ୍କୁ କାମ ଯୋଗେଇ ତାଙ୍କ ପାଇଁ ଦାନାକନାର ବ୍ୟବସ୍ଥା କରି ପାରିବ ।’’

 

‘‘କିନ୍ତୁ ଏତେବଡ଼ ଲୋଭନୀୟ ଚାକିରିଟା.....’’

 

‘‘କାହିଁକି ଏ ତୁଚ୍ଛ ଚାକିରିଟା ପ୍ରତି ଏତେ ମୋହ ? ଆପଣଙ୍କ ଆଭିଜାତ୍ୟରେ ଆଞ୍ଚ ନ ଆସିଲେ ତ ହେଲା ଧନ, ସମ୍ମାନ, ମର୍ଯ୍ୟାଦା, ଗୌରବ–ସବୁ ଯେପରି ଆପଣଙ୍କର । ଅକ୍ଷୁର୍ଣ୍ଣ ରୁହେ, ତା’ର ଦାୟିତ୍ୱ ମୁଁ ନେବି । ପୂର୍ବପୁରୁଷଙ୍କର ସେ ନୀତିକଥା–‘‘ବାଣିଜ୍ୟେ ବସତେ ଲକ୍ଷ୍ମୀ’–ଭୁଲିଗଲେ କି ?’’

 

ରେଖାର ଏତେଟା ପ୍ରାଣଭରା ସ୍ନେହ, ସୌହାର୍ଦ୍ୟ ଜୟସୂର୍ଯ୍ୟ କେବେ ସ୍ୱପ୍ନରେ ବି କଳ୍ପନା କରି ନ ଥିଲା । କି ଅପୂର୍ବ ରୂପଲାବଣ୍ୟ, କି ଦେବଦୁର୍ଲଭ ଗୁଣରାଶି ପୁଣି କି ଧୀର, ନମ୍ର, ଅକପଟ ବ୍ୟବହାର,–ଜୟସୂର୍ଯ୍ୟ ଏକାବେଳକେ ମୁଗ୍‌ଧ ହେଇପଡ଼ିଲା । କଥା ପଦିକରେ ଗୋଟିପଣେ ଢଳି ପଡ଼ିଲା ତା’ଆଡ଼େ ।

 

X X X

 

ଇସ୍‌ମାଇଲ୍‍ ଚଚ୍ଚାଙ୍କ ଗୋଡ଼ ଆନନ୍ଦରେ ତଳେ ଲାଗୁନାହିଁ । ଏତେଦିନେ ତା’ଙ୍କ ପାଗଳାପୁଅ ଦିବାକର ଫେରି ଆସୁଛି ଗାଁକୁ । ତାଙ୍କର ଛୋଟିଆ କୁଡ଼ିଆଟିକି କୁଆଡ଼େ କରିବ ଗୋଟିଏ ଆଶ୍ରମ । ଆଉ ସେହିଠାରୁ ଆରମ୍ଭ କରିବ ଲୋକସେବା, ଗ୍ରାମ ସଙ୍ଗଠନ, ଦେଶଦଶର ଉପକାର ପାଇଁ ଉନ୍ନତିମୂଳକ ଯୋଜନା । ....ଦିଗମ୍ବରକୁ କୁଣ୍ଢେଇ ପକେଇ ଚଚ୍ଚା କହିଲେ–ଦିଖିଲୁ, ମୁଁ କହୁଛି ପରା–ଯେତେହେଲେ ଘନ ଭାଇର ପୁଅ ସେ । ଖାଲି ଆପେ ମୁଠିଏ ଖାଇ ପିଇ କ’ଣ ସେ ସୁସ୍ଥରେ ରହିପାରିବ ? ବାପଭଳି ପାଞ୍ଚଜଣଙ୍କର ଟିକିଏ ଉପୁଗାର ନ କଲେ ତା’ମନରେ କ’ଣ ଶାନ୍ତି ଆସିବ ? .....ଦିବାକର ଯେ ଦିନେ ଏତେ ଗୁଣର ହେବ, ତା’ କେବେ କଳ୍ପନା କରି ନଥିଲେ ଦିଗମ୍ବର । ଆନନ୍ଦରେ ଆଖିରୁ ତାଙ୍କର ଅଶ୍ରୁ ଗଡ଼ି ଆସିଲା । ଚଚ୍ଚା ଚିଠି ପଢ଼ିଲେ–ଆସନ୍ତା ଅଗଷ୍ଟ ପନ୍ଦରରେ ଗ୍ରାମ–ମଙ୍ଗଳ–କେନ୍ଦ୍ରର ଶୁଭ ଉଦ୍‌ଘାଟନ....

 

ଘରଭିତରକୁ ପଶିଆସି ମେରି କହିଲେ–‘‘ମା’ ଇଭ୍‌ ! ତୋତେ ଆଜିଠଉଁ ଏ ସମସ୍ତ ଭାର ଲାଗିଲା । ମିଶନ୍‌ ପାଇଁ କାମ କରି କରି ଆସି ବୁଢ଼ୀ ହେଲି । ଆଉ ନୁହେଁ–ଆଉ ପାରିବି ନାହିଁ । ଏଣିକି ମୋର ଲୋଡ଼ା ଟିକିଏ ନିରୋଳା ଅବସର । ମୁଁ ଯିବି ମୋ ପ୍ରାଣର ମା’ ରେଖା ସହିତ । ସେହି ଶାନ୍ତିମୟ ପଲ୍ଲୀକୋଳରେ ବସି ମୋ ଅଲିଅଳ ମା’ଟାର ହସ ଖେଳ ଦେଖି ଦେଖି ଆନନ୍ଦରେ ଆଖି ବୁଜିବି । ....ବାପା ତୋ’ର ରେଡ଼୍‌କ୍ରସରେ କାମ କରୁଥିବା ବେଳେ ପ୍ରଥମ ମହାସମରରେ ଏଇ ଜମ୍ବୁ ଉପକୂଳରେ ପ୍ରାଣ ହରାଇଥିଲେ । ଆଉ ମୁଁ ସେହି ଅଞ୍ଚଳରେ ଯାଇଁ କଟେଇବି ମୋ ଶେଷ ଜୀବନ–ସେଇ କ’ଣ ମୋ ଜୀବନରେ ପରମ ଶାନ୍ତି ନୁହେଁ ?’’ .... ମେରିଙ୍କ ଆଖି ଛଳ ଛଳ ହେଇ ଆସିଲା ।

 

ଅଗଣାରେ ବସି ରାଜଲକ୍ଷ୍ମୀର ମୁଣ୍ଡ ବାନ୍ଧି ଦେଉଥିଲା କୁସୁମ । ସଜଫୁଟା ନିଆଳୀ ଫୁଲ କେଇଟି ଗଭାରେ ଖୋସି ଦେଉଁ ଦେଉଁ କହିଲା–‘‘ଆଉ ଅଳପ ଦିନ ଗୋ ଆମ୍ବକସି–ଏ ସୁନ୍ଥାଣିପରା ଏକାରାତିକେ ଅଲରା ହେଇଯିବ–ଦିବାକର ଯେ ନିକଟରେ ଫେରି ଆସୁଛି ଗାଁକୁ’’ । ମୁରୁକି ମୁରୁକି ହସି ଉଠିଲା ରାଜଲକ୍ଷ୍ମୀ–‘‘ସତେ, ତୁ ତା’ହେଲେ ଶଙ୍ଖ, ହୁଳହୁଳି ପକେଇ ତାଙ୍କୁ ବନ୍ଦେଇ ଆଣଲୋ ଅଧବାଟରୁ । ତା’ହେଲେ ଚଚ୍ଚା ଏଣେ ଖିରିପିଠା ତ ଦେବେ ଆଉ ସ୍ୱୟଂ ସିଏ ଦେବେ ଏକ ନରମ ଚୁ.....’’

 

‘‘ଭାକ୍‌’’–ବିଧାଟାଏ ପିଠିରେ ପକେଇ କୁସୁମ ଉଠି ସେଠୁ ପଳେଇଲା ।

 

ଅଗଷ୍ଟ ପନ୍ଦର–ଗାଁ ଲୋକେ ଖବର ପାଇ ନବ ଉତ୍ସାହରେ ମାତି ଉଠିଛନ୍ତି । ଘରେ ଘରେ ଅପୂର୍ବ ସାଜସଜ୍ଜା । ପ୍ରତି ଦୁଆର ମୁହଁରେ କଳସ, କଦଳୀଗଛ, ଘିଅଦୀପ, ଦେବଦାରୁ ଡାଳ ସୁସଜ୍ଜିତ । ଗାଁ ଦାଣ୍ଡ ପରିଷ୍କାର ପରିଚ୍ଛନ୍ନ–ଘର ଦୁଆର ନିପା ପୋଛା ହେଇ ଚିତା ପଡ଼ି ହସୁଛି । ଲୋକମାନେ ଝାଞ୍ଜ, ମୃଦଙ୍ଗ ଧରି ଚଚ୍ଚାଙ୍କ ଦୁଆରେ ଯାଇଁ ସକାଳ ପହରୁ ମାତିଛନ୍ତି କୀର୍ତ୍ତନରେ । ଉପରେ ଫର ଫର ହେଇ ଉଡ଼ି ବୁଲୁଚି ସ୍ୱାଧୀନ ଦେଶର ଗର୍ବ ଗୌରବ–ଜାତୀୟ ପତକା ।

 

ଅସୀମ କଳରୋଳ ଓ ଶଙ୍ଖ ହୁଳହୁଳି ଭିତରେ ପ୍ରଥମେ ଆସି ପହଞ୍ଚିଲା ଦିବାକର । ଚଚ୍ଚା ଓ ଭାଇଙ୍କ ଗୋଡ଼ତଳେ ସାଷ୍ଟାଙ୍ଗ ପ୍ରଣିପାତ କରି ଜନତା ଉଦ୍ଦେଶ୍ୟରେ ଭକ୍ତିଭରେ ମଥା ନୋଇଁଲା-। କୁଆଡ଼େ ଥିଲେ ରାମ, ଗୋବିନ୍ଦ–ହସ ହସ ହେଇ ଧାଇଁ ଆସିଲେ ଦାଦା ପାଖକୁ । ଦିବାକର ଦି’କାଖରେ ଦିହିଁକୁ କାଖ କଲା । ସବାସାନ କୋଳ ଛୁଆଟି କୁଡ଼ିଆ ସେପାଖ ଘରେ କୁଆଁ କୁଆଁ ହେଇ କାନ୍ଦୁଥାଏ । ........ଚଚ୍ଚା ଲକ୍ଷ୍ୟ କଲେ, ଏତେ ଆୟୋଜନ କରି ବି ଦିବାକର ମନରେ କାହିଁକି ସୁଖ ନାହିଁ । ମୁହଁରେ ବଡ଼ ଫିକା ହସ । ସତେକି ଜୀବନ ନାହିଁ ସେ ହସରେ । କିନ୍ତୁ କିଛି ପଚାରିବା ପୂର୍ବରୁ ଆସି ସେଠାରେ ପହଞ୍ଚିଲେ ରେଖା ଓ ଜୟସୂର୍ଯ୍ୟ । ଅନ୍ଧାର ଭିତରେ ସତେକି ସୌଦାମିନୀର ଝଲକ ଖେଳିଗଲା କ୍ଷଣକପାଇଁ । ରୂପ ଯେମିତି, ସାଜସଜ୍ଜା, ବସନ, ଭୂଷଣ, ବି ସେମିତି । ଶୁଦ୍ଧ ସୁବର୍ଣ୍ଣ ଭଳି ଦାଉ ଦାଉ ଝଟକୁଛି ସେ କାନ୍ତି । ଲୋକେ ଦେଖି ଅବାକ୍‌ ହେଇଗଲେ-। ଦିବାକରର ଅନ୍ତରତଳୁ ବି ଉଠିଆସିଲା ଏକ ଗଭୀର ଦୀର୍ଘଶ୍ୱାସ । ଥରେ ରେଖା ଆଡ଼କୁ ଚାହିଁଦେଇ ନୀରବରେ ସେ ତଳକୁ ମୁହଁ ପୋତିଲା ।

 

କାର୍ଯ୍ୟ ଆରମ୍ଭ ହେଇ ଯାଇଥାନ୍ତା । ଫୁଲମାଳ ଧରି ଜୟସୂର୍ଯ୍ୟ ବେକରେ ଲମ୍ବାଇଦେବାକୁ ଝିଅ କେଇଟି ଉଠି ଆସିଥିଲେ–କିନ୍ତୁ ହଠାତ୍‌ ଦେଖାଗଲା ଦୂରରୁ ବେଗି ବେଗି ପଦ ଚାଲି ଧାଇଁଛନ୍ତି ଏକ ବୃଦ୍ଧ । ଆଗପଛ, ତଳ ଉପର କୁଆଡ଼କୁ ଲକ୍ଷ୍ୟ ନାହିଁ । ନିଜର ପୋଷାକପତ୍ର ପ୍ରତି ବି ନଜର ନାହିଁ ତାଙ୍କର । ତୁଣ୍ଡରୁ ଖାଲି ଗୋଟିଏ କଥା–ଜୟି !, ଜୟି !–ଏ ବୁଢ଼ାଟାକୁ କ୍ଷମାକର ବାବା । ସବୁ ଦୋଷ ମୋର–ସବୁ ଦୋଷ ମୁଁ ଗୋଟି ଗୋଟି ସ୍ୱୀକାର କରୁଛି.....’’ ଜନତା ସ୍ତମ୍ଭୀଭୂତ ହେଇ ସେହି ଆଡ଼େ ଚାହିଁ ରହିଲା । ଚାରିଆଡ଼ ନୀରବ, ନିସ୍ତବ୍‌ଧ–କାହାରି ମୁହଁରେ କଥା ପଦେ ନାହିଁ ।

 

ବୁଢ଼ା ଧାଇଁ ଧାଇଁ ଆସି ଜୟସୂର୍ଯ୍ୟର ଗୋଡ଼ତଳେ ପଡ଼ିଯିବା ଉପରେ । ଜୟସୂର୍ଯ୍ୟ ଆଉ ସମ୍ଭାଳି ହୋଇ ପାରିଲେ ନାହିଁ । ଭୋ ଭୋ କାନ୍ଦିଉଠି କୁଣ୍ଢେଇ ପକେଇଲେ ତାଙ୍କୁ–‘‘ବାପା ! ବାପା-! ଯେତେହେଲେ ମୁଁ ତମର ପୁଅ–ତମେ ମୋତେ କ୍ଷମା କର । ମୋତେ ତମ ଚରଣତଳେ ଆଶ୍ରୟ ଦିଅ–’’

 

ଆଶ୍ଚର୍ଯ୍ୟ–ଯାହା କେହି କେବେ ସ୍ୱପ୍ନରେ ବି କଳ୍ପନାକରି ନ ଥିଲେ–କଇଁ କଇଁ ହେଇ ଏଣେ କାନ୍ଦିଉଠିଲା ରେଖା । ଢୁ’କିନା ବୁଢ଼ାଙ୍କ ଗୋଡ଼ତଳେ ମୁଣ୍ଡ ପିଟିଦେଇ ଜାବୁଡ଼ି ଧରିଲା ସେ ଗୋଡ଼ ଯୋଡ଼ିକ–‘‘ମୋତେ ବି ତମ ଚରଣ ତଳେ ସ୍ଥାନଦିଅ ବାପା !–ମୁଁ ବି ତମର ଏକ ଅବାଧ୍ୟ ସନ୍ତାନ ।’’

 

ଏଁ–ଚମକି ପଡ଼ିଲେ ବୁଢ଼ା । କିଏ ଏ ଯୁବତୀ ? କାହିଁକି ଏ ଅଦ୍ଭୁତ ପ୍ରହେଳିକା ? ....କୁଆଡ଼ୁ ଆସିଲା ପୁଣି ଏ ଅମଙ୍ଗଳ ଧୂମକେତୁ ? .....ଧୀରେ ଧୀରେ କହିଲେ–‘‘କିଏ ତମେ ‘ମା’–ମୁଁ ତ କେବେ ଦେଖିଲାପରି ମନେ ହେଉନି....’’

 

‘‘ନା, ଦେଖିଛନ୍ତି, କିନ୍ତୁ ମନେ ନଥିବ । ସେତେବେଳେ ସେ ମାତ୍ର ଦି’ବରଷର ଛୁଆ’’–ତେଣୁ ହସି ହସି ଆସି ପହଞ୍ଚିଲେ ମେରି । ମୁହଁରେ ସେହି ସୁଧାଭରା କଅଁଳ କଥା ।

 

‘‘ଆପଣ ପୁଣି କିଏ ?’’

 

‘‘ଏଇ ଆପଣଙ୍କ ଝିଅଟିର ଧାଈ ମା’ । ଧନଗର୍ବରେ, କ୍ଷମତା ଗର୍ବରେ ଭୋଳ ହେଇ ଆପଣ ସେଦିନ ଗୋଡ଼ରେ ଠେଲି ଦେଇଥିଲେ ଲଛମୀକି–ଦଳି ଦେଇଥିଲେ ସେହି ନିରୀହା, ସରଳା, ସୁକୁମାରୀ ପଲ୍ଲୀ ଝିଅଟିକି ଆଉ ତା’ସାଙ୍ଗରେ ନିର୍ମମ ହୃଦୟରେ ଦରିଆ ମଝିକି ଫିଙ୍ଗି ଦେଇଥିଲେ ଏଇ ଜିଅଁନ୍ତା, କଅଁଳା ଛୁଆଟିକି.....ଦୁଃଖ, ଅଭାବ, ଲଜ୍ଜା, ଅପମାନରେ ସନ୍ତୁଳି ହେଇ ହେଇ ଲକ୍ଷ୍ମୀ ଶେଷକୁ ଆତ୍ମହତ୍ୟା କଲା ଆଉ ଭୋ ଭୋ କାନ୍ଦିକାନ୍ଦି ଏରାୟା ଦିନେ ଆଣି ମାନ୍ଦ୍ରାଜର ଆମେରିକାନ୍‌ ମିଶନରେ ମୋ ହାତରେ ଟେକି ଦେଇଗଲା ଏ ଛୁଆଟିକି....ମନେ ନାହିଁ ? ମନେ ନାହିଁ ସେ ସବୁ ଇଞ୍ଜିନିୟର ସାହେବ ?’’

 

‘‘ଥାଉ–ଆଉ ଲଜ୍ଜା ଦିଅନି ମା’’–ମେରିଙ୍କ ଗୋଡ଼ ତଳେ ଢୁ ଢୁ ମୁଣ୍ଡ ପିଟି ଦେଲେ ବୁଢ଼ା–‘‘ସବୁ ଦୋଷ, ସବୁ ଅପରାଧ ମୋର । ଲଛମୀ ଆଜି ନାହିଁ । ଏଇ ଝିଅଟି ଗୋଡ଼ ତଳେ ମୁଁ ଆଖିଜଳରେ କ୍ଷମାଭିକ୍ଷା ମାଗିବି, ତେଣିକି ତା’ ଇଚ୍ଛା–’’ ଠିଆ ହେଇ ଗୋଟିଏ ପାଖରେ ରେଖାକୁ ଆରପାଖରେ ଜୟସୂର୍ଯ୍ୟକୁ କୋଳ କରି ଧରିଲେ । ଆଖିରୁ ଅଝରଝରା ଲୁହ ବୋହି ଯାଉଥାଏ । ଛାତିଭିତରୁ ଉଠୁଥାଏ କଇଁ ଉପରେ କଇଁ । ସତେକି ଏଇ ମୁହୂର୍ତ୍ତରେ ଅଚେତ ହେଇ ପଡ଼ିବେ । ବଡ଼ କଷ୍ଟରେ ବଡ଼ ବାଷ୍ପାକୁଳ କଣ୍ଠରେ କହିଲେ–‘‘ବାବା ! ମା’ ! ତମ ଜଣକର ନୁହେଁରେ, ଉଭୟଙ୍କ ମା’ଙ୍କୁ ମୁଁ ଏମିତି ଜୀବ ଥାଉଁ ଥାଉଁ ଆପଣା ହାତରେ ମାରିଛି । ନିଜର ମାନ, ମର୍ଯ୍ୟାଦାରେ କଳଙ୍କ ଲାଗିବ ବୋଲି ଲଛମୀକି ଦେଇଛି ଧୁଧୁ ସାହାରା ମରୁଭୂଇଁକି ଠେଲି ଆଉ ତୁଚ୍ଛ କାମ ଲାଳସାରେ ବଶବର୍ତ୍ତୀ ହୋଇ ମୋର ବିବାହିତା ସ୍ତ୍ରୀ, ସତୀଶିରୋମଣୀକି ଦେଇଛି ଆପଣା ହାତରେ ବିଷ......ମୋ’ଭଳି ନରକର ଘୃଣ୍ୟ କୀଟ ଏ ତିନି ଭୁବନରେ ମିଳିବ ନାହିଁ । କିଏ ଏମିତି ଆପଣା ହାତରେ କରିବ ନରହତ୍ୟା ? କିଏ ଭୁଷିବ ଆପଣା ପ୍ରାଣପ୍ରିୟା ପତ୍ନୀ ଛାତିରେ ତୀକ୍ଷ୍‌ଣ ଛୁରିକା ?

 

ହଁ ବାବା ! ଏ ପାପର ପ୍ରତିଫଳ ମୁଁ ଯଥେଷ୍ଟ ପାଇଲିଣି । ଚାକିରି ଗଲା, ପେନସନ ବାଜ୍ୟାପ୍ତ ହେଲା, ଶେଷକୁ ଆଜି ଖାଇବାକୁ ମୁଠାଏ ମିଳିବା ବି କଷ୍ଟ ହେଲାଣି । ପୁଣି ତମର ଦେବୀ ପ୍ରତିମା ମା’କୁ ମାରି ଯୋଉ ନୂଆ ମା’ ଆଣିଲି, ସେ ମାନବୀ ନୁହଁନ୍ତି, ଡାକିନୀ, ଯୋଗିନୀ, ରାକ୍ଷସୀ-। ମୋର ଏଇ ଜିଅଁନ୍ତା ଛାତି ଉପରେ ବସି ସେ ନିତି ସଞ୍ଜେ ସକାଳେ ପୋଷ ପୋଷ ଲହୁ ପିଉଛନ୍ତି-। ଆଉ ନୁହେଁ–ଆଉ ସହି ପାରିବି ନାହିଁ ବାବା ତା’ ଅତ୍ୟାଚାର । ତୁମ୍ଭମାନଙ୍କ ଚରଣ ଧରୁଛି–ଯଦି କ୍ଷମା କରିବ ତ କର ଏ ହୀନ ପାଷଣ୍ଡକୁ । ନାହିଁ ଯଦି ତଥାପି ମନରେ ଘୃଣା ଆସୁଛି, ଏଇ ନିଅ–ଏଇ ଛୁରିଟା ଜୋର କରି ବସେଇ ଦିଅ ମୋ ଛାତି ଉପରେ । ଚିରଦିନ ପାଇଁ ଲୁଚିଯାଉ ଏ କଳଙ୍କ ମୁଖ–ଲିଭିଯାଉ ଏ ଘୃଣ୍ୟ ଜୀବନ.....’’ ବୁଢ଼ା ପୁଣି ରେଖା ଜୟସୂର୍ଯ୍ୟଙ୍କ ଚରଣ ତଳେ ଲୋଟି ପଡ଼ିଲେ ।

 

ଲୋକେ ସେତେବେଳକୁ ଦେଖି ଦେଖି କାଠ ପାଲଟି ଗଲେଣି । ଚଚ୍ଚାଙ୍କ କୋରଡ଼ ଆଖିରୁ ବହିଗଲାଣି କେତେ ଅସରା ଲୁହ । ମେରି, ଦିଗମ୍ବର, ଦିବାକର–ସମସ୍ତଙ୍କ ଆଖି ବି ଛଳ ଛଳ ହେଇଗଲାଣି ଲୁହରେ । ରେଖା, ଜୟସୂର୍ଯ୍ୟଙ୍କ କଥା ତ ଛାଡ଼ । ଲୁହ ସିଙ୍ଗାଣି ତାଙ୍କର ଏକାକାର ହେଉଛି ସେତେବେଳକୁ ।

 

ଚଚ୍ଚା ଧୀରେ ଧୀରେ ଯାଇଁ ବୁଢ଼ାଙ୍କୁ ଉଠେଇଲେ–‘‘ଆସନ୍ତୁ–ପଛକଥା ସବୁ ଭୁଲି ଯା’ନ୍ତୁ । ଆପଣଙ୍କର ଏତେବଡ଼ ଯୋଗା ପୁଅଝିଅ ଥାଉଁ ଥାଉଁ ଆଉ ଆପଣଙ୍କର କିଛି କଷ୍ଟ ହେବ ନାହିଁ । ସେମାନଙ୍କୁ ନେଇ ସୁଖଶାନ୍ତିରେ ଘର କରନ୍ତୁ ଏଣିକି ।’’

 

‘‘ନାଇଁ ମୁନସୀଜି ! ଆପଣଙ୍କ ଭଳି ମହାପୁରୁଷ ମୋତେ କହନ୍ତୁ ନାହିଁ–ଅପବିତ୍ର ହେଇଯିବ ଅଙ୍ଗ । ଆପଣଙ୍କ ମହତ୍‌ ହୃଦୟ ସମ୍ବନ୍ଧେ ବହୁତ ଶୁଣିଛି । ଆପଣ ମଣିଷ ନୁହଁନ୍ତି ତ ସାକ୍ଷାତ୍‌ ଦେବତା । ଆଉ ମଦର ମେରି ! ଝିଅକୁ ମୋର ମଣିଷ କରିବା ପାଇଁ ଆପଣ ବହୁତ କରିଛନ୍ତି । ଆପଣଙ୍କ ଋଣ ମୁଁ ସାତଜନ୍ମରେ ବି ସୁଝିପାରିବି ନାହିଁ । .....ଆଜି ଆପଣ ଦୁହିଁଙ୍କୁ ମୋର ଗୋଟିଏ ଅନୁରୋଧ–ଶେଷ ଅନୁରୋଧ–ରଖିବେ ତ ? ଏଇ ମୋର ପୁଅ, ଝିଅ ଯୋଡ଼ିଏ ଆଜିଠୁ ଆପଣଙ୍କୁ ଲାଗିଲେ । ସେମାନଙ୍କ ଭବିଷ୍ୟତ–ସେମାନଙ୍କ ଭଲମନ୍ଦ ସବୁ ଆପଣଙ୍କ ଉପରେ । ମୋତେ ଛୁଟି ଦିଅନ୍ତୁ । ଏ ମାୟାମୋହ କାଟି ମୁଁ ଆରପାରିକି ଯିବାକୁ ସଜହୁଏ–ଏ ଘର ଛାଡ଼ି ମୁଁ ଚାଲିଯାଏ ଦୂର ଦେଶକୁ ।’’

 

ଚଚ୍ଚା ବା ମେରିଙ୍କ ତୁଣ୍ଡରୁ କିଛି ଉତ୍ତର ବାହାରିବା ପୂର୍ବରୁ ଦିବାକର ଆସି ବୁଢ଼ାଙ୍କ ଗୋଡ଼ତଳେ ପଡ଼ିଲା–‘‘ବାବା ! ଆପଣଙ୍କର କେବଳ ଏଇ ଯୋଡ଼ିଏ ସନ୍ତାନ ନୁହଁନ୍ତି । ଏ ତଳମାଳ ଅଞ୍ଚଳର ଲକ୍ଷ ଲକ୍ଷ ସନ୍ତାନ ଆପଣଙ୍କର । ଚାହିଁ ଦେଖନ୍ତୁ, ସମସ୍ତେ ଲୁହ ଢାଳି, ମୁହଁ ଶୁଖେଇ, କରୁଣ ଆଖିରେ ଚାହିଁ ରହିଛନ୍ତି ଆପଣଙ୍କ ଆଡ଼େ । ଏମାନଙ୍କୁ ନିରାଶ କରି ଛାଡ଼ି ଯାଆନ୍ତୁ ନାହିଁ ବାବା । ଏ ଲକ୍ଷ ଲକ୍ଷ ଭୋକିଲା, ନଙ୍ଗଳା, ରୋଗା, ଅପାଠୁଆ ପୁଅମାନେ ଆପଣଙ୍କ ବିନା କଲବଲ ହେଇ ଅଧାବଅସରେ ମରିବେ ସିନା । ଗୋଡ଼ ଧରୁଛି, ଏଇ ଦରମଲା ଲୋକଙ୍କୁ ଛାଡ଼ି ନ ଯାଇଁ ବରଂ ଏମାନେ କେମିତି ବଞ୍ଚିବେ, ମଣିଷ ହେବେ–ତା’ର ବାଟ ଆମକୁ ବତେଇ ଦିଅନ୍ତୁ । ଖାଲି ରେଖା, ଜୟସୂର୍ଯ୍ୟ ନୁହଁନ୍ତି, ଆମେ ସମସ୍ତେ ଆପଣଙ୍କ ଚରଣଧୂଳି ନେଇ ଏଇମାନଙ୍କ ସେବାରେ ଲାଗିପଡ଼ିବୁ ।’’

 

ବୁଢ଼ା ଆଶ୍ଚର୍ଯ୍ୟ ହେଇ ମୁହଁ ଟେକିଲେ । ସବୁ ଭାବନ୍ତି ତାଙ୍କର ଗୋଳମାଳ ହେଇଗଲା କ୍ଷଣକେ । ମେରି ହସି ହସି କହିଲେ–‘‘ସେଇଆ କରନ୍ତୁ ଆଜ୍ଞା–He prayth best who loveth best’’...ଚଚ୍ଚା କହିଲେ–‘‘ହଁ, ବୁଢ଼ାଭାଇ ! ନରନାରାୟଣଙ୍କ ସେବାହିଁ ପ୍ରକୃତ ଭଗବତ୍‌ ସେବା ।’’

 

ବୁଢ଼ା ପୁଣି ଚଲାପଥରୁ ଲେଉଟିଲେ.....

 

ଉପସ୍ଥିତ ଜନତା ଧୀରସ୍ଥିର ହେଇ ବସିଯିବା ପରେ ମେରି ଉଠି ବୁଢ଼ାଙ୍କୁ କହିଲେ–‘‘ଆପଣ ଜନ୍ମଦାତା–ଝିଅ ଉପରେ ଆପଣଙ୍କର ପୂର୍ଣ୍ଣ ଅଧିକାର । ତଥାପି ମୁଁ ଗୋଟିଏ ପ୍ରସ୍ତାବ କରିବି, ଯଦି ଆପଣଙ୍କ ମନକୁ ଆସେ....ରେଖାକୁ ମୁଁ ପିଲାଟିଦିନୁ ପାଳିନାଳି ବଢ଼େଇ ଆଣିଛି । ତା’ ମନ ମୁଁ ଚିହ୍ନେ । ମୋର ଇଚ୍ଛା–ଉଦୀୟମାନ ତରୁଣ ଦିବାକର ସହିତ.....’’

 

‘‘ମୋର ତିଳାର୍ଦ୍ଧେ ଆପତ୍ତି ନାହିଁ । ଯାହା ଆପଣଙ୍କ ଖୁସି କରନ୍ତୁ–’’

 

ଜୟସୂର୍ଯ୍ୟର ଭାବିବାକୁ ଆଉ କିଛି ନଥିଲା । ରେଖା ଯେ ତା’ର ନିଜ ଭଉଣୀ….

 

ଦିବାକର ଡାକିଲା–‘‘ଚଚ୍ଚା !’’

 

ହସି ହସି ଚଚ୍ଚା କହିଲେ–‘‘ଆଶୀର୍ବାଦ କରୁଛି ବାବା ! ସୁଖୀ ହୁଅ ।’’

 

ମେରି ରେଖା ଓ ଦିବାକରର ହାତ ଏକାଠି କରି ଗୋଟିଏ ଫୁଲମାଳ ପିନ୍ଧାଇ ଦେଲେ ।

 

ଆରପାଖ ଘରେ ବସି ଛୋଟ ଛୁଆଟିକି ହଳଦୀ ଦେଉଥିଲେ ଭାଉଜ ଆଉ ଗୋଡ଼ ହଲେଇ ହଲେଇ ଗୀତ ଗାଉଥିଲେ–

 

‘‘ମୋର ବନ ଶାଶୁଘର ଆଳିରେ,

ବନ ଭାତ ଖାଏ ସୁନା ଥାଳିରେ ।

‘‘ମୋର ବନ ଶାଶୁଘର କନ୍ଦରା ପାଡ଼ି,

ବାଇଦ ବାଜଇ ଧାଡ଼ିକି ଧାଡ଼ି ।’’

 

ସମସ୍ତେ ହସି ଉଠିଲେ ଠୋ ଠୋ ହେଇ । ଅଜାଣତରେ ଦିବାକର ପାଟିରୁ ବି ବାହାରି ପଡ଼ିଲା ହସ ।

 

ଟିକିଏ ରହି ଚଚ୍ଚା କହିଲେ–‘‘ବୁଢ଼ାଭାଇ ! ମୋର ବି ଗୋଟିଏ ଅନୁରୋଧ ?’’

 

‘‘ଯାହା ଆପଣଙ୍କ ଇଚ୍ଛା, ତା’ କରନ୍ତୁ ମୁନସୀଜି–କହିଲି ପରା, ମୋର କୌଣସିଥିରେ ଆପତ୍ତି ନାହିଁ ।’’

 

ଚଚ୍ଚା ଡ଼ାକିଲେ–‘‘କୁସୁମ ! କୁସୁମ ! ଆଣ ତ ମା’ ସେ ଲାଜକୁଳୀ ଲତାଟିକି ......’’

 

ସତରେ ଏକା ସେ ଲତାଟି ଏକାବେଳକେ ଝାଉଁଳି ପଡ଼ିଥିଲା ସରମରେ । ହେଲେ ବାପା ମା’ ବେକାର ହେଲେ–‘‘ଯା ! ମୁଣ୍ଡରେ ଓଢ଼ଣା ଦେଇ ଧୀରେ ଧୀରେ ଯା’ ସେଠିକି । ଚଚ୍ଚା ପିତୃତୁଲ୍ୟ ଲୋକ । ତାଙ୍କ କଥା ଅମାନ୍ୟ କରନ୍ତି ?’’ ....କୁସୁମ ଘୋଷାରି ଘୋଷାରି ଜବରଦସ୍ତି ଆଣି ଚଚ୍ଚାଙ୍କ ସାମନାରେ ଠିଆକଲା ରାଜଲକ୍ଷ୍ମୀକି । ଚଚ୍ଚା କଅଁଳେଇ ଡାକିଲେ ଜୟସୂର୍ଯ୍ୟକୁ । ରାଜଲକ୍ଷ୍ମୀକି କହିଲେ ‘‘ମା’ ! ପ୍ରଣାମ କର । ଏଇ ତୋର ଦେବତା......’’ ସୁକୁମାରୀ ଲତାଟି ଧୀରେଧୀରେ ମୁଣ୍ଡ ନୁଆଁଇଲା ଦେବତାଙ୍କ ଚରଣ ତଳେ ।

 

ଦି’ ବରଷର ଛୁଆ ଗୋବିନ୍ଦଟା କୋଉଠି ଖେଳୁଥିଲା, ସେତିକିବେଳେ ଶଙ୍ଖଟାଏ ଧରି ଧାଇଁଆସିଲା ଚଚ୍ଚାଙ୍କ ପାଖକୁ । ତାଙ୍କ କୋଳରେ ବସି ଝୋଟଭଳି ପାକେଲା ଦାଢ଼ି ଟାଣୁଟାଣୁ କହିଲା–‘‘ଛଙ୍କ ପୁଙ୍କ ଜେଜେ....’’

 

ପୁଣିଥରେ ସମସ୍ତେ ହସି ଉଠିଲେ । କୁସୁମ ଆନନ୍ଦରେ ଦି’ଥର କୁତୁରୁକାଳିଆ କରିଦେଲା ତା’ ଆମ୍ବକସିକି ।

 

ଉପରେ ଫରଫର ହେଇ ଉଡ଼ୁଥିବା ଜାତୀୟପତାକାକୁ ଚାହିଁ ଚାହିଁ ଚଚ୍ଚା କହିଲେ–‘‘ଆସ-। ଏଇ ପତକାତଳେ ସମସ୍ତେ ଏକଜୁଟ ହେବା । ସମସ୍ତେ ଏକସ୍ୱରରେ କହିବା–ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ–ସମସ୍ତେ ଆମେ ଏକ ଭାଇ । ଏଇ ଭାରତମାତାର ସେବା ଆମ ସଭିଙ୍କର ଏକମାତ୍ର ଲକ୍ଷ୍ୟ । ଆମେ ଧନୀ ଦରିଦ୍ର, ବ୍ରାହ୍ମଣ, ଚଣ୍ଡାଳ, ଓଡ଼ିଆ ବଙ୍ଗାଳୀ ବା ହିନ୍ଦୁ ମୁସଲମାନ–ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖିବା ଏବଂ ନିଜର କ୍ଷୁଦ୍ର କ୍ଷୁଦ୍ର ସଂକୀର୍ଣ୍ଣ ସ୍ୱାର୍ଥ ଛାଡ଼ି ସଭିଙ୍କର ସମୂହ ହିତରେ ମନପ୍ରାଣ ଢାଳି ଦେବା । କୁହ ଭାଇ–

 

ଭାରତ ମାତାକି ...........ଜୟ

ଗାନ୍ଧୀ ମହାତ୍ମାକି .........ଜୟ

ଜାତୀୟ ପତାକାକି.........ଜୟ

Image